ଉପ ରାଷ୍ଟ୍ରପତି ଭୋଟ ସରିଲା, ଧନକର ନିର୍ବାଚିତ ହେବା ନିଶ୍ଚିତ
ପ୍ରସାଦ ରାଓ
ନୂଆଦିଲ୍ଲୀ
ଅଗଷ୍ଟ ୦୬
ଗତ ଜୁଲାଇରେ ଅନୁଷ୍ଠିତ ଦେଶର ୧୫ତମ ରାଷ୍ଟ୍ରପତି ନିର୍ବାଚନ ପରି ଆଜି ହେଉଥିବା ଦେଶର ଉପ ରାଷ୍ଟ୍ରପତି ନିର୍ବାଚନ ମଧ୍ୟ ଏକାପାଖିଆ ହେଉଥିବା ଅତି ସ୍ପଷ୍ଟ । ଉପ ରାଷ୍ଟ୍ରପତି ପଦ ପାଇଁ ଏନଡ଼ିଏରୁ ପୂର୍ବତନ ପଶ୍ଚିମ ବଂଗ ରାଜ୍ୟପାଳ ଜଗଦୀପ ଧନକର ପ୍ରାର୍ଥୀ ଥିବା ବେଳେ ବିରୋଧୀ ଦଳରୁ ବରିଷ୍ଠ କଂଗ୍ରେସ ନେତ୍ରୀ ମାର୍ଗାରେଟ ଆଲଭା ପ୍ରାର୍ଥୀ ଅଛନ୍ତି । ସଂସଦ ଭବନରେ ଆଜି ସନ୍ଧ୍ୟାରେ ଭୋଟଦାନ ସରିଛି । ତୁରନ୍ତ ଭୋଟ ଗଣତି ହୋଇ ଫଳାଫଳ ମଧ୍ୟ ଆଜି ପ୍ରକାଶ ପାଇବାକୁ ଯାଉଛି । ଉପ ରାଷ୍ଟ୍ରପତି ନିର୍ବାଚନରେ କେବଳ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ଭୋଟ ଦେଉଥିବାରୁ ଏନଡ଼ିଏ ପ୍ରାର୍ଥୀ ଧନକରଙ୍କ ବିପୁଳ ଭୋଟ ବ୍ୟବଧାନରେ ବିଜୟ ନିଶ୍ଚିତ ବୋଲି ଭୋଟ-ଗଣିତ କହୁଛି । ଏହାର କାରଣ ଏନଡ଼ିଏ ପ୍ରାର୍ଥୀ ଧନକରଙ୍କ ଅବିଶ୍ୱସନୀୟ ଲୋକପ୍ରିୟତା ନୁହେଁ । ସଂସଦରେ ଏନଡିଏ ସାଂସଦଙ୍କ ସଂଖ୍ୟା ଯାହା ରହିଛି ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆବଶ୍ୟକ ଭୋଟରୁ ଯଥେଷ୍ଟ ଅଧିକ । ଏକାକୀ ବିଜେପି ଧନକରଙ୍କୁ ଉପ ରାଷ୍ଟ୍ରପତି ନିର୍ବାଚିତ କରିବା କ୍ଷମତା ରଖିଛି । ଏହାଛଡା ଏନଡ଼ିଏ ବାହାରେ ଥିବା ଅଧିକାଂଶ ରାଜନୈତିକ ଦଳ ଧନକରଙ୍କୁ ସମର୍ଥର୍ନ କରୁଛନ୍ତି । ଓଡ଼ିଶାରେ ଦୀର୍ଘ ୨୩ ବର୍ଷ ହେଲା କ୍ଷମତାରେ ଥିବା ବିଜୁ ଜନତା ଦଳ (ବିଜେଡ଼ି) ଗଲା ରାଷ୍ଟ୍ରପତି ନିର୍ବାଚନ ଭଳି ଉପ ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଏନଡ଼ିଏ ପ୍ରାର୍ଥୀ ଧନକରଙ୍କୁ ସମର୍ଥନ କରୁଛି । ରାଷ୍ଟ୍ରପତି ନିର୍ବାଚନରେ ଏନଡ଼ିଏରୁ ପ୍ରାର୍ଥୀ ଥିବା ସୁଶ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ଓଡ଼ିଆ ଝିଅ ଏବଂ ରାଜ୍ୟର ଜଣେ ଆଦିବାସୀ ମହିଳା ନେତ୍ରୀ ଦର୍ଶାଇ ବିଜେଡ଼ି ତାଙ୍କୁ ଆଗୁଆ ସମର୍ଥନ ଦେବାର ଯଥାର୍ଥତା ଥିଲା । ଅନ୍ୟ ରାଜ୍ୟରେ ମଧ୍ୟ ରାଷ୍ଟ୍ରପତି ନିର୍ବାଚନରେ ବିଜେପିର ‘ଆଦିବାସୀ’ ଓ ‘ମହିଳା’ କାର୍ଡ ତାହାର ରଂଗ ଦେଖାଇଥିଲା । ବିଭିନ୍ନ ରାଜ୍ୟରେ ଶାସନରେ ଓ ବିରୋଧୀ ଭୂମିକରେ ଥିବା ଆଂଚଳିକ ରାଜନୈତିକ ଦଳମାନେ ମହିଳା ଓ ଆଦିବାସୀ କାର୍ଡ ନିକଟରେ ଧରାଶାୟୀ ହୋଇ ରାଷ୍ଟ୍ରପତି ମୁର୍ମୁଙ୍କୁ ଭୋଟ ଦେଇଥିଲେ । ଉପ ରାଷ୍ଟ୍ରପତି ନିର୍ବାଚନରେ ସେଭଳି କିଛି ବାଧ୍ୟବାଧକତା ନଥାଇ ଓଡ଼ିଶାରେ ବିଜେଡ଼ି ଏନଡ଼ିଏ ଉପ ରାଷ୍ଟ୍ରପତି ପ୍ରାର୍ଥୀ ଧନକରଙ୍କ ପ୍ରତି ଅକୁଣ୍ଠ ସମର୍ଥନ ଘୋଷଣା କରିବା ବିରୋଧୀଙ୍କୁ ବିସ୍ମିତ କରିଛି । ତେବେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରୁ ଏକ ଫୋନ କଲ୍ ପାଇବା ପରେ ଉପ ରାଷ୍ଟ୍ରପତି ନିର୍ବାଚନରେ ଏନଡ଼ିଏ ପ୍ରାର୍ଥୀ ଧନକରଙ୍କୁ ଆଗୁଆ ସମର୍ଥନ ଘୋଷଣା କରିଥିବା ଜଣାପଡିଛି । ଉପ ରାଷ୍ଟ୍ରପତି ନିର୍ବାଚନରେ କେବଳ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ଭୋଟଦାନ ଅଧିକାର ରଖିଛନ୍ତି । ଲୋକସଭାରେ ୫୪୩ ଓ ରାଜ୍ୟସଭାର ୨୪୫ ସାଂସଦ ଏପରି ମୋଟ ୭୮୮ ସାଂସଦ ଇଲୋକ୍ଟୋରାଲ କଲେଜରେ ଥିବା ବେଳେ ରାଜ୍ୟସଭାର ଆଠଟି ସାଂସଦ ପଦ ଖାଲି ରହିଛି । ତେଣ, ମୋଟ ୭୮୦ ସାଂସଦ ଉପ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବାକୁ ଥିବା ବେଳେ ପଶ୍ଚିମ ବଂଗର ଶାସକ ତୃଣମୂଳ କଂଗ୍ରେସ ପାର୍ଟି (ଟିଏମସି) ଭୋଟଦାନରୁ ବିରତ ରହିବ ବୋଲି ଦଳର ମୁଖ୍ୟ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୂର୍ବରୁ ଘୋଷଣା କରି ସାରିଛନ୍ତି । ଟିଏମସିର ୩୬ ବିଧାୟକ ଭୋଟଦାନରୁ ବିରତ ହେଲେ ଉପ ରାଷ୍ଟ୍ରପତି ନିର୍ବାଚନରେ ୭୪୪ ସାଂସଦ ଭୋଟ ଦେବା ଆଶା ରହିଛି । ସଂସଦ ଉଭୟ ଗୃହରେ ମିଶି କେବଳ ବିଜେପିର ୩୯୪ ସାଂସଦ ଥିବା ବେଳେ ବିଜେପି ନେତୃତ୍ୱାଧୀନ ଏନଡ଼ିଏର ସାଂସଦ ସଂଖ୍ୟା ହେଉଛି ୪୪୧ । ଏହାଛଡା, ୫ ଜଣ ମନୋନୀତ ସାଂସଦ ଏନଡ଼ିଏ ଉପ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ କରୁଛନ୍ତି । ଓଡ଼ିଶାର ବିଜୁ ଜନତା ଦଳ (ବିଜେଡ଼ି) କେବଳ ନୁହେଁ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ୱାଇଏସଆରସିପି, ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସପି), ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି, ପଂଜାବର ଅକାଳୀ ଦଳ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ଶିବସେନା ଗୋଷ୍ଠୀ ଏଭଳି ଏନଡ଼ିଏ ବାହାରୁ ୮୧ ଜଣ ସାଂସଦଙ୍କ ସମର୍ଥନ ଧନକରଙ୍କ ପଛରେ ରହିଛି । ଅନ୍ୟପକ୍ଷରେ, ବିରୋଧୀ ଦଳଙ୍କ ଉପ ରାଷ୍ଟ୍ରପତି ପ୍ରାର୍ଥୀ ଥିବା ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ରାଜ୍ୟପାଳ ମାର୍ଗାରେଟ ଆଲଭାଙ୍କୁ କଂଗ୍ରେସ ଦଳ ସମେତ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନଙ୍କ ଡ଼ିଏମକେ, ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡ଼ି, ଶରଦ ପାୱାରଙ୍କ ଏନସିପି, ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ଏବଂ ବାମପନ୍ଥୀ ଦଳର ସାଂସଦଙ୍କ ସମର୍ଥନ ଥିବା ଜଣାପଡିଛି । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ତେଲେଂଗାନା ରାଷ୍ଟ୍ରୀୟ ସମିତି (ଟିଆରଏସ), ଆମ୍ ଆଦମୀ ପାର୍ଟି (ଆପ୍) ଓ ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀର ୯ ବିଧାୟକ ମଧ୍ୟ ଆଲଭାଙ୍କୁ ସମର୍ଥନ କରୁଛନ୍ତି । ଉପ ରାଷ୍ଟ୍ରପତି ନିର୍ବାଚିତ ହେବାକୁ ୩୭୨ ସାଂସଦଙ୍କ ସମର୍ଥନ ଆବଶ୍ୟକ ଥିବା ବେଳେ ସଂସଦର ଉଭୟ ଗୃହରେ ଏକାକୀ ବିଜେପି ସାଂସଦ ସଂଖ୍ୟା ୩୯୪ ଥିବାରୁ ଧନକରଙ୍କ ବିଜୟରେ କୌଣସି ପ୍ରତିବନ୍ଧକ ନାହିଁ । ତେବେ, ଧନକରଙ୍କୁ ବହୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ କରିବା ବିଜେପିର ରଣନୀତି ରହିଛି । ଗତ ଉପ ରାଷ୍ଟ୍ରପତି ନିର୍ବାଚନରେ ଏନଡ଼ିଏରୁ ପ୍ରାର୍ଥୀ ହୋଇଥିବା ଉପ ରାଷ୍ଟ୍ରପତି ଏମ.ଭେଙ୍କାୟା ନାଇଡୁ ୬୮ ପ୍ରତିଶତ ଭୋଟ ପାଇ ବିପୁଳ ବିଜୟ ହାସଲ କରିଥିଲେ । ତାଙ୍କ ବିପକ୍ଷରେ ବିରୋଧୀ ଦଳଙ୍କ ପ୍ରାର୍ଥୀ ଥିବା ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ୩୨ ପ୍ରତିଶତ ଭୋଟ ମିଳି ଥିଲା । ଆଜି ଅନୁଷ୍ଠିତ ଉପ ରାଷ୍ଟ୍ରପତି ଭୋଟରେ ଏନଡ଼ିଏ ପ୍ରାର୍ଥୀ ଧନକର ୭୦ ପ୍ରତିଶତରୁ ଅଧିକ ଭୋଟ ପାଇବେ ବିଶାଳ ବ୍ୟବଧାନରେ ବିଜୟୀ ହେବେ ବୋଲି ତଥ୍ୟାଭିଜ୍ଞ ମହଲରେ ଆକଳନ କରାଯାଉଛି । ଗଲା ରାଷ୍ଟ୍ରପତି ନିର୍ବାଚନ ମଧ୍ୟ ଏକପାଖିଆ ହୋଇଥିଲା । ଲୋକସଭା, ରାଜ୍ୟସଭା ସାଂସଦଙ୍କ ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ବିଧାୟକ ଓ ବିଧାନ ପରିଷଦ ସଦସ୍ୟମାନେ ଭୋଟଦାତା ଥିଲେ । ଓଡ଼ିଶାର ଆଦିବାସୀ ନେତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ବିଜେପି ଏନଡ଼ିଏରୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିଲା । ମୁୁର୍ମୁଙ୍କ ପ୍ରତି ଏନଡ଼ିଏରେ ବାହାରୁ ମଧ୍ୟ ଅଧିକାଂଶ ରାଜନୈତିକ ଦଳଙ୍କ ଆଖିବୁଜା ସମର୍ଥନ ମିଳିଥିଲା । ‘ଆଦିବାସୀ’ ଓ ‘ମହିଳା’ ଭୋଟରଙ୍କୁ ସନ୍ତୁଷ୍ଟ ରଖିବା ପାଇଁ ବିରୋଧୀ ମୁର୍ମୁଙ୍କୁ ବିପୁଳ ସମର୍ଥନ ଦେଇଥିଲେ । କିଛି ରାଜ୍ୟରେ ବିରୋଧୀ ବିଧାୟକଙ୍କ ଆଡୁ ଏନଡ଼ିଏ ସପକ୍ଷରେ କ୍ରସଭୋଟିଂ ମଧ୍ୟ ହୋଇଥିଲା । ଫଳରେ, ୬୪ ପ୍ରତିଶତ ଭୋଟ ପାଇଁ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୱନ୍ତ ସିହ୍ନାଙ୍କ ଭଳି ଜଣେ ଦକ୍ଷ ଓ ଅଭିଜ୍ଞ ରାଜନେତା ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହୋଇ ମଧ୍ୟ ଏହି ସୁନାମୀକୁ ରୋକିବାରି ନଥିଲେ । ତାଙ୍କୁ ମାତ୍ର ୩୬ ପ୍ରତିଶତ ଭୋଟରେ ସନ୍ତୁଷ୍ଟ ହେବାକୁ ପଡିଥିଲା । ଆଜି ଉପ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ମଧ୍ୟ ଏକାଭଳି ହେବାକୁ ଯାଉଥିବା ସ୍ପଷ୍ଟ ଅନୁମାନ କରି ହେଉଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS