ବିହାରରେ ବିଜେପିକୁ ନୀତିଶ ଝଟକା, ଆଂଚଳିକ ଦଳଙ୍କ ପାଇଁ ବଡ଼ ଶିକ୍ଷା
ପ୍ରସାଦ ରାଓ
ଅଗଷ୍ଟ ୧୦
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଂଗଳବାର (ଅଗଷ୍ଟ ୯ ତାରିଖ) ଦିନ ବିଜେପି ସହ ସଂପର୍କ ତୁଟାଇ ଜାତୀୟ ଗଣତାନ୍ତ୍ରିକ ମେଂଟ (ଏନଡ଼ିଏ)ରୁ ଓହରିବା ଏବଂ ତୁରନ୍ତ ଆରଜେଡ଼ି, କଂଗ୍ରେସ ଓ ବାମପନ୍ଥୀ ଦଳଙ୍କ ସହଯୋଗରେ ରାଜ୍ୟରେ ନୂଆ ସରକାର ଗଠନ କରିବା ବିଜେପି ନେତୃତ୍ୱ ପାଇଁ ଶକ୍ତ ଧକ୍କା ହୋଇଛି । ନୀତିଶ ୨୦୨୦ରେ ବିଜେପି-ଜେଡ଼ିୟୁ ମେଂଟ ସରକାରରେ ମୁଖ୍ୟମନ୍ତ୍ରୀ ରହିବା ଦିନଠାରୁ ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେପି ସହ ତାଙ୍କର ମତପାର୍ଥକ୍ୟ ଥିଲା । କିଛି ମାସ ହେଲା ଦୁଇ ଦଳ ମଧ୍ୟରେ ସଂପର୍କ ଅଧିକ ତୀକ୍ତ ହୋଇଥିଲେ ମଧ୍ୟ ନୀତିଶ ତାଙ୍କ ଚିରାଚରିତ ଢଙ୍ଗରେ ଶାସନ ଚଳାଇ ଥିଲେ । ଅଚାନକ ସେ ବିଜେପି ସହ ସଂପର୍କ ଛିନ୍ନ କରିବେ ଏବଂ ଏନଡ଼ିଏରୁ ଓହରି ୨୦ ମାସର ବିଜେପି-ଜେଡ଼ିୟୁ ମିଳିତ ସରକାରର ପତନ ଘଟାଇବେ, ତାହା ବିଜେପି ନେତୃତ୍ୱ ପାଇଁ ଅବିଶ୍ୱସୀୟ ଥିଲା । ତେବେ, ନୀତିଶ ବିଜେପିକୁ ସମ୍ଭାଳିବାର ସୁଯୋଗ ନଦେଇ ତୁରନ୍ତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଆରଜେଡ଼ି, କଂଗ୍ରେସ ଓ ବାମପନ୍ଥୀଙ୍କ ସହ ଏକ ନୂଆ ମେଂଟ ଗଠନ କରି ରାଜ୍ୟରେ ସରକାର ପରିବର୍ତ୍ତନ କରିଛନ୍ତି । ବିଜେପି ନେତୃତ୍ୱକୁ ଚକିତ କଲା ଭଳି ସେ ଗତକାଲି ହିଁ ରାଜ୍ୟପାଳଙ୍କୁ ଭେଟି ବିଧାନସଭାରେ ତାଙ୍କ ପଛରେ ୧୬୪ ଜଣ ବିଧାୟକଙ୍କ ସମର୍ଥନ ଥିବା ତାଲିକା ଧରାଇ ନୂଆ ସରକାର ଗଠନର ଦାବିଦାର ହୋଇଛନ୍ତି ।
ରାଜ୍ୟ ବିଧାନସଭାରେ ଥିବା ୨୪୨ ବିଧାୟକଙ୍କ ମଧ୍ୟରୁ ୧୬୪ ଜଣ ତାଙ୍କୁ ସମର୍ଥନ କରୁଥିବା ନୀତିଶ ଗତକାଲି ରାଜ୍ୟପାଳଙ୍କୁ ଜଣାଇବା ପରେ ରାଜ୍ୟପାଳ ଫାଗୁ ଚୌହାନ ଆଜି ଅପରାହ୍ନ ୨ଟା ସମୟରେ ରାଜଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଉପ ମୁଖ୍ୟମନ୍ତ୍ରୀ ହୋଇଥିବା ଆରଜେଡ଼ି ନେତା ତେଜସ୍ୱୀ ଯାଦବଙ୍କୁ ଶପଥ ପାଠ କରାଇଛନ୍ତି । ନୀତିଶ ଅଷ୍ଟମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ତେଜସ୍ୱୀ ଯାଦବ ଦ୍ୱିତୀୟ ଥର ପାଇଁ ତାଙ୍କ ଅଧିନରେ ଉପ ମୁଖ୍ୟମନ୍ତ୍ରୀ ରହିଛନ୍ତି । ଏହାପୂର୍ବରୁ ୨୦୧୫ରେ ରାଜ୍ୟରେ ଜେଡ଼ିୟୁ ଆରଜେଡ଼ି ସହ ମିଶି ସରକାର ଗଢି ଥିଲା ଏବଂ ସେହି ସରକାରରେ ନୀତିଶ ମୁଖ୍ୟମନ୍ତ୍ରୀ ଓ ଆରଜେଡ଼ି ନେତା ତେଜସ୍ୱୀ ଯାଦବ ଉପ ମୁଖ୍ୟମନ୍ତ୍ରୀ ଥିଲେ । ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ମଧ୍ୟ ଏହି ମନ୍ତ୍ରୀ ପରିଷଦରେ ସ୍ଥାନ ପାଇଥିଲେ । ୨୦୧୭ ପର୍ଯ୍ୟନ୍ତ ମେଂଟ ସରକାର ଚାଲି ଥିଲା । ତେବେ, ୨୦୧୭ରେ ନୀତିଶ କୁମାର ଅଚାନକ ଆରଜେଡ଼ି ନେତା ତଥା ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ବିରୋଧରେ ଗୁରୁତର ଦୁର୍ନୀତି ଅଭିଯୋଗ ଥିବା ଦର୍ଶାଇ ମେଂଟ ସରକାର ଭାଂଗି ଦେବା ସହ ବିଜେପି ସହ ତୁରନ୍ତ ହାତ ମିଳାଇ ନୂଆ ସରକାର ଗଠନ କରିଥିଲେ ଓ ନିଜ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିଥିଲେ । ୨୦୨୦ ପର୍ଯ୍ୟନ୍ତ ଏହି ସରକାର ଚାଲି ଥିଲା ।
୨୦୨୦ ବିଧାନସଭା ନିର୍ବାଚନରେ ନୀତିଶ ଏନଡ଼ିଏ ସହଯୋଗୀ ଭାବେ ବିଜେପି ସହ ମିଶି ନିର୍ବାଚନ ଲଢି ଥିଲା ଏବଂ ଜେଡ଼ିୟୁ-ବିଜେପି ମେଂଟର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଥିଲା ଆରଜେଡ଼ି । ନୀତିଶଙ୍କ ସୁଶାସନକୁ ଆଧାର କରି ଜେଡ଼ିୟୁ-ବିଜେପି ନିର୍ବାଚନ ଲଢି ଥିବା ବେଳେ ଆରଜେଡ଼ି ନେତା ତେଜସ୍ୱୀ ଯାଦବ ରାଜ୍ୟରେ ଶିକ୍ଷିତ ବେକାରଙ୍କ ପାଇଁ କର୍ମ ନିଯୁକ୍ତି ନଥିବା ଓ ଅନ୍ୟାନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ନିର୍ବାଚନ ଲଢି ଥିଲେ । ବିହାର ଭୋଟର ତେଜସ୍ୱୀଙ୍କୁ ସମର୍ଥନ ଦେବାରେ କୁଣ୍ଠା ପ୍ରକାଶ ନ କରି ୨୪୩ ବିଧାନସଭା ଆସନରୁ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡ଼ି)କୁ ସର୍ବାଧିକ ୭୯ ଆସନ ଆସନ ଦେଇଥିଲେ । ଅପରପକ୍ଷରେ, ବିଜେପି ଏକାକୀ ୭୭ ଓ ଜେଡ଼ିୟୁକୁ ୪୫ ଆସନରେ ବିଜୟୀ ହୋଇଥିଲା । ମେଂଟ ହିସାବରେ ବିଜେପି-ଜେଡ଼ିୟୁ ମିଳିତ ସରକାର ଗଠନ କରିବାରେ କିଛି ଅସୁବିଧା ନଥିଲା । ଦୁଇ ଦଳର ବିଧାୟକ ସଂଖ୍ୟା ୧୨୨ ରହିଥିବା ବେଳେ ଆରଜେଡ଼ ଓ ତାହାର ସହଯୋଗୀ ମିଶି ୧୧୦ ବିଧାନସଭା ଆସନରେ ବିଜୟୀ ଥିଲେ । ବିଧାନସଭାରେ ଆରଜେଡ଼ି ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଥିଲେ ମଧ୍ୟ ସରକାର ଗଠନର ସୁଯୋଗ ପାଇ ନଥିଲା । ରାଜ୍ୟରେ ଏନଡ଼ିଏ ସରକାର ପ୍ରତିଷ୍ଠା ହୋଇଥିଲା ଏବଂ ପୂର୍ବ ପ୍ରତିଶ୍ରୁତି ମୁତାବକ ବିଜେପି ଜେଡିୟୁ ମୁଖ୍ୟ ନୀତିଶ କୁମାରଙ୍କୁ ପୁନଃ ମୁଖ୍ୟମନ୍ତ୍ରୀ ପଦରେ ଆସୀନ କରି ନିଜେ ଉପ ମୁଖ୍ୟମନ୍ତ୍ରୀ ପଦରେ ସନ୍ତୁଷ୍ଟ ଥିଲା ।
୨୦୨୦ରେ ନୀତିଶ ପୁନର୍ବାର ବିହାର ମୁଖ୍ୟମନ୍ତ୍ରୀ ରହିଲେ ସିନା ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ଜେଡ଼ିୟୁ ବିଜେପିଠାରୁ ଢେର ପଛରେ ଥିବାରୁ ମାନସିକ ଚାପରେ ଥିଲେ । ବିଭିନ୍ନ ପ୍ରସଙ୍ଗରେ ନିଷ୍ପତ୍ତି ନେଲା ବେଳେ ସେ ବିଜେପି ଆଡୁ ଚାପର ସାମ୍ନା କରୁଥିଲେ । ବିଜେପିର ରିତିମତ ଅବହେଳା ତାଙ୍କୁ ପାଇଁ ଅସହ୍ୟ ଥିଲା । ଏଲଜେପି ନେତା ଚିରାଗ ପାଶ୍ୱାନ ୨୦୨୦ ନିର୍ବାଚନରେ ଯେଭଳି ଜେଡ଼ିୟୁର ପକ୍ଷଛେଦନରେ ଲାଗି ଥିଲେ ତାହା ପଛରେ ବିଜେପିର ପ୍ରଚ୍ଛନ୍ନ ଷଡ଼ଯନ୍ତ୍ର ଥିଲା ବୋଲି ନୀତିଶଙ୍କ ବଦ୍ଧ ଧାରଣା ଥିଲା । ପରେ, ୨୦୨୧ ଜୁଲାଇରେ କେନ୍ଦ୍ର ମନ୍ତ୍ରୀ ପରିଷଦରେ ଅଦଳ ବଦଳ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜେଡ଼ିୟୁକୁ ମାତ୍ର ଗୋଟିଏ ମନ୍ତ୍ରୀ ପଦ ଦେବାରୁ ନୀତିଶ ଅସନ୍ତୋଷ ପ୍ର୍ରକଶ କରିଥିଲେ । ସେ କେନ୍ଦ୍ର ସରକାରରେ ଜେଡ଼ିୟୁ ପାଇଁ ଦୁଇଟି ମନ୍ତ୍ରୀ ପଦ ଦାବି ଚାହୁଁ ଥିଲେ । କିନ୍ତୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜେଡ଼ିୟୁକୁ ଗୋଟିଏ କେନ୍ଦ୍ର ମନ୍ତ୍ରୀ ପଦ ଦେଇ ଦଳର ପୂର୍ବତନ ରାଷ୍ଟ୍ରୀୟ ସଭାପତି ତଥା ରାଜ୍ୟସଭା ସାଂସଦ ରାମଚନ୍ଦ୍ର ପ୍ରସାଦ ସିଂହଙ୍କୁ ଇସ୍ପାତ ଓ ଖଣି ମନ୍ତ୍ରଣାଳୟର କ୍ୟାବିନେଟ ପାହ୍ୟା ମନ୍ତ୍ରୀ କରି ଥିଲେ । ନୀତିଶଙ୍କ ଅନ୍ୟତମ ମୁଖ୍ୟ ସହଯୋଗୀ ଲଲନ ସିଂହ କେନ୍ଦ୍ର ମନ୍ତ୍ରୀ ପରିଷଦରେ ସ୍ଥାନ ପାଇ ନଥିବା ନୀତିଶଙ୍କୁ ଅସନ୍ତୁଷ୍ଟ କରିଥିଲା ଏବଂ ତାହା ବିଜେପି ସହ ନୀତିଶଙ୍କ ସଂପର୍କ ଅଧିକ ତୀକ୍ତ କରିଥିଲା ।
ପରବର୍ତ୍ତୀ ସମୟରେ କେନ୍ଦ୍ର ଇସ୍ପାତ ଓ ଖଣି ମନ୍ତ୍ରୀ ଆରସିପି ସିଂହ ବିଜେପିର ଅଧିକ ନିକଟତର ହେବା ଏବଂ ତାଙ୍କ ମାଧ୍ୟମରେ ବିଜେପି ବିହାର ଜେଡ଼ିୟୁ ବିଧାୟକ ଦଳରେ ବିଭାଜନ ସୃଷ୍ଟି ଉଦ୍ୟମ କରୁଥିବା ନୀତିଶ ଅନୁଭବ କରିବା ସହ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ବିଜେପି ଏହଭଳି ଚକ୍ରାନ୍ତ କରିଥିବା ବିଚାର କରି ନିଜର ରାଜନୈତିକ ପଇଁତରା ବଦଳାଇ ଥିଲେ ଏବଂ ବିଜେପି ନିକଟରୁ ଦୂରେଇବା ଆରମ୍ଭ କରିଥିଲେ । ବିଜେପି ବିଧାନସଭା ନିର୍ବାଚନ ସମୟରେ ଚିରାଗ ପାଶ୍ୱାନଙ୍କୁ ଓ ପରେ କେନ୍ଦ୍ର ମନ୍ତ୍ରୀ ଆରସିପି ସିଂହଙ୍କୁ ତାଙ୍କ ବିରୋଧରେ ବ୍ୟବହାର କରି ଜେଡ଼ିୟୁରେ ବିଭ୍ରାଟ ସୃଷ୍ଟି ଉଦ୍ୟମ କରୁଥିବା ନୀତିଶ ନିଶ୍ଚିତ ହେବା ପରେ ଆରସିପି ସିଂହଙ୍କ ରାଜ୍ୟସଭା ସଦସ୍ୟ କାର୍ଯ୍ୟକାଳ ଶେଷ ହେବା ପରେ ସିଂହଙ୍କୁ ପୁନଃ ରାଜ୍ୟସଭା ଟିକଟ ଦେଇନଥିଲେ । ଫଳରେ, ସିଂହ କେନ୍ଦ୍ର ମନ୍ତ୍ରୀ ପରିଷଦରୁ ଇସ୍ତଫା ଦେବାକୁ ବାଧ୍ୟ ହେଲେ । ନିକଟରେ ଅନୁଷ୍ଠିତ ନୀତି ଆୟୋଗ ବୈଠକରେ ନୀତିଶ ଯୋଗ ନଦେବା ନୀତିଶଙ୍କ କ୍ଷୋଭକୁ ସ୍ପଷ୍ଟ କରିଥିଲା । ତେବେ, ନୀତିଶ ସରକାର ଭାଂଗିବା ଭଳି ଏକ ଚରମ ପଦକ୍ଷେପ ନେବେ ବୋଲି ବିଜେପି ଅନୁମାନ କରି ନଥିଲା ।
ମଂଗଳବାର ଦିନ ନୀତିଶ ବିହାର ଜେଡ଼ିୟୁ ବିଧାୟକ ଦଳ ବୈଠକ ଡାକି ଆଲୋଚନା କରିବା ସମୟରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ତାଙ୍କୁ ଫୋନ କରି ସବୁ କିଛି ଠିକଠାକ୍ ଅଛି ନା ନାହିଁ ଜାଣିବାକୁ ଚାହିଁ ଥିଲେ । ସବୁ ଠିକ୍ ଚାଲିଛି କହି ନୀତିଶ ତାଙ୍କୁ ଭଣ୍ଡାଇ ଦେଇଥିବା ବେଳେ ଜେଡ଼ିୟୁ ବିଧାୟକ ଦଳକୁ ବୁଝାଇ ଥିଲେ ଯେ ବିଜେପି ତାଙ୍କୁ ରିତିମତ ଭାବେ ଅପମାନିତ କରୁଛି ଏବଂ ଜେଡ଼ିୟୁ ବିଧାୟକ ଦଳରେ ବିଭାଜନ ସୃଷ୍ଟି କରି ଦଳକୁ ଦୁର୍ବଳ କରିବାର ପ୍ରୟାସ ଚଳାଇଛି । ତେଣୁ, ଦଳର ପରବର୍ତ୍ତୀ ରାଜନୈତିକ ରଣନୀତି କଣ ହେବ ତାହା ବିଧାୟକମାନେ ନିଷ୍ପତ୍ତି ନିଅନ୍ତୁ । ଜେଡ଼ିୟୁ ବିଧାୟକମାନେ ନିତୀଶଙ୍କ ଉଦ୍ବେଗ ଜାଣିବା ପରେ ସେ ଯାହା ନିଷ୍ପତ୍ତି ନେବେ ସେଥିରେ ସେମାନେ ଏକମତ ହେବେ ବୋଲି ଆଶ୍ୱସ୍ତ କରିବା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ସହ ସଂପର୍କ ତୁଟାଇବା ନିଷ୍ପତ୍ତି ନେଇଥିଲେ । ଜେଡ଼ିୟୁ ବିଧାୟକ ଦଳ ବୈଠକ ଚାଲି ଥିବା ବେଳେ ଆରଜେଡ଼ି ମଧ୍ୟ ତାହାର ବିଧାୟକ ଦଳ ବୈଠକ ରଖି ଥିଲା । ରାଜ୍ୟରେ ସରକାର ପରିବର୍ତ୍ତନ ପାଇଁ ଦୁଇ ଦଳ ବୋଧହୁଏ ଆଗୁଆ ରଣନୀତି ପ୍ରସ୍ତୁତ କରିସାରିଥିଲେ । ଜେଡ଼ିୟୁ ବିଧାୟକ ଦଳ ବୈଠକ ସରିବା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ସହ ଦଳ ସଂପର୍କ ତୁଟିଇ ଥିବା ଘୋଷଣା କରିବା ସହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ରାଜଭବନ ଅଭିମୁଖେ ବାହାରି ଯାଇଥିଲେ । ରାଜ୍ୟପାଳଙ୍କୁ ନିଜର ଇସ୍ତଫାପତ୍ର ଦେବା ପରେ ଗଣମାଧ୍ୟମକୁ ଭେଟି ଏନଡ଼ିଏ ସହ ଜେଡ଼ିୟୁ ସଂପର୍କ ଛିନ୍ନ କରିଥିବା ମଧ୍ୟ ସୂଚନା ଦେଇଥିଲେ । ବିଜେପି ପାଇଁ ଏହା ଚମକାଇ ଦେଲା ଭଳି ହୋଇଥିବା ବେଳେ ନୀତିଶଙ୍କ ପଇଁତରା ସଂପର୍କରେ ଆରଜେଡ଼ି ନେତୃତ୍ୱ ପୂର୍ବରୁ ଅବଗତ ଥିଲା । ପରେ, ନୀତିଶ ଓ ଆରଜେଡ଼ି ନେତା ତେଜସ୍ୱୀ ଯାଦବ ଏକାଠି ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ଭୋଟିବା ସହ ସେମାନଙ୍କ ପଛରେ ବିଧାନସଭାର ୧୬୪ ବିଧାୟକଙ୍କ ସମର୍ଥନ ଥିବା ଦର୍ଶାଇ ନୂଆ ସରକାର ଗଠନ କରିବାକୁ ଦାବି ଉପସ୍ଥାପନ କରିଥିଲେ ।
ଆଜି ଆରଜେଡ଼ି, କଂଗ୍ରେସ ଓ ବାମପନ୍ଥୀ ବିଧାୟକଙ୍କ ସମର୍ଥନରେ ନୀତିଶ କୁମାର ଅଷ୍ଟମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଆରଜେଡ଼ି ନେତା ତେଜସ୍ୱୀ ଯାଦବ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ନୀତିଶଙ୍କ ପରିବର୍ତ୍ତିତ ରଣନୀତିରେ ବିଜେପି ହଡବଡେଇ ଯାଇଛି । ନୀତିଶ ଏଭଳି ନିଷ୍ପତ୍ତି ନେଇ ବିହାରବାସୀଙ୍କ ଜନାଦେଶ ଓ ବିଜେପି ପ୍ରତି ‘ବିଶ୍ୱାସଘାତ’ କରିଛନ୍ତି ବୋଲି ବିଜେପିର ରାଜ୍ୟ ଓ ଜାତୀୟ ନେତାମାନେ ଅଭିଯୋଗ କରିବା ସହ ଏହା ବିରୋଧରେ ପାଟନାରେ ଧାରଣା ଦେବାକୁ ପଛାଇ ନାହାନ୍ତି । ବିଜେପି ପକ୍ଷରୁ ଆଜି ନୀତିଶଙ୍କ ବିରୋଧରେ ଏକ ନୂଆ ଅଭିଯୋଗ ମଧ୍ୟ ଅଣାଯାଇଛି । ବିହାର ବିଜେପିର ବରିଷ୍ଠ ନେତା ସୁଶିଲ କୁମାର ମୋଦୀ ନୀତିଶଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି । ପୂର୍ବରୁ ରାଜ୍ୟରେ ବିଜେପି-ଜେଡ଼ିୟୁର ମେଂଟ ସରକାର ଥିବା ବେଳେ ସୁଶୀଲ ମୋଦୀ ଉପ ମୁଖ୍ୟମନ୍ତ୍ରୀ ଥିଲେ । ତେବେ, ୨୦୨୦ ବିଧାନସଭା ନିର୍ବାଚନ ପରେ ବିଜେପି ତାଙ୍କୁ ଆଉ ଉପ ମୁଖ୍ୟମନ୍ତ୍ରୀ ନ କରି ରାଜ୍ୟସଭାକୁ ପଠାଇ ଦେଇଛି । ନୀତିଶଙ୍କ ସହ ସୁଶୀଲ ମୋଦୀଙ୍କ ସଂପର୍କ ଘନିଷ୍ଟ ଥିବାରୁ ବିଜେପି ଏଭଳି ପଦକ୍ଷେପ ନେଇଥିବା ସମସ୍ତେ ଜାଣିନ୍ତି । ତେବେ, ନୀତିଶ ବିଜେପି ସହ ସଂପର୍କ ତୁଟାଇବା ପରେ ସୁଶୀଲ ମୋଦୀ ତୁରନ୍ତ ପ୍ରତିକ୍ରିୟା ରଖି ନୀତିଶଙ୍କୁ ଉପ ରାଷ୍ଟ୍ରପତି ନ ହେବାରୁ ଏଭଳି ଏକ ପଦକ୍ଷେପ ନେଇଛନ୍ତି ବୋଲି ପାଟନାରେ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି ।
ସୁଶୀଲ ମୋଦୀ କହିଛନ୍ତି, ଉପ ରାଷ୍ଟ୍ରପତି ଏମ.ଭେଙ୍କାୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ରେ ସରୁ ଥିବାରୁ ତାଙ୍କୁ (ନୀତିଶଙ୍କୁ) ଦେଶର ଉପ ରାଷ୍ଟ୍ରପତି କରାଯିବାକୁ ଜେଡ଼ିୟୁ ଆଡୁ ତାଙ୍କ ନିକଟକୁ ପ୍ରସ୍ତାବ ଆସିଥିଲା । ନୀତିଶ ଉପ ରାଷ୍ଟ୍ରପତି ହୋଇ ଦିଲ୍ଲୀ ଗଲେ ସେ (ସୁଶୀଲ ମୋଦୀ) ବିହାର ମୁଖ୍ୟମନ୍ତ୍ରୀ ହେବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ତାଙ୍କୁ ବୁଝାଇବା ଉଦ୍ୟମ ହୋଇଥିଲା । ତେବେ, ବିଜେପି ନେତୃତ୍ୱ ସେହି ସମୟରେ ପଶ୍ଚିମ ବଂଗରାଜ୍ୟପାଳ ଥିବା ଜଗଦୀପ ଧନକରଙ୍କୁ ଏନଡ଼ିଏର ଉପ ରାଷ୍ଟ୍ରପତି ପ୍ରାର୍ଥୀ କରି ନୀତିଶଙ୍କୁ କ୍ଷୁବ୍ଧ କରିଥିଲେ । ପରେ, ଧନକର ସର୍ବାଧିକ ସଂଖ୍ୟକ ଭୋଟ ପାଇଁ ଦେଶର ଉପ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । କ୍ଷୁବ୍ଧ ନୀତିଶ କୁମାର ଏହି କାରଣରୁ ବିଜେପି ଓ ଏନଡ଼ିଏ ସହ ସଂପର୍କ ଛିନ୍ନ କରି ରାଜ୍ୟରେ ଆରଜେଡ଼ି, କଂଗ୍ରେସ ଓ ବାମପନ୍ଥୀଙ୍କ ସହ ନୂଆ ସରକାର କରିଛନ୍ତି । ତେବେ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୁଶୀଲ ମୋଦୀଙ୍କ ଅଭିଯୋଗକୁ ଅଗ୍ରାହ୍ୟ କରି ଜାତୀୟ ରାଜନୀତିକୁ ଯିବାରେ ତାଙ୍କର କୌଣସି ଅଭିଳାଷ ନଥିଲା, ବିଜେପି ଷଡଯନ୍ତ୍ରରୁ ଜେଡ଼ିୟୁକୁ ରକ୍ଷା କରିବା ପାଇଁ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହେଲେ ବୋଲି କହିଛନ୍ତି ।
ବିହାରରେ ମଂଗଳବାର ହୋଇଥିବା ରାଜନୈତିକ ପଟ୍ଟ ପରିବର୍ତ୍ତନକୁ ନେଇ ଉଭୟ ଜେଡ଼ିୟୁ ଓ ବିଜେପି ପରସ୍ପର ବିରୋଧରେ ଆକ୍ଷେପ, ପ୍ରତ୍ୟାକ୍ଷେପର ଝଡ ସୃଷ୍ଟି କରିଥିବା ବେଳେ ବାସ୍ତବିକତା ହେଉଛି ଭିନ୍ନ । ବିଜେପିର ସାମ୍ରାଜ୍ୟବାଦୀ ନୀତି କେବଳ ଜେଡ଼ିୟୁକୁ ନୁହେଁ, ଦେଶର ଅନ୍ୟ ଅଣ ବିଜେପି ରାଜନୈତିକ ଦଳଙ୍କୁ ମଧ୍ୟ ଭୟଭିତ କରିଥିବା ବିହାର ଘଟଣାରୁ ସ୍ପଷ୍ଟ ହେଉଛି । ପୂର୍ବରୁ ବିଜେପି ବିଭିନ୍ନ ସମୟରେ ଅଣ-ବିଜେପି ଶାସିତ ସରକାରରେ ଅସ୍ଥିରତା ସୃଷ୍ଟି କରି ସେଠାରେ ବିଜେପି ସରକାର ପ୍ରତିଷ୍ଠା କରିଥିବାର ବହୁ ନଜିର ରହିଛି । ଗତ ଜୁଲାଇ ମାସରେ ମହାରାଷ୍ଟ୍ରରେ ଶିବସେନା ବିଧାୟକ ଦଳରେ ବିଭାଜନ ସୃଷ୍ଟି କରି ବିଜେପି ଗୋଟିଏ ଫାଳ (ସିନ୍ଧେ ଗୋଷ୍ଠୀ)କୁ ଧରି ସରକାର କରିଛି । ସିନ୍ଧେ ଗୋଷ୍ଠୀକୁ ଆୟୂଧ କରି ବିଜେପି ମହାରାଷ୍ଟ୍ରର ଶିବସେନା-ଏନସିପି-କଂଗ୍ରେସ ମହାଗଠବନ୍ଧନ ସରକାରକୁ କ୍ଷମତାଚ୍ୟୁତ କରିଥିବା ଏବଂ ଶିବସେନାକୁ ଦୁର୍ବଳ କରି ଦେଇଥିବା କାହାରିକୁ ଅଛପା ନାହିଁ । ଦଳ ସିନ୍ଧେଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇ କ୍ଷମତା ହଡପ କରିବା ସହ ଶିସେନାକୁ ତଳିତଳାନ୍ତ କରିବାକୁ ଲାଗି ପଡିଛି ।
ମହାରାଷ୍ଟ୍ରରେ ଅଣ-ବିଜେପି ସରକାରର ପତନ କରି ଅନ୍ୟ ଅଣ-ବିଜେପି ଶାସିତ ରାଜ୍ୟମାନେ ମଧ୍ୟ ଆତଙ୍କି ଅଛନ୍ତି । ପଶ୍ଚିମ ବଂଗ, ଝାଡ଼ଖଣ୍ଡରେ ଅସ୍ଥିରତା ସୃଷ୍ଟି ପାଇଁ କେନ୍ଦ୍ର ସରକାର ବିଭିନ୍ନ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସୀଙ୍କୁ ବ୍ୟବହାର କରୁଥିବା ଅଭିଯୋଗ ହୋଇଆସୁଛି । ବିଭିନ୍ନ ଉପାୟରେ ଆଂଚଳିକ ଦଳର ସରକାରଥିବା ରାଜ୍ୟରେ ଅସ୍ଥିରତା ସୃଷ୍ଟି କରାଯାଇ କ୍ଷମତା ହଡପ ଷଡଯନ୍ତ୍ର ଚାଲି ଥିବା ବିରୋଧୀ ରାଜନୈତିକ ଦଳମାନେ ଅଭିଯୋଗ କରୁଥିବା ବେଳେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଖୋଲାଖୋଲି ବିଜେପି ବିରୋଧରେ ଏଭଳି ଅଭିଯୋଗ କରିଛନ୍ତି । ରାଜ୍ୟରେ କଂଗ୍ରେସ ବିଧାୟକମାନଙ୍କୁ ବିଭିନ୍ନ ଉପାୟରେ ନିଜ କବ୍ଚାକୁ ନେଇ ବିଜେପି ରାଜ୍ୟର ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା-କଂଗ୍ରେସର ମିଳିତ ସରକାର ଭାଂଗିବାକୁ ଷଡଯନ୍ତ୍ର କରୁଛି ବୋଲି ସୋରେନଙ୍କ କହିଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ବିଜେପିକୁ ନେଇ ଏଭଳି ସନ୍ଦେହ କରିବା ଅମୂଳକ ନୁହେଁ । ବିଜେପି ବିହାରରେ ଜେଡ଼ିୟୁ ସହ ସରକାରରେ ଥାଇ ସୁଦ୍ଧା ଜେଡ଼ିୟୁ ବିଧାୟକ ଦଳରେ ବିଭାଜନ ସୃଷ୍ଟି ଉଦ୍ୟମ କରୁଥିଲା ବୋଲି ନୀତିଶ ଯାହା ଅଭିଯୋଗ କରିଛନ୍ତି ତାହା ଆଗାମୀ ଦିନରେ ଓଡ଼ିଶା ମଧ୍ୟ ସାମ୍ନା କରିବ ବୋଲି ଆଲୋଚନା ହେଉଛି ।
ଓଡ଼ିଶାରେ ୨୩ ବର୍ଷ ହେଲା ବିଜୁ ଜନତା ଦଳ (ବିଜେଡ଼ି) କ୍ଷମତାରେ ରହିଛି । ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ରାଜ୍ୟର ୧୪୭ରୁ ୧୨୦ ବିଧାନସଭା ଆସନ ହାତେଇବାକୁ ଯୋଜନା କରିଥିଲେ ମଧ୍ୟ ସଫଳ ହୋଇ ନଥିଲା । କିନ୍ତୁ, ୨୨ଟି ବିଧାନସଭା ଆସନ ପାଇ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇବାକୁ ସକ୍ଷମ ହୋଇଛି । ରାଜ୍ୟରେ ବିଜେପି ସାଂସଦଙ୍କ ସଂଖ୍ୟା ମଧ୍ୟ ବଢିଛି । ତେଣୁ, ୨୦୨୪ ନିର୍ବାଚନରେ ବିଜେପି ଓଡ଼ିଶାରେ ତାହାର ଗେରୁଆ ପତାକା ଉଡାଇବା ପାଇଁ କଳ, ବଳ ଓ କୌଶଳର ପ୍ରୟାଗ ଆରମ୍ଭ କରି ଦେଇଛି । ଅପରପକ୍ଷରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଦମନୀୟ ରଣନୀତି ଓ ଭାବମୂର୍ତ୍ତୀ ବିଜେପିକୁ ଓଡ଼ିଶାରେ କ୍ଷମତାକୁ ଆସିବାରୁ ଦୂରେଇ ରଖିଛି । ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ୨୦୧୪ରୁ ଲଗାତର ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଭିନ୍ନ ନୀତି ଓ ନିଷ୍ପତ୍ତିକୁ ସମର୍ଥନ ଦେଇ ଆସୁଥିବା ସତ୍ତ୍ୱେ ବିଜେପି କ୍ଷମତା ଦଖଲ ଉଦ୍ୟମରୁ ନିବୃତ୍ତ ହୋଇ ନାହିଁ ।
ବିଜେପି ରାଷ୍ଟ୍ରୀୟ ନେତୃତ୍ୱ ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହଯୋଗ ଲୋଡିଛନ୍ତି ଏବଂ ତାହା ମଧ୍ୟ ପାଇଛନ୍ତି । ସାଧାରଣ ସମୟରେ ସେମାନେ ବିଜେଡ଼ି ନେତୃତ୍ୱ ପ୍ରତି ଉଦାରତା ଓ ବନ୍ଧୁତ୍ୱ ଭାବ ପ୍ରଦର୍ଶନ କରୁଛନ୍ତି । ତେବେ, ନିର୍ବାଚନ ଆସିଲେ କେନ୍ଦ୍ର ଓ ରାଜ୍ୟ ନେତାଙ୍କ ଉଗ୍ର ଆଚରଣ ଦେଖିବାକୁ ମିଳୁଛି । ୨୦୨୪ରେ ଦେଶରେ ସାଧାରଣ ନିର୍ବାଚନ ସହ ଓଡ଼ିଶାରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ବିଜେପି ଓଡ଼ିଶା ଦଖଲ ପାଇଁ ତାହାର ‘ନୀଳନକ୍ସା’ ପ୍ରସ୍ତୁତି କରି ସାରିଥିବା ବିଜେପି ଚାଣକ୍ୟ ତଥା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ନିକଟରେ ଭୁବନେଶ୍ୱର ଗସ୍ତରେ ଆସିଥିବା ବେଳେ ଦେଇଥିବା ମନ୍ତବ୍ୟରୁ ଆଭାସ ମିଳୁଛି । ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରି ସେମାନଙ୍କୁ କର୍ଣ୍ଣମନ୍ତ୍ର ଦେବା ସହ ରାଜ୍ୟରେ ସରକାର ବିରୋଧୀ ଅଭିଯାନ ଚଳାଇବାକୁ ଦଳର କୌଣସି କେନ୍ଦ୍ରୀୟ ନେତା ମନା କରିଛନ୍ତି କି (?) ବୋଲି ପ୍ରଶ୍ନ କରିଥିବା ଏବଂ ‘୨୦୨୪ରେ ଓଡ଼ିଶାରେ ବିଜେପି’ ବୋଲି ବାହାରେ ସେ ଗଣମାଧ୍ୟମକୁ କହିଥିବା ବିଜେପିର ରଣନୀତିକୁ ସ୍ପଷ୍ଟ କରିଛି । ଓଡ଼ିଶା ଉପରେ ବିଜେପିର ଲୋଲୁପ ଦୃଷ୍ଟି ରହିଛି । ଦଳ ବିଜେଡ଼ି ସାଂସଦ ଓ ବିଧାୟକଙ୍କୁ ମଧ୍ୟ ଟାର୍ଗେଟ କଲାଣି । ନିର୍ବାଚନ ଯେତେ ପାଖେଇବ ବିଜେଡ଼ିକୁ ଅସ୍ଥିର କରିବା ପାଇଁ ବିଜେପିର ରଣନୀତି ସେତେ ଗଭୀର ହେବ, ଏଥିରେ କିଛି ସନ୍ଦେହ ନାହିଁ । ଏହାକୁ ନେଇ ରାଜ୍ୟର ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇ ଗଲାଣି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS