ହିମାଚଳ ପ୍ରଦେଶ ନିର୍ବାଚନ ନଭେମ୍ବର ୧୨ରେ, ଗୁଜରାଟ ପାଇଁ ତାରିଖ ଘୋଷଣା ହେଲାନି
ପ୍ରସାଦ ରାଓ
ଅକ୍ଟୋବର ୧୪
୬୮ ଆସନ ବିଶିଷ୍ଟ ହିମାଚଳ ପ୍ରଦେଶ ବିଧାନସଭା ପାଇଁ ନଭେମ୍ବର ୧୨ରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବ । ଦେଶର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି । ହିମାଚଳ ପ୍ରଦେଶରେ ନଭେମ୍ବରରେ ଭୋଟ ହେଉଥିବା ବେଳେ ଡ଼ିସେମ୍ବର ୮ ତାରିଖରେ ଭୋଟ ଗଣତି ଓ ଫଳାଫଳ ଘୋଷଣା ହେବ ବୋଲି ନିର୍ବାଚନ କମିସନ ପକ୍ଷରୁ ଘୋଷଣା ହୋଇଥିବାରୁ ୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭା ପାଇଁ ମଧ୍ୟ ଅତିଶୀଘ୍ର ନିର୍ବାଚନ ତାରିଖ ଘୋଷଣା ହେବା ଆଶା କରାଯାଉଛି । ଆଜି ଗୁଜରାଟ ବିଧାନସଭା ନିର୍ବାଚନ ନେଇ ମୁଖ୍ୟ ନିର୍ବାଚନ କମିଶନର କିଛି କହି ନାହାନ୍ତି । ଏଠାରେ ଉଲ୍ଳେଖନୀୟ ଯେ, ୬୮ ଆସନ ବିଶିଷ୍ଟ ହିମାଚଳ ପ୍ରଦେଶ ବିଧାନସଭାର କାର୍ଯ୍ୟକାଳ ୨୦୨୩ ଜାନୁୟାରୀ ୮ ତାରିଖରେ ସରୁଥିବା ବେଳେ ଗୁଜରାଟ ବିଧାନସଭାର କାର୍ଯ୍ୟକାଳ ଫେବୃୟାରୀ ୧୮ରେ ସରୁଛି । ତେଣୁ, ଚଳିତ ବର୍ଷ ଶେଷ ସୁଦ୍ଧା ଦୁଇ ରାଜ୍ୟରେ ବିଧାନସଭା ନିର୍ବାଚନ ହେବା ଏକପ୍ରକାର ସୁନିଶ୍ଚିତ । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଆଜି ଅପରାହ୍ନରେ ନୂଆଦିଲ୍ଲୀ ବିଜ୍ଞାନ ଭବନରେ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଉଭୟ ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ନେଇ ନିର୍ବାଚନ କମିଶନ ପକ୍ଷରୁ ତାରିଖ ଘୋଷଣା ହେବା ଆଶା କରାଯାଉଥିଲା । କିନ୍ତୁ, ତାରିଖ ଘୋଷଣା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସୀମିତ ରହି ଯାଇଛି । ଏହି ଦୁଇ ରାଜ୍ୟରେ ରାଜନୈତିକ କାର୍ଯ୍ୟକଳାପ ତୀବ୍ରତର ଥିବାରୁ ନିର୍ବାଚନୀ ଉଷ୍ଣତା ବଢି ଯାଇଛି । ଗୁଜରାଟ ଓ ହିମାଚଳ ପ୍ରଦେଶରେ ବିଜେପିର ସରକାର ରହିଛି ଏବଂ ବିଜେପି ପୁନର୍ବାର କ୍ଷମତା ଦଖଲ କରିବାକୁ ଚାହୁଁଛି । ତେଣୁ, ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ସଭାପତି ଡକ୍ଟର ଜେ.ପି.ନଡ୍ଡା ପ୍ରଚାର ଅଭିଯାନର ନେତୃତ୍ୱ ନେଇ ଦୁଇ ରାଜ୍ୟକୁ ଘନ ଘନ ଗସ୍ତ କରୁଛନ୍ତି । ବିଭିନ୍ନ ଘୋଷଣା ଏବଂ ବିରୋଧୀଙ୍କୁ କଟୁ ସମାଲୋଚନ ମାଧ୍ୟରେ ସେମାନେ ପ୍ରଚାର ଅଭିଯାନକୁ ଶାଣିତ କରିବା ସହ ନିର୍ବାଚନ ମଇଦାନ ସରଗରମ ରଖିଛନ୍ତି । ନିକଟରେ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ ଅଧିକାରୀମାନେ ଗୁଜରାଟ ଓ ହିମାଚଳ ପ୍ରଦେଶ ଗସ୍ତ କରି ସେସବୁ ରାଜ୍ୟରେ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିଥିଲେ । ହିମାଚଳ ପ୍ରଦେଶରେ ସରକାର ଗଠନ ପାଇଁ ୩୫ ବିଧାନସଭା ଆସନର ଆବଶ୍ୟକତା ରହି ଥିବା ବେଳେ ଗୁଜରାଟରେ ୯୨ ଆସନର ଆବଶ୍ୟକତା ରହିଛି । ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆସନା ୧୭ ତାରିଖ ଦିନ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଂକନପତ୍ର ଦାଖଲର ଶେଷ ତାରିଖ ଅକ୍ଟୋବର ୨୫ ତାରିଖ ରହିଥିବା ବେଳେ ୨୭ ତାରିଖ ଦିନ ଯାଂଚ, ୨୯ ତାରିଖ ନାମାଂକନ ପ୍ରତ୍ୟାହାରର ଶେଷ ତାରିଖ ରହିଛି । ଡ଼ିସେମ୍ବାର ୧୦ ତାରିଖ ସୁଦ୍ଧା ରାଜ୍ୟରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ନଭେମ୍ବର ୧୨ ତାରିଖରେ ହେବାକୁ ଥିବା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ୫୫ ଲକ୍ଷ ୦୭ ହଜାର ୨୬୧ ମତଦାତା ସେମାନଙ୍କ ମତଦାନ କରିବେ । ସେଥିରୁ ନୂତନ ଭୋଟରଙ୍କ ସଂଖ୍ୟା ହେଉଛି ୧ ଲକ୍ଷ ୮୬ ହଜାର ୬୮୧ । ଆଜି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସାମ୍ବାଦିକଙ୍କୁ ଏହି ସୂଚନା ଦେଇଛନ୍ତି । ରାଜ୍ୟରେ ୨୦୧୭ରେ ୧୩ତମ ବିଧାନସଭା ନିର୍ବାଚନ ହୋଇଥିଲା । ସେଥିରେ ବିଜେପି ସର୍ବାଧିକ ୪୪ ଆସନରେ ବିଜୟୀ ହୋଇ ରାଜ୍ୟରେ ସରକାର ଗଢି ଥିବା ବେଳେ କଂଗ୍ରେସକୁ ୨୧ଟି ଆସନ ମିଳି ଥିଲା । ବଳକା ୩ଟି ବିଧାନସଭା ଆସନରୁ ସିପିଆଇ (ଏମ)କୁ ଗୋଟିଏ ମିଳିଥିବା ବେଳେ ଦୁଇଟି ଆସନରୁ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ । ରାଜ୍ୟରେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ଥିଲେ ମଧ୍ୟ ବିଜେପି ମୁକାବିଲାରେ କଂଗ୍ରେସର ସ୍ଥିତି ଦୁର୍ବଳ ଥିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଗୁଜରାଟ ଭଳି ହିମାଚଳ ପ୍ରଦେଶରେ ମଧ୍ୟ ତାଙ୍କ ଦଳ ‘ଆମ୍ ଆଦମୀ ପାର୍ଟି’ ବିଜେପିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହେବ ବୋଲି ଦାବି କରୁଛନ୍ତି । ତେବେ, ବିଜେପି ଏହାକୁ ଦିବାସ୍ୱପ୍ନ ବୋଲି କହିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS