ଗୁଜରାଟରେ ଇସୁଦାନ ଗଡଭି ‘ଆପ୍’ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ
ପ୍ରସାଦ ରାଓ
ନଭେମ୍ବର ୦୪
ଗତକାଲି ଭାରତୀୟ ନିର୍ବାଚନ ଆୟୁକ୍ତ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ପରେ ଆଜି ‘ଆମ୍ ଆଦମୀ ପାର୍ଟି’ ପକ୍ଷରୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ‘ଆପ୍’ ମୁଖ୍ୟ ଅରବିନ୍ଦ କେଜରୀୱାଲ ଦଳର ଜାତୀୟ ଯୁଗ୍ମ ସାଧାରଣ ସଂପାଦକ ଇସୁଦାନ ଗଡଭି (୪୦)ଙ୍କ ନାମ ଗୁଜରାଟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ଇସୁଦାନ ସାମ୍ବାଦିକତାରୁ ରାଜନୀତିକୁ ଆସିଛନ୍ତି । ‘ଆପ୍’ ପଂଜାବ ଭଳି ଗୁଜରାଟରେ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ ପାଇଁ ଜନମତ ସଂଗ୍ରହ କରିଥିଲା । ଇସୁଦାନଙ୍କ ସପକ୍ଷରେ ୭୩ ପ୍ରତିଶତ ଜନମତ ମିଳି ଥିବା କେଜରୀୱାଲ ସୂଚନା ଦେଇଛନ୍ତି । ଇସୁଦାନ ‘ଆପ୍’ର ଜାତୀୟ ଯୁଗ୍ମ ସାଧାରଣ ସଂପାଦକ ସହ ଜାତୀୟ କାର୍ଯ୍ୟକାରୀଣୀ ସଦସ୍ୟ ରହିଛନ୍ତି । ୧୯୮୨ ଜାନୁୟାର ୧୦ ତାରିଖରେ ଗୁଜରାଟର ଦ୍ୱାରକା ଜିଲ୍ଲାରେ ପିପଲିଆ ଗ୍ରାମରେ ଜନ୍ମିତ ଇସୁଦାନ ଜଣେ ପେଶାଦାର ସାମ୍ବାଦିକ ଥିଲେ ଏବଂ ୨୦୨୧ରେ ‘ଆପ୍’ରେ ଯୋଗ ଦେଇଥିଲେ । ଆସନ୍ତା ଡ଼ିସେମ୍ବର ପ୍ରଥମ ସପ୍ତାହରେ ହେବାକୁ ଯାଉଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ରାଜ୍ୟବାସୀ ‘ଆପ୍’ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ କାହାକୁ ଦେଖିବାକୁ ଚାହୁଁଛନ୍ତି ଏସଏମଏସ, ହ୍ୱାଟସଆପ୍, ଇ-ମେଲ୍ ଓ ଭଏସ୍ ମେଲ୍ ମାଧ୍ୟମରେ ସୂଚିତ କରିବାକୁ ‘ଆପ୍’ ନେତୃତ୍ୱ ଗତ ମାସ ୨୯ ତାରିଖ ଦିନ ନିବେଦନ କରିଥିଲେ । ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀତ୍ୱ ପାଇଁ ଦୁଇଟି ନାମ ଉପସ୍ଥାପନ କରାଯାଇଥିଲା । ଗୁଜରାଟରେ ‘ଆପ୍’ର ମୁଖ୍ୟ ଥିବା ଗୋପାଳ ଇଟାଲିଆ ଓ ଜାତୀୟ ଯୁଗ୍ମ ସାଧାରଣ ସଂପାଦକ ଇସୁଦାନ ଗଡଭି ମଧ୍ୟରୁ ଜନତା କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଦେଖିବାକୁ ଚାହୁଁଛନ୍ତି ଜଣାଇବାକୁ କୁହାଯାଇଥିବା ବେଳେ ଦଳ ନିକଟରେ ୧୫ ଲକ୍ଷରୁ ଅଧିକ ମତାମତ ପହଂଚି ଥିଲା । ସେଥିରୁ ସର୍ବାଧିକ ୭୩ ପ୍ରତିଶତ ମତ ଇସୁଦାନଙ୍କ ସମର୍ଥନରେ ଆସି ଥିବା କେଜରୀୱାଲ କହିଛନ୍ତି । ଦୌଡରେ ‘ଆପ୍’ ରାଜ୍ୟ ସଭାପତି ଇଟାଲିଆ ପଛରେ ପଡିଛନ୍ତି । ରାଜ୍ୟରେ ଦୁଇ ଦଶନ୍ଧିରୁ ଅଧିକ ସମୟ ହେଲା ବିଜେପି ଶାସନ ଚାଲିଛି । କଂଗ୍ରେସ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ରହିଛି । ତେବେ, ୨୦୨୨ ନିର୍ବାଚନରେ ‘ଆପ୍’ ନିର୍ବାଚନ ମଇଦାନରେ ଅବତରଣ କରି ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତାର ସୂତ୍ରପାତ କରିଛି । ୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ୧୦୦ ଟପି ନପାରି ୯୯ରେ ସୀମିତ ରହିଥିବା ବେଳେ ୨୦୨୨ ନିର୍ବାଚନରେ ୧୫୦ ଆସନର ଟାର୍ଗେଟ୍ ରଖିଛି । କିଛି ପ୍ରାକ୍ ନିର୍ବାଚନ ସର୍ଭେ ରିପୋର୍ଟ ୨୦୨୨ ବିଧାନସଭା ନିର୍ବାଚନରେ ବିଜେପି ୧୩୫ ପର୍ଯ୍ୟନ୍ତ ଆସନ ମିଳିବ ବୋଲି ଆକଳନ କରିଥିବା ବେଳେ ରାଜ୍ୟରେ ସରକାର ବିରୋଧୀ ଜନମତ ଥିବାରୁ ଏବଂ କଂଗ୍ରେସର ସ୍ଥିତି ଦୁର୍ବଳ ରହି ଥିବାରୁ ଜନତା ‘ଆପ୍’କୁ ବାଛିବେ ବୋଲି କେଜରୀୱାଲ ଦାବି କରୁଛନ୍ତି । ଦେଶର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଗୁରୁବାର ଦିନ ଗୁଜରାଟ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରି ଡ଼ିସେମ୍ବର ୧ ଓ ୫ରେ ଦୁଇ ପର୍ଯ୍ୟାୟରେ ଭୋଟ ହେବ ବୋଲି ସୂଚିତ କରିଛନ୍ତି । ଡ଼ିସେମ୍ବର ୮ ତାରିଖରେ ଫଳାଫଳ ଘୋଷଣା ହେବ । ୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭାର ସମସ୍ତ ଆସନରୁ ‘ଆପ୍’ ପ୍ରାର୍ଥୀ ଦେବ ବୋଲି ଦଳର ମୁଖ୍ୟ କେଜରୀୱାଲ ପୂର୍ବରୁ ଘୋଷଣା କରିଥିଲେ । ନିର୍ବାଚନ ତାରିଖ ଘୋଷଣା ପରେ ଦଳ ଆଜି ଆଉ ୧୦ଟି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଫଳରେ, ଆଜି ସୁଦ୍ଧା ୧୧୮ ଆସନ ପାଇଁ ‘ଆପ୍’ ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଥିବା ଦଳୀୟ ସୂତ୍ରରୁ ଜଣାପଡିଛି । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇସୁଦାନ ୨୦୦୭ରୁ ୨୦୧୧ ପର୍ଯ୍ୟନ୍ତ ଇଟିଭି ଗୁଜରାଟୀରେ ପୋରବନ୍ଦରରୁ ଜଣେ କ୍ଷେତ୍ର ସାମ୍ବାଦିକ (ଫିଲ୍ଡ ଜର୍ଣ୍ଣାଲିଷ୍ଟ) ଭାବେ କାର୍ଯ୍ୟ କରୁଥିଲେ । ୨୦୧୫ରେ ସେ ଭିଟିଭିରେ ଯୋଗଦେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପରିଚାଳନା କରୁଥିଲେ । ଗୁଜରାଟର ଡାଙ୍ଗ ଓ କାପରଦା ତାଲୁକାରେ ବେଆଇନ ଜଂଗଲ ପଦା କରାଯିବା ମାଧ୍ୟମରେ ୧୫୦ କୋଟି ଟଙ୍କାର ଦୁର୍ନୀତିର ପର୍ଦ୍ଦାଫାସ କରି ଇସୁଦାନ ଲୋକପ୍ରିୟତା ଅର୍ଜନ କରିଥିଲେ । ରାଜ୍ୟ ସରକାର ଏହି ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲେ । ଇସିଦାନ ଓବିସି (ଅନ୍ୟାନ୍ୟ ପଛୁଆ ଜାତି)ର ଥିବାରୁ ଏବଂ ରାଜ୍ୟ ଜନସଂଖ୍ୟାର ୪୮ ପ୍ରତିଶତ ଓବିସି ହୋଇଥିବାରୁ ‘ଆପ୍’ ଇସୁଦାନଙ୍କୁ ମୁଖ୍ୟମନ୍ତ୍ରୀ ମୁହଁ ଭାବେ ଉପସ୍ଥାପନ କରି ଗୁଜରାଟ ନିର୍ବାଚନର ସାମ୍ନା କରିବାକୁ ଯାଉଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS