କାଲି ଧାମନଗର ବିଧାନସଭା ଉପ ନିର୍ବାଚନ ଫଳାଫଳ
ପ୍ରସାଦ ରାଓ
ନଭେମ୍ବର ୦୫
ଭଦ୍ରକ ଜିଲ୍ଲା ଧାମନଗର ବିଧାନସଭା ଆସନ ପାଇଁ ୩ ତାରିଖ ହୋଇଥିବା ଉପ ନିର୍ବାଚନ ଫଳାଫଳ ରବିବାର (୬ ତାରିଖ) ପ୍ରକାଶ ପାଇବ । ଏହି ଉପ ନିର୍ବାଚନରେ ବିଜେଡ଼ି, ବିଜେପି ଓ କଂଗ୍ରେସ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଥିବା ବେଳେ ବିଜେଡ଼ିର ଜଣେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଦଳୀୟ ଟିକଟ ନପାଇ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁ ଥିବାରୁ ଫଳାଫଳ ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି । କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ କେତେ ଭୋଟ ପାଇବାରେ ସକ୍ଷମ ହେବେ ଏବଂ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ବିଜେଡ଼ିର କେତେ ଭୋଟ ବିଭାଜନ କରିବେ ତାହା ଉପରେ ଧାମନଗର ଉପ ନିର୍ବାଚନ ଫଳାଫଳ ନିର୍ଭର କରୁଥିବା ବେଳେ ଉଭୟ ବିଜେଡ଼ି ଓ ବିଜେପି ଉପ ନିର୍ବାଚନରେ ବିଜୟ ସୁନିଶ୍ଚିତ ଥିବା ଦାବି କରୁଛନ୍ତି । ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ନେତା ବିଷ୍ଣୁ ଚରଣ ସେଠୀ ଏହି ଆସନରୁ ବିଜୟୀ ହୋଇଥିଲେ । ନିକଟରେ ତାଙ୍କ ଦେହାନ୍ତ ଘଟିବା ପରେ ଏହି ଉପ ନିର୍ବାଚନ ହେଉଛି । ବିଜେପି ଦିବଂଗତ ବିଧାୟକ ସେଠୀଙ୍କ ପୁଅ ସୁରଜ ସୂର୍ଯ୍ୟବଂଶୀଙ୍କୁ ଟିକଟ ଦେଇ ଅନୁକଂପା ଭୋଟ ପାଇବା ଆଶା ରଖି ଥିବା ବେଳେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଅନୁକଂପା ଭୋଟକୁ କାଟିବା ପାଇଁ ଜଣେ ମିସନ୍ ଶକ୍ତି ନେତ୍ରୀ ଅବନ୍ତୀ ଦାସଙ୍କୁ ଦଳର ପ୍ରାର୍ଥୀ କରିଛନ୍ତି । ଅବନ୍ତୀଙ୍କୁ ବିଜେଡ଼ି ପ୍ରାର୍ଥୀ କରାଯିବାରୁ ଅସନ୍ତୁଷ୍ଟ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ବିଦ୍ରୋହ ଘୋଷଣା କରି ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନରେ ଅଛନ୍ତି । କଂଗ୍ରେସ ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କରିଥିଲେ ମଧ୍ୟ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ହାର ମାନି ନେଇଛି । ଫଳାଫଳ ‘ଅନୁକଂପା’ ବନାମ ‘ମିସନ୍ ଶକ୍ତି’ ହେବାକୁ ଯାଉଥିବା ଆଲୋଚନା ହେଉଛି । ଭୋଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଭର୍ଚୁଆଲ ଭାଷଣ ଦେଇ ଧାମନଗର ନିର୍ବାଚନମଣ୍ଡଳୀ କଥା ସେ ନିଜେ ବୁଝିବେ ବୋଲି ଅଂଚଳବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ପୂର୍ବରୁ ମଧ୍ୟ ବିଭିନ୍ନ ଉପ ନିର୍ବାଚନରେ ସେ ଏଭଳି ପ୍ରତିଶ୍ରୁତି ଦେଇ ଆସିଛନ୍ତି । ତେଣୁ, ଏଥର ଧାମନଗରବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି କେତେଦୂର ଭୋଟରେ ପରିଣତ ହୋଇଛି, ତାହା କାଲି ସ୍ପଷ୍ଟ ହେବ । ଦିଗଂଗତ ବିଧାୟକ ସେଠୀ ବିଧାନସଭାରେ ବିଜେପିର ଉପ ନେତା ଥିଲେ । ସେ ୨୦୦୦ ମସିହାରେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବିଧାନସଭା ଆସନ ଓ ୨୦୧୯ରେ ଧାମନଗର ବିଧାନସଭା ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । କେବଳ ଜଣେ ରାଜନେତା ନୁହେଁ, ଜଣେ ସୁସାହିତ୍ୟିକ ଭାବେ ମଧ୍ୟ ତାଙ୍କ ପରିଚିତି ଥିଲା । ସ୍ୱର୍ଗତ ବିଷ୍ଣ ସେଠୀଙ୍କ ଲୋକପ୍ରିୟତା ତାଙ୍କ ପୁତ୍ର ସୂରଜ ସୂର୍ଯ୍ୟବଂଶୀଙ୍କୁ ବହୁ ଅଧିକ ଭୋଟରେ ବିଜୟୀ କରାଇବାରେ ସହାୟକ ହେବ ବୋଲି ବିଜେପି ଆଶା ରଖିଥିବା ବେଳେ ବିଜେଡ଼ି ଏହି ଉପ ନିର୍ବାଚନ ଜିତିବା ପାଇଁ ସବୁ ପ୍ରକାର ରଣନୀତି ପ୍ରଦର୍ଶନ କରି ସାରିଛି । ନିର୍ବାଚନ ମଣ୍ଡଳୀର ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ସକାଶେ ଦଳ ଜଣେ ମିସନ୍ ଶକ୍ତି ନେତ୍ରୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କ ବିଜୟ ପାଇଁ ସଂପୂର୍ଣ୍ଣ ଦଳ ଓ ସରକାରୀ କଳକୁ ଲଗାଇ ଦେଇଛି । ଉପ ନିର୍ବାଚନରେ ବିପୁଳ ଅର୍ଥ କାରବାର ହୋଇଥିବା ନେଉ ଉଭୟ ବିଜେପି ଓ ବିଜେଡ଼ି ପରସ୍ପର ବିରୋଧରେ ରାଜ୍ୟ ନର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ କରିଛନ୍ତି । ନିର୍ବାଚନ କମିଶନ ମଧ୍ୟ ଭୋଟ ପାଇଁ ଲାଂଚ କାରବାର ଅଭିଯୋଗରେ ଦୁଇଟି ମାମଲା ରୁଜୁ କରିଛନ୍ତି । ବିଜେଡ଼ି-ବିଜେପି ମଧ୍ୟରେ ଶିଂଗ ଲଢେଇ ଚାଲି ଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ବିଜେଡ଼ି ଭୋଟ କାଟିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଆଲୋଚନା ହେଉଛି । ବିଜେଡ଼ି ଭୋଟରେ ବଡ ଧରଣର ବିଭାଜନ ହେଲେ ଏବଂ ପୂର୍ବତନ ବିଧାୟକ ସେଠୀଙ୍କ ବିୟୋଗ ଜନିତ ଅନୁକଂପା କାମ କଲେ ବିଜେପି ଏହି ଉପ ନିର୍ବାଚନରେ ବିଜୟୀ ହେବା ସମ୍ଭାବନା ଅଧିକ । ତେବେ, ଅବନ୍ତୀଙ୍କ ପଛରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ଓ ମିସନ୍ ଶକ୍ତି ମାଆମାନଙ୍କ ଭୋଟ ଥିବାରୁ ବିଜେଡ଼ି ଉପ ନିର୍ବାଚନରେ ଏହି ଆସନ ହାତେଇବା ସମ୍ଭାବନା ମଧ୍ୟ କିଛି କମ୍ ନୁହେଁ । ଏଭଳି ଏକ ସ୍ଥିତିରେ ହୋଇଥିବା ଧାମନଗର ବିଧାନସଭା ଉପ ନିର୍ବାଚନ ଫଳାଫଳ କଣ ହେବ ସେନେଇ ରାଜ୍ୟବାସୀଙ୍କ ମଧ୍ୟରେ ଉତ୍କଣ୍ଠା ରହିବା ସ୍ୱାଭାବିକ । ୩ ତାରିଖ ହୋଇଥିବା ନିର୍ବାଚନରେ ପୁରୁଷଙ୍କ ଅପେକ୍ଷା ଅଧିକ ସଂଖ୍ୟାରେ ମହିଳା ଭୋଟ ଦେଇଛନ୍ତି । ତେବେ,୨୦୧୯ ତୁଳନାରେ ନିର୍ବାଚନମଣ୍ଡୀଳୀରେ ଭୋଟଦାନ ପରିମାଣ କମିଛି । ୨୦୧୯ରେ ମୋଟ ଭୋଟରଙ୍କ ମଧ୍ୟରୁ ୭୨ ପ୍ରତିଶତ ମତଦାନ କରିଥିବା ବେଳେ ଗତ ୩ ତାରିଖ ହୋଇଥିବା ଉପ ନିର୍ବାଚନରେ ଭୋଟଦାନ ପରିମାଣ ୬୮.୯ ପ୍ରତିଶତ ରହିଛି । ୨୦୧୯ ଧାମନଗର ବିଧାନସଭା ନିର୍ବାଚନରେ ୭୪ ପ୍ରତିଶତ ମହିଳା ଭୋଟର ଭୋଟ ଦେଇଥିଲେ । ୨୦୨୨ଉପ ନିର୍ବାଚନରେ ମହିଳା ଭୋଟଦାନ ପରିମାଣ କମି ନାହିଁ । ଅନ୍ୟପକ୍ଷରେ, ପୁରୁଷ ମତଦାତାଙ୍କ ଭୋଟଦାନ ପରିମାଣ ୬୯ ପ୍ରତିଶତରୁ ୬୪ ପ୍ରତିଶତକୁ କମିଛି । ଗ୍ରାମାଂଚଳରେ ଚାଷବାସ କାମ ସରିବା ପରେ ପୁରୁଷ ଲୋକଙ୍କ ମଧ୍ୟରୁ ଅନେକ କାମଧନ୍ଦା ଅନ୍ୱେଷଣରେ ରାଜ୍ୟ ବାହାରକୁ ଚାଲି ଯାଉଥିବାରୁ ଏବଂ ଦଶହରା, ଦୀପାବଳୀ ଉତ୍ସବ ସରୁ ସରୁ ଉପ ନିର୍ବାଚନ ଭୋଟ ହୋଇଥିବାରୁ ପୁରୁଷଙ୍କ ଭୋଟଦାନ ହାର କମିଥିବା ଉଭୟ ବିଜେପି ଓ ବିଜେପି ନେତା ସ୍ୱୀକାର କରିଛନ୍ତି । ତଥାପି, ୨୦ରୁ ୨୫ ହଜାର ଭୋଟ ବ୍ୟବଧାନରେ ବିଜେଡ଼ି ପ୍ରାର୍ଥୀ ଅବନ୍ତୀଙ୍କ ବିଜୟ ହେବ ବୋଲି ବିଜେଡ଼ିର ବରିଷ୍ଠ ନେତ୍ରୀ ତଥା ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଆଶାବ୍ୟକ୍ତ କରିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS