୨୦୨୪ରେ ଦେଶର ପ୍ରଧାନମନ୍ତ୍ରୀ କିଏ ?
ପ୍ରସାଦ ରାଓ
ଅଗଷ୍ଟ ୧୩
୨୦୨୪ରେ ଦେଶର ପ୍ରଧାନମନ୍ତ୍ରୀ ହେବ କିଏ ? ତାହା ଆଜି ଦିନରେ ଚର୍ଚ୍ଚାର ମୁଖ୍ୟ ପ୍ରସଙ୍ଗ ହୋଇଛି । ବିଶେଷକରି, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ଓ ଏନଡ଼ିଏର ହାତଛାଡି ବିହାରରେ ଆରଜେଡ଼ି, କଂଗ୍ରେସ ଓ ବାମପନ୍ଥୀଙ୍କ ସମର୍ଥନରେ ସରକାର କରିବା ପରେ ବିହାର ଜାତୀୟ ରାଜନୀତିର ଫୋକସ୍ କୁ ଚାଲି ଆସିଛି । ୨୦୨୪ ସାଧାରଣ ନିର୍ବାଚନରେ ବିରେଧୀ ମେଂଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାର ଅଭିଳାଷ ରଖି ଥିବାରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ଓ ଏନଡ଼ିଏଠାରୁ ଦୂରେଇ କିଛି ବର୍ଷ ତଳେ ତାଙ୍କ ଶତୃ ଥିବା ଆରଜେଡ଼ି ଓ କଂଗ୍ରେସ ସହ ପୁନର୍ବାର ମଧୁଚନ୍ଦ୍ରିକା ଆରମ୍ଭ କରିଛନ୍ତି ବୋଲି କ୍ଷୁବ୍ଧ ବିଜେପି ନେତାମାନେ ଅଭିଯୋଗ କରୁଥିବା ବେଳେ ନୀତିଶ ତାହାକୁ ଖଣ୍ଡନ କରୁଛନ୍ତି । ତଥାପି, ନୀତିଶ କୁମାରଙ୍କୁ ନେଇ ଚର୍ଚ୍ଚା ଥମିବା ନାଁ ନେଉ ନାହିଁ ।
ନୀତିଶ କୁମାର ୨୦୨୪ ସାଧାରଣ ନିର୍ବାଚନରେ ବିରୋଧୀ ମେଂଟ ପକ୍ଷରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ କି ନାହିଁ (?), ସେହି ପ୍ରଶ୍ନ ଆଜି ଦିନରେ ଯେତିକି ଗୁରୁତ୍ୱ ରଖୁଛି, ତାଠାରୁ ଅଧିକ ଗୁରୁତ୍ୱ ରଖୁଛି ୨୦୨୪ ପୂର୍ବରୁ ଦେଶରେ ବିଜେପିକୁ ମୁକାବିଲା କଲାଭଳି ଏକ ଦକ୍ଷ ଓ ଫଳପ୍ରଦ ବିରୋଧୀ ମେଂଟ ଗଠନ ସମ୍ଭବ ହେବ କି ନାହିଁ ? ଯେଉଁ ମେଂଟ ହେବ ତାହା କେତେଦୂର ବିଜେପିକୁ ଟକ୍କର ଦେବା ସ୍ଥିତିରେ ରହିବ । ବିରୋଧୀ ମେଂଟର ନେତୃତ୍ୱ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରେ ନ୍ୟସ୍ତ ରହିବ କି ଅନ୍ୟ କେହି ମେଂଟର ନେତୃତ୍ୱ ନେବ ? ଯଦିବା ନୀତିଶ କୁମାର ବିରୋଧୀ ମେଂଟର ନେତୃତ୍ୱ ନିଅନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ଦିନରେ ଥିବା ଭାବମୂର୍ତ୍ତୀ ସହ ଟକ୍କର ଦେବାରେ କେତେଦୂର ସକ୍ଷମ ହେବେ ? ଏଭଳି ଅନେକ ପ୍ରଶ୍ନ ରହିଛି, ଯାହାର ଉତ୍ତର ମିଳିବା ସମୟ ସାପେକ୍ଷ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ୨୦୧୪ରେ କେନ୍ଦ୍ରରେ ସରକାର ଗଠନ କରିବା ପରଠାରୁ ବିରୋଧୀଙ୍କ ଭାବମୂର୍ତ୍ତୀ ମଳିନ ହୋଇଥିବା ବେଳେ ବିଜେପି ବିଭିନ୍ନ ଉପାୟରେ ନିଜର ଭାବମୂର୍ତ୍ତୀକୁ ଉଜ୍ୱଳ ଦେଖାଇବାରେ ଲାଗି ପଡିଛି । ୨୦୧୪ ପରେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପିର ସଫଳ ପ୍ରଦର୍ଶନ ବିରୋଧୀଙ୍କ ଭାବମୂର୍ତ୍ତୀକୁ ଅଧିକ ମଳିନ କରିଛି । ବିରୋଧୀ ଦଳମାନେ ଗଲା ୮ ବର୍ଷ ମଧ୍ୟରେ ବିଜେପି ବିରୋଧରେ ସଂଗଠିତ ହୋଇପାରି ନାହାନ୍ତି ବା ନିଜର ଭାବମୂର୍ତ୍ତୀ ବଢାଇବାରେ ବଡାଇବାରେ ସଫଳ ହୋଇ ନାହାନ୍ତି । ଏହାର କାରଣ ହେଉଛି, ବିରୋଧୀ ନେତାଙ୍କ ମଧ୍ୟରେ ଚାଲି ଥିବା ‘ଅହଂକାର’ ରାଜନୀତି ଏବଂ ଜାତୀୟ ଗଣମାଧମର ଏକ ବଡ ଗୋଷ୍ଠୀର ଅସହଯୋଗ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାବମୂର୍ତ୍ତୀକୁ ଲିପି ପୋଛି ଉଜ୍ୱଳ କରିବାକୁ ଜାତୀୟ ଓ ଆଂଚଳିକ ଗଣମାଧ୍ୟମର ଏକ ବଡ ଗୋଷ୍ଠୀ ଗଲା ୮ ବର୍ଷ ହେଲା ଅହରହ କାର୍ଯ୍ୟ କରୁଛନ୍ତି । ପ୍ରତିଟି ପ୍ରସଙ୍ଗରେ ବରୋଧୀ ଦଳ ନେତାଙ୍କୁ ଗୌଣ କରି ଦେଖାଇବା ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଓ ଶାସକ ବିଜେପିକୁ ବଢେଇ ଚଢେଇ ଉପସ୍ଥାପନ କରିବା ସେମାନଙ୍କ ପ୍ରମୁଖ କାର୍ଯ୍ୟ ହୋଇଛି ।
ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ଓ ଏନଡ଼ିଏ ଛାଡି ୟୁପିଏକୁ ଆସିବା ପରେ ବିଜେପିି ସମର୍ଥିତ ଗଣମାଧ୍ୟମରେ କଟୁ ସମାଲୋଚନା ଚାଲିଛି । ନୀତିଶ କୁମାରଙ୍କୁ ବାରମ୍ବାର ‘ପଲଟି’ ମାରୁଥିବା ନେତା ଓ ବିଶ୍ୱାସଘାତକ ବୋଲି ସେମାନେ ସମାଲୋଚନା କରୁଥିବା ବେଳେ ବିରୋଧୀ ଦଳର ନେତାମାନେ ନୀତିଶଙ୍କ ଢାଲ ହେବା ବଦଳରେ ସମାଲୋଚନାର ଭାଗିଦାର ହେଉଥିବା ଆଗାମୀ ଦିନରେ ଦେଶରେ ଏକ କାର୍ଯ୍ୟକ୍ଷମ ବିରୋଧୀ ମେଂଟ ଗଠନ ସମ୍ଭାବନାକୁ ନିରୁତ୍ସାହିତ କରୁଛି । ନୀତିଶ କୁମାର ବିରୋଧୀ ନେତାଙ୍କ ଏହି ଦୂର୍ବଳତାକୁ ଭଲରେ ଜାଣନ୍ତି । ତେଣୁ, ତାହାକୁ ଦୂର କରି ସେମାନଙ୍କୁ କେତେଦୂର ଏକାଠି କରି ପାରିବେ ଓ ବିଜେପିକୁ କଡା ଟକ୍କର ଦେଇ ପାରିବେ, ତାହା ଉପରେ ଅନେକ କିଛି ନିର୍ଭର କରୁଛି ।
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ତେଣୁ, ନିର୍ବାଚନକୁ ନେଇ ବିଜେପି ପ୍ରସ୍ତୁତି ଆରମ୍ଭ କରିଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାବମୂର୍ତ୍ତୀକୁ ଅଧିକ ଉଜ୍ୱଳ କରି ସେ ହିଁ ଦେଶର ଏକମାତ୍ର ଲୋକପ୍ରିୟ ନେତା ବୋଲି ପ୍ରୋଜେକ୍ଟ କରିବା କାର୍ଯ୍ୟ ମିଡ଼ିଆରେ ଆରମ୍ଭ ହୋଇଯାଇଛି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି, ନିକଟରେ ଗଣମାଧ୍ୟମରେ ବହୁଳ ଭାବେ ପ୍ରସାରିତ ହୋଇଥିବା ‘ଇଣ୍ଡିଆ ଟୁଡେ’ ଓ ‘ସି-ଭାଟର୍’ ମିଳିତ ସର୍ବେକ୍ଷଣ ରିପୋର୍ଟ । ଯାହାକି ‘ଇଣ୍ଡିଆ ଟୁଡେ’ର ଅଗଷ୍ଟ ୧ ତାରିଖ ସଂସ୍କରଣରେ ପ୍ରକାଶ ପାଇଛି । ଜନମତ ଆଧାର ନାମରେ ଏହି ରିପୋର୍ଟରେ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପିର ଭାବମୂର୍ତ୍ତୀ ଉଜ୍ୱଳ କରାଯାଇଥିବା ବେଳେ ବିରୋଧୀ ନେତାଙ୍କୁ ନ୍ୟୁନ କରି ଦେଖାଇବାର ପ୍ରୟାସ ହୋଇଛି । ୫୩.୪ ପ୍ରତିଶତ ଜନତା ମୋଦୀଙ୍କୁ ପୁନର୍ବାର ଦେଶର ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିବା ସର୍ବେକ୍ଷଣ ରିପୋର୍ଟରେ ଦର୍ଶାଯାଇ ଥିବା ବେଳେ ହେବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସପକ୍ଷରେ ମାତ୍ର ୯.୩ ପ୍ରତିଶତ, ‘ଆପ୍’ ମୁଖ୍ୟ ଅରବିନ୍ଦ କେଜରୀୱାଲଙ୍କ ସପକ୍ଷରେ ୬ ପ୍ରତିଶତ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସପକ୍ଷରେ ୫ ପ୍ରତିଶତ, ବିଜେପି ଚାଣକ୍ୟ ତଥା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସପକ୍ଷରେ ୩ ପ୍ରତିଶତ ମତ ମିଳି ଥିବା ରିପୋର୍ଟରେ କୁହାଯାଇଛି ।
ଦେଶର ସର୍ବ ପୂରାତନ ତଥା ଅନ୍ୟତମ ପ୍ରମୁଖ ଜାତୀୟ ରାଜନୈତିକ ଦଳ ହେଉଛି କଂଗ୍ରେସ । ଦଳର ନେତୃତ୍ୱ ନେଉଥିବା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବାକୁ ଦାବିଦାର ଥିବା ବେଳେ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ତୁଳନାରେ ତାଙ୍କୁ ନ୍ୟୁନ କରି ଉପସ୍ଥାପନ କରାଯିବା କଂଗ୍ରେସ ପାଇଁ ନିରାଶାଜନକ । ମିଳିତ ସର୍ଭେ ରିପୋର୍ଟରେ ଉପସ୍ଥାପନ କରାଯାଇଥିବା ନୈରାଶ୍ୟଜନକ ଚିତ୍ର ଆଗାମୀ ନିର୍ବାଚନରେ କଂଗ୍ରେସ ଏକାକୀ ପ୍ରଧାନମନ୍ତ୍ରୀ ମୋଦୀ ଓ ଜାତୀୟ ଗଣତାନ୍ତ୍ରିକ ମେଂଟ (ଏନଡ଼ିଏ)କୁ ସାମ୍ନା କରିବାକୁ ସକ୍ଷମ ନୁହେଁ ବୋଲି ଦର୍ଶାୁଛି । ପ୍ରଧାନମନ୍ତ୍ରୀ ଆଶାୟୀ ଅନ୍ୟ ବିରୋଧୀ ନେତାଙ୍କ ସଂପର୍କରେ ସାମ୍ନାକୁ ଆସି ଥିବା ଚିତ୍ର ମଧ୍ୟ ନିରାଶାଜନକ । ଏସବୁ ନେତାଙ୍କ ମଧ୍ୟରେ ଅଛନ୍ତି – ଏନସିପି ମୁଖ୍ୟ ଶରଦ ପାୱାରା, ଟିଏମସି ମୁଖ୍ୟ ତଥା ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆମ୍ ଆଦମୀ ପାର୍ଟି (ଆପ୍)ର ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ପ୍ରମୁଖ । ନିକଟରେ ତାଲିକାରେ ଯୋଡି ହୋଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ।
ନୀତିଶ ଅଗଷ୍ଟ ୧୦ ତାରିଖରେ ବିଜେପି ଏବଂ ଏନଡ଼ିଏ ସହ ସଂପର୍କ ଛିନ୍ନ କରି ଆରଜେଡ଼ି, କଂଗ୍ରେସ ଓ ବାମପନ୍ଥୀଙ୍କ ସମର୍ଥନରେ ବିହାରରେ ମହାଗଠବନ୍ଧନ ସରକାର କରିଛନ୍ତି । ୨୦୨୪ରେ ସେ ୟୁପିଏର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ଅଭିଳାଷ ରଖି ଏଭଳି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଥିବା ବେଳେ ନୀତିଶ କିନ୍ତୁ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରି ନାହାନ୍ତି । ବିହାରର ପାଟନାଠାରେ ସାମ୍ବାଦିକମାନେ ତାଙ୍କୁ ଏନେଇ ପ୍ରଶ୍ନ କରିବାରୁ ସେ ‘୨୦୧୪ରେ ଯିଏ ପ୍ରଧାନମନ୍ତ୍ରୀ ହେଲେ ସେ ୨୦୨୪ରେ ହେବେ ବୋଲି କିଛି ମାନେ ଅଛି କି ?’ ବୋଲି ଗୋଲମୋଲ ଉତ୍ତର ଦେଇଥିଲେ । ଗତକାଲି ଦିଲ୍ଲୀରେ ମଧ୍ୟ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ସେହି ଏକା ପ୍ରଶ୍ନ କରିଥିଲେ । ନୀତିଶଙ୍କ ଚତୁର ଉତ୍ତର ଥିଲା, ଏହିକ୍ଷଣି ତାଙ୍କ ମନରେ ସେଭଳି କିଛି ନାହିଁ । ପ୍ରଥମେ ବିରୋଧୀ ଦଳଙ୍କୁ ଏକାଠି କରିବାକୁ ସେ ଉଦ୍ୟମ କରିବେ । ଆଜି ଦିନରେ ସବୁ ବିରୋଧୀ ଦଳ ଏକାଠି ହୋଇ କାମ କରିବାର ଆବଶ୍ୟକତା ରହିଛି । ଦେଶର ଜନସାଧାରଣ ସାମ୍ନା କରୁଥିବା ସମସ୍ୟା ଏବଂ ଏକ ସୁସ୍ଥ ସାମାଜିକ ବାତାବରଣ ପ୍ରତିଷ୍ଠା କିଭଳି ହୋଇପାରିବ ତାହା ଉପରେ ‘ଆମେ’ ଆଲୋଚନା କରିବୁ ବୋଲି କହି ସେ ଗଣମାଧ୍ୟମକୁ ଏହାଇଛନ୍ତି ।
ତେବେ, ନୀତିଶ ବିଜେପି ଛଡି ୟୁପିଏ ଶିବିରକୁ ଆସିବା ପରେ ଏନଡ଼ିଏର କ୍ଷତି ହୋଇଥିବା ଏବଂ ୟୁପିଏ ଲାଭବାନ ହେବାକୁ ଯାୁଥିବା ‘ଇଣ୍ଡିଆ ଟୁଡେ ଗୃପ୍’ର ‘ମୁଡ୍ ଅଫ୍ ଦି ନେସନ ପୋଲ୍’ ସର୍ଭେରୁ ସ୍ପଷ୍ଟ ସୂଚନା ମିଳୁଛି । ଏହି ସର୍ଭେ ରିପୋର୍ଟରେ କୁହାଯାଇଛି, ଦେଶରେ ଅଗଷ୍ଟ ୧ ତାରିଖରେ ସାଧାରଣ ନିର୍ବାଚନ ହୋଇଥିଲେ ବିଜେପି ଓ ତାହାର ସହଯୋଗୀ ଦଳଙ୍କୁ ୫୪୩ ଲୋକସଭା ଆସନରୁ ୩୦୭ଟି ମିଳିଥା’ନ୍ତେ । ୟୁପିଏ ୧୨୫ ଓ ଅନ୍ୟମାନେ ୧୧୧ ଆସନ ପାଇଥା’ନ୍ତେ । ଅଗଷ୍ଟ ୧୦ରେ ଚିତ୍ର ବଦଳିଛି । ନୀତିଶ ବିଜେପି ସହ ସଂପର୍କ ତୁଟାଇବା ପରେ ଅଗଷ୍ଟ ୧୦ରେ ନିର୍ବାଚନ ହେଲେ ଏନଡ଼ିଏ ୨୧ଟି କମ୍ ଅର୍ଥାତ ୨୮୬ ଆସନ ଓ ୟୁପିଏ ଅଧିକ ୨୧ଟି ଆସନ ଅର୍ଥାତ ୧୪୬ ଆସନ ପାଇବ ବୋଲି ଟୁଡେ ସର୍ଭେ ରିପୋର୍ଟରେ କୁହାଯାଇଛି । ‘ଇଣ୍ଡିଆ ଟୁଡେ ଗୃପ୍ ପକ୍ଷରୁ ‘ଆଜି ଯଦି ନିର୍ବାଚନ ହୁଏ’ ଶୀର୍ଷକରେ ଏହି ସର୍ଭେ ହୋଇଥିଲା । ସର୍ଭେ ସମୟରେ ନୀତିଶ କୁମାର ବିଜେପି ସହ ଥିଲେ । ରିପୋର୍ଟ ପ୍ରକାଶ ପାଇବା ବେଳକୁ ୟୁପିଏକୁ ଚାଲି ଆସିଛନ୍ତି । ତେଣୁ, ସର୍ଭେ ସମୟରେ ଆଶାୟୀ ପ୍ରଧାନମନ୍ତ୍ରୀଙ୍କ ତାଲିକାରେ ନୀତିଶଙ୍କ ନାମ ନଥିଲା ବୋଲି ଅନୁମାନ କରି ହେଉଛି ।
୨୦୧୯ ସାଧାରଣ ନିର୍ବାଚନ ସମୟରେ ନୀତିଶ କୁମାର ବିଜେପି ସହ ଥିଲେ । ଜେଡ଼ିୟୁ-ବିଜେପି ମିଳିତ ଭାବେ ଲୋକସଭା ନିର୍ବାଚନର ସାମ୍ନା କରିଥିଲେ । ବିହାରର ୪୦ ଲୋକସଭା ଆସନରୁ ୩୯ଟି ଏନଡ଼ିଏ ଖାତାକୁ ଆସି ଥିଲା, ଯାହାକି ନରେନ୍ଦ୍ର ମୋଦୀଙ୍କୁ ଲଗାତର ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାରେ ବଳିଷ୍ଠ ଯୋଗଦାନ ଦେଇଥିଲା । ୨୦୨୪ ସାଧାରଣ ନିର୍ବାଚନର ଦୁଇ ବର୍ଷରୁ କମ୍ ସମୟ ରହିଛି । ନୀତିଶ ବିଜେପି ଛାଡି ଆରଜେଡ଼ି, କଂଗ୍ରେସ ଓ ବାମପନ୍ଥୀଙ୍କ ସହ ହାତ ମିଳାଇବା ବିଜେପି ପାଇଁ ଚିନ୍ତାର କାରଣ ହୋଇଛି । ବିଜେପି ୨୦୧୯ ଲୋକସଭା ନିର୍ବାଚନ ଫଳାଫଳ ୨୦୨୪ରେ ଦୋହରାଇବାରେ ସକ୍ଷମ ହେବ ନାହିଁ ଜାଣିବା ପରେ ନୀତିଶଙ୍କ ପ୍ରତି ଅଧିକ ଆକ୍ରମଣାତ୍ମକ ହୋଇଛି । ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମରେ ‘ମୁଡ୍ ଅଫ୍ ଦି ନେସନ ପୋଲ୍’ ସର୍ଭେକୁ ନେଇ ଚର୍ଚ୍ଚାରେ ଆଂକରମାନେ ନୀତିଶଙ୍କୁ କଟୁ ସମାଲୋଚନା କରିବା ସହ ଦେଶର ସମ୍ଭାବ୍ୟ ପ୍ରଧାନମନ୍ତ୍ରୀଙ୍କୁ ନେଇ ପ୍ରଶ୍ନ ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନାମ କେହି ନେଇ ନାହାନ୍ତି ବୋଲି ସେମାନେ ପ୍ରଚାର କରୁଛନ୍ତି । ବିଜେପି ମଧ୍ୟ ନୀତିଶଙ୍କୁ ବିଶ୍ୱାସଘାତକ ସିଦ୍ଧ କରିବାକୁ ଯାଇ ସେ ୨୦୨୦ ବିଧାନସଭା ନିର୍ବାଚନରେ ବିହାର ମତଦାତା ଦେଇଥିବା ଜନାଦେଶ ପ୍ରତି ବିଶ୍ୱାସଘାତ କରିଥିବା ପ୍ରଚାରକୁ ଶାଣିତ କରିଛି । ଏଥିରୁ ନୀତିଶଙ୍କୁ ନେଇ ବିଜେପିର ଶଙ୍କା ଅଧିକ ସ୍ପଷ୍ଟ ହେଉଛି ।
ଅପରପକ୍ଷରେ, ନୀତିଶ ଓ ତାଙ୍କ ସମର୍ଥକମାନେ ବିଜେପିର ‘ଅପରେସନ୍ କମଲ୍’ ଅଭିଯାନ ଦେଶବାସୀଙ୍କୁ ମନେ ପକାଇ ଦେଇ ମହାରାଷ୍ଟ୍ର ଭଳି ବିହାରରେ ମଧ୍ୟ ବିଜେପି ଜେଡ଼ିୟୁ ବିଧାୟକ ଦଳରେ ଅସ୍ଥିରତା ସୃଷ୍ଟି କରି କ୍ଷମତା ହଡପ ଚକ୍ରାନ୍ତ ଚଳାଇ ଥିଲା ବୋଲି ଅଭିଯୋଗ କରିଛନ୍ତି । କିନ୍ତୁ, ବିଜେପି ସମର୍ଥିତ ଗଣମାଧ୍ୟମ ବିଜେପି ପ୍ରତି ନୀତିଶଙ୍କ କଥିତ ବିଶ୍ୱାସଘାତକତାକୁ ଯେଭଳି ଫୋକସ୍ କରୁଛି ନୀତିଶଙ୍କ ଅଭିଯୋଗକୁ ସେଭଳି ଫୋକସ୍ କରୁନଥିବା ଦେଖିବାକୁ ମିଳୁଛି । କେବେଳ ନୀତିଶ ବା ଅନ୍ୟ ବିରୋଧୀ ନେତା ନୁହନ୍ତି, ସ୍ୱାଧୀନତାର ୭୫ ବର୍ଷ ମଧ୍ୟରେ ଯେଉଁ ଯେଉଁମାନେ ଦେଶକୁ ନେତୃତ୍ୱ ଦେଇଛନ୍ତି ସେମାନଙ୍କ ମଧ୍ୟରେ ସବୁଠାରୁ ଜନପ୍ରିୟ ଓ ସକ୍ଷମ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଏକଥା ‘ମୁଡ୍ ଅଫ୍ ଦି ନେସନ ପୋଲ୍’ ସର୍ଭେରେ ପ୍ରତିପାଦିତ କରିବାକୁ ସଂପୃକ୍ତ ଗଣମାଧ୍ୟମ ପ୍ରୟାସ କରିଥିବା ପରିସଂଖ୍ୟାନ ସବୁରୁ ସୂଚନା ମିଳୁଛି ।
ସ୍ୱାଧୀନତା ପରେ ଦେଶର ସବୁଠାରୁ ଭଲ ପ୍ରଧାନମନ୍ତ୍ରୀ କିଏ ? ଏହି ପ୍ରଶ୍ନକୁ ନେଇ ଯେଉଁ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରାଯାଇଛି ସେଥିରୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ମଧ୍ୟ ବାଦ୍ ଦିଆଯାଇନି । ସର୍ଭେରେ ଭାଗ ନେଇଥିବା ଜନତାଙ୍କ ମଧ୍ୟରୁ ୪୪.୫ ପ୍ରତିଶତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏଯାବତ୍ ଦେଶର ସବୁଠାରୁ ଭଲ ପ୍ରଧାନମନ୍ତ୍ରୀ ବୋଲି ତାରିଫ କରିଥିବା ବେଳେ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ସପକ୍ଷରେ ମାତ୍ର ୫.୪ ମତ ଦେଇଥିବା ସର୍ବେକ୍ଷଣ ରିପୋର୍ଟରେ କୁହାଯାଇଛି । ଅନ୍ୟମାନଙ୍କ ମଧ୍ୟରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ୧୭.୨ ପ୍ରତିଶତ ମତଦାତା ଦେଶର ସବୁଠାରୁ ଭଲ ପ୍ରଧାନମନ୍ତ୍ରୀ କହିଥିବା ବେଳେ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କୁ ୧୩ ପ୍ରତିଶତ ଓ ଡକ୍ଟର ମନମୋହନ ସିଂହଙ୍କୁ ମାତ୍ର ୮.୩ ପ୍ରତିଶତ ମତଦାତା ଭଲ ପ୍ରଧାନମନ୍ତ୍ରୀ କହି ଥିବା ରିପୋଟରେ ଦର୍ଶାଯାଇଛି । ଦେଶର ଭଲ ବିପକ୍ଷ ନେତାଙ୍କ ଭାବରେ ‘ଆପ୍’ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କୁ ସର୍ବାଧିକ ୨୭.୨ ପ୍ରତିଶତ ସମର୍ଥନ ମିଳିଥିବା ବେଳେ ଟିଏମସି ନେତ୍ରୀ ତଥା ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୧୯.୬ ପ୍ରତିଶତ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ୧୨.୭ ପ୍ରତିଶତ ସମର୍ଥନ ମିଳିଥିବା କୁହାଯାଇଛି ।
ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରେ ୪.୭ ପ୍ରତିଶତ ଓ ଏନସିପି ନେତା ଶରଦ ପାୱାରଙ୍କ ପକ୍ଷରେ ୩.୯ ପ୍ରତିଶତ ମତଦାତା ମତ ଦେଇଥିବା ଏହି ରିପୋର୍ଟରୁ ସୂଚନା ମିଳିଛି । ଦେଶବାସୀ ବିଜେପିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉତ୍ତରାଧିକାରୀ ଭାବେ କାହାକୁ ଦେଖିବାକୁ ପସନ୍ଦ କରୁଛନ୍ତି ବୋଲି ପ୍ରଶ୍ନ ଉପରେ ବିଜେପି ଚାଣକ୍ୟ ଅମିତ ଶାହାଙ୍କ ସପକ୍ଷରେ ୨୫.୨, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସପକ୍ଷରେ ୨୪.୧ ଓ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ସପକ୍ଷରେ ୧୪.୯ ପ୍ରତିଶତ ମତଦାତା ମତ ଦେଇଥିବା ସର୍ବେକ୍ଷଣ ରିପୋର୍ଟରୁ ସୂଚନା ମିଳିଛି । ‘ଇଣ୍ଡିଆ ଟୁଡେ ଗୃପ୍’ର ଏହି ସର୍ବେକ୍ଷଣ ରିପୋର୍ଟ ଯେଉଁ ସମୟରେ ସାମ୍ନାକୁ ଆସିଛି ତାହା ଗୁରୁତ୍ୱପୂର୍ଣ୍ଣ । ଚଳିତ ବର୍ଷ ଶେଷ ଆଡକୁ ଗୁଜରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ବିଜେପି କଂଗ୍ରେସ ଅପେକ୍ଷା ‘ଆମ୍ ଆଦମୀ ପାର୍ଟି’ ଆଡୁ ଅଧିକ ଚ୍ୟାଲେଂଜର ସାମ୍ନା କରୁଛି ।
ତିନି ଶହ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଏବଂ ଗୁଜରଟରେ ଦିଲ୍ଲୀ ମଡେଲ ମାଗଣା ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପ୍ରତିଶ୍ରୁତିରେ ‘ଆପ୍’ ମୁଖ୍ୟ ଗୁଜରାଟବାସୀଙ୍କ ମନ ଜିଣିବାକୁ ଉଦ୍ୟମ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ‘ରେବଡି’ ସଂସ୍କୃତି କଥା ଉଠାଇ ନିର୍ବାଚନରେ ‘ମାଗଣା ବଂଟା’ ଉପରେ ପ୍ରତିବନ୍ଧ ଲଗାଇବାକୁ ଜୋରଦାର ପ୍ରୟାସରେ ଲାଗିଛନ୍ତି । ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ଜୋରଦାର ବିତର୍କ ମଧ୍ୟ ଚାଲିଛି । ଗୁଜରାଟ ପରେ ୨୦୨୩ରେ ଅନ୍ୟ କିଛି ରାଜ୍ୟର ବିଧାନସଭା ନିର୍ବାଚନ ହେବ । ସେସବୁ ନିର୍ବାଚନର ଫଳାଫଳ ଉପରେ ୨୦୨୪ ସାଧାରଣ ନିର୍ବାଚନ ଫଳାଫଳ ଏବଂ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ (?), ତାହା ବହୁମାତ୍ରାରେ ନିର୍ଭର କରୁଛି । ଏବେ ଯାହା ସବୁ ଚାଲିଛି ସବୁ ପଛରେ ରହିଛି ଗୋଟିଏ ଉଦ୍ଦେଶ୍ୟ । ୨୦୨୪ରେ ଦେଶର ପ୍ରଧାନମନ୍ତ୍ରୀ କିଏ ହେବ । ବିଜେପି ଧୋବଧାଉଳ ହୋଇ ବସିଛି । ବିରୋଧୀ ଏକାଠି ହୋଇ ଦେଶବାସୀଙ୍କ ସାମ୍ନାରେ ଏକ ବିକଳ୍ପ ନେତୃତ୍ୱ ଏବଂ କାର୍ଯ୍ୟକାରୀ କଲା ଭଳି ମିଳିତ କାର୍ଯ୍ୟକ୍ରମ ଉପସ୍ଥାପନ କରିବା ଉପରେ ସେମାନଙ୍କ ଭବିଷ୍ୟତ ନିର୍ଭର କରୁଛି । ନୀତିଶ କୁମାର ଉଦ୍ଦେଶ୍ୟ ସାଧନରେ କେତେଦୂର ସଫଳ ହେବେ ତାହା ଉପରେ ତାଙ୍କ ‘ପ୍ରଧାନମନ୍ତ୍ରୀ’ ଅଭିଳାଷ ପୂରଣ ହେବା ନିର୍ଭର କରୁଛି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS