ଜୟଲଳିତାଙ୍କ ମୃତ୍ୟୁରେ ଶଶିକଳାଙ୍କୁ ଦୋଷୀ ପାଇଲେ ତଦନ୍ତ କମିଶନ !
ପ୍ରସାଦ ରାଓ
ଅକ୍ଟୋବର ୧୮
ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ.ଜୟଲଳିତାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ଏ.ଅରୁମୁଘସ୍ୱାମୀ କମିଶନ ଜୟଲଳିତାଙ୍କ ମୃତ୍ୟୁ ପାଇଁ ତାଙ୍କ ଘନିଷ୍ଟ ବାନ୍ଧବୀ ଭି.କେ.ଶଶିକଳା ଏବଂ ଅନ୍ୟ କେତେକଙ୍କୁ ଦାୟୀ କରି ଅଧିକ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ସୁପାରିଶ କରିଛନ୍ତି । ୨୦୧୬ରେ ଜୟଲଳିତା ମୁଖ୍ୟମନ୍ତ୍ରୀ ଥାଇ ଗୁରୁତର ଅବସ୍ଥାରେ ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ମୃତ୍ୟୁ ଘଟିଥିଲା । ସେହି ସମୟରେ ଚିକିତ୍ସାରେ ଅବହେଳା କାରଣରୁ ଜୟଲଳିତାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ହସ୍ପିଟାଲରେ ମୃତ୍ୟୁ ଘଟିବା ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ରାଜ୍ୟରେ କ୍ଷମତାରେ ଥିବା ଏଆଇଏଡ଼ିଏମକେ ସରକାର ଏହାର ତଦନ୍ତ ପାଇଁ କମିଶନ ବସାଇ ଥିଲେ । କେଉଁ ପରିସ୍ଥିତିରେ ଜୟଲଳିତାଙ୍କ ମୃତ୍ୟୁ ଘଟିଲା ତାହାର ତଦନ୍ତ କରୁଥିବା ଏ.ଅରୁମୁଘସ୍ୱାମୀ କମିଶନ ଦାଖଲ କରିଥିବା ରିପୋର୍ଟ ତାମିଲନାଡୁର ଡ଼ିଏମକେ ସରକାର ଆଜି ରାଜ୍ୟ ବିଧାନସଭାରେ ଉପସ୍ଥାପନ କରିଛନ୍ତି । ରିପୋର୍ଟରେ ଜୟଲଳିତାଙ୍କ ବାନ୍ଧବୀ ଭି.କେ.ଶଶିକଳା, ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ରାମ ମୋହନ ରାଓ, ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସି.ବିଜୟ ଭାସ୍କର ଓ ଅନ୍ୟ କେତେ ଜଣଙ୍କୁ ଦାୟୀ କରି ଣାଜ୍ୟ ସରକାର ଏହାର ତଦନ୍ତ କରାଇବାକୁ କହିଛନ୍ତି । ଏହାଛଡା, ୨୦୧୮ରେ ତାମିଲନାଡୁର ଥୁଥୁକୁଡିରେ ଷ୍ଟେରେଲାଇଟ୍ କାରଖାନା ବିରୋଧୀ ପ୍ରତିବାଦ ବିକ୍ଷୋଭ ସମୟରେ ହୋଇଥିବା ପୁଲିସ ଗୁଳିକାଣ୍ଡର ତଦନ୍ତ ରିପୋର୍ଟ ମଧ୍ୟ ଆଜି ରାଜ୍ୟ ବିଧାନସଭାରେ ଉପସ୍ଥାପନ ହୋଇଛି । ଏହି ଗୁଳିକାଣ୍ଡରେ ୧୩ ଜଣଙ୍କ ମୃତ୍ୟୁ ଘଟି ଥିଲା ଏବଂ ଅରୁଣା ଜଗଦୀଶନ କମିଶନ ଏହାର ତଦନ୍ତ କରୁଥିଲେ । ଗୁଳିକାଣ୍ଡ ପାଇଁ କମିଶନ ପୁଲିସକୁ ଦାୟୀ କରିଛନ୍ତି । ଜୟଲଳିତାଙ୍କ ମୃତ୍ୟୁର ତଦନ୍ତ କରୁଥିବା ଅରୁମୁଘସ୍ୱାମୀ କମିଶନ ଗତ ଅଗଷ୍ଟ ମାସ ୨୭ ତାରିଖରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନଙ୍କ ନିକଟରେ ତଦନ୍ତ ରିପୋର୍ଟ ଉପସ୍ଥାପନ କରିଥିଲେ । ରିପୋର୍ଟରେ ଯେଉଁମାନଙ୍କୁ ଦୋଷୀ କୁହାଯାଇଛି ସେମାନଙ୍କ ବିରୋଧରେ ଡ଼ିଏମକେ ସରକାର ଅଧିକ ତଦନ୍ତ କରାଇବାକୁ କମିଶନ ସୁପାରିଶ କରିଛନ୍ତି । ଅରୁମୁଘସ୍ୱାମୀ କମିଶନ ଦାଖଲ କରିଥିବା ୬୦୦ ପୃଷ୍ଠାର ତଦନ୍ତ ରିପୋର୍ଟ ଉପରେ ରାଜ୍ୟ କ୍ୟାବିନେଟରେ ଆଲୋଚନା କରାଯାଇ କମିଶନ ଯେଉଁ ସୁପାରିଶ କରିଛନ୍ତି ତାହା ଉପରେ ଆଇନ ବିଶେଷଜ୍ଞଙ୍କ ସହ ପରାମର୍ଶ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ରାଜ୍ୟରେ କ୍ଷମତାରେ ଥିବା ଡ଼ିଏମକେ ସରକାର ନିଜ ନିର୍ବାଚନ ଇସ୍ତାହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଆଇଏଡ଼ିଏମକେ ସୁପ୍ରିମୋ କୁମାରୀ ଜୟଲଳିତାଙ୍କ ମୃତ୍ୟୁର ସତ୍ୟ ବାହାରକୁ ଆଣିବେ ବୋଲି ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ୨୦୧୬ ସେପ୍ଟେମ୍ବର ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କୁ ଗୁରୁତର ଅସୁସ୍ଥ ଅବସ୍ଥାରେ ଚେନ୍ନାଇର ଆପୋଲୋ ହପ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ସେ ୭୫ ଦିନ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ସେହି ବର୍ଷ ଡ଼ିସେମ୍ବର ୫ ତାରିଖରେ ମୃତ୍ୟୁବରଣ କରିଥିଲେ । ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ଜୟଲଳିତାଙ୍କ ମୃତ୍ୟୁ ଘଟିଥିବା ନେଇ ଜୋରଦାର ଅଭିଯୋଗ ହେବାରୁ ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ନିବେଦନକ୍ରମେ ସୁପ୍ରିମ କୋର୍ଟ ଏଆଇଆଇଏମଏସ୍ (ଏମ୍ସ) ପକ୍ଷରୁ ଏକ ମେଡିକାଲ ବୋର୍ଡ ଗଠନ କରାଯାଇ ଜୟଲଳିତାଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା ଅରୁମୁଘସ୍ୱାମୀ କମିଶନଙ୍କୁ ସହାୟତା କରିବା ପାଇଁ ୨୦୨୧ ନଭେମ୍ବର ୩୦ ତାରିଖରେ ନିର୍ଦେଶ ଦିଆଯାଇଥିଲା । ଏଆଇଆଇଏମଏସ୍ (ଏମ୍ସ)ର ବିଶେଷଜ୍ଞ କମିଟି ଜୟଲଳିତାଙ୍କ ମୃତ୍ୟୁର କାରଣ ସଂପର୍କରେ ଗଭୀର ଭାବେ ଅନୁଧ୍ୟାନ କରାଯାଇ କମିଶନଙ୍କ ନିକଟରେ ତିନି ପୃଷ୍ଠାର ରିପୋର୍ଟ ଦାଖଲ କରାଯାଇଛି । ୨୦୧୭ରେ ତତ୍କାଳୀନ ଏଆଇଏଡ଼ିଏମକେ ସରକାର ଜୟଲଳିତାଙ୍କ ମୃତ୍ୟୁ ରହସ୍ୟର ତଦନ୍ତ ପାଇଁ ଜଷ୍ଟିସ ଅରୁମୁଘସ୍ୱାମୀ କମିଶନ ଗଠନ କରିଥିଲେ । ଏଆଇଆଇଏମଏସ୍ (ଏମ୍ସ)ର ମେଡ଼ିକାଲ ବୋର୍ଡ ମଧ୍ୟ ତାହାର ତଦନ୍ତ ଶେଷ କରି ଗତ ଅଗଷ୍ଟ ୨୦ ତାରିଖରେ ଯେଉଁ ରିପୋର୍ଟ ଦାଖଲ କରିଛନ୍ତି ସେଥିରେ ଜୟଲଲିତାଙ୍କ ଚିକିତ୍ସାରେ କୌଣସି ପ୍ରକାର ଅବହେଳା ହୋଇନଥିବା ସ୍ପଷ୍ଟ କରିଛନ୍ତି ବୋଲି ପ୍ରକାଶିତ ରିପୋର୍ଟରୁ ସୂଚନା ମିଳିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS