ଝୁଲା ପୋଲ ଦୁର୍ଘଟଣା ବିଜେପି ଭୋଟ ରାଜନୀତିକୁ କେତେଦୂର ପ୍ରଭାବିତ କରିବ ?
ପ୍ରସାଦ ରାଓ
ନଭେମ୍ବର ୦୩
ଡ଼ିସେମ୍ବର ପ୍ରଥମ ସପ୍ତାହରେ ଗୁଜରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଦେଶର ମୁଖ୍ୟ ନିର୍ବାଚନ ଆୟୁକ୍ତ (କମିଶନର) ରାଜୀବ କୁମାର ଆଜି ନୂଆଦିଲ୍ଲୀରେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଡ଼ିସେମ୍ବର ୧ ଓ ୫ ତାରିଖରେ ୧୮୨ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭା ପାଇଁ ଦୁଇ ପର୍ଯ୍ୟାୟରେ ନିର୍ବାଚନ ହେବ । ପ୍ରଥମ ପର୍ଯ୍ୟାୟରେ ୮୯ଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ୯୩ ବିଧାନସଭା ଆସନରେ ଭୋଟ ହେବ । ଡ଼ିସେମ୍ବର ୮ ତାରିଖ ଦିନ ହିମାଚଳ ପ୍ରଦେଶ ବିଧାନସଭା ଭୋଟ ସହ ଗୁଜରାଟ ବିଧାନସଭା ଭୋଟ ଫଳାଫଳ ପ୍ରକାଶ ପାଇବ । କମିଶନଙ୍କ ଏହି ଘୋଷଣାକୁ ସମସ୍ତଙ୍କ ଅପେକ୍ଷା ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଶେଷ ପର୍ଯ୍ୟାୟ ଗୁଜରାଟ ଗସ୍ତ ଓ ଘୋଷଣା ସାରିବା ପରେ ନିର୍ବାଚନ କମିଶନ ଭୋଟ ତାରିଖ ଘୋଷଣା କରିବା ବିରୋଧୀଙ୍କ ସମାଲୋଚନାର ସୁଯୋଗ ଦେଇଥିବା ବେଳେ କେତେକ ବୈଷୟିକ କାରଣରୁ ନିର୍ବାଚନ ତାରିଖ ଘୋଷଣା ବିଳମ୍ବିତ ହୋଇଥିବା ନିର୍ବାଚନ ଆୟୁକ୍ତ କହିଛନ୍ତି ।
୨୦୧୭ ଗୁଜରାଟ ବିଧାନସଭା ନିର୍ବାଚନ ବିଜେପି ଓ ବିରୋଧୀ କଂଗ୍ରେସ ମଧ୍ୟରେ ସୀମିତ ଥିଲା । ରାଜ୍ୟବାସୀ ଏକ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା ଦେଖିଥିଲେ । କିନ୍ତୁ, ୨୦୨୨ରେ ନିର୍ବାଚନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବାକୁ ଯାଉଛି । ବିଜେପି, କଂଗ୍ରେସ ସହ ଅରବିନ୍ଦ କେଜରୀୱାଲଙ୍କ ‘ଆମ୍ ଆଦମୀ ପାର୍ଟି’ ପ୍ରତିଦ୍ୱନ୍ଦ୍ୱିତାରେ ରହୁଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମତେ ବରିଷ୍ଠ କଂଗ୍ରେସ ନେତାମାନେ ‘ଭାରତ ଯୋଡୋ’ ଯାତ୍ରାରେ ମାତି ଏପର୍ଯ୍ୟନ୍ତ ଗୁଜରାଟ ପ୍ରଚାର ମୈଦାନକୁ ଆସି ନାହାନ୍ତି । ତେବେ, ରାଜ୍ୟରେ ବିଜେପି ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ପ୍ରଚାର ନିର୍ବାଚନ ମୈଦାନକୁ ସରଗରମ ରଖିଛି । କେଜରୀୱାଲ ଏଥର ଗୁଜରାଟରେ ‘ଆପ୍’ର ସରକାର ବୋଲି ଦୃଢ ଦାବି କରୁଥିବା ବେଳେ ବିଜେପି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ଥିବା ଦେଖିବାକୁ ମିଳୁଛି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ମଧ୍ୟ ଗୁଜରାଟ ଗଡ଼ ରକ୍ଷା ପାଇଁ ପୂର୍ଣ୍ଣ ସମୟ ଦେଇଛନ୍ତି । ବିଜେପି ରାଜ୍ୟରେ ଏଥର ୨୦୧୭ ତୁଳନାରେ ଅଧିକ ସଂଖ୍ୟାରେ ଆସନ ପାଇବ ବୋଲି ସେମାନେ ଦାବି କରୁଛନ୍ତି ।
ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ସୌରାଷ୍ଟ୍ର ଅଂଚଳର ମୋର୍ବିରେ ରବିବାର (ଅକ୍ଟୋବର ୩୦ତାରିଖ) ସନ୍ଧ୍ୟାରେ ଘଟି ଥିବା ଝୁଲା ପୋଲ ଦୁର୍ଘଟଣା ଏଥର ବିଜେପି ଭୋଟକୁ ବହୁମାତ୍ରାରେ ପ୍ରଭାବିତ କରି ପାରେ ବୋଲି ଆଲୋଚନା ହେଉଥିବା ବେଳେ ସାମଗ୍ରିକ ଭାବେ ଏହାର ପ୍ରଭାବ ମାତ୍ର ମୋର୍ବି ପୌରାଂଚଳରେ ରହି ପାରେ ବୋଲି ବିଜେପି ସମର୍ଥମାନେ କହୁଛନ୍ତି । ତଥାପି, ସବୁବେଳେ ବିରୋଧୀଙ୍କୁ ‘ଦୁର୍ନୀତିଗ୍ରସ୍ତ’ ବୋଲି ସମାଲୋଚନା କରି ଆସୁଥିବା ବିଜେପି ଝୁଲା ପୋଲ ଦୁର୍ଘଟଣାକୁ ନେଇ ରକ୍ଷାତ୍ମକ ସ୍ଥିତିରେ ଥିଲା ଭଳି ମନେ ହେଉଛି । ଦୁଇ କୋଟି ଟଙ୍କାର ପୋଲ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଓ ଅନିୟମିତା ହୋଇଥିବା ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ରଭାଇ ପଟେଲ ସରକାରକୁ ସମାଲୋଚନା ପରିଧି ଭିତରକୁ ଟାଣି ଆଣିଛି । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଦୀର୍ଘ ବର୍ଷ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ । ଲଗାତର ସରକାରୀ ଅବହେଳା ଓ ଦୁର୍ନୀତି ରବିବାର ଦୁର୍ଘଟଣା ପାଇଁ ଦାୟି ବୋଲି ବିରୋଧୀ କହୁଛନ୍ତି । ଏହି ଦୁର୍ଘଟଣାରେ ଶତାଧିକ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଛନ୍ତି । ଏହାକୁ ନେଇ ମୋର୍ବିରେ ପଟେଲ ସରକାରଙ୍କ ବିରୋଧରେ ଜନଆକ୍ରୋଶ ଚରମରେ ରହିଛି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।
ବିଜେପି ସର୍ବଦା ବିରୋଧୀଙ୍କୁ ‘ଦୁର୍ନୀତିଗ୍ରସ୍ତ’ କହି ସେମାନଙ୍କ ବିରୋଧରେ ସିବିଆଇ, ଇଡ଼ି ଓ ଆୟକର ବିଭାଗକୁ ପ୍ରୟୋଗ କରୁଥିବା ବେଳେ ମୋର୍ବି ଝୁଲା ପୋଲ ଦୁର୍ଘଟଣାକୁ ନେଇ ନିରବ ରହିବା ଏବଂ ବ୍ୟାପକ ଅବହେଳା ଓ ଦୁର୍ନୀତି ଅଭିଯୋଗ ସତ୍ତ୍ୱେ କେନ୍ଦ୍ରୟ ତଦନ୍ତକାରୀ ସଂସ୍ଥାଙ୍କ ଦ୍ୱାରା ତଦନ୍ତ କଥା ଉଠାଉ ନଥିବା ସମସ୍ତଙ୍କୁ ଆଚମ୍ବିତ କରିଛି । ଏହି ଝୁଲା ପୋଲ ଦୁର୍ଘଟଣାକୁ ନେଇ ଯେଉଁ ତଥ୍ୟ ସବୁ ସାମ୍ନାକୁ ଆସୁଛି ସେଥିରେ ପ୍ରଶାସନିକ ଅବହେଳା ଓ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଛି । ବ୍ରିଟିଶ ଅମଳର ଏହି ପୋଲ ଯେ ଦୁର୍ବଳ ଅବସ୍ଥାରେ ଥିଲା ଏବଂ ଯେକୌଣସି ସମୟରେ ଦୁର୍ଘଟଣାର ଆଶଙ୍କା ଥିଲା, ତାହା ମୋର୍ବି ପ୍ରଶାସନ ବହୁ ପୂର୍ବରୁ ଅବଗତ ଥିଲେ । ତଥାପି, ‘ଓରେଭା’ ଭଳି ଏକ ଅନଭିଜ୍ଞ କଂପାନୀ ଦ୍ୱାରା ଅସ୍ଥାୟୀ ଭାବେ ଏହାର ମରାମତି ଓ ରକ୍ଷଣାବେକ୍ଷଣ କରାଉଥିଲେ । ନିମ୍ନମାନର ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଯୋଗୁଁ ପୋଲର ଅବସ୍ଥା ଶୋଚନୀୟ ହୋଇ ରବିବାରର ଦୁର୍ଘଟଣା ଘଟି ଥିବା କୁହାଯାଉଛି ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଘଂଟା ଓ ଦୁଇ ଚକିଆ ଯାନ ତିଆରି କରୁଥିବା ‘ଓରେଭା’ କଂପାନୀ ୨୦୦୭ରୁ ଏହି ଝୁଲା ପୋଲର ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ଅସ୍ଥାୟୀ ଭାବେ କରିଆସୁଥିଲା । ତେବେ, ଅସ୍ଥାୟୀ ଠିକାକୁ ନେଇ ‘ଓରେଭା’ ଗୃପ୍ ଅସନ୍ତୁଷ୍ଟ ଥିଲ ଏବଂ ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଦୀର୍ଘକାଳୀନ ଠିକା ଚାହୁଁ ଥିଲେ । ୨୦୨୦ ଅଗଷ୍ଟ ୮ ତାରିଖରେ ‘ଓରେଭା’ ଗୃପ୍ ମୋର୍ବି ଜିଲ୍ଲାପାଳ ଓ ପୌର ପ୍ରଶାସନକୁ ଏନେଇ ଲେଖିଥିବା ଚିଠି ଏବେ ସାର୍ବଜନୀନ ହୋଇଛି । ୨୦୨୦ ଜାନୁୟାରୀ ୨୯ ତାରିଖରେ ମୋର୍ବି ଜିଲ୍ଲାପାଳ, ପୌରପାଳିକା ମୁଖ୍ୟ ଅଧିକାରୀ ଏବଂ ‘ଓରେଭା’ ଗୃପ୍ ମଧ୍ୟରେ ଏକ ବୈଠକ ହୋଇଥିଲା । ତେବେ, ‘ଓରେଭା’ ଗୃପ୍ ଅସ୍ଥାୟୀ ଭାବେ ହିଁ ପୋଲର ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ କରିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା ବୋଲି ସାବଜନୀନ ହୋଇଥିବା ଚିଠିରୁ ସୂଚନା ମିଳୁଛି ।
ଏହି ଘରୋଇ ସଂସ୍ଥା ୨୦୦୭ରୁ ମୋର୍ବି ଝୁଲା ପୋଲର ମରାମତି ଓ ରକ୍ଷଣାବେକ୍ଷଣ କରି ଆସୁଥିବାରୁ ପୋଲର ବିପଜ୍ଜନକ ଅବସ୍ଥା ସଂପର୍କରେ ଆଗରୁ ଭଲ ଭାବରେ ଅବଗତ ରହିଛି । ଗତ ମାର୍ଚ୍ଚ ମାସରେ ପୌର ପ୍ରଶାସନ ପୁନର୍ବାର ପୋଲର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଅସ୍ଥାୟୀ ଠିକା ଦେବାରୁ କାମରେ ଖଇଚା ହୋଇଥିବା ଅନୁମାନ କରାଯାଉଛି । ରବିବାର ଦୁର୍ଘଟଣାର ତଦନ୍ତ କରୁଥିବା ବିଶେଷଜ୍ଞ ଓ ପ୍ରଶାସନିକ ଅଧିକାରୀମାନେ ଯେଉଁ ପ୍ରାଥମିକ ତଦନ୍ତ ରିପୋର୍ଟ ଦାଖଲ କରିଛନ୍ତି ସେଥିରେ ସ୍ପଷ୍ଟ ଉଲ୍ଲେଖ ରହିଛି ଯେ, ଝୁଲା ପୋଲର ମରାମତି ଓ ରକ୍ଷଣାବେକ୍ଷଣରେ ନିମ୍ନମାନର କାମ ହୋଇଛି । ‘ଓରେଭା’ ସଂସ୍ଥା ଅସ୍ଥାୟୀ ଠିକା ପାଇବା ପରେ ଏକ ଅନଭିଜ୍ଞ ନିର୍ମାଣ ସଂସ୍ଥାକୁ ତାହା ସବ୍ କଂଟ୍ରାକ୍ଟରେ ଦେଇ କାମ କରାଇ ଥିଲା । କେବଳ ୱେଲଡିଂ କାମ କରିଥିବା ସବ୍ କଂଟ୍ରାକ୍ଟର ମରାମତି ଓ ରକ୍ଷଣାବେକ୍ଷଣ ନାମରେ ଝୁଲା ପୋଲ ପ୍ଲାଟଫର୍ମରୁ ହାଲକା କାଠ ପଟା ହଟାଇ ଆଲୁମିନିୟମ ପ୍ଲେଟ୍ ଲଗାଇ ଦେବା, ପୋଲକୁ ଶକ୍ତ ଭାବେ ଝୁଲାଇ ରଖି ଥିବା କେବୁଲଗୁଡିକ କଳଙ୍କି ଧରି ନଷ୍ଟ ହୋଇଯାଇଥିଲେ ମଧ୍ୟ ସେଗୁଡିକ ବଦଳା ଯାଇ ନଥିବା ଏବଂ ଅସମୟରେ ପୋଲକୁ ଖୋଲି ଦେଇ ଭିଡ଼ ନିୟନ୍ତ୍ରଣ ଦିଗରେ କୌଣସି ପଦକ୍ଷେପ ନ ନେବାରୁ ରବିବାର ମାତ୍ରାଧିକ ଭିଡ଼କୁ ସମ୍ଭାଲି ନପାରି ପୋଲଟି ମଧ୍ୟଭାଗରୁ ଛିଣ୍ଡି ଯାଇ ନଦୀ ଗର୍ଭକୁ ଖସି ପଡିବା ତଦନ୍ତରୁ ଜଣାପଡିଛି ।
ଦୁର୍ଘଟଣା ପରେ ନଦୀ ବାଲିରେ ପଡି ରହିଥିବା କଳଙ୍କି ଲଗା ଛିଣ୍ଡା କେବୁଲଗୁଡିକ ଦେଖିଲେ ଯେ କେହି ମରାମତି କାର୍ଯ୍ୟରେ ହୋଇଥିବା ଅବହେଳାକୁ ଅନୁମାନ କରିପାରିବ । ୨୦୦୭ରୁ ‘ଓରେଭା’ ଏହି ପୋଲର ମରାମତି ଓ ରକ୍ଷଣାବେକ୍ଷଣ କରି ଆସୁଥିଲା । ତେଣୁ, ପୋଲିସ ବାସ୍ତବିକ ସ୍ଥିତି ସଂପର୍କରେ ଅଜ୍ଞ ନଥିଲା । ତଥାପି, ଡ଼ିସେମ୍ବରରେ ଖୋଲିବାକୁ ଥିବା ପୋଲକୁ ସାତ ମାସ ବନ୍ଦ ରଖି ଅକ୍ଟୋବର ୨୬ରେ ସର୍ବସାଧାରଣଙ୍କ ପାଇଁ ଖୋଲି ଦେଲା । ଏଥିସକାଶେ, ବିଶେଷଜ୍ଞ ଅଡିଟ କରାଯାଇନାହିଁ ବା ପୌର ପ୍ରଶାସନ ପକ୍ଷରୁ ଫିଟନେସ୍ ସାର୍ଟିଫିକେଟ ମିଳି ନାହିଁ । ତେବେ, ମୋର୍ବି ପୌର ପ୍ରଶାସନ ଏନେଇ ସଂପୂର୍ଣ୍ଣ ଅଜ୍ଞ ଥିଲେ ବୋଲି କହିବା ଭୁଲ ହେବ । ସବୁ କିଛି ସମସ୍ତଙ୍କ ଜାଣତରେ ହୋଇଥିବା ଅନୁମାନ କରାଯାଉଛି ଏବଂ ତଦନ୍ତ ସେହି ଦିଗରେ ଚାଲିଛି ବୋଲି ତଦନ୍ତ କରୁଥିବା ପୁଲିସ ଅଧିକାରୀମାନେ କହିଛନ୍ତି ।
ସେମାନେ କହିବା ଅନୁସାରେ, ୧୪୩ ବର୍ଷର ଏହି ପୋଲର ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ‘ଓରେଭା’କୁ ଦେବା ପୂର୍ବରୁ ପୋଲର ଷ୍ଟ୍ରକ୍ଚରାଲ ଅଡିଟ ହୋଇ ନାହିଁ । ମରାମତିରେ ଉପଯୁକ୍ତ ମାନର ସାମଗ୍ରୀ ବ୍ୟବହାର ହୋଇ ନାହିଁ । କୌଣସି ପ୍ରକାର ଦୁର୍ଘଟଣା ଘଟିଲେ ସେଥିରୁ ରକ୍ଷା ପାଇବା ପାଇଁ ଯେଉଁ ଏମେର୍ଜେନ୍ସୀ ରେସ୍କୁ୍ୟ ଏଣ୍ଡ ଇଭାକ୍ୟୁସନ ପ୍ଲାନ ହେବା କଥା ତାହା ମଧ୍ୟ ହୋଇ ନାହିଁ । ଠିକାଦାର କେବଳ ଅର୍ଥ କମାଇବା ଲାଳସାରେ ଅକ୍ଟୋବର ୨୬ରେ ପୋଲକୁ ସର୍ବସାଧାରଣଙ୍କ ପାଇଁ ଖୋଲି ଦେଲେ । ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ କେବୁଲ ଗୁଡିକ ପଲିସ୍ କରି ରଂଗ ଦେବାରେ ସୀମିତ ଥିବା ମନେ ହେଉଛି । କଳଙ୍କି ଲାଗି ନଷ୍ଟ ହୋଇ ଯାଇଥିବା କେବୁଲଗୁଡିକୁ ବଦଳା ନଯିବାରୁ ମାତ୍ରାଧିକ ଭାର ସମ୍ଭାଳି ନପାରି ପୋଲ ମଧ୍ୟ ଭାଗରୁ ଛିଣ୍ଡି ପଡିଥିଲା । ଝୁଲା ପୋଲ ଏକସମୟରେ ୧୨୫ ଜଣଙ୍କ ଭାର ସମ୍ଭାଳିବାକୁ ସକ୍ଷମ ଥିବା ବେଳେ ଦୁର୍ଘଟଣା ଦିନ ୪୦୦ ଅଧଇକ ଲୋକ ତାହା ଉପରେ ଥିଲେ । ଭିଡ଼ ନିୟନ୍ତ୍ରଣ ଦିଗରେ ମେର୍ବି ପୌର ପ୍ରଶାସନ ବା ଠିକା ସଂସ୍ଥା କୌଣସି ବ୍ୟବସ୍ଥା କରି ନଥିଲେ । ଠିକା ସଂସ୍ଥା ସେଦିନ କେତେ ଟିକଟ ବିକିଛି ତାହାର ମଧ୍ୟ କୌଣସି ହିସାବ ମିଳୁନି ।
ଜିଲ୍ଲା ପ୍ରଶାସନ, ପୌରପାଳିକା ଓ ଠିକାଦାର ମିଳିତ ଭାବେ ଏତେ ସବୁ ଅନିୟମିତତା ପାଇଁ ଦାୟି ଥିବା ବେଳେ ୩୦ ତାରିଖ ଦୁର୍ଘଟଣାକୁ ନେଇ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛନ୍ତି । ‘ଓରେଭା’ର ଚାରି ଜଣ କର୍ମଚାରୀଙ୍କ ସମତେ ମୋଟ ୯ ଜଣଙ୍କୁ ଗିରଫ କରାଯାଇଛି । ମୋର୍ବି ପୌର ପ୍ରଶାସନର କୌଣସି ଅଧିକାରୀଙ୍କୁ ଏହି ଅଘଟଣ ପାଇଁ ଦାୟି କରାଯାଇନାହିଁ ବା କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ପ୍ରଶାସନିକ ଅବହେଳା ଜଳଜଳ ଦିଶୁଥିବା ବେଳେ ରାଜ୍ୟ ସରକାର ଏସଆଇଟି ତଦନ୍ତ ଆଦେଶ ଦେଇ ଚୁପ । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଦୁର୍ଘଟଣାର ସମୀକ୍ଷା କରି ସରକାରୀ ଅବହେଳାର ସୁରାକ ପାଇ ଥିଲେ ମଧ୍ୟ ନିରବ । ରାଜ୍ୟ ଓ କେନ୍ଦ୍ର ସରକାର ମୃତାହତଙ୍କୁ କ୍ଷତିପୂରଣ ଓ ଚିକିତ୍ସା ଖର୍ଚ୍ଚ ଦେଇ ମାମଲାକୁ ଥଣ୍ଡା କରି ଦେବାକୁ ଚାହୁଁଛନ୍ତି । ତେବେ, ପୋଲ ଦୁର୍ଘଟଣାରେ ସର୍ବାଧିକ ସଂଖ୍ୟକ ମହିଳା ଓ ଶିଶୁଙ୍କ ମୃତ୍ୟୁ ଘଟି ଥିବାରୁ ଓ ଗୋଟିଏ ଗୋଟିଏ ପରିବାର ନିଶ୍ଚିହ୍ନ ହୋଇଯାଇଥିବାରୁ ଅଂଚଳରେ ସରକାର ବିରୋଧୀ ଜନଅସନ୍ତୋଷ ତୀବ୍ର ରହିଛି ।
କିନ୍ତୁ, ଡ଼ିସେମ୍ବରରେ ହେବାକୁ ଥିବା ଭୋଟ ପର୍ଯ୍ୟନ୍ତ ତାହା ଜମାଟ ବାନ୍ଧି ରହିବ ନା ତରଳି ଯିବ, କହି ହେଉନାହିଁ । ମୋର୍ବି ଦୁର୍ଘଟଣାର ପ୍ରଭାବ ରାଜ୍ୟର ଅନ୍ୟତ୍ର କିଭଳି ରହିବ ଏବଂ ଭୋଟକୁ କେତେ ପ୍ରଭାବିତ କରିବ, ତାହା ଏବେଠାରୁ କହିବା ମଧ୍ୟ ସମ୍ଭବ ନୁହେଁ । ତେଣୁ, ସରକାର ଆଶ୍ୱସ୍ତ । ଅତୀତରେ, ବିଭିନ୍ନ ନିର୍ବାଚନରେ ସରକାର-ବିରୋଧୀ ପ୍ରତିକୂଳ ବାତାବରଣ ସତ୍ତ୍ୱେ ଭୋଟର ଭୋଟ ଦେବା ବେଳେ ସେସବୁ ଭୁଲି ବିଜେପି ସପକ୍ଷରେ ଭୋଟ ଦେଇଛନ୍ତି । ଏଥର ମଧ୍ୟ ତାହା ହୋଇପାରେ ବୋଲି ବିଜେପି ଆଶା କରୁଛି । ଯଦି ରାଜ୍ୟବ୍ୟାପୀ ସରକାର ବିରୋଧୀ ଅସନ୍ତୋଷ ଥିବା ଦେଖିବାକୁ ମିଳିବ ତେବେ ସରକାର କିଛି ହାଇ-ପ୍ରୋଫାଇଲ୍ ଅଧିକାରୀଙ୍କୁ ଗିରଫ କରି ଜନମତ ବଦଳାଇବାକୁ ପଛାଇବେ ନାହିଁ ବୋଲି ରାଜନୈତିକ ବିଶ୍ଲେଷକମାନେ ଅନୁମାନ କରୁଛନ୍ତି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS