ପ୍ରଶାନ୍ତ କିଶୋରଙ୍କ ଆହ୍ୱାନ – ଦଶ ଲକ୍ଷ ନିଯୁକ୍ତି ଦିଅ, ସମର୍ଥନ ପାଇବ
ସମସ୍ତିପୁର (ବିହାର)
ଅଗଷ୍ଟ ୧୮
ଚଳିତ ମାସରେ ବିହାରରେ ବିଜେପି-ଜେଡ଼ିୟୁର ମିଳିତ ସରକାରର ପତନ ଘଟି ଜେଡ଼ିୟୁ-ଆରଜେଡ଼ି, କଂଗ୍ରେସ ଓ ବାମପନ୍ଥୀଙ୍କ ମିଳିତ ମହାଗଠବନ୍ଧନ ସରକାର ପ୍ରତିଷ୍ଠା ପରେ ତାହାକୁ ନେଇ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ନୂଆ ରଣନୀତି ଖୁଲାସା କରିଛନ୍ତି । ରାଜ୍ୟରେ ବର୍ଷେ, ଦୁଇ ବର୍ଷ ମଧ୍ୟରେ ୧୦ ଲକ୍ଷ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଅ । ନୂଆ ସରକାରକୁ ତାଙ୍କ ଦଳ ସମର୍ଥନ ଦେବ ବୋଲି ପ୍ରଶାନ୍ତ କିଶୋର ଗତକାଲି ସ୍ପଷ୍ଟ କରିଛନ୍ତି । ଅତୀତରେ ସେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜଣେ ଘନିଷ୍ଟ ସହଯୋଗୀ ଥିଲେ । ତେବେ, ପରିବର୍ତ୍ତିତ ପରିସ୍ଥିତିରେ ସେ ନୀତିଶ କୁମାରଙ୍କୁ ବିରୋଧ କରିବା ସହ ସରକାର ବିରୋଧରେ ଜନମତ ସୃଷ୍ଟି ପାଇଁ ଚଳିତ ବର୍ଷ ପ୍ରାରମ୍ଭରୁ ରାଜ୍ୟବ୍ୟାପୀ ‘ଜନ ସୂରଜ ଅଭିଯାନ’ ଆରମ୍ଭ କରିବାକୁ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପିର ହାତଛାଡି ଆରଜେଡ଼ି ଓ କଂଗ୍ରେସକୁ ନେଇ ନିକଟରେ ମହାଗଠବନ୍ଧନ ସରକାର ଗଠନ କରିବା ପରେ ପ୍ରଶାନ୍ତ କିଶୋର ନୀତିଶ ସରକାରଙ୍କୁ ସମର୍ଥନ ଦେବା ପାଇଁ ଏହି ସର୍ତ୍ତ ରଖିଛନ୍ତି । ଆସନ୍ତା ବର୍ଷେ, ଦୁଇ ବର୍ଷ ମଧ୍ୟରେ ସରକାର ଯଦି ରାଜ୍ୟର ୫ରୁ ୧୦ ଲକ୍ଷ ଯୁବକ, ଯୁବତୀଙ୍କୁ କର୍ମନିଯୁକ୍ତି ଯୋଗାଇ ଦେବେ ତେବେ ସେ ତାଙ୍କ ‘ଜନ ସୂରଜ ଅଭିଯାନ’ ପ୍ରତ୍ୟାହର କରି ନେବେ ଏବଂ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ସମର୍ଥନ କରିବେ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି । ବୁଧବାର ଦିନ ବିହାରର ସମସ୍ତିପୁରଠାରେ ନିଜ ସମର୍ଥକଙ୍କୁ ଉଦ୍ବୋଧନ ଦେଇ ରଣନୀତିକାର ପ୍ରଶାନ୍ତ କିଶୋର କହିଛନ୍ତି, ରାଜ୍ୟର ଜେଡ଼ିୟୁ-ଆରଜେଡ଼ି-କଂଗ୍ରେସ ସରକାର ପଛରେ ବିହାର ଜନତାଙ୍କ ସମର୍ଥନ ନାହିଁ । ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରେ ଚିପିକି ରହିବାକୁ ‘ଫେବିକଲ୍’ର ସହାୟତା ନେଇଥିବା ବେଳେ ଅନ୍ୟମାନେ ତାଙ୍କ ଚାରିପାଖେ ଘୁରୁଛନ୍ତି । ମହାଗଠବନ୍ଧନ ସରକାରରେ ଉପ ମୁଖ୍ୟମନ୍ତ୍ରୀ ହୋଇଥିବା ଆରଜେଡ଼ି ନେତା ତେଜସ୍ୱୀ ଯାଦବ ୨୦୨୦ ବିହାର ବିଧାନସଭା ନିର୍ବାଚନ ସମୟରେ ଦଳ କ୍ଷମତାକୁ ଆସିଲେ ଦଶ ଲକ୍ଷ ବେକାର ଯୁବକ, ଯୁବତୀଙ୍କୁ କର୍ମ ନିଯୁକ୍ତି ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଉପ ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ ତେଜସ୍ୱୀ ତାହା ଦୋହରାଇଛନ୍ତି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ସମାରୋହ ଅବସରରେ ପାଟନା ଗାନ୍ଧୀ ମଇଦାନରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ତାଙ୍କ ସରକାରରେ ନୂଆ ପୀଢିର ନେତା (ତେଜସ୍ୱୀ ଯାଦବ) ସାମିଲ ଥିବାରୁ ବେକାର ଯୁବକ, ଯୁବତୀଙ୍କ କର୍ମନିଯୁକ୍ତି ଉପରେ ଅଧିକ ଧ୍ୟାନ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ଉଦ୍ୟୋଗରେ ୨୦ ଲକ୍ଷ ବେକାର ଯୁବକ, ଯୁବତୀଙ୍କୁ କର୍ମ ନିଯୁକ୍ତି ଦେବା ତାଙ୍କ ସରକାରର ଲକ୍ଷ୍ୟ ରହିଛି ବୋଲି କହିଛନ୍ତି । ତେଣୁ, ମହାଗଠବନ୍ଧନ ସରକାର ଯଦି ବର୍ଷେ ବା ଦୁଇ ବର୍ଷ ଭିତରେ ରାଜ୍ୟରେ ୧୦ ଲକ୍ଷ କର୍ମନିଯୁକ୍ତି ଦେବେ ସେ ତାଙ୍କ ‘ଜନ ସୂରଜ ଅଭିଯାନ’ ପ୍ରତ୍ୟାହାର କରି ନେଇ ନୀତିଶ କୁମାରଙ୍କ ସରକାରକୁ ସମର୍ଥନ କରିବେ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି । ପ୍ରଶାନ୍ତ ଗଲା କିଛି ମାସ ହେଲା ବିହାରରେ ପ୍ରତ୍ୟକ୍ଷ ରାଜନୀତିରେ ସାମିଲ ହୋଇଛନ୍ତି । ସେ କହିଛନ୍ତି, ଏହି ତିନି ମାସ ମଧ୍ୟରେ ରାଜ୍ୟର ରାଜନୈତିକ ପରିସ୍ଥିତି ୧୮୦ ଡ଼ିଗ୍ରୀ ପରିବର୍ତ୍ତନ ହେଲାଣି । ୨୦୨୫ ବିଧାନସଭା ନିର୍ବାଚନ ପୂର୍ବରୁ ଆହୁରି ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ । ସୂଚନା ଯୋଗ୍ୟ, ପ୍ରଶାନ୍ତ କୁମାର ଚଳିତ ବର୍ଷ ପ୍ରାରମ୍ଭରେ ବିହାରରେ ‘ଜନ ସୂରଜ ଅଭିଯାନ’ ଆରମ୍ଭ କରିବା କଥା ଘୋଷଣା କରିଥିଲେ । ରାଜ୍ୟର ପ୍ରତି କୋଣ, ଅନୁକୋଣକୁ ଯାଇ ବିହାରବାସୀଙ୍କ ସମସ୍ୟା ଅନୁଧ୍ୟାନ କରିବେ ଓ ଯଥାସମ୍ଭବ ତାହାର ସମାଧାନ ପନ୍ଥା ବାହାର କରିବେ ବୋଲି ସେ କହିଥିଲେ । ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ତାଙ୍କ ଭୂମିକା ଉପରେ ସମସ୍ତଙ୍କ ଦୃଷ୍ଟି ରହିବ ।
ମୋଅନୁଭଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS