ବିବାଦ ପିଛା ଛାଡୁନି କଂଗ୍ରେସର !
ପ୍ରସାଦ ରାଓ
ଭୁବନେଶ୍ୱର
ଅକ୍ଟୋବର ୨୦
ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ନିର୍ବାଚନ ସରିଲା । ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେ ଦଳର ନୂତନ ସଭାପତି ହେଲେ । ସଂପୂର୍ଣ୍ଣ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସଭାପତି ନିର୍ବାଚନ ସରିଛି ବୋଲି କଂଗ୍ରେସ ଓ ଗାନ୍ଧୀ ପରିବାର ଦାବି କରୁଥିବା ବେଳେ ବିବାଦ କଂଗ୍ରେସର ପିଛା ଛାଡୁନି । ୧୯ ତାରିଖ କଂଗ୍ରେସ ସଭାପତି ନିର୍ବାଚନ ଫଳାଫଳ ଘୋଷଣା ପରେ ବିରୋଧୀ କଂଗ୍ରେସକୁ ଘେରିବା ଆରମ୍ଭ କରିଛନ୍ତି । କଂଗ୍ରେସ ସଭାପତି ନିର୍ବାଚିତ ହୋଇଥିବା ମଲ୍ଲିକାର୍ଜୁନ ଖାର୍ଗେ ଯେଉଁ ୮୮ ପ୍ରତିଶତ ଭୋଟ ପାଇଛନ୍ତି ତାହା ଗାନ୍ଧୀ ପରିବାରର ଆଶୀର୍ବାଦରୁ ସମ୍ଭବ ହୋଇଛି ବୋଲି ବିଜେପି ଓ ବିରୋଧୀ କହିଛନ୍ତି । କେବଳ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ନୁହନ୍ତି, କଂଗ୍ରେସରୁ ନିଲମ୍ବିତ ନେତା ସଂଜୟ ଝା ମଧ୍ୟ ଏକା ଭଳି ମତ ରଖିଛନ୍ତି । ସେ କହିଛନ୍ତି, କଂଗ୍ରେସ ସଭାପତି ନିର୍ବାଚନରେ ଖାର୍ଗେଙ୍କୁ ୮୮ ପ୍ରତିଶତ ଭୋଟ ମିଳିବା ଅନେକ କଥା ସୂଚାଉଛି । ଗାନ୍ଧୀ ପରିବାରର ଆଶୀର୍ବାଦ ବିନା ତାହା ସମ୍ଭବ ନଥିଲା ।
୧୭ ତାରିଖ ନିର୍ବାଚନରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଲୋକସଭା ସାଂସଦ ଶଶି ଥରୁର ଖାର୍ଗେଙ୍କ ଏକମାତ୍ର ପ୍ରତିଦ୍ୱନ୍ଦ୍ୱୀ ଥିଲେ । ଥରୁରଙ୍କୁ ମାତ୍ର ୧୧ ପ୍ରତିଶତ ଭୋଟ ମିଳିଛି । ତେବେ, ଅତୀତରେ ୧୯୯୭ରୁ ୨୦୦୦ ମଧ୍ୟରେ ହୋଇଥିବା କଂଗ୍ରେସ ସଭାପତି ନିର୍ବାଚନରେ ପରାଜିତ ପ୍ରାର୍ଥୀଙ୍କୁ ଯେତିକି ଭୋଟ ମିଳି ଥିଲେ ତାହାଠାରୁ ଅଧିକ ଭୋଟ ଏଥର ଥରୁରଙ୍କୁ ମିଳିଥିବା ଜଣାପଡିଛି । ନିକଟରେ ସରିଥିବା କଂଗ୍ରେସ ସଭାପତି ନିର୍ବାଚନରେ ପ୍ରାୟ ୯,୫୦୦ କଂଗ୍ରେସ ପ୍ରତିନିଧି ଭୋଟ ଦେଇଥିଲେ । ସେଥରୁ, ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ୭,୮୯୭ ଭୋଟ ମିଳିଥିବା ବେଳେ ଓ ଶଶି ଥରୁରଙ୍କୁ ୧,୦୭୨ ଭୋଟ ମିଳିଛି । ୧୯୯୭ରେ ଅନୁଷ୍ଠିତ କଂଗ୍ରେସ ସଭାପତି ନିର୍ବାଚନରେ ସୀତାରାମ କେଶରୀ ୬,୨୨୪ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଶରଦ ପାୱାରଙ୍କୁ ୮୮୨ ଓ ରାଜେଶ ପାଇଲଟ ୩୫୪ ଭୋଟ ପାଇଥିଲେ । ୨୦୦୦ ମସିହାରେ ସୋନିଆ ଗାନ୍ଧୀଙ୍କ ବିପକ୍ଷରେ ପ୍ରାର୍ଥୀ ଥିଲେ ଦଳର ବରିଷ୍ଠ ନେତା ଜିତେନ୍ଦ୍ର ପ୍ରସାଦ । ତେବେ, ସୋନିଆଙ୍କୁ ୭,୪୪୮ ଭୋଟ ମିଳିଥିବା ବେଳେ ଜିତେନ୍ଦ୍ର ପ୍ରସାଦଙ୍କୁ ମାତ୍ର ୯୪ଟି ଭୋଟ ମିଳି ଥିଲା ।
ମଲ୍ଲିକାର୍ଜୁନ ଖାର୍ଗେ ଗାନ୍ଧୀ ପରିବାରର ଆଶୀର୍ବାଦ ଥାଇ ନିର୍ବାଚନ ଲଢି ଥିଲେ ସୁଦ୍ଧା ଭୋଟ ପରିମାଣ ୯୦ ପ୍ରତିଶତରୁ କିଛି କମ୍ ରହିଛି । ତଥାପି, ସେ ହେଉଛନ୍ତି ୨୪ ବର୍ଷ ମଧ୍ୟରେ କଂଗ୍ରେସର ପ୍ରଥମ ଅଣ-ଗାନ୍ଧୀ ସଭାପତି । ବିଜେପି ଆଇଟି ସେଲ୍ ମୁଖ୍ୟ ତଥା ଜାତୀୟ ମୁଖପାତ୍ର ଅମିତ ମାଲବ୍ୟ କହିଛନ୍ତି, କଂଗ୍ରେସ ସଭାପତି ନିର୍ବାଚନରେ ଜାଲିଆତି ହୋଇଛି । ୟୁପିରେ ମତଦାନ ବେଳେ ଜାଲିଆତି ହୋଇଥିବା ଥରୁରଙ୍କ ନିର୍ବାଚନ ଏଜେଂଟ ଅଭିଯୋଗ କରିଛନ୍ତି । ତେବେ, ଥରୁର ବିଧିବଦ୍ଧ ଭାବେ କିଛିି ଅଭିଯୋଗ କରି ନାହାନ୍ତି । ଅପରପକ୍ଷେ, ସେ ନବ ନିର୍ବାଚିତ କଂଗ୍ରେସ ସଭାପତି ଖାର୍ଗେଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ୨୦୨୨ କଂଗ୍ରେସ ସଭାପତି ନିର୍ବାଚନ ଏକ ‘ଫାର୍ସ’ ବୋଲି ବିଜେପି କ୍ଷରୁ ଅଭିଯୋଗ ହୋଇଛି ।
କିନ୍ତୁ, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ହେଉଛି, କଂଗ୍ରେସ ହିଁ ଏକମାତ୍ର ଦଳ ଯିଏକି ଗଣତାନ୍ତ୍ରିକ ପଦ୍ଧତିରେ ଦଳର ସଭାପତି ନିର୍ବାଚନ କରାଇଛି । ତଥାପି, ସମସ୍ତେ ସଭାପତି ନିର୍ବାଚନକୁ ନେଇ କଂଗ୍ରେସକୁ ପ୍ରଶ୍ନ କରୁଛନ୍ତି । ବିଜେପି ଓ ଆଂଚଳିକ ଦଳମାନଙ୍କୁ କେହି କାହିଁକି ପ୍ରଶ୍ନ କରୁନି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି । ତେବେ, ବିଜେପି ଜାତୀୟ ମୁଖପାତ୍ର ମାଲବ୍ୟ କଂଗ୍ରେସକୁ ଘେରିବାକୁ ଯାଇ ଡକ୍ଟର ମନମୋହନ ସିଂହଙ୍କ ଶାାସନ କଥା ଉଠାଇଛନ୍ତି । ୟୁପିଏ-୧ ଓ ୨ ସରକାରରେ (୨୦୦୪ରୁ ୨୦୧୪) ସରକାରଙ୍କ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଦଳର ମୁଖ୍ୟ ସୋନିଆ ଗାନ୍ଧୀଙ୍କ ବାସଭବନକୁ ପରାମର୍ଶ ଓ ନିର୍ଦେଶ ପାଇଁ ଯାଉଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ସିଂହଙ୍କ ପ୍ରମୁଖ ସଚିବ (ପ୍ରିନ୍ସିପାଲ ସେକ୍ରେଟାରୀ) ପୁଲୋକ ଚାଟାର୍ଜୀ ସବୁ ଗୁରୁତ୍ୱପୂର୍ଣ୍ଣ ସରକାରୀ ଫାଇଲ୍ ସୋନିଆଙ୍କ ୧୦, ଜନପଥକୁ ନେଉଥିଲେ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ସିଂହଙ୍କ ତତ୍କାଳୀନ ମିଡ଼ିଆ ପରାମର୍ଶଦାତା ସଂଜୟ ବରୁ ତାଙ୍କ ‘ଆକ୍ସିଡେଂଟାଲ ପ୍ରାଇମିନିଷ୍ଟର’ ପୁସ୍ତକରେ ବିସ୍ତୃତ ଭାବେ ଲେଖିଛନ୍ତି । ଶ୍ରୀମତୀ ସୋନିଆ ଗାନ୍ଧୀ ସେତେବେଳେ ଡି-ଫାକ୍ଟୋ ପ୍ରଧାନମନ୍ତ୍ରୀ ଥିଲେ ଏବଂ ମନମୋହନ ସରକାରର ମନ୍ତ୍ରୀମାନେ ତାଙ୍କ ନିର୍ଦେଶ ନେବାକୁ ୧୦, ଜନପଥ ଯାଉଥିଲେ । ଏବେ ସୋନିଆ ଡି-ଫାକ୍ଟୋ କଂଗ୍ରେସ ସଭାପତି ବୋଲି ବରିଷ୍ଠ ସାମ୍ବାଦିକା ତଭଲିନ ସିଂହଙ୍କ ଟ୍ୱିଟ୍ ବିବାଦକୁ ଅଧିକ ବଳ ଦେଇଛି ।
ତଭଲିନ ସିଂହଙ୍କ ମନ୍ତବ୍ୟକୁ ନେଇ ବରିଷ୍ଠ କଂଗ୍ରେସ ନେତା ପି.ଚିଦମ୍ବରମ ତୀବ୍ର ପ୍ରତିକ୍ରିୟା ରଖିଥିବା ବେଳେ ବିଜେପି ଆଇଟି ସେଲ୍ ମୁଖ୍ୟ ମାଲବ୍ୟ ସଂଜୟ ବରୁଙ୍କ ‘ଆକ୍ସିଡେଂଟାଲ ପ୍ରାଇମିନିଷ୍ଟର’ ବହିର କଭରକୁ ସେୟାର କରି ତାହାର ଜବାବ ଦେଇଛନ୍ତି । କଂଗ୍ରେସ ସଭାପତି ନିର୍ବାଚନକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଥିବା ‘ଟ୍ୱିଟ୍’ ଯୁଦ୍ଧ ରାଜନୈତିକ ବାତାବରଣକୁ ଗରମ ରଖିଛି । ମଲ୍ଲିକାର୍ଜୁନ ଖାର୍ଗେ କଂଗ୍ରେସର ନୂତନ ସଭାପତି ନିର୍ବାଚିତ ହୋଇଥିଲେ ମଧ୍ୟ ବାସ୍ତବରେ ସୋନିଆ ଗାନ୍ଧୀ ହିଁ କଂଗ୍ରେସ ଡୋର ଧରିଛନ୍ତି ବୋଲି ବିଜେପି ଯେଉଁ ଅଭିଯୋଗ କରୁଛି ତାହା କଂଗ୍ରେସର ଆଗାମୀ କାର୍ଯ୍ୟକ୍ରମ ଓ ନିଷ୍ପତ୍ତିରୁ ସ୍ପଷ୍ଟ ହେବ । ସେ ପର୍ଯ୍ୟନ୍ତ ଦେଶର ଦୁଇ ପ୍ରମୁଖ ଜାତୀୟ ରାଜନୈତିକ ଦଳ ମଧ୍ୟରେ ଟ୍ୱିଟର ଯୁଦ୍ଧ ହିଁ ଚାଲିବ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS