ଗୁଜରାଟ ବିଜେପିକୁ ‘ଆପ୍’ ଭୟ !
ପ୍ରସାଦ ରାଓ
ଅକ୍ଟୋବର ୩୦
ଚଳିତ ବର୍ଷ ଶେଷ ସୁଦ୍ଧା ଦୁଇଟି ବିଜେପି ଶାସିତ ରାଜ୍ୟ ଗୁଜରାଟ ଓ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଭାରତୀୟ ନିର୍ବାଚନ ଆୟୁକ୍ତ କେବଳ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ତାରିଖ କରିଥିଲେ । ହିମାଚଳ ପ୍ରଦେଶରେ ନଭେମ୍ବର ୧୨ ତାରିଖରେ ଗୋଟିଏ ପର୍ଯ୍ୟାୟରେ ଭୋଟ ହେବାକୁ ଯାଉଛି । ଅପରପକ୍ଷରେ, ଗୁଜରାଟ ବିଧାନସଭା ନିର୍ବାଚନ ତାରିଖ ନଭେମ୍ବର ପ୍ରଥମ ସପ୍ତାହରେ ଘୋଷଣା ହେବା ଏକପ୍ରକାର ନିଶ୍ଚିତ । କାରଣ, ହିମାଚଳ ପ୍ରଦେଶ ନିର୍ବାଚନ ଫଳାଫଳ ଡ଼ିସେମ୍ବର ୮ ତାରିଖ ଘୋଷଣା ହେବ ବୋଲି ତାରିଖ ଧାର୍ଯ୍ୟ ହୋଇସାରିଛି । ନଭେମ୍ବରରେ ଗୁଜରାଟ ବିଧାନସଭା ନିର୍ବାଚନ ହେଲେ ନିର୍ବାଚନ ଆୟୁକ୍ତ ଗୋଟିଏ ଦିନରେ ଦୁଇଟି ରାଜ୍ୟର ନିର୍ବାଚନ ଫଳାଫଳ ଘୋଷଣା କରି ପାରିବେ ।
ଗୁଜରାଟରେ କଂଗ୍ରେସ ବିଜେପିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ରହି ଆସିଛି । ୨୦୧୭ ଡ଼ିସେମ୍ବରରେ ରାଜ୍ୟରେ ଦୁଇ ପର୍ଯ୍ୟାୟରେ (ଡ଼ିସେମ୍ବର ୯ ଓ ୧୪ ତାରିଖ) ଭୋଟ ହୋଇଥିଲା । ୨୦୨୨ ବିଧାନସଭା ନିର୍ବାଚନ ମଧ୍ୟ ଦୁଇ ପର୍ଯ୍ୟାୟ ବିଶିଷ୍ଟ ହେବ ବୋଲି ସୂଚନା ମିଳୁଛି । ୨୦୧୭ ନିର୍ବାଚନ ବିଜେପି ପାଇଁ ଅତ୍ୟନ୍ତ ପ୍ରତିଦ୍ୱନ୍ଦ୍ୱିତାମୂଳକ ଥିଲା । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଗୁଜରାଟର କିଛି ପ୍ରଭାବଶାଳୀ ଯୁବ ନେତା ଯୋଡି ହୋଇ ବିଜେପି ବିରୋଧରେ ମୋର୍ଚ୍ଚା ସମ୍ଭାଳିବାରୁ କଂଗ୍ରେସ ୭୭ଟି ଆସନ ପାଇଥିବା ବେଳେ ବିଜେପି ୯୯ଟି ଆସନରେ ବିଜୟୀ ହୋଇ ସରକାର ଗଠନ କରିଥିଲା । ସତର ନିର୍ବାଚନରେ ବିଜେପିର ଆସନ ସଂଖ୍ୟା କମି ଥିଲା ଓ କଂଗ୍ରେସର ବଢିଥିଲା । ବିଜେପି ୧୬ଟି କମ୍ ଆସନ ପାଇଥିବା ବେଳେ କଂଗ୍ରେସକୁ ୧୬ଟି ଅଧିକ ଆସନ ମିଳିଥିଲା ।
୨୦୨୨ ଗୁଜରାଟ ନିର୍ବାଚନ କିନ୍ତୁ ଭିନ୍ନ ପ୍ରକାର ହେବା ଅନୁମାନ କରାଯାଉଛି । କାରଣ, ରଜ୍ୟରେ ନିର୍ବାଚନ ଯୁଦ୍ଧ ବିଜେପି ଓ କଂଗ୍ରେସ ମଧ୍ୟରେ ସୀମିତ ନାହିଁ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ଆମ୍ ଆଦମୀ ପାର୍ଟି ବା ‘ଆପ୍’ ଅନ୍ୟତମ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ମଇଦାନରେ ରହିଛି । କେଜରୀୱାଲ ନିଜ ଦଳ, ବଳ ସହ ରିତିମତ ଗୁଜରାଟ ଗସ୍ତ କରି ଏବଂ ଭୋଟରଙ୍କୁ ବଭିନ୍ନ ମାଗଣା ସେବାର ପ୍ରତିଶୃତି ଦେଇ ବିଜେପିର ଏହି ଗଡ଼କୁ ଦଖଲ କରିବାକୁ ପ୍ରାଣପଣେ ଉଦ୍ୟମ କରୁଛନ୍ତି । ଦିଲ୍ଲୀ ପରେ ପଂଜାବରେ ଆମ୍ ଆଦମୀ ପାର୍ଟି ସରକାର ପ୍ରତିଷ୍ଠା ହେବା କେଜରୀୱାଲଙ୍କ ମନୋବଳ ବଢାଇ ଦେଇଛି । ଏଥର ଗୁଜରାଟରେ ‘ଆପ୍’ ସରକାର ପ୍ରତିଷ୍ଠା ନିଶ୍ଚିତ ବୋଲି ସେ ଦାବି କରୁଛନ୍ତି ।
ବିଜେପି ମଧ୍ୟ ତାହାର ଭୋଟ ରଣନୀତି କଂଗ୍ରେସ ବିରୋଧରେ କେନ୍ଦ୍ରୀଭୂତ ନକରି ‘ଆପ୍’କୁ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବି ପ୍ରଚାର ଅଭିଯାନ ଚଳାଇଥିବା ଦେଖିବାକୁ ମିଳୁଛି । ୨୦୨୨ ଗୁଜରାଟ ବିଧାନସଭା ନିର୍ବାଚନ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ବିଜେପିର ମଂଗ ଧରିଥିବା ବେଳେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ସହାୟକ ଭାବେ ପ୍ରଚାର ଅଭିଯାନରେ ସାମିଲ ହୋଇଛନ୍ତି । ‘ଆପ୍’ ୨୦୨୨ରେ ଗୁଜରାଟ ଦଖଲ କରିବ ବୋଲି ଯେଉଁ ଆସ୍ଫାଳନ କରୁଛି ତାହା କେଜରୀୱାଲଙ୍କ ଦିବାସ୍ୱପ୍ନ ବୋଲି ବିଜେପିର ଏହି ମଂଗୁଆଳମାନେ ଯୋର୍ ଦେଇ କହୁଥିଲେ ମଧ୍ୟ ଭିତରେ ଛନକା ଥିବା ସ୍ପଷ୍ଟ ଦିଶୁଛି । ଏହି ଛନକା ପାଇଁ ହିଁ ହିମାଚଳ ପ୍ରଦେଶ ସହ ଗୁଜରାଟ ବିଧାନସଭା ନିର୍ବାଚନ ତାରିଖ ଗୋଟିଏ ଦିନରେ ଘୋଷଣା ନହୋଇ ଗୁଜରାଟ ଘୋଷଣା ଗଡାଇ ଦିଆଗଲା ବୋଲି ଆଲୋଚନା ହେଉଛି ।
ବିଜେପି ନେତୃତ୍ୱର ଏହି ଛନକାରେ ବଳୀ ପଡିଛି ମହାରାଷ୍ଟ୍ରର ଏକନାଥ ସିନ୍ଧେ ସରକାର । ଏଇ କିଛି ମାସ ତଳେ ସିନ୍ଧେ ମହାରାଷ୍ଟ୍ର ଶିବସେନାରେ ବିଦ୍ରୋହର ସୂତ୍ରପାତ କରି ଅନ୍ୟୁନ ୪୦ ବିଧାୟକଙ୍କ ସହ ଅଲଗା ଗୋଷ୍ଠୀ କରିଛନ୍ତି ଏବଂ ରାଜ୍ୟରେ ବିଜେପି ସହ ମିଶି ସରକାର ଗଢିଛନ୍ତି । ବିଜେପି ନୂଆ ସରକାରରେ ସିନ୍ଧେଙ୍କୁ ମୁଖ୍ୟମନ୍ତ୍ରୀ କରିଥିବା ବେଳେ ମହାରାଷ୍ଟ୍ରର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ଉପ ମୁଖ୍ୟମନ୍ତ୍ରୀ କରି ଶାସନ ଡୋରି ନିଜ ହାତରେ ରଖିଛି । ସିନ୍ଧେଙ୍କ ବିଦ୍ରୋହ ଯୋଗୁଁ କ୍ଷମତାଚ୍ୟୁତ ହୋଇଥିବା ଶିବସେନା ମୁଖ୍ୟ ତଥା ରାଜ୍ୟର ମହାବିକାଶ ଅଘାଡି ସରକାରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ରାଜନୈତିକ ଦୃଷ୍ଟିରୁ ତଳିତଳାନ୍ତ କରିବା ବିଜେପିର ମୁଖ୍ୟ ଉଦ୍ଦେଶ୍ୟ । ତେଣୁ, ସିନ୍ଧେ ମୁଖ୍ୟମନ୍ତ୍ରୀ ହେବା ପରେ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ଆଡୁ କିଛି ବୃହତ୍ତ ପ୍ରକଳ୍ପ ମିଳିବା ଆଶା କରାଯାଉଥିଲା । ତେବେ, ବିଜେପି ତାହାର ଗୁଜରାଟ ଗଡ଼କୁ ସୁରକ୍ଷିତ ରଖିବା ପାଇଁ ମହାରାଷ୍ଟ୍ରକୁ ଆସିବାକୁ ଥିବା ଦୁଇଟି ବୃହତ୍ତ ପ୍ରକଳ୍ପ ଗୁଜରାଟକୁ ସ୍ଥାନାନ୍ତର କରି ଦେଇଛି । ଏହି ଦୁଇଟି ପ୍ରକଳ୍ପ ହଉଛି – ମହାରାଷ୍ଟ୍ରରେ ଦେଢ ଲକ୍ଷ କୋଟି ଟଙ୍କା ପୁଂଜି ବିନିଯୋଗରେ ହେବାକୁ ଥିବା ବେଦାନ୍ତ-ଫକ୍ସକନ୍ ଚିପ୍ ଉତ୍ପାଦନ କାରଖାନା ଓ ନାଗପୁରଠାରେ ପ୍ରସ୍ତାବିତ ୨୨ ହଜାର କୋଟି ଟଙ୍କାର ଟାଟା-ଏୟାରବସ୍ ପ୍ରକଳ୍ପ ।
ପ୍ରଧାନମନ୍ତ୍ରୀ ଆଜି ତିନି ଦିନିଆ ଗୁଜରାଟ ଗସ୍ତରେ ଯାଇ ଭଦୋଦ୍ରାଠାରେ ଟାଟା ଗୃପର ଏହି ଏୟାରବସ୍ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ୨୨ ହଜାର କୋଟି ଟଙ୍କାର ଏହି ଟାଟା ଏୟାରବସ୍ ପ୍ରକଳ୍ପରେ ଭାରତୀୟ ବିମାନ ବାହିନୀ ପାଇଁ ୫୬ଟି ପରିବହନ ବିମାନ ବା ମିଲିଟାରୀ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ନିର୍ମାଣ ପ୍ରସ୍ତାବ ରହିଛି । ଭାରତୀୟ ବିମାନ ବାହିନୀରେ ଥିବା ଅତି ପୁରୁଣା ଆଭ୍ରୋ ପରିବହନ ବିମାନକୁ ବଦଳାଇ ସେହି ସ୍ଥାନରେ ନୂଆ ସି-୨୯୫ ମିଲିଟାରୀ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ ଯୋଡା ଯିବ । ୧୬ଟି ବିମାନ ବିଦେଶରୁ ସିଧାସଳଖ ଫ୍ଲାଇଂ କଂଡିସନରେ ଆସିବ ଏବଂ ଭଦୋଦ୍ରାରେ ପ୍ରତିଷ୍ଠା ହେବାକୁ ଥିବା ଉତ୍ପାଦନ କେନ୍ଦ୍ରରେ ୪୦ଟି ବିମାନ ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି । ମହାରାଷ୍ଟ୍ରରେ ଟାଟା ଗୃପର ଏହି ଏୟାରବସ୍ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲେ ହଜାର ହଜାର ନୂତନ କର୍ମନିଯୁକ୍ତି ସୃଷ୍ଟି ହେବା ସହ ରାଜ୍ୟର ଅର୍ଥନୈତିକ ପ୍ରଗତି ତ୍ୱରାନ୍ୱିତ ହେବାର ସମ୍ଭାବନା ଥିଲା । ସିନ୍ଧେ ସରକାର ମଧ୍ୟ ଏହି ପ୍ରକଳ୍ପକୁ ନେଇ ବେଶ୍ ଆଶାବାଦୀ ଥିଲେ । କିନ୍ତୁ, ବିଜେପିର ଗୁଜରାଟ ବାଧ୍ୟବାଧକତା ଏହି ପ୍ରକଳ୍ପକୁ ମହାରାଷ୍ଟ୍ରରୁ ଗୁଜରାଟକୁ ନେଇ ଯାଇଛି ।
ଏହାପୂର୍ବରୁ, ମହାରାଷ୍ଟ୍ରରେ କାର୍ଯ୍ୟକାରୀ ହେବାକୁ ଥିବା ଦେଢ ଲକ୍ଷ କୋଟି ଟଙ୍କାର ବେଦାନ୍ତ-ଫକ୍ସକନ୍ ପ୍ରକଳ୍ପକୁ ଗୁଜରାଟ ସ୍ଥାନାନ୍ତର କରାଯାଇଛି । ଏହି ପ୍ରକଳ୍ପ ସ୍ଥାନାନ୍ତର ହେଉଥିବା ଜଣାପଡିବା ପରେ ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ସିନ୍ଧେ ସରକାରର କଟୁ ସମାଲୋଚନା କରିଥିଲେ । ବିଜେପି ସହ ହାତ ମିଳାଇବା ପରେ ମଧ୍ୟ ବେଦାନ୍ତ-ଫକ୍ସକନ୍ ପ୍ରକଳ୍ପକୁ ସିନ୍ଧେ ରଖି ପାରିଲେ ନାହିଁ ବୋଲି ସମାଲୋଚନା ହେବାରୁ କେନ୍ଦ୍ର ସରକାର ତାହା ବଦଳରେ ରାଜ୍ୟକୁ ୨୨ ହଜାର କୋଟି ଟଙ୍କାର ଟାଟା-ଏୟାରବସ୍ ପ୍ରକଳ୍ପ ଦେବାକୁ ଯାଉଛନ୍ତି ବୋଲି ସିନ୍ଧେ ସରକାରର ଶିଳ୍ପ ମନ୍ତ୍ରୀ ଉଦୟ ସାମନ୍ତ ଦମ୍ଭୋକ୍ତି ପ୍ରକାଶ କରିଥିଲେ । ତେବେ, ଗୁରୁବାର ଦିନ ସେହି ଶିଳ୍ପ ମନ୍ତ୍ରୀ କହିଛନ୍ତି, ନାଗପୁରରେ ଟାଟା-ଏୟାରବସ୍ ପ୍ରକଳ୍ପ ପ୍ରତିଷ୍ଠା ପ୍ରସ୍ତାବ ନାହିଁ । ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ଏହି ପ୍ରକଳ୍ପ ନାଗପୁରରେ ପ୍ରତିଷ୍ଠା ପାଇଁ ସମସ୍ତ ଉଦ୍ୟମ କରି ବିଫଳ ହୋଇଛନ୍ତି ।
ମହାରାଷ୍ଟ୍ର ଏୟାରପୋର୍ଟ ଡେଭଲପମେଂଟ୍ କର୍ପୋରେସନର ଅଧିକାରୀମାନେ ମଧ୍ୟ ଟଟା-ଏୟାରବସ୍ ପ୍ରକଳ୍ପ ନାଗପୁର ଆସୁନଥିବା ପୃଷ୍ଟି କରିଥିଲେ । ତିନି ବର୍ଷ ତଳେ ଟାଟା କଂପାନୀର କିଛି ଅଧିକାରୀ ଏମଏଡ଼ିସିର ନାଗପୁର କାର୍ଯ୍ୟାଳୟକୁ ଯାଇ ମିହାନଠାରେ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଜମି ମିଳିବ କି ନାହିଁ ଯାଂଚ କରିଥିଲେ । ସେମାନେ ତିନି, ଚାରି ଥର ଏମଏଡ଼ିସି କାର୍ଯ୍ୟାଳୟକୁ ଯାଇ ବୁଝାବୁଝି କରିବା ପରେ ଆଉ ଯୋଗଯୋଗରେ ନଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୩୦ରେ ଗୁଜରାଟର ଭଦୋଦ୍ରାରେ ଟାଟା-ଏୟାରବସ୍ ପ୍ରକଳ୍ପର ଶୁଭ କରୁଥିବା କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ଶାସନ ସଚିବ ଅଜୟ କୁମାର ନୂଆଦିଲ୍ଳୀରେ ସୂଚନା ଦେବା ପରେ ମହାରାଷ୍ଟ୍ରରେ ସିନ୍ଧେ ବିରୋଧୀ ଗୋଷ୍ଠୀ ଅଧିକ ମୁଖର ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଆଜି ଭଦୋଦ୍ରା ଯାଇ ଟଟା ଏୟାରବସ୍ ପ୍ରକଳ୍ପର ଶିଳାନ୍ୟାସ କରିବା ମହାରାଷ୍ଟ୍ର ସିନ୍ଧେ ସରକାର ପାଇଁ ବଡ ଝଟକା ହୋଇଛି ।
ପ୍ରଥମେ ଦେଢ ଲକ୍ଷ କୋଟି ଟଙ୍କାର ବେଦାନ୍ତ-ଫକ୍ସକନ୍ ଚିପ୍ ତିଆରି କାରଖାନା ଏବଂ ପରେ ନାଗପୁରରେ ପ୍ରସ୍ତାବିତ ୨୨ ହଜାର କୋଟି ଟଙ୍କାର ଟାଟା-ଏୟାରବସ୍ ପ୍ରକଳ୍ପ ମହାରାଷ୍ଟ୍ରରୁ ଗୁଜରାଟ ସ୍ଥାନାନ୍ତର ହେବା କେବଳ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ବା ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ନୁହେଁ, ବରିଷ୍ଠ ବିଜେପି ନେତା, ନାଗପୁର ସାଂସଦ ତଥା କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତୀନ ଗଡକରୀଙ୍କୁ ମଧ୍ୟ ଅଡୁଆରେ ପକାଇଛି । କେନ୍ଦ୍ର ମନ୍ତ୍ରୀ ଗଡକରୀ ଗତ ୭ ତାରିଖ ଦିନ ଟାଟା ସନ୍ସ୍ ଅଧ୍ୟକ୍ଷ ଏନ.ଚନ୍ଦ୍ରଶେଖରନଙ୍କୁ ଲେଖିଥିବା ଏକ ଚିଠି ଗଣମାଧ୍ୟମକୁ ହସ୍ତାନ୍ତର କରିଛନ୍ତି । ଟାଟା ଗୃପ୍ ଇସ୍ପାତ, ଅଟୋମୋବାଇଲ ଶିଳ୍ପ, କଂଜ୍ୟୁମର ପ୍ରଡକ୍ଟସ୍, ଆଇଟି ସଭିସେସ୍ ଏବଂ ବିମାନ ଚଳାଚଳ କ୍ଷେତ୍ରରେ ବହୁଧା ବ୍ୟବସାୟରେ ସଂଶ୍ଲିଷ୍ଟ ଥିବାରୁ ଆଗାମୀ ଦିନରେ କୌଣସି ବୃହତ୍ତ ପ୍ରକଳ୍ପ ପାଇଁ ପୁଂଜୀ ବିନିଯୋଗ ସମୟରେ ମହାରାଷ୍ଟ୍ରର ନାଗପୁରକୁ ବିଚାରକୁ ନେବାକୁ ସେ ଏହି ଚିଠିରେ ଟାଟା ଗୃପ୍ ଅଧ୍ୟକ୍ଷଙ୍କୁ ଅନୁରୋଧ କରିଥିବା ଜଣାପଡିଛି ।
ନାଗପୁର ଓ ତାହାର ଆଖପାଖ ଅଂଚଳରେ ବଡ଼ ଶିଳ୍ପ ପ୍ରତିଷ୍ଠା ପାଇଁ ଶସ୍ତାରେ ଜମି ଓ ଶିଳ୍ପ ପ୍ରତିଷ୍ଠା ପାଇଁ ଆବଶ୍ୟକ ଭିତ୍ତିଭୂମି ରହିଛି । ରାଜ୍ୟରେ ବିଭିନ୍ନ ଅଂଳ ଓ ଅନ୍ୟ ରାଜ୍ୟକୁ କନେକ୍ଟିଭିଟି ସୁବିଧା ମଧ୍ୟ ରହିଛି । ଟାଟା ଗୃପ୍ ମହାରାଷ୍ଟ୍ର, ବିଶେଷକରି ନାଗପୁର ବା ଆଖପାଖରେ ବଡ଼ ଶିଳ୍ପ ପ୍ରତିଷ୍ଠା କଲେ ବହୁଧା ବ୍ୟବସାୟିକ ସୁବିଧା ସୁଯୋଗ ମଧ୍ୟ ପାଇବେ ବୋଲି ଗଡକାରୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି । ଗଡକରୀଙ୍କ ଏହି ଚିଠି ‘ଆତ୍ମରକ୍ଷାତ୍ମକ’ ବୋଲି ବିରୋଧୀଙ୍କ ମଧ୍ୟରେ ଆଲୋଚନା ହେଉଛି । ଏହାର କାରଣ ହେଉଛି, ନାଗପୁର ସାଂସଦ ଗଡକରୀ କେନ୍ଦ୍ର ସରକାରରେ ବରିଷ୍ଠ ମନ୍ତ୍ରୀ ଥିଲେ ମଧ୍ୟ କୌଣସି କାରଣରୁ ବିଜେପିର ସର୍ବୋଚ୍ଚ ନେତୃତ୍ୱ ତାଙ୍କୁ ପୂର୍ବ ଭଳି ଗୁରୁତ୍ୱ ଦେଉ ନାହାନ୍ତି । ନିକଟରେ ତାଙ୍କୁ ବଜେପିର ଜାତୀୟ ନୀତି ନିର୍ଦ୍ଧାରଣ କମିଟିରୁ ହଟାଇ ଦିଆଯାଇଛି । ତଥାପି, ଗଡକାରୀ କେନ୍ଦ୍ର ସରକାରଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିବା ତାଙ୍କ ଉଦାରତା କୁହାଯାଇପାରେ ।
‘ଗୁଜରାଟ ଗଡ଼’କୁ ରକ୍ଷା କରିବା ଏବେ ମୋଦୀ ସରକାରଙ୍କ ପ୍ରାଥମିକତା ହୋଇଛି । ତେଣୁ, ମହାରାଷ୍ଟ୍ରରେ ହେବାକୁ ଥିବା ଦୁଇଟି ମେଗା ପ୍ରକଳ୍ପ ଗୁଜରାଟକୁ ସ୍ଥାନାନ୍ତର କରିବା ସମୟରେ ରାଜ୍ୟରେ ତାଙ୍କରି ସମର୍ଥନରେ ପ୍ରତିଷ୍ଠିତ ଏକନାଥ ସିନ୍ଧେ ସରକାରଙ୍କ ହିନସ୍ଥା କଥା ଚିନ୍ତା କରାଯାଇ ନାହିଁ । ସେହିଭଳି, ରାଜ୍ୟର ଦୁଇ ତୁଂଗ ବିଜେପି ନେତା ଉପ ମୁଖ୍ୟମନ୍ତ୍ରୀ ଥିବା ଫଡ଼ନାଭିସ୍ ଓ କେନ୍ଦ୍ର ମନ୍ତ୍ରୀ ଥିବା ଗଡକରୀଙ୍କ ରାଜନୈତିକ କ୍ଷତି କଥା ମଧ୍ୟ ଚିନ୍ତା କରଯାଇ ନାହିଁ । ବିଜେପିର ଏକମାତ୍ର ଲକ୍ଷ୍ୟ ରହିଛି ଗୁଜରାଟ ଦଖଲ ଓ କେଜରୀୱାଲଙ୍କ ରଣନୀତିକୁ ପ୍ରତିହତ କରିବା । ସେଥି ସକାଶେ ଗୁଜରାଟ ନିର୍ବାଚନ ତାରିଖ ଘୋଷଣା ବିଳମ୍ବିତ କରି ଗୁଜୁରାଟ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ଅଧିକ ଶିଳନ୍ୟାସ ଓ ଘୋଷଣାର ସୁଯୋଗ ସୃଷ୍ଟି କରାଯାଇଛି । ତେବେ, ଭୋଟରେ ବିଜେପି ଏଥିରୁ କେତେ ଅଧିକ ଫାଇଦା ପାଇବ ତାହା ଭୋଟ ପରେ ହିଁ ଜଣାପଡିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS