ସରକାର ବଦଳିଲା, କିନ୍ତୁ ବିହାର ରାଜନୀତିରେ ଗରମ କମୁନି
ପ୍ରସାଦ ରାଓ
ଅଗଷ୍ଟ ୧୧
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପଟ୍ଟ ପରିବର୍ତ୍ତନ କରି ଆରଜେଡ଼ି, କଂଗ୍ରେସ ଓ ବାମପନ୍ଥୀ ବିଧାୟକଙ୍କ ସମର୍ଥନରେ ରାଜ୍ୟରେ ନୂତନ ସରକାର ଗଠନ କରିଥିଲେ ମଧ୍ୟ ପୂର୍ବ ସରକାରରେ ବାଚସ୍ପତି ଆସନରେ ଥିବା ବିଜେପିର ବିଜୟ କୁମାର ସିହ୍ନା ଅପରିବର୍ତ୍ତିତ ଥିବାରୁ ତାଙ୍କୁ ହଟାଇବା ନୀତିଶଙ୍କ ପାଇଁ ପ୍ରାଥମିକତା ହୋଇଛି । ସିହ୍ନା ଗତ ସରକାରରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟର ‘ଅଗ୍ନିପଥ’ ସ୍କିମ୍ ଉପରେ ବିଧାନସଭାରେ ବିତର୍କ ପାଇଁ ଅନୁମତି ଦେଇ ନଥିଲେ । ଏହା ରାଜ୍ୟ ପ୍ରସଙ୍ଗ ହୋଇ ନଥିବାରୁ ବିଧାନସଭାରେ ଏହି ପ୍ରସଙ୍ଗକୁ ନେଇ ଆଲୋଚନା ହେବା ଠିକ୍ ନୁହେଁ କହି ବାଚସ୍ପତି ତାହାକୁ ଟାଳି ଦେବାରୁ ସେତେବେଳେ ବିରୋଧୀ ଦଳରେ ଥିବା ଆରଜେଡ଼ି ଓ କଂଗ୍ରେସ ବିଧାୟକମାନେ ବିଧାନସଭା ପ୍ରୋସିଡିଂକୁ ବର୍ଜନ କରିଥିଲେ । ବିଜେପି ସହ ମେଂଟରେ ସରକାର ଚଳାଇ ଥିବା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜେଡ଼ିୟୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟର ଏହି ସ୍କିମ୍ କୁ ବିରୋଧ କରୁଥିଲେ ମଧ୍ୟ ବିଧାନସଭାରେ ତାହା ଉପରେ ଆଲୋଚନା କରିବା ସୁଯୋଗ ପାଇ ନଥିଲା । ବିଜେପି ସହ ଜେଡିୟୁର ବିଭିନ୍ନ ପ୍ରସଙ୍ଗକୁ ନେଇ ମତପାର୍ଥକ ଥିଲା । ସେଥିରୁ ‘ଅଗ୍ନିପଥ’ ସ୍କିମ୍ ଅନ୍ୟତମ । ପରିବର୍ତ୍ତିତ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପିର ହାତ ଛାଡି ଆରଜେଡ଼ି ଓ କଂଗ୍ରେସ ସହ ମିଳିତ ସରକାର ଗଠନ କରିଥିବା ବେଳେ ବାଚସ୍ପତି ବଦଳି ନଥିବାରୁ ସେ ଏହି ସରକାର ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରନ୍ତି ବୋଲି ନୀତିଶ ଆଶଙ୍କା କରୁଛନ୍ତି । ତେଣୁ, ବୁଧବାର ଦିନ ନୀତିଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମେ ବାଚସ୍ପତି ସିହ୍ନାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଣିବା ଦିଗରେ ପଦକ୍ଷେପ ନେଇଛନ୍ତି । ଜେଡ଼ିୟୁ, ଆରେଜେଡ଼ି, କଂଗ୍ରେସ ଓ ବାମପନ୍ଥୀ ଦଳକୁ ନେଇ ଗଠିତ ‘ମହାଗଠବନ୍ଧନ’ର ୫୫ ଜଣ ବିଧାୟକ ଗତକାଲି ବାଚସ୍ପତି ସିହ୍ନାଙ୍କ ବିରୋଧରେ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଦେଇଛନ୍ତି । ଅଗଷ୍ଟ ୨୪ ତାରିଖ ଦିନ ରାଜ୍ୟ ବିଧାନସଭା ଅଧିବେଶନ ବସିବ ଏବଂ ୨୫ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନୂଆ ସରକାର ବିଧାନସଭାରେ ‘ଆସ୍ଥା ଭୋଟ’ର ସାମ୍ନା କରିବେ ବୋଲି ଧାର୍ଯ୍ୟ ହୋଇଥିବାରୁ ବିଧାନସଭାରେ କୌଣସି ପ୍ରକାର ବିରୋଧକୁ ଏଡାଇବା ପାଇଁ ମହାଗଠବନ୍ଧନ ପ୍ରଥମେ ବାଚସ୍ପତି ପଦରୁ ସିହ୍ନାଙ୍କୁ ହଟାଇବାକୁ ଚାହୁଁଛି । ନିୟମ ଅନୁସାରେ ରାଜ୍ୟ ସରକାରଙ୍କ ସୁପାରିଶକୁ ଭିତ୍ତି କରି ରାଜ୍ୟପାଳ ବିଧାନସଭା ଅଧିବେଶନ ଡକାଇ ଥାଆନ୍ତି ଏବଂ ଆଲୋଚନା ପାଇଁ କୌଣସି ପ୍ରସ୍ତାବ ଆଗତ ହେଲେ ତାହା ଦୁଇ ସପ୍ତାହ ପରେ ହିଁ ଆଲୋଚନାକୁ ନିଆଯାଇଥାଏ । ସେହି ଦୃଷ୍ଟିରୁ ଅଗଷ୍ଟ ୨୪ରେ ବାଚସ୍ପତିଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବାରେ କୌଣସି ସମସ୍ୟା ନାହିଁ । ଏମିତି ବି ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାରେ ସରକାରଙ୍କ ପ୍ରତି ୧୨୨ ସଦସ୍ୟଙ୍କ ସମର୍ଥନ ଥିବା ଆବଶ୍ୟକ ହୋଇଥିବା ବେଳେ ନୀତିଶଙ୍କ ମହାଗଠବନ୍ଧନ ସରକାର ପଛରେ ୧୬୪ ବିଧାୟକଙ୍କ ସମର୍ଥନ ରହିଛି । ତଥାପି, ମୁଖ୍ୟମନ୍ତ୍ରୀ କୌଣସି ପ୍ରକାର ରିସ୍କ୍ ନେବାକୁ ଚାହୁଁ ନାହାନ୍ତି । ଅଗଷ୍ଟ ୨୫ ତାରିଖ ଦିନ ତାଙ୍କ ସରକାର ଆସ୍ଥା ଭୋଟର ସାମ୍ନା କରିବାକୁ ଥିବାରୁ ୨୪ ତାରିଖ ନୂତନ ବାଚସ୍ପତି ନିର୍ବାଚିତ ହୋଇଯିବା ସେ ଚାହୁଁଛନ୍ତି । ଅଧିବେଶନର ପ୍ରଥମ ଦିନ ବାଚସ୍ପତି ନିର୍ବାଚନ ହେବାକୁ ଥିବା ବେଳେ ତାହା ପୂର୍ବରୁ ବିଜେପି ବିଧାୟକ ସିହ୍ନା ବାଚସ୍ପତି ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଆଲୋଚନା ହେଉଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୨୦୨୪ ସାଧାରଣ ନିର୍ବାଚନରେ ମିଳିତ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ଆଶାୟୀ ଥିବାରୁ ରାଜନୈତିକ ପଟ୍ଟ ପରିବର୍ତ୍ତନ କରିଛନ୍ତି ବିଜେପି ନେତୃବର୍ଗ ଅଭିଯୋଗ କରୁଥିବା ବେଳେ ନରେନ୍ଦ୍ର ମୋଦୀ ଯଦି ଦେଶର ପ୍ରଧାନମନ୍ତ୍ରୀ ହୋଇ ପାରିଲେ ନୀତିଶ କୁମାରଙ୍କ ଭଳି ଜଣେ ଅଭିଜ୍ଞ ରାଜନେତା ପ୍ରଧାନମନ୍ତ୍ରୀ ହେବାରେ ଅସୁବିଧା ରହିଲା କେଉଁଠି ବୋଲି ଆରଜେଡ଼ି ନେତା ତଥା ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଆଜି ଏକ ଜାତୀୟ ଗଣମାଧ୍ୟମରେ ପାଲଟା ପ୍ରଶ୍ନ କରିଥିବା ସୂଚନା ମିଳିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS