ଦେଶରେ ବେରୋଜଗାରୀ ବଡ଼ ସମସ୍ୟା ହୋଇଥିବା ମାନିଲେ ପ୍ରଧାନମନ୍ତ୍ରୀ !


ପ୍ରସାଦ ରାଓ
ଭୁବନେଶ୍ୱର
ଅକ୍ଟୋବର ୨୨
ଦେଶରେ ବେରୋଜଗାରୀ ବହୁମାତ୍ରାରେ ବଢି ଥିବା କଥାକୁ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ରିତିମତ ଅଗ୍ରାହ୍ୟ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ରୋଜଗାର ମେଳା’ ଅବସରରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଦେଶ ଉଦେ୍ଦଶ୍ୟରେ ଉଦ୍ବୋଧନ ଦେଇ ତାହା ସ୍ୱୀକାର କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱର ବୃହତ୍ତ ଅର୍ଥନୀତି ସବୁ ଉଭୟ ବେକାରୀ ଓ ମୁଦ୍ରାସ୍ଫୀତି ସମସ୍ୟାକୁ ନେଇ ସଂଘର୍ଷ କରୁଛନ୍ତି । ବିଗତ ଶହେ ବର୍ଷର ଏହି ସମସ୍ୟାର ପାଶ୍ୱର୍ ପ୍ରତିକ୍ରିୟା ଶହେ ଦିନରେ ଅପସରି ଯିବ ବୋଲି କହିବା ଠିକ୍ ନୁହେଁ । କୋଭିଡ଼ ପରିସ୍ଥିତି ବିଶ୍ୱର ଅଧିକାଂଶ ଅର୍ଥନୀତିକୁ ଘୋର ସଂକଟକୁ ଠେଲି ଦେଇଛି । ତଥାପି ଭାରତ ଗଲା ୮ ବର୍ଷ ମଧ୍ୟରେ ବିଶ୍ୱର ବୃହତ୍ତ ଅର୍ଥନୀତିଙ୍କ ମଧ୍ୟରେ ଦଶମରୁ ଏବେ ପଂଚମ ସ୍ଥାନକୁ ଉନ୍ନିତ ହେବାରେ ସକ୍ଷମ ହୋଇଛି । କିଛି ସପ୍ତାହ ତଳେ ଭାରତ ୟୁକେକୁ ପଛରେ ପକାଇ ଅର୍ଥନୈତିକ ସମୃଦ୍ଧ ରାଷ୍ଟ୍ରଙ୍କ ମଧ୍ୟରେ ପଂଚମ ସ୍ଥାନକୁ ଉନ୍ନିତ ହୋଇଥିବା ବେଳେ ଦେଶ ତୃତୀୟ ସ୍ଥାନରେ ପହଂଚିବ ବୋଲି ପୂର୍ବରୁ ଆକଳନ କରାଯାଉଥିଲା । ଅର୍ଥନୈତିକ ଅଭିବୃଦ୍ଧି ପାଇଁ ‘ଆତ୍ମନିର୍ଭରଶୀଳ’ ହେବା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିବା ବେଳେ ଦେଶର ୧୦ ଲକ୍ଷ ଲୋକଙ୍କୁ କର୍ମନିଯୁକ୍ତି ଦେବାର କେନ୍ଦ୍ର ସରକାର ଅଭିଯାନ ଆରମ୍ଭ କରିଥିବା ଏବଂ ଆଜି ସେଥିରୁ ୭୫ ହଜାର ଲୋକଙ୍କୁ ନିଯୁକ୍ତିପତ୍ର ବଂଟନ କରାଯାଉଥିବା କହିଛନ୍ତି । ୨୦୧୪ରେ ଦେଶରେ ଖୁବ୍ କମ୍ ସଂଖ୍ୟକ ‘ଷ୍ଟ୍ରାର୍ଟଅପ୍’ ଥିଲା । ଗଲା ଆଠ ବର୍ଷ ମଧ୍ୟରେ ଦେଶରେ ଷ୍ଟ୍ରାର୍ଟଅପ୍ ସଂଖ୍ୟା ୮୦ ହଜାର ଅତିକ୍ରମ କରିଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ସେକହିଛନ୍ତି, ଇତିମଧ୍ୟରେ ଭାରତୀୟ ଉଦ୍ୟୋଗଗୁଡ଼ିକର ଆତ୍ମନିର୍ଭରଶୀଳତା ବଢିଛି । ଅନେକ କ୍ଷେତ୍ରରେ ଭାରତ ‘ଗ୍ଲୋବାଲ ହବ୍’ ହେବାକୁ ଯାଉଛି । ଭାରତକୁ ଅଧିକ ଆତ୍ମନିର୍ଭରଶୀଳତା ଆଡକୁ ଆଗେଇ ନେବା ପାଇଁ କେନ୍ଦ୍ର ସରକାରଙ୍କ ‘ମେକ୍ ଇନ୍ ଇଂଡ଼ିଆ’ ମିସନକୁ ଆଗେଇ ନେବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ସରକାର ଦେଶର ୧୦ ଲକ୍ଷ ବେକାର ଯୁବକଙ୍କୁ କର୍ମନିଯୁକ୍ତି ଯୋଗାଇ ଦେବାକୁ ଯେଉଁ ଅଭିଯାନ ଆରମ୍ଭ କରିଛନ୍ତି ସେଥିରେ ଆଜି ୭୫ ହଜାର ବେକାରଙ୍କୁ ନୂତନ ନିଯୁକ୍ତି ମିଳିଛି । କେନ୍ଦ୍ର ସରକାର ଏହି ଅଭିଯାନ ମାଧ୍ୟମରେ ଦେଶର ଯୁବକଙ୍କ ପାଇଁ ଅଧିକ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଦେଶବାସୀଙ୍କ କଲ୍ୟାଣ କରିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ, ଆଗାମୀ ଦେଢ ବର୍ଷ ମଧ୍ୟରେ ଦେଶର ୧୦ଲକ୍ଷ ଯୁବକଙ୍କୁ ‘ମିଶନ ମୋଡ୍’ରେ କର୍ମନିଯୁକ୍ତି ଦିଆଯିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଗତ ଜୁନ ମାସରେ ବିଭିନ୍ନ ସରକାରୀ ବିଭାଗ ଓ ମନ୍ତ୍ରଣାଳୟକୁ ନିର୍ଦେଶ ଦେଇଥିଲେ । କେନ୍ଦ୍ରୀୟ ସଶସ୍ତ୍ର ବଳରେ କର୍ମଚାରୀ, ସବ୍ ଇନିସପେକ୍ଟର, କନେଷ୍ଟବଳ, ଏଲଡିସି, ଷ୍ଟେନୋ, ପିଏ, ଆୟକର ବିଭାଗ ଇନିସପେକ୍ଟର, ଏମଟିଏସ ପ୍ରଭୃତି ପଦରେ ଆଜି ନିଯୁକ୍ତିପତ୍ର ବଂଟନ କରାଯାଇଛି । ବିଭିନ୍ନ ବିଭାଗ ବା ମନ୍ତ୍ରଣାଳୟ ନିଜେ ପ୍ରତ୍ୟକ୍ଷ ଭାବେ ହେଉ ଓ ୟୁପିଏସସି, ଏସଏସସି, ରେଳବାଇ ରିକ୍ରୁଟମେଂଟ ବୋର୍ଡ (ଆରଆରବି) ଭଳି ଏଜେନ୍ସୀଙ୍କ ଜରିଆରେ ହେଉ ବେରୋଜଗାରଙ୍କ ପାଇଁ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବାକୁ କୁହାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜିଠାରୁ ଆରମ୍ଭ ହୋଇଥିବା ‘ରୋଜଗାର ମେଳା’ ବର କର୍ମନିଯୁକ୍ତି ଯୋଗାଣ ଅଭିଯାନକୁ ‘ଇଭେଂଟବାଜୀ’ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା କଂଗ୍ରେସର ଜାତୀୟ ମୁଖପାତ୍ର ରଣଦୀପ ସିଂହ ସୁରଜୱାଲ ସମାଲୋଚନା କରିଛନ୍ତି । ସେ କହିଛନ୍ତି, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗତ ସେପ୍ଟେମ୍ବର ମାସରୁ କନ୍ୟାକୁମାରୀରୁ କଶ୍ମୀର ପର୍ଯ୍ୟନ୍ତ ‘ଭାରତ ଯୋଡୋ’ ଯାତ୍ରା ଆରମ୍ଭ କରିବା ପରେ ଦେଶର ବେରୋଜଗାରୀ ସମସ୍ୟାକୁ ବିଜେପି ସ୍ୱୀକାର କରିବାକୁ ବାଧ୍ୟ ହୋଇଛି । ଜାତୀୟ ଗଣମାଧ୍ୟମରେ କେନ୍ଦ୍ର ସରକାରଙ୍କ ଏହି ଅଭିଯାନକୁ ନେଇ ବିତର୍କ ସମୟରେ ବିରୋଧୀ ଦଳ ମୁଖପାତ୍ରମାନେ ଶାସକ ଦଳକୁ ଘେରିବାକୁ ଉଦ୍ୟମ କରୁଥିବା ବେଳେ ବିଜେପି ମୁଖପାତ୍ରମାନେ ବିଶ୍ୱର ପ୍ରମୁଖ ରାଷ୍ଟ୍ରଙ୍କ ଅର୍ଥନୈତିକ ସମସ୍ୟା ଓ ବେକାରୀ ହାରକୁ ଏବଂ ଅଣ-ବିଜେପି ଶାସତ ରାଜ୍ୟ, ବିଶେଷକରି କଂଗ୍ରେସ ଶାସିତ ରାଜସ୍ଥାନ ଓ ଛତିଶଗଡରେ ବେକାରୀ ହାରକୁ ଉଦାହରଣ ଭାବେ ଦର୍ଶାଇ ସରକାରଙ୍କୁ ସୁରକ୍ଷା ଦେଉଥିବା ଦେଖିବାକୁ ମିଳୁଛି । ଦେଶରେ ବେରୋଜଗାରୀ ନାହିଁ ବୋଲି କହୁଥିବା ଶାସକ ଦଳ ନେତାମାନେ ଏବେ ବେରୋଜଗାରୀକୁ ସ୍ୱୀକାର କରି ଦେଢ ବର୍ଷରେ ୧୦ ଲକ୍ଷ ନିଯୁକ୍ତିର ପ୍ରତିଶ୍ରୁତି ଦେବା ସରକାରଙ୍କୁ ଘେରିବା ସକାଶେ ବିରୋଧୀଙ୍କ ପାଇଁ ବଡ଼ ସୁଯୋଗ ସୃଷ୍ଟି କରିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS