ଭାରତୀୟ କରେନ୍ସୀ ନୋଟରେ ମହାଲକ୍ଷ୍ମୀ-ଗଶେଶଙ୍କ ଛବି !
ପ୍ରସାଦ ରାଓ
ଅକ୍ଟୋବର ୨୬
ସ୍ୱାଧୀନତା ପରବର୍ତ୍ତୀ ସମୟରୁ ଦେଶ ‘ସଂଖ୍ୟାଲଘୁ’ ତୁଷ୍ଟିକରଣ ରାଜନୀତି ଦେଖି ଆସିଛି । ବିଜେପି ବ୍ୟତୀତ ଅଧିକାଂଶ ଜାତୀୟ ଓ ଆଂଚଳିକ ରାଜନୈତିକ ଦଳ ନିଜ ନିଜ ଭୋଟ ବ୍ୟାଙ୍କକୁ ସୁଦୃଢ କରିବା ପାଇଁ ସଂଖ୍ୟାଲଘୁ ସଂପ୍ରଦାୟକୁ ସନ୍ତୁଷ୍ଟ ରଖବା ରାଜନୀତି କରି ଆସିଛନ୍ତି । ବିଶେଷକରି, କଂଗ୍ରେସ ଦଳ ଅଣ-ହିନ୍ଦୁ ଭୋଟ ଧୃବୀକରଣକୁ ଗୁରୁତ୍ୱ ଦେଇ ଦୀର୍ଘ ବର୍ଷ ଦେଶରେ ଶାସନ କରିଛି । ୨୦୧୪ ପରେ ଏଥିରେ ବିରାଟ ପରିବର୍ତ୍ତନ ଆସିଛି । ବିଜେପିର ହିନ୍ଦୁବାଦୀ ରାଜନୀତିକୁ ଟକ୍କର ଦେବା ପାଇଁ କଂଗ୍ରେସ ସମତେ ଅନ୍ୟ ବିରୋଧୀ ଦଳମାନେ ସଂଖ୍ୟାଲଘୁ ସଂପ୍ରଦାୟକୁ ସନ୍ତୁଷ୍ଟ ରଖିବା ସହ ହିନ୍ଦୁ ଭୋଟରଙ୍କୁ ମଧ୍ୟ ସନ୍ତୁଷ୍ଟ ରଖିବାର ପ୍ରୟାସ ଆରମ୍ଭ କରିଛନ୍ତି । ପୂର୍ବରୁ ବିଭିନ୍ନ ସଂଖ୍ୟାଲଘୁ ସଂପ୍ରଦାୟର ଉପାସନା ପୀଠକୁ ଯାଇ ମତାନତ କରିବା ମାଧ୍ୟମରେ ସେସବୁ ସଂପ୍ରଦାୟଙ୍କୁ ଖୁସି କରୁଥିବା ଅଣ-ବିଜେପି ନେତାମାନେ ଏବେ ହିନ୍ଦୁ ମନ୍ଦିର ସବୁକୁ ଯାଇ ଦେବ ଦର୍ଶନ କରୁଥିବା ଏବଂ ନିଜକୁ ‘ହିନ୍ଦୁ’ ବୋଲି ସାବ୍ୟସ୍ତ କରିବାକୁ ପଛାଉ ନଥିବାର ବହୁ ନଜିର ଗଲା ଆଠ ବର୍ଷ ମଧ୍ୟରେ ଦେଖିବାକୁ ମିଳିଛି । ଏବେ ଏହି ଦୌଡରେ ଯୋଡି ହୋଇଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ‘ଆମ୍ ଆଦମୀ ପାର୍ଟି’ ।
ଗୁଜରାଟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇ ନାହିଁ । କିନ୍ତୁ, ରାଜ୍ୟରେ ୨୭ ବର୍ଷ ହେଲା କ୍ଷମତାରେ ଥିବା ବିଜେପିକୁ କ୍ଷମତାଚ୍ୟୁତ କରିବା ଲକ୍ଷ୍ୟ ରଖି କେଜରୀୱାଲଙ୍କ ‘ଆପ୍’ ଦଳର ପ୍ରଚାର ଅଭିଯାନ ଜୋରଦର ହେବାରେ ଲାଗିଛି । ନିଜେ ‘ଆପ୍’ ମୁଖ୍ୟ କେଜରୀୱାଲ ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ଧରି ଘନ ଘନ ଗୁଜରାଟ ଗସ୍ତ କରି ରାଜ୍ୟବାସୀଙ୍କୁ ‘ଗୁଜରାଟକୁ ଦିଲ୍ଲୀ ବନାଇବାର’ ପ୍ରତିଶ୍ରୁତି ଦେବା ସହ ରାଜ୍ୟରେ ଏଥର ‘ଆପ୍’ ସରକାର ନିଶ୍ଚିତ ବୋଲି ଦାବି କରୁଛନ୍ତି । ଦିନେ ଗୁଜରାଟରେ କଂଗ୍ରେସର ଶାସନ ଥିଲା । କିନ୍ତୁ, ଏବେ ରାଜ୍ୟ ବିଜେପିର ଗଡ଼ ହୋଇସାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ରାଜନୀତିକୁ ଆସିବା ପୂର୍ବରୁ ଲଗାତର ତିନି ଥର ଗୁଜରାଟ ମୁଖ୍ୟମନ୍ତ୍ରୀ ଥିଲେ । ଏବେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମରେ ଗୁଜରାଟରେ ଭୋଟ ହେଉଛି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ମଧ୍ୟ ଗୁଜରାଟ ରାଜନୀତିରୁ କେନ୍ଦ୍ରକୁ ଆସିଛନ୍ତି । ତେଣୁ, ଏବେ ହିନ୍ଦୁତ୍ୱ ରାଜନୀତିର ଗଡ଼ ପାଲଟି ଥିବା ଗୁଜରାଟରେ ନିଜକୁ ହିନ୍ଦୁତ୍ୱବାଦୀ ନେତା ଭାବେ ପରିଚିତ କରାଇବାକୁ କେଜରୀୱାଲ ଯେଉଁ ପଇଁତରା ଚଳାଇଛନ୍ତି ତାହା ଆଜି ସାମ୍ନାକୁ ଆସିଛି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ ନୂଆଦିଲ୍ଲୀରେ ଗଣମାଧ୍ୟମ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହା ତାଙ୍କ ମନୋଭାବକୁ ସ୍ପଷ୍ଟ କରିଛି । ଆଗାମୀ ଦିନରେ ଦେଶରେ ଛପା ହେବାକୁ ଥିବା ମୁଦ୍ରା ବା ଭାରତୀୟ ନୋଟରେ ମହାତ୍ମା ଗାନ୍ଧୀଙ୍କ ଛବି ସହ ‘ମହାଲକ୍ଷ୍ମୀ’ ଓ ‘ଗଣେଶ’ଙ୍କ ଛବି ମଧ୍ୟ ଛପାଇବାକୁ କେଜରୀୱାଲ ଗଣମାଧ୍ୟମ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିବା ଜଣାପଡିଛି । ସେ କହିଛନ୍ତି, ଦେଶରେ ଏକପ୍ରକାର ଅର୍ଥନୈତିକ ବିପର୍ଯ୍ୟୟ ଦେଖା ଦେଇଛି । ଆମେରିକୀୟ ଡ଼ଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ରେକର୍ଡ ପରିମାଣରେ ହ୍ରାସ ପାଇଛି । ସେହିଭଳି, ଦେଶର ବିଦେଶୀ ମୁଦ୍ରା ଭଣ୍ଡାରରେ (ଫରେନ ଏକ୍ସଚେଂଜ୍ ରିଜର୍ଭ) ଗଚ୍ଛିତ ଥିବା ବିଦେଶୀ ମୁଦ୍ରାର ପରିମାଣ ମଧ୍ୟ ଉଦ୍ବେଗଜନକ ଭାବେ ହ୍ରାସ ପାଇଥିବା ଅକ୍ଟୋବର ୧୪ରେ ଶେଷ ହୋଇଥିବା ସପ୍ତାହର ରିପୋର୍ଟରୁ ଜଣାପଡିଛି । ଏଭଳି ସ୍ଥିତିରେ ଆଗମୀ ଦିନରେ ଛପା ହେବାକୁ ଥିବା ଭାରତୀୟ ଟଙ୍କାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଛବି ସହ ‘ମହାଲକ୍ଷ୍ମୀ’ ଓ ‘ଗଶେଶ’ଙ୍କ ଛବି ଛପା ହେଲେ ଦେଶର ଆର୍ଥିକ ଅବସ୍ଥା ସୁଧୁରିବ ଏବଂ ସମୃଦ୍ଧି ଫେରିବ ବୋଲି ସେ ଆଶାବାଦୀ । ଦିନେ, ଦୁଇ ଦିନ ମଧ୍ୟରେ ସେ ପ୍ରଧାନମନ୍ତ୍ରୀଙ୍କୁ ଏହା ଚିଠି ଲେଖି ଜଣାଇବେ ବୋଲି କେଜରୀୱାଲ କହିଛନ୍ତି ।
ଇଣ୍ଡୋନେସିଆ ଭଳି ମୁସଲମାନ ବହୁଳ ରାଷ୍ଟ୍ରରେ ପ୍ରଚଳିତ ଥିବା କରେନ୍ସି ନୋଟରେ ଭାଗବାନ ଗଣେଶଙ୍କ ଛବି ଥିବା ବେଳେ ଭାରତରେ ତାହା ସମ୍ଭବ ନୁହେଁ କାହିଁକି (?) ବୋଲି କେଜରୀୱାଲ ପ୍ରଶ୍ନ କରିଛନ୍ତି । ‘ଆମେ ସମସ୍ତେ ଚାହୁଁ ଭାରତ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ହେଉ ଏବଂ ପ୍ରତ୍ୟେକ ଭାରତୀୟ ସମୃଦ୍ଧ ହୁଅନ୍ତୁ’ । ଆମକୁ ଦେଶରେ ବହୁ ସଂଖ୍ୟାରେ ଶିକ୍ଷାନୁଷ୍ଠାନ ଓ ହସ୍ପିଟାଲ ଖୋଲିବାକୁ ଅଛି’ ବୋଲି କେଜରୀୱାଲ କହିଥିବା ବେଳେ ଗୁଜରାଟ ବିଧାନସଭା ନିର୍ବାଚନକୁ ଆଖିରେ ରଖି କେଜରୀୱାଲ ‘ହିନ୍ଦୁ କାର୍ଡ’ ଖେଳୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଓ ଦିଲ୍ଲୀର ବରିଷ୍ଠ ବିଜେପି ନେତା ମନୋଜ ତିୱାରୀ କେଜରୀୱାଲଙ୍କୁ ନିଜ ନିଜ ଢଙ୍ଗରେ ତାଙ୍କୁ ‘ହିନ୍ଦୁ ବିରୋଧୀ’ ସାବ୍ୟସ୍ତ କରିବାକୁ ଉଦାହରଣ ପରେ ଉଦାହରଣ ଦେଇଛନ୍ତି ।
ସମ୍ବିତଙ୍କ ଅଭିଯୋଗ ହେଉଛି, କଜରୀୱାଲ ସରକାର ଦିଲ୍ଲୀରେ ଦୀପାବଳୀ ଅବସରରେ ଦିଲ୍ଲୀବାସୀଙ୍କୁ ବାଣ ଫୁଟାଇବାକୁ ଅନୁମତି ନଦେଇ ଆଇନଗତ କାର୍ଯ୍ୟାନୁଷ୍ଠାନର ଧମକ ଦେଇଥିଲେ । ସେହିଭଳି, ‘ଆପ୍’ର ମନ୍ତ୍ରୀ ରାଜେନ୍ଦ୍ର ପାଲ୍ ଗୌତମ ହିନ୍ଦୁ ଦେବାଦେବୀଙ୍କ ପୂଜା ନକରିବାକୁ ଶପଥ ପାଠ କରାଇ ଦିଲ୍ଲୀ ସରକାରରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି । କଜରୀୱାଲ ଅଯୋଧ୍ୟାରେ ରାମଲାଲା ମନ୍ଦିର ନିର୍ମାଣର ବିରୋଧୀ ଥିଲେ ଏବଂ ମନ୍ଦିର ସ୍ଥାନରେ ଡାକ୍ତରଖାନା ନିର୍ମାଣ ହେବା ଉଚିତ ଥିଲା ବୋଲି ମନ୍ତବ୍ୟ ଦେଇଥିଲେ । କଶ୍ମୀରୀ ପଣ୍ଡିତଙ୍କ ଦୁର୍ଦ୍ଦଶା ପ୍ରତି କେଜରୀୱାଲଙ୍କ ତାଚ୍ଛଲ୍ୟ କଥା ମଧ୍ୟ ସମ୍ବିତ ମନେ ପକାଇ ଦେଇଛନ୍ତି । ‘ଆପ୍’ ନେତାମାନେ ସର୍ବଦା ହିନ୍ଦୁ ଦେବାଦେବୀଙ୍କୁ ଅପମାନିତ କରି ଆସି ଥିବା ଦିଲ୍ଲୀ ବିଜେପି ନେତା ତଥା ସାଂସଦ ମନୋଜ ତିୱାରୀ ଅଭିଯୋଗ କରିଛନ୍ତି ।
ଅଯୋଧ୍ୟାରେ ରାମଲାଲା ମନ୍ଦିର ନିର୍ମାଣକୁ ଯେଉଁମାନେ ବିରୋଧ କରୁଥିଲେ ସେମାନେ ଏବେ ନୂଆ ମୁଖା (ହିନ୍ଦତ୍ୱ) ପିନ୍ଧି ପଦାକୁ ଆସିଛନ୍ତି ବୋଲି ତିୱାରୀ ତାଚ୍ଛଲ୍ୟ କରିଛନ୍ତି । ଅପରପକ୍ଷରେ, କଂଗ୍ରେସ ମଧ୍ୟ କେଜରୀୱାଲ ଭୋଟ ବ୍ୟାଙ୍କ ରାଜନୀତି କରୁଥିବା ଅଭିଯୋଗ କରିଛି । ସେ ବିଜେପି ଓ ଆରଏସଏସର ‘ବି’ ଟିମ୍ ବୋଲି ଦିଲ୍ଲୀର କଂଗ୍ରେସ ନେତା ସନ୍ଦୀପ ଦିକ୍ଷିତ ଅଭିଯୋଗ କରିଛନ୍ତି । କେଜରୀୱାଲ ଭୋଟ ବ୍ୟାଙ୍କ ରାଜନୀତି କରୁଛନ୍ତି । ସେ ଯଦି ପାକିସ୍ତାନ ଯାଆନ୍ତି ସେଠି ମଧ୍ୟ ଭୋଟ ପାଇବା ସକାଶେ ନିଜକୁ ‘ପାକିସ୍ତାନୀ’ କହିବାକୁ ପଛାଇବେ ନାହିଁ ବୋଲି ଦିକ୍ଷିତ କହିଛନ୍ତି । କେବଳ ଗୁଜରାଟ ବିଧାନସଭା ନିର୍ବାଚନ ନୁହେଁ, ଆଗାମୀ ଦିନରେ ହେବାକୁ ଥିବା ସବୁ ନିର୍ବାଚନରେ ‘ହିନ୍ଦୁତ୍ୱ’ ବଡ଼ ନିର୍ବାଚନୀ ମୁଦ୍ଦା ହେବ, ତାହା ଭାରତୀୟ କରେନ୍ସୀ ନୋଟରେ ମହାତ୍ମା ଗାନ୍ଧୀଙ୍କ ଛବି ସହ ମହାଲକ୍ଷ୍ମୀ ଓ ଗଣେଶଙ୍କ ଛବି ଛପା ଯିବାକୁ ‘ଆପ୍’ ମୁଖ୍ୟ କେଜରୀୱାଲ ଦେଇଥିବା ପ୍ରସ୍ତାବ ଏବଂ ବିଜେପି ଓ କଂଗ୍ରେସ ଆଡୁ ତାହାର ବିରୋଧରୁ ସ୍ପଷ୍ଟ ସଂକେତ ମିଳୁଛି ।
ରବିବାର ଦିନ ବ୍ରିଟେନ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥିବା ଭାରତୀୟ ବଂଶୋଦ୍ଭବ ତଥା ହିନ୍ଦୁ ଋଷି ସୁନକଙ୍କୁ ନେଇ ଦୁଇ ଦିନ ହେଲା ଭାରତୀୟ ରାଜନୀତି ସରଗରମ ଥିଲା । ‘ସଂଖ୍ୟାଲଘୁ’ ଏବଂ ‘ହିନ୍ଦତ୍ୱ’କୁ ନେଇ ଭାରତୀୟ ନେତାଙ୍କ ମଧ୍ୟରେ ବୟାନବାଜୀ ଚାଲି ଥିଲା । ଭାରତରେ ଏହା ସମ୍ଭବ କି ବୋଲି କିଛି ନେତା ପ୍ରଶ୍ନ ଉଠାଇ ଥିବା ସମୟରେ ଆଉ କିଛି ନେତା ଦେଶର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଜାକିର ହୁସେନ, ଫକିରୁଦ୍ଦିନ ଅଲ୍ଲୀ ଅହମ୍ମଦ, ଡକ୍ଟର ଏ.ପି.ଜେ ଅବଦୁଲ କାଲାମ, ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଓ ବର୍ତ୍ତମାନର ଆଦିବାସୀ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦାହରଣ ଦେଇ ସେମାନଙ୍କୁ ଦବାଇବାକୁ ଉଦ୍ୟମ କରିଛନ୍ତି । ‘ଆପ୍’ ମୁଖ୍ୟ କେଜରୀୱାଲ ଆଜି ଆକସ୍ମିକ ଭାବେ ଭାରତୀୟ କରେନ୍ସୀରେ ‘ମହାଲକ୍ଷ୍ମୀ’ ଓ ‘ଗଣେଶ’ଙ୍କ ଫଟୋ ଛାପିବାକୁ ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ତାହା ଗୁଜରାଟ ନିର୍ବାଚନ ସରିବା ପର୍ଯ୍ୟନ୍ତ ଯେ ଉଭୟ ବିଜେପି ଓ କଂଗ୍ରେସକୁ ଘାଇଲା କରିବ, ଏଥିରେ କିଛି ସନ୍ଦେହ ନାହିଁ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS