ଦୁର୍ଘଟଣା, ଦୁର୍ଦ୍ଦଶାକୁ ନେଇ ରାଜନୀତି ?
ପ୍ରସାଦ ରାଓ
ନଭେମ୍ବର ୦୧
ଦୁର୍ଘଟଣା ଓ ଦୁର୍ଦ୍ଦଶା ଭଳି ମାନବିକ ସମସ୍ୟାରୁ ମଧ୍ୟ ରାଜନେତାମାନେ ରାଜନୈତିକ ଫାଇଦା ନେବାକୁ ପଛାନ୍ତି ନାହିଁ, ତାହା ଦେଖିବାକୁ ମିଳିଛି ରବିବାର ଗୁଜରାଟ ମୋର୍ବି ପୌରାଂଚଳରେ ଥିବା ମଚ୍ଛୁ ନଦୀ ଉପରେ ନିର୍ମିତ ଝୁଲା ପୋଲ ଛିଣ୍ଡି ଶତାଧିକ ଲୋକ ମୃତାହାତ ହେବା ଘଟଣାରୁ । ଦୁର୍ଘଟଣାରେ ଶହେରୁ ଅଧିକ ନିରୀହ ଲୋକ ପ୍ରାଣ ହରାଇ ଥିବା ବେଳେ ଶତାଧିକ ଲୋକ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଆଜି ମଧ୍ୟ ନଦୀରେ ସର୍ଚ୍ଚ ଅପରେସନ ଚାଲିଛି । ନଦୀ ଗର୍ଭରୁ ଆହୁରି ଅନେକ ମୃତ ଶରୀର ମିଳି ପାରେ ବୋଲି ଉଦ୍ଧାରକାରୀ ଦଳ ଆଶଙ୍କା ବ୍ୟକ୍ତ କରିଛନ୍ତି । ଘଟଣାଟି ସମଗ୍ର ଦେଶକୁ ସ୍ତବ୍ଧ କରି ଥିବା ବେଳେ ଦୁର୍ଘଟଣାକୁ ନେଇ ଦୁଇ ଦିନ ହେଲା ରାଜନୀତି ଜୋର ଧରିଛି । ଶାସକ ଓ ବିରୋଧୀଙ୍କ ମଧ୍ୟରେ ରାଜନୈତିକ ବୟାନବାଜୀ ଚାଲିଛି । ଯାହାକି ସଂବେଦନହୀନତାର ପରିଚୟ ଦେଉଛି ।
ଗୁଜରାଟରେ ବିଧାନସଭା ନିର୍ବାଚନ ପାଇଁ ଅତିଶୀଘ୍ର ତାରିଖ ଘୋଷଣା ହେବାକୁ ଥିବା ବେଳେ ରାଜ୍ୟରେ ଦୀର୍ଘ ବର୍ଷ ହେଲା ଶାସନରେ ଥିବା ବିଜେପି ପୁନଃ କ୍ଷମତା ଦଖଲ କରିବାକୁ ସବୁ ଶକ୍ତି ଖଟାଉଛି । ବିରୋଧୀ ମଧ୍ୟ ବିଜେପି ହାତରୁ ଗୁଜରାଟକୁ ଛଡାଇ ନେବାକୁ ଜୋରଦାର ରଣନୀତି ପ୍ରସ୍ତୁତ କରି ପ୍ରଚାର ଅଭିଯାନ ଚଳାଇଛନ୍ତି । ଏଭଳି ସ୍ଥିତିରେ ରବିବାର ମୋର୍ବି ଝୁଲାପୋଲ ଦୁର୍ଘଟଣା ଉଭୟ ଶାସକ ଓ ବିରୋଧୀଙ୍କୁ ରାଜନୀତି ଓ ବୟାନବାଜୀର ସୁଯୋଗ ଦେଇଛି । ନିର୍ବାଚନ ଦୌଡରେ ଆଗୁଆ ଥିବା ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ରବିବାର ଦୁର୍ଘଟଣା ପାଇଁ ରାଜ୍ୟ ସରକାରଙ୍କୁ ସଂପୂର୍ଣ୍ଣ ଦାୟି କରି ୧୫୦ ବର୍ଷ ପୂରାତନ ଏହି ଝୁଲାପୋଲର ମରାମତି ଏବଂ ରକ୍ଷଣାବେକ୍ଷଣ କାର୍ଯ୍ୟର ଠିକା କେମିତି ଗୋଟିଏ ଘଂଟା ତିଆରି କରୁଥିବା କଂପାନୀକୁ ଦିଆଗଲା (?) ବୋଲି ପ୍ରଶ୍ନ କରିଛନ୍ତି । ମରାମତି ଓ ରକ୍ଷଣାବେକ୍ଷଣ ଠିକାରେ ବ୍ୟାପକ ଦୁର୍ନୀତି ଥିବା ଆଜି ସେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।
ଅପରପକ୍ଷରେ, ଗୁଜରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମୋର୍ବି ଯାଇ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବା ସହ ସେଠାରେ ଚାଲିଥିବା ଉଦ୍ଧାର କାର୍ଯ୍ୟର ତଦାରଖ କରିଛନ୍ତି । ଗତକାଲି ସେ ଏହି ଦୁର୍ଘଟଣାରେ ଶତାଧିକ ମୃତାହତ ହୋଇ ଥିବାରୁ ଦୁଃଖରେ ଭାଂଗି ପଡୁଥିବା ଦୃଶ୍ୟ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ବୟାନ ଜାରି କରି ଏଭଳି କଠିନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁଜରାଟରେ ଉପସ୍ଥିତି ଏବଂ ଦୁଃଖରେ ବୁଡି ରହିଥିବା ରାଜ୍ୟବାସୀଙ୍କୁ ସେଥିରୁ ମୁକୁଳିବାର ମାର୍ଗଦର୍ଶନ ନେଇ କୃତଜ୍ଞତା ଜଣାଇଛନ୍ତି । ଗୁଜରାଟ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ କମିଶନ ଦିନେ ଦୁଇ ଦିନ ମଧ୍ୟରେ ତାରିଖ ଘୋଷଣା କରିବାକୁ ଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ରାଜ୍ୟରେ ବିଭିନ୍ନ ନିର୍ବାଚନୀ ଘୋଷଣା କାର୍ଯ୍ୟ ସାରିବା ପାଇଁ ରବିବାରୁ ତିନି ଦିନି ହେଲା ଗୁଜରାଟରେ ଅଛନ୍ତି ।
ରବିବାର ଦିନ ମୋଦୀ ଭଦୋଦ୍ରା ନିକଟରେ ବିଭିନ୍ନ କାର୍ଯ୍ୟକ୍ରମରେ ଥିବା ବେଳେ ସେହି ସନ୍ଧ୍ୟାରେ ପ୍ରୟ ୩୦୦ କିମି ଦୂର ମୋର୍ବିରେ ଏହି ଦୁଃଖଦ ଦୁର୍ଘଟଣା ଘଟିଛି । ପ୍ରଧାନମନ୍ତ୍ରୀ ମୋଦୀ ଆଜି ସଂପୃକ୍ତ ଅଂଚଳକୁ ଯାଇଥିବା ବେଳେ ମୋର୍ବିର ମଚ୍ଛୁ ନଦୀ ଗର୍ଭରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ନଦୀ ଗର୍ଭରୁ ଆହୁରି ଅନେକ ମୃତ ଦେହ ମିଳିବା ଆଶଙ୍କା ରହିଛି ବୋଲି ଏନଡ଼ିଆରଏଫ୍ କମାଣ୍ଡେଂଟ୍ ଭିଭିଏନ ପ୍ରସନ୍ନ କୁମାର ଗଣମାଧ୍ୟମକୁ କହିଛନ୍ତି । ରାଜ୍ୟ ସରକାର ଘଟଣାର ଏସଆଇଟି ତଦନ୍ତ ଘୋଷଣା କରିଥିବା ବେଳେ ଏହାର ବିଚାର ବିଭାଗୀୟ ତଦନ୍ତ ଦାବି ଜୋର ଧରିଛି । ସୁପ୍ରିମ କୋର୍ଟରେ ଏନେଇ ଏକ ଜନସ୍ୱାର୍ଥ ମାମଲା ଦାଏର ହୋଇଛି । ଆଇନଜୀବୀ ବିଶାଳ ତିୱାରୀ ଏହି ଜନସ୍ୱାର୍ଥ ମାମଲା (ପିଆଇଏଲ) ଦାଏର କରି ମୋର୍ବି ଝୁଲାପୋଲ ଦୁର୍ଘଟଣାର ବିଚାର ବିଭାଗୀୟ ତଦନ୍ତ କରାଯିବାକୁ ଆବେଦନ କରିଥିବା ବେଳେ ସର୍ବୋଚ୍ଚ ନ୍ୟାୟାଳୟ ଆସନ୍ତା ୧୪ ତାରିଖ ତାହାର ଶୁଣାଣୀ ପାଇଁ ଧାର୍ଯ୍ୟ କରିଛନ୍ତି ।
ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ୟୁ.ୟୁ.ଲଳିତଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠରେ ଏହି ପିଆଇଏଲ୍ ଦାଏର ହୋଇଛି । ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ମୋର୍ବି ଝୁଲାପୋଲ ଦୁର୍ଘଟଣାର ତଦନ୍ତ କରାଯିବାକୁ ସ ଆବେଦନ କରିଛନ୍ତି । ଦେଶର ବିଭିନ୍ନ ରାଜ୍ୟରେ ଏଭଳି ପୁରୁଣାକାଳିଆ ପୋଲ ଏବଂ କିର୍ତ୍ତୀରାଜି ଥିବାରୁ ସେସବୁର ଭିତ୍ତିଭୂମି କଣ ରହିଛି ଯାଂଚ କରାଯିବା ଦିଗରେ ରାଜ୍ୟ ସରକାରମାନେ ବିଶେଷଜ୍ଞ କମିଟିମାନ ଗଠନ କରିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦେଶ ଦେବାକୁ ମଧ୍ୟ ଜନସ୍ୱାର୍ଥ ମାମଲାରେ ଆଇନଜୀବୀ ତିୱାରୀ ନିବେଦନ କରିଛନ୍ତି । ଇତିମଧ୍ୟରେ, ମୋର୍ବି ଝୁଲାପୋଲ ଦୁର୍ଘଟଣାରେ ୧୩୫ ଜଣଙ୍କ ମୃତ୍ୟୁ ଘଟି ଥିବା ଦର୍ଶାଇ ରାଜ୍ୟ ସରକାର ପୂର୍ବ ଘୋଷଣା ଅନୁସାର ପ୍ରତ୍ୟେକ ମୃତବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଁଏ ମୋଟ ୫.୪୦ କୋଟି ଟଙ୍କା ବାଂଟି ସାରି ଥିିବା କଂଟ୍ରୋଲ ରୁମ୍ ଦାୟିତ୍ୱରେ ଥିବା ଅଧିକାରୀ କହିଛନ୍ତି । ରାଜ୍ୟ ସରକାର ପୋଲ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିବା ବେଳେ କେନ୍ଦ୍ର ସରକାର ପ୍ରତ୍ୟେକ ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଚିକିତ୍ସା ଖର୍ଚ୍ଚ ଦେବାକୁ ଘୋଷଣା କରିଛନ୍ତି ।
ମୋର୍ବି ଝୁଲାପୋଲ ଦୁର୍ଘଟଣାରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିବା ଓ ଶତାଧିକ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଥିବା ଅତ୍ୟନ୍ତ ଦୁଃଖଦାୟକ । ଏଭଳି ଏକ ମାନବିକ ସଂକଟ ସମୟରେ ଦୁର୍ଘଟଣାକୁ ନେଇ କେହି ରାଜନୀତି ବା ବୟାନବାଜୀ କରିବା ଉଚିତ ନୁହେଁ ବୋଲି ଗତକାଲି ‘ଭାରତ ଯୋଡୋ’ ପଦଯାତ୍ରାରେ ଥିବା ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମନ୍ତବ୍ୟ ରଖି ଥିଲେ । ତେବେ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗହେଲୋଟ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଘଟଣାର ବିଚାର ବିଚାଗୀୟ ତଦନ୍ତ ହେବା ଆବଶ୍ୟକ ବୋଲି ମତ ଦେଇଛନ୍ତି । ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ ତାହାକୁ ଦୋହରାଇଛନ୍ତି । ଦେଢ ଶହ ବର୍ଷ ପୁରୁଣା ମୋର୍ବି ଝୁଲାପୋଲ ଦୁର୍ବଳ ଥିଲା । ତାହାର ମରାମତି ଓ ରକ୍ଷଣାବେକ୍ଷଣ ଠିକା ‘ଓରେଭା’ ନାମକ ଏକ ଘଂଟା ଉତ୍ପାଦନ କଂପାନୀକୁ ଦିଆଯିବା କେତେଦୂର ଯୁକ୍ତି ସଂଗତ ବୋଲି ସେ ପ୍ରଶ୍ନ କରିଛନ୍ତି ।
ଏହି ପୋଲକୁ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଆଠରୁ ବାର ମାସ ପର୍ଯ୍ୟନ୍ତ ବନ୍ଦ ରଖାଯିବ ବୋଲି ମୋର୍ବି ପୌର ପ୍ରଶାସନ ଓ ‘ଓରେଭା’ ଗୃପ୍ ର ‘ଅଜନ୍ତା ମେନୁଫାକ୍ଚରିଂ ପ୍ରାଇଭେଟ ଲିମିଟେଡ’ ମଧ୍ୟରେ ଗତ ମାର୍ଚ୍ଚ ମାସରେ ରାଜିନାମା ହୋଇଥିଲା । ତେବେ, ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ କରୁଥିବା ‘ଓରେଭା’ ସାତ ମାସ ବନ୍ଦ ରଖି ଗତ ମାସ ୨୬ ତାରିଖ ଦିନ ସର୍ବସାଧାରଣଙ୍କ ପାଇଁ ପୋଲକୁ ଖୋଲି ଦେଇଥିଲା । ଗୁଜରାଟବାସୀ ୨୬ ତାରିଖ ନବବର୍ଷ ପାଳନ କରୁ ଥିବାରୁ ଆଗୁଆ ପୋଲ ଖୋଲି ଦିଆଯିବା ଏବଂ ଟିକଟ କରି ଶତାଧିକ ଲୋକଙ୍କୁ ଝୁଲାପୋଲ ଉପରକୁ ଯିବାକୁ ଅନୁମତି ଦିଆଯିବା ରବିବାର ଦୁର୍ଘଟଣାର ପ୍ରମୁଖ କାରଣ ଭାବେ ବିଚାର କରାଯାଉଛି ।
ସଂସ୍ଥା ଆଗୁଆ ମଚ୍ଛୁ ନଦୀ ପୋଲ ଖୋଲି ଦେଇଥିଲେ ମଧ୍ୟ ମୋର୍ବି ପøର ପ୍ରଶାସନକୁ ସୂଚିତ କରି ନଥିବା ଓ ଫିଟନେସ୍ ସାର୍ଟିଫିକେଟ୍ ଆଣି ନଥିବା ବିବାଦର କାରଣ ହୋଇଛି । ମୋର୍ବି ପୌର ପ୍ରଶାସନ ଏହି କାରଣ ଦର୍ଶାଇ ନିଜକୁ ନିରାପଦ ଦୂରତାରେ ରଖିଥିବା ବେଳେ ପୁଲିସ ଏହି ଦୁର୍ଘଟଣାକୁ ନେଇ ‘ଓରେଭା’ କଂପାନୀ ବିରୋଧରେ ଅନିଚ୍ଛାକୃତ ହତ୍ୟା ମାମଲା ରୁଜୁ କରି କଂପାନୀର ମୃାନେଜରଙ୍କ ସମେତ ୯ ଜଣଙ୍କୁ ଗିରଫ କରିଛନ୍ତି । ତେବେ, ପ୍ରଶାସନିକ ଅବହେଳା ପାଇଁ କାହାରି ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନଥିବା ସନ୍ଦେହର ବାତାବରଣ ସୃଷ୍ଟି କରିଛି । ତଦନ୍ତ ସମୟରେ ଯେଉଁମାନଙ୍କ ନାମ ଆସିବ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ପୁଲିସ କହିଥିବା ବେଳେ ବ୍ୟାପକ ପ୍ରଶାସନିକ ଆନିୟମିତତା ଓ ଦୁର୍ନୀତି ଯୋଗୁଁ ଏତେ ସଂଖ୍ୟକ ଲୋକ ଅକାଳରେ ମୃତ୍ୟୁର ଶିକାର ହୋଇଥିବା ‘ଆପ୍’ ମୁଖ୍ୟ କେଜରୀୱାଲ ଅଭିଯୋଗ କରିଛନ୍ତ । ସେ ସିଧାସଳଖ ରାଜ୍ୟ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
ମୋର୍ବି ଝୁଲାପୋଲ ଦୁର୍ଘଟଣା ପରେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ପୁରୁଣା ଭିଡ଼ିଓ ଏବେ ଅଧିକ ଚର୍ଚ୍ଚାର ଖୋରାକ ଯୋଗାଇଛି । ୨୦୧୬ରେ ପଶ୍ଚିମ ବଂଗ ବିଧାନସଭା ନିର୍ବାଚନ ସମୟରେ ରାଜ୍ୟରେ ଏଭଳି ଏକ ପୋଲ ଭୁଶୁଡିବା ଘଟଣା ଘଟିଥିଲା । ସେହି ସମୟରେ ନିର୍ବାଚନ ପ୍ରଚାରରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ଏହା ‘ଆକ୍ଟ ଅଫ୍ ଗଡ୍’ ନୁହେଁ, ‘ଆକ୍ଟ ଅଫ୍ ଫ୍ରଡ୍’ ବୋଲି ସମାଲୋଚନା କରିବା ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରି ଥିଲେ । ପୋଲ ଭଳି ପଶ୍ଚିମ ବଂଗରେ ମମତା ସରକାର ମଧ୍ୟ ଭୁଶୁଡି ଯିବ ବୋଲି ସେ ଚେତାବନୀ ଦେଇଥିଲେ । ଆଜି ଦିନରେ ତାଙ୍କ ନିଜ ରାଜ୍ୟ ଗୁଜରାଟରେ ଭୋଟ ପୂର୍ବରୁ ମୋର୍ବି ଝୁଲାପୋଲ ଭୁଶୁଡି ପଡିବା ଏବଂ ପ୍ରଧାନମନ୍ତ୍ରୀ କୌଣସି ମନ୍ତବ୍ୟ ନରଖି ନିରବ ରହିବା କାରଣ କଣ (?) ବୋଲି ବିରୋଧୀଙ୍କ ଆଡୁ ପ୍ରଶ୍ନ ହେଉଛି । ଏହି ଭିଡ଼ିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲିବା ରାଜ୍ୟ ସରକାର ପାଇଁ ଅଡୁଆ ହୋଇଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS