ଗାନ୍ଧୀ ପରିବାର ପିଛା ଛାଡୁ ନାହାନ୍ତି ସରକାର, ଦୁଇଟି ଏନଜିଓର ଏଫସିଆରଏ ଲାଇସେନ୍ସ ରଦ୍ଦ


ପ୍ରସାଦ ରାଓ
ଭୁବନେଶ୍ୱର
ଅକ୍ଟୋବର ୨୩
୨୦୧୪ରେ ଦେଶରେ ବିଜେପି ସରକାର ପ୍ରତିଷ୍ଠା ପରଠାରୁ ଯେଉଁ ‘କଂଗ୍ରେସ ମୁକ୍ତ ଭାରତ’ ଅଭିଯାନ ଚାଲିଛି ତାହା କଂଗ୍ରେସ ବିଶେଷ କରି ଗାନ୍ଧୀ ପରିବାର ପାଇଁ ବେଶ ମହଙ୍ଗା ସାବ୍ୟସ୍ତ ହୋଇଛି । ଗତ ଆଠ ବର୍ଷ ମଧ୍ୟରେ କଂଗ୍ରେସ ଦଳର ସରକାର ଦୁଇଟି ରାଜ୍ୟରେ ସୀମିତ ହୋଇଯାଇଥିବା ବେଳେ ଗାନ୍ଧୀ ପରିବାର ତଦନ୍ତ ପରେ ତଦନ୍ତର ସାମ୍ନା କରୁଛନ୍ତି । ‘ନ୍ୟାସନାଲ ହେରାଲ୍ଡ’ ଆର୍ଥିକ ଅନିୟମିତତା ମାମଲାରେ କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ କିଛି ବରିଷ୍ଠ କଂଗ୍ରେସ ନେତା ସିବିଆଇ ଓ ଇଡ଼ି ତଦନ୍ତର ସାମ୍ନା କରୁଛନ୍ତି । ସୋନିଆ ଓ ରାହୁଲ ଅଦାଲତରୁ ଜାମିନରେ ଥିବା ବେଳେ ଇଡ଼ି ପକ୍ଷରୁ ସେମାନଙ୍କୁ ଲମ୍ବା ଜେରାର ସାମ୍ନା କରିବାକୁ ପଡିଛି । ଏବେ, ଗାନ୍ଧୀ ପରିବାର ଦ୍ୱାରା ପରିଚାଳିତ ରାଜୀବ ଗାନ୍ଧୀ ଫାଉଣ୍ଡେସନ୍ (ଆରଜିଏଫ) ଓ ରାଜୀବ ଗାନ୍ଧୀ ଚ୍ୟାରିଟେବଲ ଟ୍ରଷ୍ଟ୍ (ଆରଜିସିଟି) କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟର ଟାର୍ଗେଟ୍ ହୋଇଛି ।
କେନ୍ଦ୍ର ସରକାର ଏକ ଆନ୍ତଃ ମନ୍ତ୍ରଣାଳୟସ୍ତରୀୟ ତଦନ୍ତ କରାଇ ରାଜୀବ ଗାନ୍ଧୀ ଫାଉଣ୍ଡେସନ୍ (ଆରଜିଏଫ) ଓ ରାଜୀବ ଗାନ୍ଧୀ ଚ୍ୟାରିଟେବୁଲ ଟ୍ରଷ୍ଟ (ଆରଜିସିଟି)ର ଏଫସିଆରଏ ଲାଇସେନ୍ସ ରଦ୍ଦ କରିଥିବା ସୂଚନା ମିଳିଛି । ବିଦେଶୀ ଅନୁଦାନ ନିୟନ୍ତ୍ରଣ ଆଇନ (ଏଫସିଆରଏ) ବଳରେ ଏହି ଦୁଇ ଏନଜିଓର ଲାଇସେନ୍ସ ରଦ୍ଦ କରାଯାଇଥିବା ସରକାରୀ ସୂତ୍ରରୁ ଜଣାପଡିଛି । ଦୁଇ ଏନଜିଓ ବିରୋଧରେ ଅଭିଯୋଗ ରହିଛି, ବିଦେଶରୁ ମିଳିଥିବା ଆର୍ଥିକ ଅନୁଦାନର ଦୁରୁପଯୋଗ ଓ ଅନିୟମିତତା । ଆରଜିଏଫ ଓ ଆରଜିସିଟିର ଏଫସିଆରଏ ଲାଇସେନ୍ସ ରଦ୍ଦ ହୋଇଥିବା ଏବଂ ବିଦେଶୀ ପାଂଠିର ଦୂରୁପଯୋଗ ଓ ବ୍ୟାପକ ଆର୍ଥିକ ଅନିୟମିତତା କାରଣରୁ ତାହା କରାଯାଇଥିବା ସରକାରୀ ଅଧିକାରୀ କହିଥିବା ବେଳେ ଅଭିଯୋଗର ତଦନ୍ତ ସିବିଆଇକୁ ହସ୍ତାନ୍ତର ପାଇଁ ସରକାର ବିଚାର କରୁଥିବା ମଧ୍ୟ ସୂଚନା ଦେଇଛନ୍ତି ।
କଂଗ୍ରେସ ଦଳର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ଆରଜିଏଫ ଓ ଆରଜିସିଟିର ଅଧ୍ୟକ୍ଷ ଥିବା ବେଳେ ଆରଜିଏଫ ପରିଚାଳନାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ସାଧରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ର ଓ ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ପି.ଚିଦମ୍ବରମ ସଦସ୍ୟ ଅଛନ୍ତି । ସେହିଭଳି, ଆରଜିସିଟି ପରିଚାଳନା କମିଟିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପୂର୍ବତନ ରାଜ୍ୟସଭା ସାଂସଦ ଡକ୍ଟର ଅଶୋକ ଏସ ଗାଂଗୁଲିଙ୍କ ସମେତ ଅନ୍ୟ କେତେ ଜଣ ସଦସ୍ୟ ଥିବା ଜଣାପଡିଛି । ଗାନ୍ଧୀ ପରିବାର ଦ୍ୱାରା ପରିଚାଳିତ ଏନଜିଓଗୁଡିକ ମିଳୁଥିବା ବିଦେଶୀ ଅନୁଦାନର ଦୁରୁପଯୋଗ କରୁଥିବା ଏବଂ ସେଥିରେ ଗୁରୁତର ଆର୍ଥିକ ଅନିୟମିତତା ହୋଇଥିବା ଅଭିଯୋଗର ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ୨୦୨୦ରେ ଏକ ଆନ୍ତଃ-ମନ୍ତ୍ରଣାଳୟ ତଦନ୍ତ କମିଟି ଗଠନ ହୋଇଥିଲା । ଏହି କମିଟିର ତଦନ୍ତ ରିପୋର୍ଟ ହସ୍ତଗତ ହେବା ପରେ ଆରଜିଏଫ ଓ ଆରଜିସିଟିର ଏଫସିଆରଏ (ଫରେନ୍ କଂଟ୍ରିବ୍ୟୁସନ ରେଗୁଳେସନ୍ ଆକ୍ଟ) ଲାଇସେନ୍ସ ରଦ୍ଦ ହୋଇଥିବା କୁହାଯାଇଛି ।
ଗାନ୍ଧୀ ପରିବାରର ଏହି ଏନଜିଓଗୁଡିକ ଚୀନ ସମେତ ଅନ୍ୟ ରାଷ୍ଟ୍ରରୁ ବିଦେଶୀ ଅନୁଦାନ ଗ୍ରହଣ କରିଥିଲେ ମଧ୍ୟ ତାହାର ଦୁରୁପଯୋଗ କରି ଆୟକର ରିଟର୍ଣ୍ଣ ଦାଖଲ ବେଳେ ଜାଲ ଦଲିଲ ଉପସ୍ଥାପନ କରିଥିବା ଏବଂ ଏଥିରେ ମନିଲଣ୍ଡରିଂ ହୋଇଥିବା ନେଇ ଅଭିଯୋଗ ଉପରେ ଆନ୍ତଃ-ମନ୍ତ୍ରଣାଳୟସ୍ତରୀୟ କମିଟି ର ତଦନ୍ତ କରିଥିଲେ । ଦେଶରେ ଅଣ-ଅନୁଗ୍ରହୀତ ବର୍ଗ, ବିଶେଷକରି ଗ୍ରାମାଂଚଳରେ ରହୁଥିବା ଅନଗ୍ରସର ଗରୀବ ଲୋକଙ୍କ ଉନ୍ନତି ପାଇଁ ୨୦୦୨ରେ ଆରଜିସିଟି ପ୍ରତିଷ୍ଠା କରାଯାଇଥିବା ବେଳେ ସଂପ୍ରତ୍ତି ୟୁପିର ଦାରିଦ୍ର୍ୟ ଅଧ୍ୟୁଷିତ ଅଂଚଳ ଏବଂ ହରିୟାଣାରେ ଏହାର ଦୁଇଟି କାର୍ଯ୍ୟକ୍ରମ ରାଜୀବ ଗାନ୍ଧୀ ମହିଳା ବିକାଶ ପରିଯୋଜନା (ଆଇଜିଏମଭିପି) ଓ ଇନ୍ଦିରା ଗାନ୍ଧୀ ଚକ୍ଷୁ ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ର (ଆଇଜିଇଏଚଆରସି) ଚାଲିଛି । ଆରଜିଏଫ ଓ ଆରଜିସିଟିର ମୁଖ୍ୟାଳୟ ନୂଆଦିଲ୍ଲୀ ପାର୍ଲାମେଂଟ କଂପ୍ଲେକ୍ସ ନିକଟସ୍ଥ ଜବାହାର ଭବନରୁ ପରିଚାଳିତ ହେଉଛି । ଏହି ଦୁଇଟି ଏନଜିଓ ବ୍ୟତୀତ ଗାନ୍ଧୀ ପରିବାରର ଆଉ ଏକ ଏନଜିଓ ‘ଇନ୍ଦିରା ଗାନ୍ଧୀ ମେମୋରିଆଲ ଟ୍ରଷ୍ଟ’ (ଆଇଜିଏମଟି)କୁ ନେଇ ମଧ୍ୟ ତଦନ୍ତା ଜାରି ଥିବା ଜଣାପଡିଛି । ତେବେ, ଆଇଜିଏମଟି ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ ।
ଯେଉଁ ଆନ୍ତଃ ମନ୍ତ୍ରଣାଳୟ କମିଟି ଗାନ୍ଧୀ ପରିବାରର ଏନଜିଓଗୁଡିକ ସଂପର୍କରେ ତଦନ୍ତ କରୁଛନ୍ତି ସେଥିରେ କେନ୍ଦ୍ର ଗୃହ ଓ ଅର୍ଥ ମନ୍ତ୍ରଣାଳୟ ଅଧିକାରୀଙ୍କ ସମେତ ସିବିଆଇ ଓ ଇଡ଼ିର ଅଧିକାରୀମାନେ ଥିବା ଜଣାପଡିିଛି ।ବିଜେପି ରାଷ୍ଟ୍ରୀୟ ସଭାପତି ଡକ୍ଟର ଜେ.ପି.ନଡ୍ଡାଙ୍କ ଅଭିଯୋଗ ଥିଲା, ୨୦୨୦ରେ ଲଦାଖରେ ଭାରତୀୟ ସେନା ସହ ମୁହାଁମୁହିଁ ହୋଇଥିବା ଚୀନ ୨୦୦୫ରୁ ୨୦୦୯ ମଧ୍ୟରେ ଭାରତର ଜାତୀୟ ସ୍ୱାର୍ଥ ବିରୋଧୀ ଗବେଷଣା କାର୍ଯ୍ୟ ପାଇଁ ଆର୍ଥିକ ଆରଜିଏଫକୁ ଅନୁଦାନ ଦେଇଥିଲା । ୧୯୯୧ରେ ପ୍ରତିଷ୍ଠିତ ଆରଜିଏଫକୁ ପ୍ରଧାନମନ୍ତ୍ରୀ ରିଲିଫ ପାଂଠି ଅର୍ଥ ମଧ୍ୟ ଯୋଗାଇ ଦିଆଯାଇଥିବା ଏବଂ ଆରଜିଏଫ ପଳାତକ ସୁନା ଗହଣା ବ୍ୟବସାୟୀ ମେହୁଲ ଚେକସୀଙ୍କ ଠାରୁ ମଧ୍ୟ ଅର୍ଥ ଗ୍ରହଣ କରିଥିବା ନଡ୍ଡା ଅଭିଯୋଗ କରିଥିଲେ । ଆରଜିଏଫ ଚୀନଠାରୁ ଯେଉଁ ଅର୍ଥିକ ଅନୁଦାନ ପାଇଥିଲା ତାହା ଫ୍ରି-ଟ୍ରେଡ ଚୁକ୍ତି (ଏଫଟିଏ)କୁ ପ୍ରଭାବିତ କରିବା ପାଇଁ ‘ଲାଂଚ’ ଥିଲା କି (?) ବୋଲି ବିଜେପି ପ୍ରଶ୍ନ କରିଛି ।
ତେବେ, ୧୯୯୧ରେ ଆରଜିଏଫ ପ୍ରତିଷ୍ଠା ହେବା ପରେ ୨୦୦୯ ମଧ୍ୟରେ ସ୍ୱାସ୍ଥ୍ୟ, ବଜ୍ଞାନ ଓ କାରିଗରୀ, ମହିଳା ଓ ଶିଶୁ ବିକାଶ, ଭିନ୍ନକ୍ଷମଙ୍କୁ ସହାୟତା ଏବଂ ଶିକ୍ଷା କ୍ଷେତ୍ରରେ ବ୍ୟାପକ କାର୍ଯ୍ୟ କରିଥିବା ଆରଜିଏଫର ୱେବ୍ ପୃଷ୍ଠାରେ କୁହାଯାଇଛି । ଆରଜିଏଫର ୨୦୦୫-୦୬ ବାର୍ଷିକ ରିପୋର୍ଟରେ ଆରଜିଏଫ ଚୀନ ଦୂତାବାସର ଆର୍ଥିକ ଅନୁଦାନ ତାଲିକାରେ ସ୍ଥାନିତ ରହିଥିବା ମଧ୍ୟ ୱେବ ପୃଷ୍ଠାରୁ ସୂଚନା ମିଳିଛି । ଦେଶରେ କଂଗ୍ରେସକୁ ପୁନଃ ସଂଗଠିତ କରିବା ପାଇଁ ଦଳର ନେତା ରାହୁଲ ଗାନ୍ଧୀ କନ୍ୟାକୁମାରୀରୁ କଶ୍ମୀର ପଦଯାତ୍ରାରେ ହଜାରେ କିମି ଅତିକ୍ରମ କରି ସାରିଥିବା ବେଳେ କେନ୍ଦ୍ରୀୟ ଏଜେନ୍ସୀ ଓ ସରକାର ଗାନ୍ଧୀ ପରିବାର ଦ୍ୱାରା ପରିଚାଳିତ ଏନଜିଓଙ୍କୁ ଟାର୍ଗେଟ କରିବା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଥିବା ସାଧାରଣରେ ଆଲୋଚନା ହେଉଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS