ବିବାଦରେ ରାଜ୍ୟପାଳ-ରାଜ୍ୟ ସରକାର ସଂପର୍କ…
ପ୍ରସାଦ ରାଓ
ଅକ୍ଟୋବର ୨୮
ରାଜ୍ୟପାଳ ବନାମ ରାଜ୍ୟ ସରକାର ବିବାଦ କିଛି ନୂଆ କଥା ନୁହେଁ । କେନ୍ଦ୍ରରେ କଂଗ୍ରେସ ଶାସନ ଥିବା ସମୟରେ ମଧ୍ୟ ଏଭଳି ବିବାଦ ଥିଲା । ସୁଯୋଗ ମିଳିଲେ ବିରୋଧୀ ଶାସିତ ରାଜ୍ୟରେ ସରକାରଙ୍କୁ ବରଖାସ୍ତ କରି ରାଷ୍ଟ୍ରପତି ଶାସନ ଜାରି କରିବାକୁ ପାଇଁ ରାଜ୍ୟପାଳମାନେ କେନ୍ଦ୍ରକୁ ସୁପାରିଶ କରି ଦେଉଥିଲେ । ତେବେ, ୨୦୧୪ରେ କେନ୍ଦ୍ରରେ ବିଜେପି ସରକାର ପ୍ରତିଷ୍ଠା ପରେ ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ବହୁ ଗୁଣରେ ବୃଦ୍ଧି ପାଇଛି । ବିଶେଷକରି, ଅଣ-ବିଜେପି ଶାସିତ ରାଜ୍ୟରେ (ଓଡ଼ିଶା ବ୍ୟତୀତ) ରାଜ୍ୟପାଳମାନେ ‘ନିଜକୁ ସର୍ବେସର୍ବା’ ମନେ କରି ରାଜ୍ୟ ସରକାରଙ୍କ ଉପରେ କର୍ତ୍ତୃତ୍ୱ ଜାହିର କରୁଥିବା ଏବଂ ନିଯୁକ୍ତିଦାତାଙ୍କୁ ସନ୍ତୁଷ୍ଟ କରିବା ଶାଳୀନତାକୁ ମଧ୍ୟ ଭୁଲି ଯାଉଥିବା ଅଭିଯୋଗ ହୋଇ ଆସୁଛି ।
ରାଜ୍ୟପାଳମାନେ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତି ପାଉଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ସୁପାରିଶ ଭିତ୍ତିରେ ସେମାନଙ୍କୁ ବିଭିନ୍ନ ରାଜ୍ୟରେ ନିଯୁକ୍ତି ଦିଆଯାଉ ଥିବାରୁ କେନ୍ଦ୍ର ସରକାରରେ କ୍ଷମତାରେ ଥିବା ପ୍ରତି ସେମାନେ ଅନୁଗୃହୀତ ରହିବା ସ୍ୱାଭାବିକ । ତେଣୁ, ସମସ୍ତ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ଜଳାଂଜଳି ଦେଇ ସେମାନେ କେନ୍ଦ୍ରରେ କ୍ଷମତାରେ ଥିବା ଦଳର ସନ୍ତୋଷକୁ ଜଗିବା ଦାୟିତ୍ୱ ନେଉଛନ୍ତି । ବିଶେଷକରି, କେନ୍ଦ୍ର ସହ ସୁସଂପର୍କ ନଥିବା ରାଜ୍ୟର ସରକାରଙ୍କୁ ଅଡୁଆରେ ପକାଇବାକୁ ସୁଯୋଗ ଖୋଜିବା ସହ ସୁଯୋଗ ମିଳିଲେ କେନ୍ଦ୍ରକୁ ସୁହାଇଲା ଭଳି ତାହାକୁ ଅମଳ କରିବାକୁ ପଛାଉ ନାହାନ୍ତି । ବିରୋଧୀ ଶାସିତ ରାଜ୍ୟରେ ସରକାରଙ୍କୁ ଅସ୍ଥିର କରିବା ଦିଗରେ ରାଜ୍ୟପାଳମାନେ ବ୍ୟବହୃତ ହେଉଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଏହାକୁ ରୋକିବା ଉଦ୍ୟମ ହେଉ ନାହିଁ ।
ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନକର (ବର୍ତ୍ତମାନ ଦେଶର ଉପରାଷ୍ଟ୍ରପତି)ଙ୍କ ମଧ୍ୟରେ ବିବାଦ ଜାତୀୟ ଗଣମାଧ୍ୟମରେ ଏକ ଚର୍ଚ୍ଚିତ ଖବର ଥିଲା । ମମତା ସରକାରଙ୍କ ପ୍ରତିଟି ପଦକ୍ଷେପକୁ ଧନକର ଖୋଲାଖୋଲି ବିରୋଧ କରିବା ସହ ସମାଲୋଚନା କରିବା ଦ୍ୱାରା ରାଜ୍ୟ ସରକାରଙ୍କ ସହ ତାଙ୍କ ସଂପର୍କ ତୀକ୍ତରୁ ତୀକ୍ତତର ହୋଇଥିଲା । ମୁଖ୍ୟମନ୍ତ୍ରୀ ବାନାର୍ଜୀ ମଧ୍ୟ ବେପରୁଆ ଭାବେ ରାଜ୍ୟପାଳଙ୍କ ସମାଲୋଚନାର ପ୍ରତ୍ୟୁତ୍ତର ରଖୁଥିଲେ । ରାଜ୍ୟ ସରକାରଙ୍କୁ ଅସ୍ଥିର କରିବା ପାଇଁ ଧନକର କାର୍ଯ୍ୟ କରୁଥିଲେ ବୋଲି ସେତେବେଳେ ମୁଖ୍ୟମନ୍ତ୍ରୀ ବାନାର୍ଜୀଙ୍କ ଅଭିଯୋଗ ଥିଲା । ଜଗଦୀପ ଧନକର ବିଜେପିର ଉପ ରାଷ୍ଟ୍ରପତି ପ୍ରାର୍ଥୀ ହୋଇ ରାଜ୍ୟପାଳ ପଦରୁ ଇସ୍ତଫା ଦେବା ଓ ବେଂଗଲ ଛାଡିବା ପରେ ମଧ୍ୟ ସେମାନଙ୍କ ସଂପର୍କ ସୁଧୁରି ନଥିବା କୁହାଯାଉଛି ।
ଦିଲ୍ଲୀରେ ମଧ୍ୟ ଏକା ଭଳି ପରିସ୍ଥିତି ଦେଖିବାକୁ ମିଳୁଛି । ରାଜ୍ୟରେ ନିର୍ବାଚିତ ସରକାର ଥିଲେ ମଧ୍ୟ ରାଜ୍ୟ ଶାସନ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଏଲଜି (ଲ୍ୟୁଟିନାଂଟ ଗଭର୍ଣ୍ଣର)ଙ୍କ ଦ୍ୱାରା ପରିଚାଳିତ ହେଉଛି । ‘ଆପ୍’ ମୁଖ୍ୟ ଅରବିନ୍ଦ କେଜରୀୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବା ଦିନରୁ ତାଙ୍କ ସରକାର ଓ କେନ୍ଦ୍ର ଦ୍ୱାରା ନିଯୁକ୍ତ ଏଲଜିଙ୍କ ମଧ୍ୟରେ ସଂପର୍କ ତୀକ୍ତ ରହି ଆସିଛି । ବିଭିନ୍ନ ସମୟରେ ରାଜ୍ୟ ସରକାର ଓ ଏଲଜିଙ୍କ ଅଧିକାରର ପରିସୀମାକୁ ନେଇ ବିବାଦ ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ଯାଇଛି । କୋର୍ଟ ନିର୍ବାଚିତ ସରକାରଙ୍କ ସପକ୍ଷରେ ରାୟ ଦେଲେ ଦିଲ୍ଲୀ ସରକାରଙ୍କ ଉପରେ ନିଜର ନିୟନ୍ତ୍ରଣ ଅତୁଟ ରଖିବା ପାଇଁ କେନ୍ଦ୍ର ସରକାର ଏଲଜିଙ୍କୁ ଅଧିକ କ୍ଷମତା ଦେଉଛନ୍ତି । ଫଳରେ, ଦିଲ୍ଲୀରେ ନିଯୁକ୍ତ ଏଲଜି ନିଜକୁ ‘ସର୍ବଶକ୍ତିମାନ’ ପ୍ରମାଣ କରିବା ସହ ନିଯୁକ୍ତିଦାତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ବିଭିନ୍ନ ବାଟରେ ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଉଥିବା ଏବଂ ଦିଲ୍ଲୀରେ ରାଜ୍ୟ ସରକାରଙ୍କ ଦ୍ୱାରା ଚାଲି ଉନ୍ନୟନ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି ।
ନିକଟରେ, ନୂତନ ଅବକାରୀ ନୀତିକୁ ନେଇ ଦିଲ୍ଲୀ ସରକାର ଓ ଏଲଜି ମୁହାଁମୁହିଁ ହେବା ଏବଂ ନୂଆ ଅବକାରୀ ନୀତିର କାର୍ଯ୍ୟକାରିତାରେ ବ୍ୟାପକ ଦୁର୍ନୀତି ଓ ପ୍ରିୟାପ୍ରତି ହୋଇଥିବା ଦର୍ଶାଇ ଏଲଜି ଏହାର ସିବିଆଇ ଦ୍ୱାରା ଏହାର ତଦନ୍ତ କରାଇବା ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିଛି । ରାଜ୍ୟ ଶିକ୍ଷା ଓ ଅବକାରୀ ମନ୍ତ୍ରଣାଳୟ ଦାୟିତ୍ୱରେ ଥିବା ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବେ ସିବିଆଇ ଘେରରେ । ତାଙ୍କ ସରକାରୀ କାର୍ଯ୍ୟାଳୟ ଓ ବାସଭବନରେ ଚଢାଉ ସହ ତାଙ୍କୁ ସିବିଆଇ ଜେରାର ସାମ୍ନା କରିବାକୁ ପଡୁଛି । ଚଢାଉ ବା ଜେରାରୁ ସିବିଆଇ କୌଣସି ପ୍ରମାଣ ପାଇ ନଥିବା ଉପ ମୁଖ୍ୟମନ୍ତ୍ରୀ ସିସୋଦିଆ ଓ ‘ଆମ୍ ଆଦମୀ ପାର୍ଟି’ ଦାବି କରୁଥିବା ବେଳେ ସିବଆଇ ନିରୁତ୍ତର ।
ଦିଲ୍ଲୀରେ ‘ଆପ୍’ ଭଲ କାମ କରୁଥିବାରୁ କେନ୍ଦ୍ର ସରକାର ଆକ୍ରୋଶ ରଖି ଏଭଳି କାର୍ଯ୍ୟାନୁଷ୍ଠାନ କରୁଛନ୍ତି ବୋଲି ଦିଲ୍ଲୀର କେଜରୀୱାଲ ସରକାର ଅଭିଯୋଗ କରୁଛନ୍ତି । ଉପ ମୁଖ୍ୟମନ୍ତ୍ରୀ ସିସୋଦିଆ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଅନ୍ୟ ଅଣ-ବିଜେପି ଶାସିତ ରାଜ୍ୟ ଭଳି ଦିଲ୍ଲୀରେ ମଧ୍ୟ ବିଜେପି ତାହାର ‘ଅପରେସନ୍ ଲୋଟସ୍’ ଅଭିଯାନ ଚଳାଇ ଥିଲା । ‘ଆପ୍’ ଛାଡିଲେ ତାଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରିବାକୁ ମଧ୍ୟ ପ୍ରତିଶ୍ରୁତି ମିଳି ଥିଲା । ତେବେ, ସେ ଏଥିରେ ଅରାଜି ହେବାରୁ ଏଲଜିଙ୍କ ମାଧ୍ୟମରେ ଏଭଳି କାର୍ଯ୍ୟାନୁଷ୍ଠାନ ଚାଲିଛି । କେବଳ, ପଶ୍ଚିମ ବଂଗ, ଦିଲ୍ଲୀ ନୁହେଁ; ତାମିଲନାଡୁ, ରାଜସ୍ଥାନ, ତେଲେଂଗାନା, ମହାରାଷ୍ଟ୍ର, ଝାଡଖଣ୍ଡ ଭଳି ଅନ୍ୟ ଅଣ-ବିଜେପି ଶାସିତ ରାଜ୍ୟରେ ମଧ୍ୟ ବିଜେପି ‘ଅପରେସନ୍ ଲୋଟୋସ୍’ ଅଭିଯାନ ଚଳାଇ ଥିବା ଅଭିଯୋଗ ହୋଇଛି । ସେସବୁ ରାଜ୍ୟରେ ଅସ୍ଥିରତା ସୃଷ୍ଟି କରି ବିରୋଧୀ ସରକାରଙ୍କୁ କ୍ଷମତାଚ୍ୟୁତ କରିବାକୁ ସଂପୃକ୍ତ ରାଜ୍ୟର ରାଜ୍ୟପାଳମାନଙ୍କୁ ମୋହରା କରାଯାଇଥିବା ରାଜ୍ୟ ସରକାରମାନେ ଅଭିଯୋଗ କରୁଛନ୍ତି । ଏହାଦ୍ୱାରା ଅଣ-ବିଜେପି ଶାସିତ ରାଜ୍ୟରେ ରାଜ୍ୟପାଳଙ୍କ ସହ ରାଜ୍ୟ ସରକାରଙ୍କ ସଂପର୍କ ତୀକ୍ତ ରହୁଛି ।
ବାମପନ୍ଥୀ ଗଣତାନ୍ତ୍ରିକ ମେଂଟ (ଏଲଡ଼ିଏଫ) ସରକାର ଥିବା କେରଳ ଏବେ ରାଜ୍ୟପାଳ-ରାଜ୍ୟ ସରକାର ବିବାଦକୁ ଟାଣି ହେଲାଣି । ରାଜ୍ୟ ସରକାରଙ୍କୁ ଅସ୍ଥିର କରିବା ପାଇଁ ରାଜ୍ୟପାଳ ଅରିଫ ମହମ୍ମଦ ଖାନଙ୍କ ମାଧ୍ୟମରେ ଉଦ୍ୟମ ହେଉଥିବା ଏବେ କେରଳ ସରକାର ଅଭିଯୋଗ କରୁଛନ୍ତି । ନିକଟରେ କେରଳ ରାଜ୍ୟପାଳ ଅରିଫ ମହମ୍ମଦ ଖାନ୍ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ୨୪ ଘଂଟା ମଧ୍ୟରେ ଇସ୍ତଫା ଦେବାକୁ ନିର୍ଦେଶ ଦେଇ ବିବାଦୀୟ ହୋଇଥିଲେ । ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନଙ୍କ ସରକାର ଏହାର ଦୃଢ ବିରୋଧ କରିଥିଲେ । ଗତ ୨୬ ଦିନ ରାଜ୍ୟରେ ଆଉ ଏକ ବିବାଦୀୟ ଘଟଣା ଘଟିଛି । ରାଜ୍ୟର ବିତ୍ତମନ୍ତ୍ରୀ କେ.ଏନ.ବାଳଗୋପାଳଙ୍କ ଏକ ବୟାନ ଦେଶର ଏକତା ଓ ଅଖଣ୍ଡତାକୁ କ୍ଷୁର୍ଣ୍ଣ କରୁଥିବା ଦର୍ଶାଇ ତାଙ୍କୁ ମନ୍ତ୍ରୀ ପରିଷଦରୁ ବରଖାସ୍ତ କରିବା ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇ ରାଜ୍ୟପାଳ ଆଉ ଏକ ବିବାଦକୁ ଟାଣି ହୋଇଛନ୍ତି । ବିତ୍ତ ମନ୍ତ୍ରୀ ବାଳଗୋପାଳଙ୍କ ବୟାନି ‘ଦେଶର ଏକତା ଓ ଅଖଣ୍ଡତା’କୁ ନଷ୍ଟ କରୁଛି ଏବଂ ମନ୍ତ୍ରୀ ତାଙ୍କ ‘ବିଶ୍ୱାସନୀୟତା’ ହରାଇଛନ୍ତି ବୋଲି ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାିବା ସହ ସମ୍ବିଧାନ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ତେବେ, ବାଳଗୋପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟପାଳଙ୍କ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ବିଜୟନ ପ୍ରତ୍ୟାଖାନ କରିଛନ୍ତି ।
ଦେଶର ସାମ୍ବିଧାନିକ, ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ଏବଂ ପରଂପରା ଦୃଷ୍ଟିରୁ ଅର୍ଥମନ୍ତ୍ରୀ ବାଳଗୋପାଳ ଦେଇଥିବା ବୟାନରେ ରାଜ୍ୟପାଳଙ୍କ ବିଶ୍ୱାସ ତୁଟିଲା ଭଳି କିଛି ନାହିଁ, ବାଳଗୋପାଳଙ୍କ ପ୍ରତି ତାଙ୍କ ଆସ୍ଥା ଅତୁଟ ରହିଛି ବୋଲି ମୁଖ୍ୟମନ୍ତ୍ରୀ ବିଜୟନ ରାଜ୍ୟପାଳଙ୍କୁ ଜଣାଇ ଦେଇଥିବା ଉଚ୍ଚ ସରକାରୀ ସୂତ୍ରରୁ ସୂଚନା ମିଳିଛି । କେରଳ କଂଗ୍ରେସ ପକ୍ଷରୁ ମଧ୍ୟ ରାଜ୍ୟପାଳଙ୍କୁ ଏଥିପାଇଁ କଟୁ ସମାଲୋଚନା କରାଯାଇଛି । ‘ରାଜ୍ୟପାଳ ଦେବତା ନୁହନ୍ତି ଯେ ତାଙ୍କୁ କେହି ସମାଲୋଚନା କରି ପାରିବ ନାହିଁ’ ବୋଲି କେରଳ କଂଗ୍ରେସର ଜଣେ ନେତା ପ୍ରତିକ୍ରିୟା ରଖିଛନ୍ତି । ବରିଷ୍ଠ ସିପିଏମ୍ ନେତ୍ରୀ ବୃନ୍ଦା କରାତ୍ ମଧ୍ୟ ତାଙ୍କର ଏକ ଲେଖା ମାଧ୍ୟମରେ ଅଣ-ବିଜେପି ଶାସିତ ରାଜ୍ୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ରାଜ୍ୟପାଳମାନେ ଚଳାଇ ଥିବା ମାତ୍ରାଧିକ କାର୍ଯ୍ୟକୁ ସମାଲୋଚନା କରିଛନ୍ତି ।
ବୃନ୍ଦା କରାଟ ତାଙ୍କ ଲେଖାରେ ଦର୍ଶାଇଛନ୍ତି, ଆଜି ଦିନରେ ଅଣ-ବିଜେପି ଶାସିତ ରାଜ୍ୟରେ ରାଜ୍ୟପାଳମାନେ ନିଜ ସାମ୍ବିଧାନିକ ଦାୟିତ୍ୱକୁ ଭୁଲି ରାଜ୍ୟ ସରକାରଙ୍କ ପ୍ରତି କାର୍ଯ୍ୟରେ ମୁଣ୍ଡ ପୁରାଉବା ସହ ଅସ୍ଥିରତା ସୃଷ୍ଟି ଉଦ୍ୟମ କରୁଛନ୍ତି । କେରଳର ବିତ୍ତମନ୍ତ୍ରୀ ବାଳଗୋପାଳ ତାଙ୍କ ବୟାନ ପାଇଁ ରାଜ୍ୟପାଳଙ୍କ ‘ଅନୁଗ୍ରହ’ ହରାଇ ଥିବା ଏବଂ ତାଙ୍କୁ ବରଖାସ୍ତ କରିବା ପାଇଁ ନେଇ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ଅସାମ୍ବିଧାନିକ ବୋଲି ସେ କହିଛନ୍ତି । ବୃନ୍ଦ କହିଛନ୍ତି, ରାଜ୍ୟପାଳଙ୍କ ଚିଠିରେ ‘ଅନୁଗ୍ରହ’ କଥା ଯାହା କୁହାଯାଇଛି ତାହା ସରକାରୀ ଅଧିକାରୀଙ୍କ ପାଇଁ ପ୍ରଯୁଜ୍ୟ, ରାଜ୍ୟର ମନ୍ତ୍ରୀମାନଙ୍କ ପାଇଁ ନୁହେଁ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଅଣ-ବିଜେପି ଶାସିତ ରାଜ୍ୟର ରାଜ୍ୟ ସରକାରଗୁଡିକୁ ଅସ୍ଥିର କରି କ୍ଷମତା ଦଖଲ ପାଇଁ ଯେଉଁ ଉଦ୍ୟମ ଚଳାଇଛି ସେଥିରେ ରାଜ୍ୟପାଳମାନଙ୍କୁ ବ୍ୟବହାର କରୁଛି ବୋଲି ସେ କହିଛନ୍ତି ।
ବିରୋଧୀ ବିଧାୟକମାନଙ୍କୁ କିଣିବା ଉଦ୍ୟମରୁ ଆରମ୍ଭ କରି ଅନ୍ୟାନ୍ୟ ଅନୈତିକ ଉପାୟରେ ଏହି ଉଦ୍ୟମ ଚାଲିଥିବା ଅଭିଯୋଗ କରି ସିପିଏମ୍ ନେତ୍ରୀ ବୃନ୍ଦା ତାଙ୍କ ଲେଖାରେ କହିଛନ୍ତି, କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ଅନ୍ତତଃ ୧୨ଟି ରାଜ୍ୟରେ ବିରୋଧୀ ସରକାରଙ୍କୁ କ୍ଷମତାରୁ ହଟାଇବାକୁ ଉଦ୍ୟମ କରିଥିବା ବେଳେ କେବଳ ରାଜସ୍ଥାନ ଓ ଝାଡ଼ଖଣ୍ଡରେ ସଫଳତା ପାଇ ନାହିଁ । କେନ୍ଦ୍ର ସରକାର ୨୦୨୪ରେ ଦେଶକୁ ‘ବିରୋଧୀ ମୁକ୍ତ’ କରିବାକୁ ବିରୋଧୀ ନେତାଙ୍କ ବିରୋଧରେ ସିବିଆଇ, ଆଇଟି ଓ ଇଡ଼ିର ଦୁରୁପଯୋଗ କରୁଛନ୍ତି । ଯେଉଁ ନେତାମାନେ ଦଳ ଛାଡି ‘ପଦ୍ମ’କୁ ଗ୍ରହଣ କରି ନେଉଛନ୍ତି ସେମାନେ ସବୁ ଅଭିଯୋଗରୁ ମୁକ୍ତ ହୋଇଯାଉଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ଓ ପଶ୍ଚିମ ବଂଗର ବହୁ ବିରୋଧୀ ନେତା ଏହାର ଉଦାହରଣ । କେନ୍ଦ୍ର-ରାଜ୍ୟ ସଂପର୍କକୁ ନେଇ ସରକାରିଆ କମିଶନଙ୍କ ସୁପାରିଶକୁ କେନ୍ଦ୍ର ଅଣଦେଖା କରାଯାଉଛି । ୨୦୦୭ ଏପ୍ରିଲରେ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଏମ.ଏମ.ପୁଂଚିଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଶନ ମଧ୍ୟ ୨୪୭ଟି ସୁପାରିଶ ସମ୍ବଳିତ ଏକ ରିପୋର୍ଟ ମାର୍ଚ୍ଚ ୨୦୧୦ରେ ଦାଖଲ କରିଥିଲେ । ରାଜ୍ୟପାଳ ନିଯୁକ୍ତି ଓ ପ୍ରତ୍ୟାହାର ନେଇ ଏଥିରେ ସୁପାରିଶ ଯେଉଁ ସୁପାରିଶ ରହିଛି ତାହାକୁ ମଧ୍ୟ କେନ୍ଦ୍ର ଅଣଦେଖା କରି ରାଜ୍ୟପାଳ ନିଯୁକ୍ତ କରି ଚାଲିଛି ।
ବିଭିନ୍ନ ରାଜ୍ୟରେ ରାଜ୍ୟପାଳ ଭାବେ ପାଉଥିବା ବ୍ୟକ୍ତମାନେ ନିଯୁକ୍ତ ପାଇବାର ଅନ୍ତତଃ ଦୁଇ ବର୍ଷ ପୂର୍ବରୁ ସକ୍ରିୟ ରାଜନୀତିରୁ ଦୂରରେ ଯାଇଥିବା ଆବଶ୍ୟକ ବୋଲି ପୁଂଚି କମିଶନ ସୁପାରିଶ କରିଥିବା ବେଳେ ବର୍ତ୍ତମାନର ବିଜେପି ସରକାର ଦ୍ୱାରା ନିଯୁକ୍ତ ଅଧିକାଂଶ ରାଜ୍ୟପାଳ ସକ୍ରିୟ ରାଜନୀତିରେ ଥିବା ବୁନ୍ଦା ଅଭିଯୋଗ କରିଛନ୍ତି । ସେ କହିଛନ୍ତି, କେରଳ ରାଜ୍ୟପାଳ ଅରିଫ ମହମ୍ମଦ ଖାନ ବ୍ୟତିକ୍ରମ କୁହାଯାଉଥିବା ବେଳେ ସେ ମଧ୍ୟ ସକ୍ରିୟ ରାଜନୀତିରେ ଅଛନ୍ତି । ୨୦୦୪ରେ ଖାନ୍ ବିଜେପିରେ ଯୋଗ ଦେଇ ଦଳୀୟ ଟିକଟରେ ନିର୍ବାଚନ ଲଢି ପରାଜିତ ହୋଇଥିଲେ । ଦଳ ‘ଦାଗୀ’ଙ୍କୁ ଟିକଟ ଦେଉଥିବା ଅଭିଯୋଗ କରି ସେ ୨୦୦୭ରେ ବିଜେପି ଛାଡି ଥିଲେ ମଧ୍ୟ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ୨୦୧୫ରେ ପୁଣି ଥରେ ବିଜେପିକୁ ଫେରିଛନ୍ତି ।
ନବ ନିଯୁକ୍ତ ରାଜ୍ୟପାଳମାନେ ଶପଥ ଗ୍ରହଣ ସମୟରେ ଦେଶର ସମ୍ବିଧାନ ଓ ସାମ୍ବିଧାନିକ ବିଧି ବ୍ୟବସ୍ଥାର ସୁରକ୍ଷା ଏବଂ ଯେଉଁ ରାଜ୍ୟରେ ନିଯୁକ୍ତ ପାଉଛନ୍ତି ସେହି ରାଜ୍ୟର ଜନତାଙ୍କ କଲ୍ୟାଣ ଦିଗରେ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତିବଦ୍ଧ ଥିଲେ ମଧ୍ୟ ବୋଲି ବାସ୍ତବରେ ସକ୍ରିୟ ରାଜନୀତିରେ ଥିବାରୁ ରାଜ୍ୟର ସ୍ୱାର୍ଥ ଅପେକ୍ଷା ଦଳୀୟ ସ୍ୱାର୍ଥକୁ ପ୍ରଧାନ୍ୟ ଦେଉଛନ୍ତି । ଫଳରେ, ରାଜ୍ୟ ସରକାରଙ୍କ ସହ ସଂପର୍କ ତୀକ୍ତ ରହୁଛି । ପୁଂଚି କମିଶନଙ୍କ ସୁପାରିଶ ଅନୁଯାୟୀ କେନ୍ଦ୍ର ସରକାର କୌଣସି ରାଜ୍ୟରେ ରାଜ୍ୟପାଳ ନିଯୁକ୍ତି ପୂର୍ବରୁ ସଂପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମତାମତ ଲୋଡି ଥିଲେ ଅଧିକାଂଶ ଅଣ-ବିଜେପି ଶାସିତ ରାଜ୍ୟରେ ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଯେଭଳି ତୀକ୍ତତା ଦେଖିବାକୁ ମିଳୁଛି ତାହା ଦେଖିବାକୁ ମିଳୁ ନଥା’ନ୍ତା ଓ ଏଭଳି ବିବାଦକୁ ନେଇ ଯେଉଁ ସମୟ ଓ ଶକ୍ତିର ଅପଚୟ ଘଟୁଛି ତାହା ହେଉ ନଥାନ୍ତା ବୋଲି ବୃନ୍ଦା କହିଛନ୍ତି ।
ଅଣ-ବିଜେପି ଶାସିତ ରାଜ୍ୟଙ୍କ ମଧ୍ୟରେ ଓଡ଼ିଶା ହେଉଛି ଏକ ବ୍ୟତିକ୍ରମ ଯେଉଁଠି କି ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସଂପର୍କ ନିବିଡ଼ ଓ ସୌହାର୍ଦ୍ଧ୍ୟପୂର୍ଣ୍ଣ ରହିଛି । ଏହାର ବଡ କାରଣ ହେଉଛି, ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବିଜେପି ସରକାର ଦ୍ୱାରା ନିଯୁକ୍ତ ହୋଇଥିଲେ ମଧ୍ୟ ରାଜ୍ୟର ସାମାଜିକ ଓ ସାଂସ୍କୃତିକ ଜୀବନ ସହ ନିଜକୁ ସାମିଲ କରି ନେଇ ଓଡ଼ିଶାକୁ ପ୍ରଧାନ୍ୟ ଦେଉଛନ୍ତି । ରାଜ୍ୟର ବିଜୁ ଜନତା ଦଳ ସରକାର ମଧ୍ୟ କେନ୍ଦ୍ର ସରକାରଙ୍କୁ ସଂସଦରେ ବିଭିନ୍ନ ନିଷ୍ପତ୍ତି ପାରିତ କରାଇବାରେ ସହଯୋଗ ଦେଇ ଆସୁଛନ୍ତି । ତେଣୁ, ‘ଅପରେସନ୍ ଲୋଟସ୍’ର ଛାଇ ଓଡ଼ିଶା ଉପରେ ପଡିନି । ତଥାପି, ବିଜେପି ୨୦୨୪ରେ ଓଡ଼ିଶା ଦଖଲ ପାଇଁ ଟାର୍ଗେଟ୍ କରିଥିବାରୁ କେତେବେଳେ କେଉଁ ରୂପ ଦେଖାଇବ କହି ହେଉ ନାହିଁ ବୋଲି ରାଜନୈତିକ ଆଲୋଚକମାନେ ମତ ଦେଉଛନ୍ତି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS