ଋଷି ସୁନକ ବ୍ରିଟେନ ପ୍ରଧାନମନ୍ତ୍ରୀ ନିଯୁକ୍ତ
ପ୍ରସାଦ ରାଓ
ଅକ୍ଟୋବର ୨୫
ରବିବାର ବ୍ରିଟେନର ଶାସକ କଂଜରଭେଟିଭ ପାର୍ଟି ନେତା ନିର୍ବାଚିତ ହୋଇଥିବା ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ଆଜି ଅପରାହ୍ନରେ ବ୍ରିଟେନ ରାଜା ଚାର୍ଲସ-୩ ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ଦେଇଛନ୍ତି । ୨୦୦ ବର୍ଷ ମଧ୍ୟରେ ବ୍ରିଟେନ ପ୍ରଧାନମନ୍ତ୍ରୀ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଋଷି ସୁନକ ହେଉଛନ୍ତି ସର୍ବକନିଷ୍ଠ । ୪୨ ବର୍ଷ ବୟସ୍କ ସୁନକ କେବଳ ଜଣେ ଭାରତୀୟ ବଂଶୋଦ୍ଭବ ନୁହନ୍ତି, ଜଣେ ହିନ୍ଦୁ ମଧ୍ୟ । ତେଣୁ, ସେ ବ୍ରିଟେନ ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ଭାରତରେ ବେଶ୍ ଉଲ୍ଲାସ ଓ ଉତ୍କଂଠାର ବାତାବରଣ ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବନିଯୁକ୍ତ ବ୍ରିଟେନ ପ୍ରଧାନମନ୍ତ୍ରୀ ଋୁଷି ସୁନକଙ୍କୁ ଅଭିନ୍ଦନ ଜଣାଇବା ସହ ଏବେ ଦୁଇ ଦେଶ ମଧ୍ୟରେ ଅଧିକ ସହଯୋଗର ବାତାବରଣ ସୃଷ୍ଟି ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି । ଗତ ସେପ୍ଟେମ୍ବର ୮ ତାରିଖରେ ବ୍ରିଟେନର ରାଣୀ ଏଲିଭାବେଥ-ଦୁଇଙ୍କ ମୃତ୍ୟୁ ପରେ ରାଜଗାଦିରେ ବସି ଥିବା ଚାର୍ଲସ୍-ତିନିଙ୍କୁ ଆଜି ଅପରାହ୍ନରେ ସୁନକ ଭେଟିବା ପରେ ରାଜା ତାଙ୍କୁ ଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ । ଋଷିଙ୍କ ପୂର୍ବରୁ କଂଜରଭେଟିଭ ପାର୍ଟି ନେତ୍ରୀ ଲିଜ ଟ୍ରସ୍ ବ୍ରିଟେନ ପ୍ରଧାନମନ୍ତ୍ରୀ ନିଯୁକ୍ତ ହୋଇଥିଲେ । ତେବେ, ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ସବୁ ପାଳନ କରିବାରେ ବିଫଳ ହେବାରୁ ମାତ୍ର ୪୫ ଦିନ ପ୍ରଧାନମନ୍ତ୍ରୀ ରହିବା ପରେ ଲିଜ୍ ଟ୍ରସ୍ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ । ଟ୍ରସଙ୍କୁ ବ୍ରିଟେନର ଦିବଂଗତ ରାଣୀ ଏଲିଭାବେଥ-୨ ମୃତ୍ୟୁର ଠିକ୍ ଦୁଇ ଦିନ ପୂର୍ବରୁ, ଅର୍ଥାତ ସେପ୍ଟେମ୍ବର ୬ ତାରିଖରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ । ସେପ୍ଟେମ୍ବର ୮ ତାରିଖ ଦିନ ରାଣୀଙ୍କ ଦେହାନ୍ତ ଘଟି ଥିଲା । ଲିଜ୍ ଇସ୍ତଫା ଦେବା ପରେ ବ୍ରିଟେନ ପ୍ରଧାନମନ୍ତ୍ରୀ କିଏ ହେବ, ସେନେଇ ବ୍ୟାପକ କଳ୍ପନାଜଳ୍ପନା ଓ ଛକାପଂଝା ଚାଲି ଥିଲା ।
ଲିଜ୍ ଟ୍ରସଙ୍କ ପୂର୍ବରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ଥିବା କଂଜରଭେଟିଭ ପାର୍ଟି ନେତା ବୋରିସ ଜନସନ୍ ବିଭିନ୍ନ ଦୁର୍ନୀତି ଓ ଅନ୍ୟାନ୍ୟ ଗୁରୁତର ଆରୋପର ସମ୍ମୁଖୀନ ହୋଇ ଅଳ୍ପ ଦିନ ତଳେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ । ତଥାପି ସେ ଟ୍ରସଙ୍କ ଇସ୍ତଫା ପରେ ପୁନର୍ବାର ପ୍ରଧାନମନ୍ତ୍ରୀ ହେବାକୁ ଦୈଡରେ ସାମିଲ ଥିଲେ । ଜନସନଙ୍କ ବ୍ୟତୀତ, କଂଜରଭେଟିଭ ପାର୍ଟି ନେତ୍ରୀ ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ପେନ୍ନି ମୋରଡାଂଟ ମଧ୍ୟ ପ୍ରଧାନମନ୍ତ୍ରୀ ହେବାକୁ ଆଗ୍ରହୀ ଥିଲେ । ତେବେ, ବ୍ରିଟିଶ ହାଉସ ଅଫ୍ କମନ୍ସରେ ଥିବା କଂଜରଭେଟିଭ ପାର୍ଟିର ୩୫୬ ସାଂସଦଙ୍କ ମଧ୍ୟରୁ ଅଧିକାଂଶ ବୋରିସ ଓ ପେନ୍ନିଙ୍କୁ ଆବଶ୍ୟକ ସମର୍ଥନ ନ ଦେବାରୁ ସେମାନେ ଶେଷମୂହୂର୍ତ୍ତରେ ଦଳର ନେତୃତ୍ୱ ନେବା ଦୌଡରୁ ଓହରିବାକୁ ବାଧ୍ୟ ହୋଇଥିଲେ । କଂଜରଭେଟିଭ ପାର୍ଟିର ସର୍ବାଧିକ ସଂଖ୍ୟକ ସାଂସଦଙ୍କ ସମର୍ଥନ ବଳରେ ଋଷି ସୁନକ୍ ରବିବାର ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି । ସୂଚନାଯୋଗ୍ୟ କି, ବ୍ରିଟେନ ହାଉସ ଅଫ୍ କମନ୍ସରେ ୩୫୬ କଂଜରଭେଟିଭ ପାର୍ଟି ସାଂସଦ ଥିବାରୁ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ପାଇଁ ସର୍ବନିମ୍ନ ୧୦୦ ସାଂସଦ ଓ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା ପାଇଁ ୧୫୬ ସାଂସଦଙ୍କ ସମର୍ଥନର ଆବଶ୍ୟକ ଥିଲା । ପେନ୍ନି ମେର୍ଡାଂଟ ନିଜ ସପକ୍ଷରେ ଦୁଇ ଅଂକର ସମର୍ଥନ ଯୋଗାଡ କରିବାକୁ ସକ୍ଷମ ହୋଇଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରସ୍ ଜନସନ ଆବଶ୍ୟକ ସଂଖ୍ୟା ଯୋଗାଡ କରିବାରେ ବିଫଳ ହୋଇ ଦୌଡରୁ ଓହରି ଥିଲେ । ସୁନକଙ୍କ ପଛରେ ୨୦୦ରୁ ଅଧିକ ସାଂସଦଙ୍କ ସମର୍ଥନ ଥିବା ଜଣାପଡିଛି ।
ଋଷି ସୁନକ ପୂର୍ବତନ ପ୍ରଧାନମନ୍ତ୍ରୀ ଜନସନ ସରକାରରେ ବିତ୍ତ ମନ୍ତ୍ରୀ ଥିଲେ । ଦେଶରେ ବିତ୍ତୀୟ ବ୍ୟବସ୍ଥା ଘୋର ସଂକଟ ଦେଇ ଗତି କରୁଥିବା ଓ ପ୍ରଧାନମନ୍ତ୍ରୀ ଜନସନ୍ ତାହାର ସମାଧାନ ଦିଗରେ ଯଥେଷ୍ଟ ଉଦ୍ୟମ କରୁନଥିବା ଅଭିଯୋଗ କରି ଋଷି ସୁନକ ବିତ୍ତ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଜନସନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଏକପ୍ରକାର ବାଧ୍ୟ ହୋଇଥିଲେ । ତେଣୁ, ସୁନକ ଗଠନ କରିବାକୁ ଯାଉଥିବା ନୂଆ କ୍ୟାବିନେଟରେ ବୋରିସଙ୍କୁ ସ୍ଥାନ ମିଳି ନପାରେ ବୋଲି ଆଲୋଚନା ହେଉଛି । ଋଷି ସୁନକ ରବିବାର ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ଦେଶବାସୀଙ୍କୁ ସଂବୋଧିତ କରି ଦେଶର ସ୍ଥିରତା ଓ ଏକତା ସହ କଂଜରଭେଟିଭ ପାର୍ଟି ଓ ଦେଶକୁ ଏକାଠି ନେଇ ଆଗକୁ ଯିବାକୁ ଉଦ୍ୟମ କରିବେ ବୋଲି କହିଛନ୍ତି । ସୁନକଙ୍କ ଜେଜେବାପା ୬୦ ଦଶକରେ ପୂର୍ବ ଆଫ୍ରିକାରୁ ଆସି ବ୍ରିଟେନରେ ବସବାସ କରୁଥିଲେ ମଧ୍ୟ ତାଙ୍କ ମୂଳ ଭିତ୍ତି ଭାରତରେ ରହିଛି । ସେ ‘ଇନଫୋସିସ’ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତୀଙ୍କ କନ୍ୟା ଅକ୍ଷତା ମୂର୍ତ୍ତୀଙ୍କୁ ବିବାହ କରିଛନ୍ତି ଏବଂ ତାଙ୍କର ଦୁଇଟି କନ୍ୟା ସନ୍ତାନ ଅଛନ୍ତି । ଋଷି ସୁନକଙ୍କ ଜେଜେବାପା ରାମଦାସ ସୁନକ ୧୯୭୧ରେ ଲଣ୍ଡନର ଦକ୍ଷିଣ-ପଶ୍ଚିମରେ ୧୧୦ କିମି ଦୂରରେ ଥିବା ସାଉଥାଂପଟନରେ ଭେଦିକ ସୋସାଇଟିର ହିନ୍ଦୁ ମନ୍ଦିର ପ୍ରତିଷ୍ଠା କରିଥିଲେ ।
ଅଶି ଦଶକରେ ଋଷିଙ୍କ ପିତା ୟସ୍ ସୁନକ ତାହାର ଟ୍ରଷ୍ଟି ଥିଲେ । ଋଷି ସୁନକ ଠାକୁର ଦର୍ଶନ ପାଇଁ ରିତିମତ ହଂପସାୟାର ସହରରେ ଥିବା ମନ୍ଦିରକୁ ଯାଉଥିଲେ ଏବଂ ଗତ ଜୁଲାଇ ମାସରେ ସେ ଭକ୍ତଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରିଥିଲେ ବୋଲି ସେଠାକାର ସମ୍ବାଦପତ୍ର ରିପୋର୍ଟରୁ ସୂଚନା ମିଳିଛି । ସୁୁନକ ପରିବାର ପ୍ରତି ବର୍ଷ ଏହି କାର୍ଯ୍ୟକ୍ରମ କରି ଆସୁଛନ୍ତି । ଋଷି ସୁନକ ହେଉଛନ୍ତି ବ୍ରିଟେନର ପ୍ରଥମ ଅଣଶ୍ୱେତ ପ୍ରଧାନମନ୍ତ୍ରୀ । ସେ ବ୍ରଟେନ ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ଦ୍ୱାରା ଦେଶରେ ‘ଓବାମା ବାତାବରଣ’ ସୃଷ୍ଟି ହୋଇଛି ବୋଲି ଲଂଡନରେ ଚର୍ଚ୍ଚା ହେଉଥିବା ଜଣାପଡିଛି । ୨୦୦୯ରେ କୃଷ୍ଣକାୟ ଆଫ୍ରିକୀୟ ନେତା ବାରାକ ଓବାମା ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହୋଇ ବିଶ୍ୱବ୍ୟାପୀ ଚହଳ ପକାଇ ଥିଲେ । ଓବାମା ଏତେଦୂର ଲୋକପ୍ରିୟ ଥିଲେ ଯେ ଆଜି ମଧ୍ୟ ତାଙ୍କୁ ବିଶ୍ୱବାସୀ ମନେ ପକାଉଛନ୍ତି । ଋଷି ବ୍ରଟେନ ପ୍ରଧାନମନ୍ତ୍ରୀ ହେବା ପରେ ଦେଶରେ ‘ଓବାମା ମେମେଂଟ’ ସୃଷ୍ଟି ହୋଇଛି ବୋଲି ଚର୍ଚ୍ଚା ଚାଲିଛି । ଓବାମା ଲଗାତର ଦୁଇ ଥର ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ । ବ୍ରିଟେନରେ ଏବେ ସେହି ଧାରା ଆରମ୍ଭ ହୋଇଥିବା ଏବଂ ପ୍ରଥମ ଥର ପାଇଁ ଜଣେ ହିନ୍ଦୁ ଓ ଅଣ-ଶ୍ୱେତ ସାଂସଦ ସୁନକ ପ୍ରଧାନମନ୍ତ୍ରୀ ହୋଇଥିବା ‘ଓବାମା’ଙ୍କ ସମୟକୁ ମନେ ପକାଇ ଦେଉଛି ବୋଲି କୁହାଯାଉଛି ।
ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଋଷିଙ୍କ ‘ହିନ୍ଦୁତ୍ୱ’ ମୂଳକୁ ନେଇ ଭାରତୀୟ ରାଜନେତାମାନେ ଖୁସି ଥିବା ଦର୍ଶାଉ ଥିବା ବେଳେ ‘ଜଣେ ‘ସଂଖ୍ୟାଲଘୁ’ ନେତା ବ୍ରିଟେନ ପ୍ରଧାନମନ୍ତ୍ରୀ ଭଳି ଏକ ଶକ୍ତିଶାଳୀ ପଦରେ ଅଧିଷ୍ଠିତ ହେବା ‘ନିଆରା’ ଘଟଣା, ଭାରତରେ ଏହା ସମ୍ଭବ କି (?)’ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ଥିରୁଭନାଥପୁରମ ଏମପି ଶଶି ଥରୁରଙ୍କ ‘ଟ୍ୱିଟ୍’କୁ ନେଇ ଏବେ ‘ଟ୍ରୋଲ୍’ ଚାଲିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଜଣେ ‘ଶିଖ୍’ ବୋଲି କେତେକ ଶଶିଙ୍କୁ ଟ୍ରୋଲ୍ କରିଥିବା ବେଳେ ଆଉ କେତେକ ଦେଶର ଏକାଧିକ ରାଷ୍ଟ୍ରପତି ମୁସଲିମ ସଂପ୍ରଦାୟର ଥିଲେ ଏବଂ ଆଜି ଦିନରେ ରାଷ୍ଟ୍ରପତି ଥିବା ଦୌପଦୀ ମୁର୍ମୁ ଜଣେ ‘ଆଦିବାସୀ’ ମହିଳା ବୋଲି ଟ୍ରୋଲ୍ କରିଛନ୍ତି । ବରିଷ୍ଠ ସାମ୍ବାଦିକ ତଥା ଫିଲ୍ମ ମେକର୍ ପ୍ରିତୀଶ ନନ୍ଦୀ, ପୂର୍ବତନ ସୁପ୍ରିମ କୋର୍ଟ ବିଚାରପତି ତଥା ପ୍ରେସ କାଉନସିଲ ଅଧ୍ୟକ୍ଷ ମାର୍କଣ୍ଡେୟ କାଟଜୁ ମଧ୍ୟ ଥରୁରଙ୍କୁ ଟ୍ରୋଲ୍ କରିବାକୁ ପଛାଇ ନଥିବା ଦେଖିବାକୁ ମିଳିଛି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS