ପ୍ରଶାସନିକ ଅବହେଳାର ନମୂନା ମୋର୍ବି ଝୁଲା ପୋଲ ଦୁର୍ଘଟଣା !
ପ୍ରସାଦ ରାଓ
ଅକ୍ଟୋବର ୩୧
ରବିବାର ସନ୍ଧ୍ୟାରେ ଗୁଜରାଟରେ ଘଟିଥିବା ଝୁଲା ପୋଲ ଦୁର୍ଘଟଣା ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଛି । ଏହି ଦୁର୍ଘଟଣାରେ ୧୪୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭୭ ଜଣଙ୍କୁ ଉଦ୍ଧାର କରାଯାଇଛି । ଆହୁରି ଅନେକ ନିଖୋଜ ଥିବାରୁ ସେମାନଙ୍କ ପାଇଁ ସର୍ଚ୍ଚ ଅପରେସନ୍ ଜାରି ଥିବା ଜଣାପଡିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦିନିଆ ଗୁଜରାଟ ଗସ୍ତରେ ଯାଇ ରବିବାର ଦିନ ଭଦୋଦ୍ରାରେ ଥିବା ବେଳେ ସେଠାରୁ ତିନି ଶହ କିମି ଦୂର ମୋର୍ବିରେ ଏହି ଦୁର୍ଘଟଣା ଘଟିଛି । ମାଚ୍ଛୁ ନଦୀ ଉପରେ ନିର୍ମିିତ ୧୫୦ ବର୍ଷର ପୁରୁଣା ବ୍ରିଟିଶ ଅମଳର ଝୁଲା ପୋଲ କେବୁଲ ଝିଣ୍ଡିଯାଇ ମଧ୍ୟ ଭାଗରୁ ନଦୀ ଭିତରକୁ ଛିଣ୍ଡି ପଡିବାରୁ ଏତେ ବଡ ଦୁଃଖଦ ଘଟଣା ଘଟିଛି ।
ଗତକାଲି ସନ୍ଧ୍ୟା ୬ଟା ୩୨ ମିନିଟରେ ଏହି ଦୁର୍ଘଟଣା ଘଟି ଥିଲା । ଦୁର୍ଘଟଣା ସମୟରେ ଝୁଲା ପୋଲ ଉପରେ ପ୍ରାୟ ୫୦୦ ଲୋକ ଥିଲେ ବୋଲି କୁହାଯାଉଛି । ପୋଲଟି ମଝିରୁ ଛିଣ୍ଡି ଯାଇ ନଦୀ ଗର୍ଭକୁ ଖସି ପଡିବାରୁ ଏହି ଲୋକମାନେ ନଦୀକୁ ଖସି ପଡିଥିଲେ । ସେଥିରୁ କିଛି ପୋଲର ଭଂଗା ଅଂଶରେ ଲାଖି କରି ରହିଥିବା ବେଳେ ଆଉ କିଛି ନଦୀରେ ଖସି ପଡି ପହଁରି ପହଁରି ଆତ୍ମରକ୍ଷା ଉଦ୍ୟମ କରୁଥିବା ଦେଖିବାକୁ ମିଳିଥିଲା । ବିଶେଷକରି, ପହଁରା ଜାଣି ନଥିବା ମହିଳା ଓ ଶିଶୁମାନେ ଅଧିକ ସଂଖ୍ୟାରେ ମୃତ୍ୟୁର ଶିକାର ହୋଇଥିବା ସୂଚନା ମିଳିଛି । ଗତକାଲି ବିଳମ୍ବିତ ସନ୍ଧ୍ୟାରେ ୩୨ ଜଣଙ୍କ ମୃତ୍ୟୁରୁ ଅଂକ ଆରମ୍ଭ ହୋଇଥିବା ବେଳେ ଆଜି ସକାଳ ସୁଦ୍ଧା ୧୪୧ରେ ପହଂଚିଛି । ଆହୁରି ଅନେକ ମୃତ୍ୟୁ ଘଟି ଥିବା ଆଶଙ୍କା କରାଯାଉଛି ।
ଦୁର୍ଘଟଣା ପରେ ସ୍ଥାନୀୟ ଅଧିବାସୀ ଓ ସରକାରୀ କଳ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ସଂପୂର୍ଣ୍ଣ ଅଂଚଳ ଉଦ୍ଧାରକାରୀ ଦଳ, ଆମ୍ବୁଲାନ୍ସ ଓ ପୁଲିସ ବଳରେ ଛାଇ ଯାଇଥିଲା । ଉଦ୍ଧାରକାରୀ ଦଳ ୧୭୭ ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସରକାରୀ ଓ ଘରୋଇ ହସ୍ପିଟାଲଗୁଡିକୁ ପଠାଇଛନ୍ତି । ଆହୁରି ଅନେକ ନିଖୋଜ ଥିବାରୁ ସର୍ଚ୍ଚ ଅପରେସନ ଚାଲିିଛି । ମିଳିଥିବା ସୂଚନା ମୁତାବକ ଏହି ଝୁଲା ପୋଲ ଏକସମୟରେ ୧୨୫ ଜଣଙ୍କ ଭାର ସମ୍ଭାଳିବାକୁ ସକ୍ଷମ ଥିବା ବେଳେ ଦୁର୍ଘଟଣା ସମୟରେ ଝୁଲା ପୋଲ ଉପରେ ପ୍ରାୟ ୫୦୦ରୁ ଜନସମାଗମ ଥିଲା । ଅନେକ ପୋଲ ଉପରେ ସେଲ୍ଫି ନେଉଥିବା ବେଳେ ଛଟ୍ ପୂଜା ମଧ୍ୟ ଚାଲି ଥିଲା । ସାତ ବାସ ପରେ ପୋଲ ସର୍ବସାଧାରଣଙ୍କ ପାଇଁ ଖୋଲି ଥିବାରୁ ଉତ୍ସାହିତ ଜନତାଙ୍କ ଅପୂର୍ବ ଭିଡ଼ ଲାଗି ରହି ଥିଲା । କେହି ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ ଦୁଇ କୋଟି ଟଙ୍କା ବ୍ୟୟରେ ସଦ୍ୟ ମରାମତି ହୋଇଥିବା ପୋଲଟି ମଝିରୁ ଛିଣ୍ଡି ପଡିମୃତ୍ୟୁର ତାଣ୍ଡବ ରଚାଇବ । ଗତକାଲି ମାତ୍ରାଧିକ ଭାର ସମ୍ଭାଳି ନପାରି ପୋଲଟି ମଧ୍ୟ ଭାଗରୁ ନଦୀଗର୍ଭକୁ ଛିଣ୍ଡି ପଡିଥିବା ଆଜି ଫେରେନ୍ସକ୍ ରିପୋର୍ଟରୁ ସ୍ପଷ୍ଟ ହୋଇଛି ।
୧୫୦ ବର୍ଷ ଏହି ଝୁଲା ପୋଲ ଦୁର୍ବଳ ସ୍ଥିତିରେ ଥିବାରୁ ମୋର୍ବି ମୁନସିପାଲିଟି ଏହାର ମରାମତି, ରକ୍ଷଣାବେକ୍ଷଣ ଓ ପରାଚାଳନା ଦାୟିତ୍ୱ ‘ଓରେଭା’ ନାମକ ଏକ ଘଂଟା ଉତ୍ପାଦନକାରୀ କଂପାନାକୁ ଦେଇଥିଲେ । ଗତ ମାର୍ଚ୍ଚ ମାସରେ ଏନେଇ ମୋର୍ବି ମୁନିସପାଲିଟି କର୍ତ୍ତୃପକ୍ଷ ଏବଂ ‘ଓରେଭି ଗୃପ’ର ଅଜନ୍ତା ମେନୁଫାକ୍ଚରିଂ ପ୍ରାଇଭେଟ ଲିମିଟେଡ଼ ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହୋଇଥିଲା । ରାଜିନାମା ପରେ ‘ଓରେଭା’ ମୋର୍ବି ଝୁଲା ପୋଲର ବୈଷୟିକ ମରାମତି ଓ ନବୀକରଣ କାର୍ଯ୍ୟ ‘ଦେବପ୍ରକାଶ ସଲ୍ୟୁସନ୍ସ’ ନାମକ ଏକ ଛୋଟକାଟିଆ ନିର୍ମାଣ କଂପାନୀକୁ ଆଉଟସୋର୍ସିଂ କରି ଦେଇଥିଲା । ମୋର୍ବି ମୁନସିପାଲ କର୍ତ୍ତୃପକ୍ଷ ଓ ‘ଓରେଭା’ ମଧ୍ୟରେ ହୋଇଥିବା ୧୫ ବର୍ଷିଆ ରାଜିନାମା ପ୍ରକାରେ ‘ଓରେଭା’ ଝୁଲା ପୋଲର ମରାମତି ଓ ନବୀକରଣ ପାଇଁ ଦୁଇ କୋଟି ଟଙ୍କା ଖର୍ଚ୍ଚ କରିଥିବା କହୁଛି । ବହୁ ସଂଖ୍ୟାରେ ପର୍ଯ୍ୟଟକ ଏହି ଝୁଲା ପୋଲକୁ ଦେଖିବାକୁ ମୋର୍ବି ଆସୁ ଥିବାରୁ ପୋଲର ରକ୍ଷଣାବେକ୍ଷଣ ଦାୟିତ୍ୱ ‘ଓରେଭା’ ଉପରେ ନ୍ୟସ୍ତ କରାଯିବା ସହ ସଂସ୍ଥା ରକ୍ଷଣାବେକ୍ଷଣ ଖର୍ଚ୍ଚ ଟିକଟ ବିକ୍ରିରୁ ଉଠାଇବ ଓ ୨୦୩୭ ପର୍ଯ୍ୟନ୍ତ ପ୍ରତି ବର୍ଷ ଟିକଟର ମୂଲ୍ୟ ବୃଦ୍ଧି କରିପାରିବ ବୋଲି ରାଜିନାମା ରହିଛି ।
ତେବେ, ଝୁଲା ପୋଲର ମରାମତି ଓ ମେଂଟେନାନ୍ସ ପାଇଁ ‘ଓରେଭା’ ୮ରୁ ୧୨ ମାସ ପର୍ଯ୍ୟନ୍ତ ପୋଲ ଉପରେ ଯାତାୟତକୁ ବନ୍ଦ ରଖିବାକୁ ରାଜିନାମା ଥିବା ବେଳେ ଗୁଜରାଟରେ ନବ ବର୍ଷ ପାଳନ କାରଣରୁ ସଂସ୍ଥା ସାତ ମାସ ପରେ ସର୍ବସାଧାରଣଙ୍କ ଯାତାୟତ ପାଇଁ ପୋଲଟିକୁ ଖୋଲି ଦେଇଛି । ଅକ୍ଟୋବର ୨୬ ତାରିଖ ଦିନ ପୋଲଟି ସର୍ବସାଧାରଣଙ୍କ ପାଇଁ ଖୋଲି ଯାଇଥିବା ବେଳେ ୩୦ ତାରିଖ ସନ୍ଧ୍ୟାରେ ଏତେ ବଡ ଦୁର୍ଘଟଣା ଘଟିଛି ।ମାତ୍ରାଧିକ ଜନସମାଗମ କାରଣରୁ ପୋଲ ଭାର ସମ୍ଭାଳି ପାରି ନାହିଁ । ଝୁଲା ପୋଲର କେବୁଲଗୁଡିକ ଛିଣ୍ଡି ଯିବାରୁ ପୋଲଟି ମଧ୍ୟ ଭାଗରୁ ନଦୀ ଗର୍ଭକୁ ଖସି ପଡିଛି । ତେବେ, ଘରୋଇ କଂପାନୀ ‘ଓରେଭା’ ନିଧାର୍ଯ୍ୟ ସମୟ ପୂର୍ବରୁ ଯାତାୟତ ପାଇଁ ଝୁଲା ପୋଲ ଖୋଲି ଦେବା ସହ ଭିଡ଼ ନିୟନ୍ତ୍ରଣ ପ୍ରତି ଦୃଷ୍ଟି ନଦେବାରୁ ଗତକାଲିର ଦୁର୍ଘଟଣା ଘଟି ଥିବା କୁହାଯାଉଛି । ଗତକାଲି ‘ଓରେଭା’ ଟିକଟ ବାବଦରେ ଜଣ ପିଛା ୧୨ରୁ ୧୭ ଟଙ୍କା ଲେଖାଏଁ ଆଦାୟ କରିଥିବା ଜଣାପଡିଛି । ଶହ ଶହ ସଂଖ୍ୟାରେ ଲୋକ ଝୁଲା ପୋଲ ଉପରେ ଚଢି ଭିଡ଼ ଜମାଇ ଥିବା ବେଳେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଘରୋଇ ସଂସ୍ଥା ‘ଓରେଭା’ କିମ୍ବା ମୋର୍ବି ମୁନିସିପାଲିଟି ପକ୍ଷରୁ କୌଣସି ବ୍ୟବସ୍ଥା ନଥିଲା ।
‘ଓରେଭା’ ବିରୋଧରେ ସବୁଠାରୁ ସାଂଘାତିକ ଅଭିଯୋଗ ହେଉଛି, ଆବଶ୍ୟକ ବୈଷୟିକ ମରାମତି ଓ ମେଂଟେନାନ୍ସ କାର୍ଯ୍ୟ କରି ଧାର୍ଯ୍ୟ ସମୟ ପୂର୍ବରୁ ଘରୋଇ ସଂସ୍ଥା ଝୁଲା ପୋଲକୁ ସର୍ବସାଧାରଣଙ୍କ ପାଇଁ ଖୋଲି ଦେଇଥିଲେ ମଧ୍ୟ ଏଥିସକାଶେ ମୋର୍ବି ମୁନସିପାଲିଟି କର୍ତ୍ତୃପକ୍ଷଙ୍କୁ ଆଗୁଆ ସୂଚିତ କରିନାହିଁ କିମ୍ବା ମୁନିସପାଲିଟିରୁ ଫିଟନେସ୍ ସାର୍ଟିର୍ଫିକେଟ ପାଇ ନାହିଁ । ମୋର୍ବି ମୁନସିପାଲଟିର ଚିଫ୍ ଅଫିସର ଏହା ଗଣମାଧ୍ୟମକୁ କହିଛନ୍ତି । ତେବେ, ଦୁଇ କୋଟି ଟଙ୍କା ବ୍ୟୟରେ ଏହି ପୋଲର ଶତ ପ୍ରତିଶତ ନବୀକରଣ କାର୍ଯ୍ୟ ହୋଇଛି ବୋଲି ‘ଓରେଭା’ ପରିଚାଳନା ନିର୍ଦେଶକ ଜୟସୁଖଭାଇ ପଟେଲ ଗତ ସପ୍ତାହରେ ପୋଲକୁ ଯାତାୟତ ପାଇଁ ଖୋଲିବା ସମୟରେ ସୂଚନା ଦେଇଥିଲେ । ଅନ୍ୟପକ୍ଷରେ, ଗୁଜରାଟର ଗୃହ ମନ୍ତ୍ରୀ ହର୍ଷ ସାଂଗଭି କହିଛନ୍ତି, ଏହି ଦୁର୍ଘଟଣାକୁ ନେଇ ଏକ ଆପରାଧିକ ମାମଲା ରୁଜୁ କରାଯାଇଛି । କେଉଁ ପରିସ୍ଥିତିରେ ଏତେ ବଡ ଦୁର୍ଘଟଣା ଘଟିଲା ତାହାର ତଦନ୍ତ ପାଇଁ ଏକ ପାଂଚ ଜଣିଆ ଉଚ୍ଚକ୍ଷମତା ସଂପନ୍ନ କମିଟି ଗଠନ କରାଯାଇଛି । ଯିଏବି ଦୋଷୀ ମିଳିବେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।
ପ୍ରଧାନମନ୍ତ୍ରୀ ଭଦୋଦ୍ରାରେ ଉପସ୍ଥିତ ଥିବା ସମୟରେ ମୋର୍ବିରେ ଏହି ଦୁଃଖଦ ଘଟଣା ଘଟିବାରୁ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ସରକାରୀ କଳ ଓ ଉଦ୍ଧାରକାରୀ ଦଳ ଗତକାଲି ରାତି ସାରା ମୋର୍ବିରେ ଥିଲେ । ଉଦ୍ଧାର କାର୍ଯ୍ୟରେ ଏନଡ଼ିଆରଏଫ, ଏସଡ଼ିଆରଏଫ ଏବଂଜଳ, ସ୍ଥଳ ଓ ଆକାଶ ବାହିନୀର ସହାୟତା ନିଆଯାଇଛି । ରାଜ୍ୟ ସରକାର ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତ୍ୟେକ ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS