ଖାର୍ଗେ ହେଲେ କଂଗ୍ରେସ ସଭାପତି
ପ୍ରସାଦ ରାଓ
ଅକ୍ଟୋବର ୧୯
ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖାର୍ଗେ ଏଆଇସିସିର ନୂତନ ସଭାପତି ନିର୍ବାଚିତ ହୋଇଥିବା ଆଜି ଘୋଷଣା ହୋଇଛି । ଅକ୍ଟୋବର ୧୭ ତାରିଖ ଦିନ ଏଥିପାଇଁ ଦେଶବ୍ୟାପୀ ଭୋଟ ହୋଇଥିଲା । ପାୟ ୯,୫୦୦ କଂଗ୍ରେସ କାର୍ଯ୍ୟକର୍ତ୍ତା ମତଦାନ କରିଥିଲେ । ଖାର୍ଗେ ୭,୮୯୭ ଭୋଟ ପାଇ ତାଙ୍କର ଏକମାତ୍ର ପ୍ରତିଦ୍ୱନ୍ଦ୍ୱୀ ଲୋକସଭା ସାଂସଦ ଡକ୍ଟର ଶଶି ଥରୁରଙ୍କ ବହୁ ପଛରେ ପକାଇ ଦେଇଛନ୍ତି । ଥରୁର ୧୦୭୨ ଭୋଟ ପାଇଥିବା ବେଳେ ୪୧୬ ଭୋଟ ନାକଚ ହୋଇଛି । ଦୀର୍ଘ ୨୪ ବର୍ଷ ପରେ କଂଗ୍ରେସର ଏହି ସଭାପତି ନିର୍ବାଚନ ହୋଇଛି । କଂଗ୍ରେସ ସଭାପତି ନିର୍ବାଚନରେ ଗାନ୍ଧୀ ପରିବାର ନିରପେକ୍ଷ ଥିବା କହିଥିଲେ ମଧ୍ୟ ଖାର୍ଗେଙ୍କୁ ପରୋକ୍ଷରେ ‘ଦଳୀୟ ପ୍ରାର୍ଥୀ’ର ମାନ୍ୟତା ମିଳି ଥିବାରୁ ସର୍ବାଧିକ ସଂଖ୍ୟକ କଂଗ୍ରେସ ପ୍ରତିନିଧି ଖାର୍ଗେଙ୍କ ସପକ୍ଷରେ ଭୋଟ ଦେଇଥିବା ଫଳାଫଳରୁ ସ୍ପଷ୍ଟ ହେଉଛି । ଥରୁର କଂଗ୍ରେସ ସଭାପତି ନିର୍ବାଚନରେ ପ୍ରାର୍ଥୀ ହେବା ପୂର୍ବରୁ ଦଳର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ଅନୁମତି ନେଇ ଥିଲେ । ତେବେ, ଦୁଇ ପ୍ରାର୍ଥୀ ବିଭିନ୍ନ ରାଜ୍ୟ ଗସ୍ତ କରି ନିଜ ନିଜ ସପକ୍ଷରେ ଭୋଟ ପ୍ରଚାର କଲା ବେଳେ ପ୍ରଦେଶ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ଆଡୁ ଖାର୍ଗେଙ୍କୁ ଯେଭଳି ସମର୍ଥନ ମିଳିଥିଲା ଥରୁରଙ୍କୁ ମିଳି ନଥିଲା ।
ଥରୁର ଅତୀତରେ କଂଗ୍ରେସ ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ସ୍ୱରରେ ସ୍ୱର ମିଳାଇ ଥିବାରୁ ସଭାପତି ନିର୍ବାଚନରେ ତାଙ୍କୁ ଏକପ୍ରକାର କୋଣଠେସା କରାଯାଇଥିବା କୁହାଯାଉଛି । ତେବେ, କଂଗ୍ରେସ ଅସନ୍ତୁଷ୍ଟ ଗୋଷ୍ଠୀ (ଜି-୨୩)ର ବହୁ ନେତା ପ୍ରାର୍ଥୀପତ୍ର ଦାଖଲ ଓ ଭୋଟ ପ୍ରଚାର ସମୟରେ ଥରୁରଙ୍କୁ ସମର୍ଥନ ନଦେଇ ଗାନ୍ଧୀ ପରିବାରର ସମର୍ଥିତ ପ୍ରାର୍ଥୀ ଖାର୍ଗେଙ୍କ ସହ ରହିଥିବା ଦେଖିବାକୁ ମିଳିଥିଲା । ଏଥିରୁ ଖାର୍ଗେ ଏଆଇସିସିର ନୂତନ ସଭାପତି ନିର୍ବାଚିତ ହେଉଥିବା ଏକପ୍ରକାର ସ୍ପଷ୍ଟ ହୋଇସାରିଥିଲା । ଶଶି ଥରୁର ସଭାପତି ନିର୍ବାଚନରେ ପରାଜିତ ହୋଇଥିଲେ ମଧ୍ୟ ଫଳାଫଳ ଘୋଷଣା ପରେ ନୂତନ ସଭାପତି ଖାର୍ଗେଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆଜିଠାରୁ କଂଗ୍ରେସର ବାସ୍ତବ ପୁନର୍ଗଠନ କାର୍ଯ୍ୟ ଆରମ୍ଭ ହେଲା ବୋଲି ସେ ଏକ ବାର୍ତ୍ତାରେ କହିଛନ୍ତି । ଆଜି କଂଗ୍ରେସ ସଭାପତି ନିର୍ବାଚନ ଫଳାଫଳ ବିଧିବଦ୍ଧ ଭାବେ ଘୋଷଣା ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଇଥିବା ବୟାନ ଚର୍ଚ୍ଚାରେ ରହିଛି । କଂଗ୍ରେସରେ ଏବେ ତାଙ୍କ ଭୂମିକା କଣ ରହିବ ବୋଲି ରାହୁଲଙ୍କୁ ପ୍ରଶ୍ନ ହେବାରୁ ସେ କହିଛନ୍ତି, ଦଳରେ କଂଗ୍ରେସ ସଭାପତି (ଖାର୍ଗେ)ଙ୍କ ଭୂମିକା କଣ ହେବ, ତାହା ସେ (ନିର୍ବାଚିତ ସଭାପତି) ନିଜେ କହିବେ । ଏବେ, ଦଳରେ ତାଙ୍କୁ କେଉଁ ଦାୟିତ୍ୱ ଦିଆଯିବ ତାହା ‘ଖାର୍ଗେ ଜୀ’ ଓ ‘ସୋନିଆ ଜୀ’ ନିଷ୍ପତ୍ତି ନେବେ ବୋଲି ରାହୁଲ କହିଥିଲେ ।
ରାହୁଲଙ୍କ ଏହି ବୟାନର କିଛି ଘଂଟା ପରେ ମଲ୍ଲିକାର୍ଜୁନ ଖାର୍ଗେ କଂଗ୍ରେସ ସଭାପତି ନିର୍ବାଚିତ ହୋଇଥିବା ଏଆଇସିସି ନିର୍ବାଚନ କମିଟି ପକ୍ଷରୁ ଘୋଷଣା ହୋଇଥିଲା । ପ୍ରତିଦ୍ୱନ୍ଦ୍ୱୀ ଥରୁର ନିର୍ବାଚନ ପରାଜୟ ପରେ ଖାର୍ଗେଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇ ଥିଲେ ମଧ୍ୟ ଉତ୍ତର ପ୍ରଦେଶରେ କଂଗ୍ରେସ ସଭାପତି ନିର୍ବାଚନ ପରିଚାଳନାରେ ବ୍ୟାପକ ଅନିୟମିତତା ହୋଇଥିବା ତାଙ୍କ ସମର୍ଥକ ଗୋଷ୍ଠୀ ପକ୍ଷରୁ ଅଭିଯୋଗ ହୋଇଛି । ଥରୁରଙ୍କ ମୁଖ୍ୟ ନିର୍ବାଚନ ଏଜେଂଟ୍ ସଲମନ ସୋଜ୍ କଂଗ୍ରେସର ‘ସେଂଟ୍ରାଲ ଇଲେକ୍ସନ୍ ଅଥରିଟି’ (ସିଇଏ) ମୁଖ୍ୟ ମଧୁସୂଦନ ମିସ୍ତ୍ରୀଙ୍କ ଚିଠି ଲେଖି ଏଭଳି ଅଭିଯୋଗ କରିଛନ୍ତି । ୟୁପିରେ ବ୍ୟାଲଟ ବକ୍ସଗୁଡିକ ଠିକ୍ ଭାବେ ସିଲ୍ ହୋଇ ନଥିବା ଥରୁର ଗୋଷ୍ଠୀ ପକ୍ଷରୁ ଅଭିଯୋଗ କରାଯାଇଛି । ବ୍ୟାଲଟ୍ ବକ୍ସଗୁଠିକରେ ‘ଅଫିସିଆଲ୍ ସିଲ୍’ ବା ମୋହର ଲାଗିବ ବୋଲି ଦଳର ମୁଖ୍ୟ ନିର୍ବାଚନ କମିଟି ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ୟୁପିରେ ‘ଅନଫିସିଆଲ୍ ପ୍ଲାଷ୍ଟିକ ସିଲ୍’ ବ୍ୟବହାର ହୋଇଥିବା ଫଟୋ ସେମାନେ ସିଇସି ଅଫିସକୁ ପଠାଇଛନ୍ତି ।
କଂଗ୍ରେସ ଦଳର ଦୀର୍ଘ ୧୩୭ ବର୍ଷ ଇତିହାସରେ ଷଷ୍ଠ ଥର ପାଇଁ ଅକ୍ଟୋବର ୧୭ରେ ଆଭ୍ୟନ୍ତରୀଣ ସଭାପତି ନିର୍ବାଚନ ହୋଇଛି । ପୂର୍ବରୁ ୧୯୩୯, ୧୯୫୦, ୧୯୭୭, ୧୯୯୭ ଓ ୨୦୦୦ ମସିହାରେ ଦଳରେ ଏଭଳି ଆଭ୍ୟନ୍ତରୀଣ ନିର୍ବାଚନ ହୋଇଥିଲା । ୧୯୩୯ରେ ନେତାଜୀ ସୁବାସ ଚନ୍ଦ୍ର ବୋଷ ପ୍ରଥମ କଂଗ୍ରେସ ସଭାପତି ନିର୍ବାଚିତ ହୋଇଥିଲେ । ସେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥୀ ପି.ସୀତାରାମାୟାଙ୍କୁ ପରାଜିତ କରିଥିଲେ । ସ୍ୱାଧୀନତା ପରେ ୧୯୫୦ରେ ହୋଇଥିବା କଂଗ୍ରେସ ସଭାପତି ନିର୍ବାଚନରେ ପୁରୁଷୋତ୍ତମ ଦାସ ଟଣ୍ଡନ (ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଘନିଷ୍ଟ ସହଯୋଗୀ) ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଦ୍ୱାରା ଦିଆଯାଇଥିବା ପ୍ରାର୍ଥୀ ଆଚାର୍ଯ୍ୟ କୃପାଳିନୀଙ୍କୁ ହରାଇ ଥିଲେ । ୧୯୭୭ରେ ଦେବକାନ୍ତ ବରୁଆଙ୍କ ଇସ୍ତଫା ପରେ ହୋଇଥିବା କଂଗ୍ରେସ ସଭାପତି ନିର୍ବାଚନରେ କେ.ବ୍ରହ୍ମାନନ୍ଦ ରେଡ୍ଡୀ ତାଙ୍କ ଦୁଇ ପ୍ରତିଦ୍ୱନ୍ଦ୍ୱୀ ସିଦ୍ଧାର୍ଥ ଶଙ୍କର ରାୟ ଓ କରଣ ସିଂହଙ୍କୁ ପରାଜିତ କରିଥିଲେ । ଦୀର୍ଘ ୨୦ ବର୍ଷ ପରେ ୧୯୯୭ରେ ହୋଇଥିବା କଂଗ୍ରେସ ସଭାପତି ନିର୍ବାଚନରେ ସୀତାରାମ କେଶରୀ ତାଙ୍କ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଶରଦ ପାୱାର ଓ ରାଜେଶ ପାଇଲଟଙ୍କୁ ପରାଜିତ କରି ସଭାପତି ନିର୍ବାଚିତ ହୋଇଥିଲେ । ୨୦୦୦ ମସିହାରେ ଅନୁଷ୍ଠିତ କଂଗ୍ରେସ ସଭାପତି ନିର୍ବାଚନରେ ସୋନିଆ ଗାନ୍ଧୀ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଜିତେନ୍ଦ୍ର ପ୍ରସାଦଙ୍କୁ ପରାଜିତ କରିଥିଲେ ।
ସୋନିଆ ଗାନ୍ଧୀ ଦୀର୍ଘ ୧୭ ବର୍ଷ ଧରି କଂଗ୍ରେସ ସଭାପତି ରହିବା ପରେ ୨୦୧୭ରେ ପୁଅ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ସଭାପତି ପଦରେ ଅଧିଷ୍ଠିତ କରିଥିଲେ । ରାହୁଲଙ୍କ ନେତୃତ୍ୱରେ କଂଗ୍ରେସ ୨୦୧୯ ଲୋକସଭା ନିର୍ବାଚନ ଲଢିବା ସତ୍ତ୍ୱେ ୨୦୧୪ ତୁଳନାରେ ସାମାନ୍ୟ ଅଧିକ ଲୋକସଭା ଆସନରେ ପାଇବାକୁ ସକ୍ଷମ ହୋଇଥିଲା । କିନ୍ତୁ, ଲୋକସଭାରେ ଦଳର ସାଂସଦ ସଂଖ୍ୟା ଦୁଇ ଅଂକରେ ହିଁ ସୀମିତ ଥିଲା । ଏହି ବିପର୍ଯ୍ୟୟ ପାଇଁ ରାହୁଲ ଦଳର କିଛି ବରିଷ୍ଠ ନେତାଙ୍କୁ ଦାୟି କରିବା ସହ ପରାଜୟର ଦାୟିତ୍ୱ ମୁଣ୍ଡାଇ କଂଗ୍ରେସ କାର୍ଯ୍ୟକାରୀଣୀ (ସିଡବ୍ଲ୍ୟୁସି) ବୈଠକରେ ଏଆଇସିସି ସଭାପତି ପଦରୁ ଇସ୍ତଫା ଦେଇଥିଲେ । ଗାନ୍ଧୀ ପରିବାର ବାହାରୁ କାହାରିକୁ ଏଆଇସିସି ସଭାପତି କରାଯିବାକୁ ରାହୁଲ ଗାନ୍ଧୀଙ୍କ ପ୍ରସ୍ତାବ ତୁରନ୍ତ କାର୍ଯ୍ୟକାରୀ ହୋଇପାରି ନଥିଲା । କଂଗ୍ରେସ ନେତୃବର୍ଗ ରାହୁଲଙ୍କୁ ମନାଇବା ପାଇଁ ଉଦ୍ୟମ କରି ବିଫଳ ହେବା ପରେ ପୁନର୍ବାର ସୋନିଆ ଗାନ୍ଧୀଙ୍କୁ କଂଗ୍ରେସର ଅନ୍ତରୀଣ ସଭାପତି କରି ତାଙ୍କ ହାତରେ ଦଳର ନେତୃତ୍ୱ ସମର୍ପି ଦେଇଥିଲେ । ଫଳରେ, କଂଗ୍ରେସରେ ନେତୃତ୍ୱକୁ ନେଇ ଅସନ୍ତୋଷ କୁହୁଳିବା ଆରମ୍ଭ କରିଥିଲା ଏବଂ ଗାନ୍ଧୀ ପରିବାର ବାହାରୁ ଦଳରେ ଜଣେ ସ୍ଥାୟୀ ସଭାପତି ନିଯୁକ୍ତ କରାଯିବା ଓ ଦଳ ଭିତରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ଫେରାଇ ଆଣିବା ଦାବିରେ କଂଗ୍ରେସ ଅସନ୍ତୁଷ୍ଟ ଗୋଷ୍ଠୀ ବା ଜି-୨୩ ଗୋଷ୍ଠୀର ଆବିର୍ଭାବ ଘଟି ଥିଲା ।
ଦୀର୍ଘ ୨୨ ବର୍ଷ ପରେ ଅକ୍ଟୋବର ୧୭ ତାରିଖରେ ଭୋଟ ମାଧ୍ୟମରେ କଂଗ୍ରେସ ସଭାପତି ନିର୍ବାଚନ ସରିଛି । ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାର୍ଗେ (୮୦) ବିଧି ମୁତାବକ ଏଆଇସିସି ସଭାପତି ନିର୍ବାଚିତ ହୋଇଛନ୍ତି । ଗାନ୍ଧୀ ପରିବାର ବାହାରୁ ଜଣକୁ କଂଗ୍ରେସ ସଭାପତି କରାଯିବା ପାଇଁ ରାହୁଲଙ୍କ ସଂକଳ୍ପ ପୂରଣ ହୋଇଛି । ବର୍ତ୍ତମାନ କଂଗ୍ରେସର ପୁନଃରୁଥାନ ଖାର୍ଗେଙ୍କ ସାମନାରେ ବଡ ଚ୍ୟାଲେଂଜ ହୋଇ ରହିଛି । ଏଆଇସିସିର ଯୋଧପୁର ଅଧିବେଶନରେ ଗୃହୀତ ପ୍ରସ୍ତାବ ସବୁକୁ ସେ ଅକ୍ଷରେ ଅକ୍ଷରେ କାର୍ଯ୍ୟକାରୀ କରିବେ ବୋଲି ନୂତନ ସଭାପତି ଖାର୍ଗେ ଘୋଷଣା କରିସାରିଛନ୍ତି । ତେବେ, ୨୦୨୪ରେ ଦଳ ବିଜେପିର ମୁକାବିଲା କରିବାରେ କେତେଦୂର ସଫଳ ହେବ, ତାହା ଉପରେ ଖାର୍ଗେଙ୍କ ନେତୃତ୍ୱର ସ୍ଥାୟିତ୍ୱ ବହୁମାତ୍ରାରେ ନିର୍ଭର କରୁଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS