କଂଗ୍ରେସ ସଭାପତି ନିର୍ବାଚନ ସରିଲା, ଫଳାଫଳ ୧୯ରେ
ପ୍ରସାଦ ରାଓ
ଅକ୍ଟୋବର ୧୭
ଆଜି ବହୁ ପ୍ରତିକ୍ଷିତ କଂଗ୍ରେସ ସଭାପତି ନିର୍ବାଚନ ଶେଷ ହୋଇଛି । ଏଆଇସିସି ମୁଖ୍ୟାଳୟ ସମେତ ସମଗ୍ର ଦେଶରେ ଥିବା କଂଗ୍ରେସ କାର୍ଯ୍ୟାଳୟଗୁଡିକରେ ଏଆଇସିସି ଓ ପ୍ରଦେଶ କଂଗ୍ରେସ କମିଟି ପ୍ରତିନିଧିମାନେ ଭୋଟଦାନ କରିଛନ୍ତି । ପ୍ରାୟ ୯ ହଜାର ପ୍ରତିନିଧି ସେମାନଙ୍କ ମତ ସାବ୍ୟସ୍ତ କରିଥିବା ବେଳେ ୧୯ ତାରିଖ ଦିନ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ଏଆଇସିସିର ଅନ୍ତରୀଣ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ଓ କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ନୂଆଦିଲ୍ଲୀସ୍ଥିତ ଏଆଇସିସି ମୁଖ୍ୟାଳୟରେ ଭୋଟ ଦେଇଥିବା ସମୟରେ ‘ଭାରତ ଯୋଡୋ’ ଯାତ୍ରାରେ କର୍ଣ୍ଣାଟକରେ ଥିବା ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ବେଲାରୀରେ ଅନ୍ୟ କଂଗ୍ରେସ ପ୍ରତିନିଧିଙ୍କ ସହ ଭୋଟ ଦେଇଛନ୍ତି । ଦୀର୍ଘ ୨୪ ବର୍ଷ ପରେ ନିର୍ବାଚନ ମାଧ୍ୟମରେ କଂଗ୍ରେସର ସଭାପତି ଚୟନ ହେବାକୁ ଯାଉଛି । ଦଳର ବରିଷ୍ଠ ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖାର୍ଗେ ଓ ଲୋକସଭା ସାଂସଦ ଶଶି ଥରୁର ଦଳର ସଭାପତି ପଦ ପାଇଁ ନିର୍ବାଚନ ମଇଦାନରେ ରହିଛନ୍ତି । ଏହି ନିର୍ବାଚନରେ ଗାନ୍ଧୀ ପରିବାର ନିରପେକ୍ଷ ଥିବା କହୁଥିଲେ ମଧ୍ୟ ୮୦ ବର୍ଷ ବୟସ୍କ ଖାର୍ଗେଙ୍କ ପ୍ରତି ପରିବାରର ନିରବ ସମର୍ଥନ ଥିବା ଆଲୋଚନା ହେଉଛି । ଖାର୍ଗେଙ୍କ ବିପକ୍ଷରେ ନିର୍ବାଚନ ଲଢୁଥିବା ଥରୁର ମଧ୍ୟ ଏହି ଅଭିଯୋଗ କରୁଛନ୍ତି । ପ୍ରାର୍ଥୀପତ୍ର ଦାଖଲ ପରେ ଖାର୍ଗେ ବିଭିନ୍ନ ରାଜ୍ୟକୁ ସମର୍ଥନ ପାଇଁ ଯାଇଥିବା ବେଳେ ସେଠାକାର ପିସିସି ସଭାପତି ଓ ଅନ୍ୟ ପ୍ରତିନିଧିମାନେ ଯେଭଳି ତାଙ୍କୁ ସ୍ୱାଗତ ସଂବର୍ଦ୍ଧନା ଦେଇଥିଲେ ଥରୁରଙ୍କୁ ସେଭଳି ସମର୍ଥନ ମିଳି ନାହିଁ । କାରଣ, ଖାର୍ଗେ ହିଁ ଦଳର ବାସ୍ତବ ସଭାପତି ପ୍ରାର୍ଥୀ ବୋଲି ସମଗ୍ର ଦେଶର କଂଗ୍ରେସ ପ୍ରତିନିଧି ମହଲରେ ଏକପ୍ରକାର ଧାରଣା ସୃଷ୍ଟ କରାଯାଇଥିଲା । କଂଗ୍ରେସ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ପ୍ରଥମେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟଙ୍କୁ ଅକ୍ଟୋବର ୧୭ ତାରିଖ ସଭାପତି ନିର୍ବାଚନ ଲଢିବାକୁ କହିଥିଲେ । ତେବେ, ଗେହେଲୋଟ କଂଗ୍ରେସ ସଭାପତି ହେଲେ ମଧ୍ୟ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦରେ ରହିବେ ବୋଲି ଅଡି ବସି ଥିଲେ । କଂଗ୍ରେସର ଯୋଧପୁର ଅଧିବେଶନରେ ହୋଇଥିବା ନିଷ୍ପତ୍ତି ପ୍ରକାରେ ଦଳ ‘ଜଣେ ବ୍ୟକ୍ତି, ଗୋଟିଏ ପଦବୀ’ ନୀତିରେ ଅଟଳ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କୁ ସ୍ପଷ୍ଟ କରିଦେବା ପରେ ଗେହେଲୋଟ ରାଜସ୍ଥାନରେ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା ଯୋଜନା ଚାଲିଥିବା ଆଶଙ୍କା କରି କଂଗ୍ରେସ ନେତୃତ୍ୱ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ । ରାଜ୍ୟର ସମସ୍ତ କଂଗ୍ରେସ ବିଧାୟକ ଗେହେଲୋଟଙ୍କ ସମର୍ଥନରେ ସମୂହ ଇସ୍ତଫା ଘୋଷଣା କରିବା ସହ ରାଜସ୍ଥାନ ଯାଇଥିବା ଏଆଇସିସି ପର୍ଯ୍ୟବେକ୍ଷକଙ୍କୁ ଅପମାନିତ କରିବାକୁ ପଛାଇ ନଥିଲେ । ଗେହେଲୋଟଙ୍କ ବିଦ୍ରୋହ ପରେ କଂଗ୍ରେସ ନେତୃତ୍ୱ ଶେଷ ମୁହୁର୍ତ୍ତରେ ରାଜ୍ୟସଭାରେ ବିରୋଧୀ ଦଳ ନେତା ଥିବା ଖାର୍ଗେଙ୍କୁ ସଭାପତି ନିର୍ବାଚନ ଲଢିବାକୁ ରାଜି କରାଇ ଥିଲେ । ଶଶି ଥରୁର ମୂଳରୁ ପ୍ରାର୍ଥୀ ହେବାକୁ ଘୋଷଣା କରିବା ସହ ସୋନିଆଙ୍କ ଅନୁମତି ନେଇ କଂଗ୍ରେସ ସଭାପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଖାର୍ଗେ ପ୍ରାର୍ଥୀ ହେବା ପରେ ଥରୁର ପ୍ରତିଦ୍ୱନ୍ଦ୍ୱିତାରୁ ଓହରି ନାହାନ୍ତି । ସେ ଦଳର ସଭାପତି ହେଲେ କଂଗ୍ରେସରେ ଚାଲି ଥିବା ‘ହାଇକମାଣ୍ଡ ରାଜ୍’ର ଅବସାନ ଘଟାଇବେ ଏବଂ ଦଳର ସଂଗଠନକୁ ନୂତନ ଭାବେ ଗଢି ତୋଳିବେ ବୋଲି ଥରୁର କଂଗ୍ରେସ ପ୍ରତିନିଧିଙ୍କୁ ପ୍ରତିଶ୍ରୁତି ଦେଇଥିବା ବେଳେ ଖାର୍ଗେ ଗାନ୍ଧୀ ପରିବାର ସହ ସମନ୍ୱୟ ରକ୍ଷା କରି ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ପ୍ରତିଷ୍ଠା ଦିଗରେ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇ ଏହି ନିର୍ବାଚନ ଲଢିଛନ୍ତି । ଦେଶବ୍ୟାପୀ ଗାନ୍ଧୀ ପରିବାର-ଅନୁରକ୍ତ କଂଗ୍ରେସ ପ୍ରତିନିଧିମାନେ ଖାର୍ଗେଙ୍କୁ ସଭାପତି ନିର୍ବାଚିତ କରିବା ଏକପ୍ରକାର ନିଶ୍ଚିତ ଥିବା ବେଳେ ଦଳର ପୁନର୍ଗଠନ ଚାହୁଁ ଥିବା କଂଗ୍ରେସ ପ୍ରତିନିଧିମାନେ ତାଙ୍କୁ ଭୋଟ ଦେବେ ବୋଲି ଥରୁର ଆଶା ରଖିଛନ୍ତି । ୧୯ ତାରିଖ ଫଳାଫଳ ପ୍ରକାଶ ପାଇଲେ କଂଗ୍ରେସ ପ୍ରତିନିଧିମାନେ ହାଇକମାଣ୍ଡ ରାଜ୍ ର ଅବସାନ ପାଇଁ ଭୋଟ ଦେଲେ କି ଗାନ୍ଧୀ ପରିବାରର ଅନୁରକ୍ତଙ୍କୁ ଭୋଟ ଦେଲେ ତାହା ସ୍ପଷ୍ଟ ହୋଇଯିବ । ସୋନିଆ ଗାନ୍ଧୀ ଦୀର୍ଘ ୧୯ ବର୍ଷ କଂଗ୍ରେସ ସଭାପତି ରହିବା ପରେ ୨୦୧୭ରେ ପୁଅ ରାହୁଲ ଗାନ୍ଧୀଙ୍କୁ ଦଳର ଏହି ସର୍ବୋଚ୍ଚ ପଦବୀ ହସ୍ତାନ୍ତର କରିଥିଲେ । ତେବେ, ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପାଇଁ ଦାୟିତ୍ୱ ମୁଣ୍ଡାଇ ରାହୁଲ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବା ପରେ ସୋନିଆ ପୁନର୍ବାର ଦଳର ଅନ୍ତରୀଣ ସଭାପତି ରହିଛନ୍ତି । ଚଳିତ କଂଗ୍ରେସ ସଭାପତି ନିର୍ବାଚନରେ ଗାନ୍ଧୀ ପରିବାରରୁ କେହି ପ୍ରାର୍ଥୀ ନହୋଇ ଜଣେ ଅଣ-ଗାନ୍ଧୀଙ୍କୁ ଦଳର ସଭାପତି କରିବାକୁ ଚାହିଁବା ପଛରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସର ରଣନୀତି ରହିଛି କୁହାଯାଉଛି । ତେବେ, ଦଳ ଅଣ-ଗାନ୍ଧୀ ସଭାପତିଙ୍କ ନେତୃତ୍ୱରେ ନିର୍ବାଚନ ଲଢି ମଧ୍ୟ ଗାନ୍ଧୀ-ଛାପରୁ କେତେଦୂର ମୁକ୍ତ ରହିବ ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS