ଧାମନଗର ଉପ ନିର୍ବାଚନ, ସୁରଜ ସୂର୍ଯ୍ୟବଂଶୀ ବିଜୟୀ
ପ୍ରସାଦ ରାଓ
ନଭେମ୍ବର ୦୬
ଓଡ଼ିଶାର ଭଦ୍ରକ ଜିଲ୍ଳା ଧାମନଗର ବିଧାନସଭା ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀଙ୍କ ବିଜୟ ହୋଇଛି । ସେ ୮୦ ହଜାରରୁ ଅଧିକ ଭୋଟ ପାଇ ବିଜେଡ଼ି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ପରାଜିତ କରିଛନ୍ତି । ମୋଟ ୧୯ ରାଉଣ୍ଡ ଭୋଟ ଗଣତି ହୋଇଥିଲା । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀଙ୍କୁ ୮୦,୩୫୧ ଭୋଟ ମିଳି ଥିବା ବେଳେ ବିଜେଡ଼ି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୭୦,୪୭୦ଭୋଟ ମିଳିଛି । ସୁରଜ ସୂର୍ଯ୍ୟବଂଶୀ ବିଜେଡ଼ି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ୯,୮୮୧ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି । ବିଜେଡ଼ି ବିଦ୍ରୋହୀ ପ୍ରାଥୀ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ସ୍ୱାଧୀନ ଭାବେ ଲଢି ୮୧୫୩ ଭୋଟ ପାଇଥିବା ବେଳେ ଉପ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଥିବା ବାବା ହରେକୃଷ୍ଣ ସେଠୀଙ୍କୁ ମାତ୍ର ୩,୫୬୧ ଭୋଟ ମିଳିଛି । ମୋଟ ୧ ଲକ୍ଷ ୬୩ ହଜାର ୬୮୨ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ । ଉପ ନିର୍ବାଚନର ବିଜେପି ୪୯.୦୯ ପ୍ରତିଶତ ଭୋଟ ପାଇଥିବା ବେଳେ ବିଜେଡ଼ି ୪୩.୦୫ ପ୍ରତିଶତ ଓ କଂଗ୍ରେସ ୨.୧୮ ପ୍ରତିଶତ ଭୋଟ ପାଇଛି । ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ୪.୯୮ ପ୍ରତିଶତ, ଅନ୍ୟତମ ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସ ୦.୩ ପ୍ରତିଶତ (୪୯୭ ଭୋଟ) ପାଇଛନ୍ତି । ନୋଟାରେ ୦.୪ ପ୍ରତିଶତ (୬୫୦ ଭୋଟ) ପଡିଛି ।
ନଭେମ୍ବର ୩ ତାରିଖରେ ଓଡ଼ିଶାର ଧାମନଗର ସମେତ ଛଅଟି ରାଜ୍ୟର ସାତଟି ବିଧାନସଭା ଆସନରେ ଉପ ନିର୍ବାଚନ ହୋଇଥିଲା । ଆଜି (୬ତାରିଖ) ଭୋଟ ଗଣତି ହୋଇ ଫଳାଫଳ ସାମ୍ନାକୁ ଆସିଛି । ବିଜେପି ଧାମନଗର ସମେତ ୪ଟି ଆସନରେ ବିଜୟୀ ହୋଇଥିବା ବେଳେ ଆରଜେଡ଼ି, ଟିଆରଏସ୍ ଓ ଶିବସେନା (ଉଦ୍ଧବ ଠାକରେ ଗୋଷ୍ଠୀ) ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି । ଓଡ଼ିଶାର ଧାମନଗର ଆସନରୁ ୨୦୧୯ ନିର୍ବାଚନରେ ବିଜେପି ନେତା ବିଷ୍ଣୁ ଚରଣ ସେଠୀ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଅସମୟରେ ତାଙ୍କ ଦେହାନ୍ତ ଘଟିବାରୁ ସେହି ଆସନରେ ନଭେମ୍ବର ୩ ତାରିଖ ଉପ ନିର୍ବାଚନ ହୋଇଥିଲା । ବିଜେପି ଦିବଂଗତ ବିଧାୟକଙ୍କ ପୁତ୍ର ସୁରଜ ସୂର୍ଯ୍ୟବଂଶୀଙ୍କୁ ପ୍ରାର୍ଥୀ କରିବା ମାଧ୍ୟମରେ ଅନୁକଂପା ଭୋଟରେ ବାଜିମାତ୍ କରିଛି । ଅପରପକ୍ଷରେ, ବିଜେଡ଼ି ବିଦ୍ରୋହୀ ପ୍ରାର୍ଥୀଙ୍କ କାରଣରୁ ନିର୍ବାଚନରେ ବିଫଳ ହୋଇଥିବା ଆଲୋଚନା ହେଉଛି ।
ଧାମନଗର ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ପ୍ରତି ଥିବା ଅନୁକଂପାକୁ ପ୍ରତିହତ କରିବା ପାଇଁ ଶାସକ ବିଜେଡ଼ି ୩ ତାରିଖ ଉପ ନିର୍ବାଚନରେ ଜଣେ ମହିଳା ଓ ମିସନ୍ ଶକ୍ତି କାର୍ଯ୍ୟକର୍ତ୍ତାଙ୍କୁ ପ୍ରାର୍ଥୀ କରିଥିଲା । ବ୍ଲକ ଅଧ୍ୟକ୍ଷା ରହିଥିବା ଅବନ୍ତୀ ଦାସ ବିଜେଡ଼ି ପ୍ରାର୍ଥୀ ହେବାରୁ ବିଜେଡ଼ିର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ବିଦ୍ରୋହୀ ସାଜି ସ୍ୱାଧୀନ ପ୍ରାର୍ଥୀ ଭାବେ ମଇଦାନରେ ଥିଲେ । ବିଜେଡ଼ି ଭୋଟରେ ବିଭାଜନ ବିଜେପିକୁ ସୁହାଇଛି । ବିଜେଡ଼ି ସୁପ୍ରିମୋ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ପୂର୍ବରୁ ଅଶଙ୍କା କରୁଥିଲେ । ଭର୍ଚୁଆଲ ମାଧ୍ୟମରେ ଶେଷ ମୁହୂର୍ତ୍ତରେ ନିର୍ବାଚନ ମଣ୍ଡଳୀ ଭୋଟରଙ୍କୁ ସମ୍ବୋଧିତ କରିଥିଲେ । ଅବନ୍ତୀ ବିଧାନସଭାକୁ ନିର୍ବାଚିତ ହେଲେ ସେ (ମୁଖ୍ୟମନ୍ତ୍ରୀ) ନିଜେ ନିର୍ବାଚନ ମଣ୍ଡଳୀର ସଂପୂର୍ଣ୍ଣ ଦାୟିତ୍ୱ ନେବେ ଏବଂ ୫ ବର୍ଷରେ ଯାହା କାମ ହୋଇନି ତାହା ୧୮ ମାସ ମଧ୍ୟରେ କରିବେ ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିଲେ । ତଥାପି, ଧାମନଗରବାସୀ ସ୍ୱର୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପ୍ରତି ସେମାନଙ୍କ ସମ୍ମାନ ଓ ଭଲ ପାଇବା ପ୍ରଦର୍ଶନ କରି ତାଙ୍କ ପୁଅ ସୂର୍ଯ୍ୟବଂଶୀଙ୍କୁ ଆଶୀର୍ବାଦ ଦେଇଛନ୍ତି ।
ଆଜି ସକାଳୁ ଭୋଟ ଗଣତି ଆରମ୍ଭ ହୋଇଥିଲା । ପ୍ରାରମ୍ଭରୁ ସୂର୍ଯ୍ୟବଂଶୀ ବିଜେଡ଼ି ପ୍ରାର୍ଥୀ ଅବନ୍ତୀଙ୍କଠାରୁ ଆଗୁଆ ଥିବା ଦେଖି ରାଜ୍ୟ ବିଜେପି ନେତୃବର୍ଗ ଉଲ୍ଲସୀତ ହୋଇଥିବା ବେଳେ ବିଜେଡ଼ିର ହୃତକଂପ ବଢି ଯାଇଥିଲା । ସ୍ଥିତି ବଦଳିବା ଆଶାରେ ବିଜେଡ଼ି ନେତାମାନେ ରାଉଣ୍ଡ ପରେ ରାଉଣ୍ଡ ଭୋଟ ଗଣତି ଉପରେ ନଜର ରଖି ଥିଲେ । କିନ୍ତୁ, କୌଣସି ରାଉଣ୍ଡରେ ବିଜେଡ଼ି ବିଜେପିକ ଟପି ପାରି ନଥିଲା । ୧୮ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ଓ ବିଜେଡ଼ି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ମଧ୍ୟରେ ଭୋଟ ବ୍ୟବଧାନ ପାଖାପାଖି ୯ ହଜାରରେ ପହଂଚି ସାରିଥିଲା । ଶେଷ ରାଉଣ୍ଡରେ ଏହି ବ୍ୟବଧାନ ୧୦ ହଜାର ପାଖାପାଖି ହୋଇଛି । ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ତୃତୀୟ ସ୍ଥାନରେ ରହିଛନ୍ତି । ରାଜୁ ଦାସ ବିଜେଡ଼ି ଭୋଟ ବିଭାଜନ କରିବା ଓ ଦଳୀୟ ଭୋଟ ବିଜେପିକୁ ମୁହାଁଇବା ଦ୍ୱାରା ଅବନ୍ତୀଙ୍କ ପରାଜୟ ଓ ସୂର୍ଯ୍ୟବଂଶୀଙ୍କ ବିଜୟ ହୋଇଛି ବୋଲି ଶାସକ ଦଳ ଅଭିଯୋଗ କରିଛି । ଅପରପକ୍ଷରେ, ଧାମନଗର ଭୋଟର ଦିବଂଗତ ବିଧାୟକ ସେଠୀଙ୍କ ପୁତ୍ର ସୂର୍ଯ୍ୟବଂଶୀଙ୍କୁ ଭୋଟ ଦେଇ ବିଜୟୀ କରାଇବାକୁ ପୂର୍ବରୁ ମନ ସ୍ଥିର କରି ନେଇଥିଲେ ଏବଂ ଅନୁକଂପା ଭୋଟ ଢାଳି ଦେଇଥିଲେ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି ।
ଧାମନଗର ବିଧାନସଭା ଉପ ନିର୍ବାଚନରେ ପୁରୁଷ ଭୋଟରଙ୍କ ତୁଳନାରେ ଅଧିକ ସଂଖ୍ୟାରେ ମହିଳା ଭୋଟର ମତଦାନ କରିଥିବା ଜଣାପଡିଛି । ଉପ ନିର୍ବାଚନରେ ଭୋଟ ଦେଇ ଥିବା ପୁରୁଷ ମତଦାତାଙ୍କ ସଂଖ୍ୟା ୨୦୧୯ ତୁଳନାରେ ପ୍ରାୟ ୬ ପ୍ରତିଶତ କମି ଯାଇଥିବା ବେଳେ ମହିଳାଙ୍କ ଭୋଟଦାନ ପ୍ରାୟତଃ ସମାନ ରହିଛି । ପୁରୁଷ ଭୋଟଦାତାଙ୍କ ମଧ୍ୟରୁ ଅନେକ କାମଧନ୍ଦା ପାଇଁ ପ୍ରବାସକୁ ଯାଇଥିବାରୁ ଉପ ନିର୍ବାଚନରେ ଭୋଟ ଦେଇ ନଥିବା କୁହାଯାଉଛି । ଅଧିକ ସଂଖ୍ୟାରେ ମହିଳାଙ୍କ ଭୋଟଦାନ କାରଣରୁ ଫଳାଫଳ ବିଜେପି ଓ ସୂର୍ଯ୍ୟବଂଶୀଙ୍କ ସପକ୍ଷରେ ଯାଇଛି ବୋଲି ବିଜେପି ବିଶ୍ୱାସ କରୁଛି । ତେବେ, ଫଳାଫଳ ଏମିତି ହେବ ବୋଲି ବିଜେଡ଼ି ଆଶା କରାଯାଉଥିଲା । ଧାମନଗରର ଦିବଂଗତ ବିଧାୟକ ସେଠୀ ଲୋକପ୍ରିୟ ନେତା ଥିଲେ । ତାଙ୍କ ପୁତ୍ରଙ୍କୁ ବିଜେପି ପ୍ରାର୍ଥୀ କରିବାରୁ ସେ ଜିତିଲେ ବୋଲି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ନିର୍ବାଚନ ଫଳାଫଳ ଆସିବା ପରେ କହିଛନ୍ତି । ବିଜେଡ଼ି ଏଥିପାଇଁ ବିଚଳିତ ନୁହେଁ, ୨୦୨୪ ନିର୍ବାଚନରେ ଏହାର କିଛି ପ୍ରଭାବ ରହିବ ନାହିଁ ବୋଲି ସେ ସ୍ପଷ୍ଟ ମତ ଦେଇଛନ୍ତି ।
ନଭେମ୍ବର ୩ ତାରିଖରେ ଓଡ଼ିଶାର ଧାମନଗର ଆସନ ବ୍ୟତୀତ ବିହାରର ଦୁଇଟି, ହରିୟାଣାର ଗୋଟିଏ, ୟୁପିର ଗୋଟିଏ, ତେଲେଂଗାନାର ଗୋଟିଏ ଓ ମହାରାଷ୍ଟ୍ରର ଗୋଟିଏ ଆସନ ପାଇଁ ଉପ ନିର୍ବାଚନ ହୋଇଥିଲା । ବିଜେପି ଓଡ଼ିଶାର ଧାମନଗର ସମେତ ହରିୟାଣାର ଆଦମପୁର, ବିହାରର ଗୋପାଳଗଂଜ ଓ ୟୁପିର ଗୋଲା ଗୋକର୍ଣ୍ଣନାଥ ଆସନରେ ବିଜୟୀ ହୋଇଛି । ଅନ୍ୟ ତିନିଟି ବିଧାନସଭା ଆସନ ଆରଜେଡ଼ି, ଶିବସେନା ଓ ଟିଆରଏସକୁ ମିଳିଛି । ହରିୟାଣାର ଆଦମପୁର ଆସନରୁ ଭବ୍ୟ ବିଷ୍ଣୋଇ, ବିହାରର ଗୋପାଳଗଂଜ ଆସନରୁ କୁସୁମ ଦେବୀ, ୟୁପିର ଗୋଲା ଗୋକର୍ଣ୍ଣନାଥ ଆସନରୁ ଅମନ ଗିରି ବିଜେପିରୁ ନିର୍ବାଚିତ ହୋଇଥିବା ବେଳେ ବିହାରର ମୋକାମା ଆସନରୁ ଆରଜେଡ଼ି ପ୍ରାର୍ଥୀ ନୀଲମ ଦେବୀ ୧୬ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ମହାରାଷ୍ଟ୍ରର ଅନ୍ଧେରୀ ଇଷ୍ଟ ଆସନରୁ ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀର ପ୍ରାର୍ଥୀ ରୁତୁଜା ରମେଶ ଲଟକେଙ୍କ ବିଜୟ ହୋଇଛି । ସେ ୬୭ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ତେଲେଂଗାନାର ମୁନିଗୋଡେ ବିଧାନସଭା ଆସନରୁ ଶାସକ ଟିଆରଏସ୍ (ତେଲେଂଗାନା ରାଷ୍ଟ୍ରୀୟ ସମିତି) ପ୍ରାର୍ଥୀ କୁସୁକୁନ୍ତଲ ପ୍ରଭାକର ରେଡ୍ଡୀ କମ୍ ଭୋଟ ବ୍ୟବଧାନରେ ହେଲେ ମଧ୍ୟ ବିଜେପିକୁ ହରାଇ ବିଜୟୀ ହୋଇଥିବା ଜଣାପଡିଛି ।
ହରିୟାଣାର ଆଦମପୁର ଆସନ ଓ ତେଲେଂଗାନାର ମୁନିଗୋଡେ ଆସନ ପୂର୍ବରୁ କଂଗ୍ରେସ ଦଖଲରେ ଥିବା ସମୟରେ ବିହାରର ଗୋପାଳଗଂଜ ଆସନ ଓ ଉତ୍ତର ପ୍ରଦେଶର ଗୋଲା ଗୋରକନାଥ ଆସନ ବିଜେପି ଦଖଲରେ ଥିଲା । ବିହାରର ମୋକାମ ଆସନ ଆରଜେଡ଼ି ହାତରେ ଥିଲା ଓ ରହିଛି । ସେହିପରି, ମହାରାଷ୍ଟ୍ରର ଅନ୍ଧେରୀ ଇଷ୍ଟ୍ ଆସନ ଶିବସେନାକୁ ଯାଇଛି । ଏହି ଆସନରୁ ଉପ ନିର୍ବାଚନରେ ବିଜୟୀ ହୋଇଥିବା ଶିବସେନା (ଉଦ୍ଧବ ଠାକରେ ଗୋଷ୍ଠୀ) ପ୍ରାର୍ଥୀ ରୁତୁଜା ଲଟକେ ହେଉଛନ୍ତି ଦିବଂଗତ ଶିବସେନା ବିଧାୟକ ରମେଶ ଲଟକେଙ୍କ ପତ୍ନୀ । ରମେଶଙ୍କ ଦେହାନ୍ତ ପରେ ସେଠାରେ ଉପ ନିର୍ବାଚନ ହୋଇଛି ଏବଂ ଶିବସେନା (ଉଦ୍ଧବ ଗୋଷ୍ଠୀ) ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅନୁରୋଧରେ ରୁତୁଜା ମୁମ୍ବାଇ ବୃହତ୍ତର ମୁନସିପାଲ କର୍ପୋରେସନ୍ (ବିଏମସି) ଚାକିରୀ ଛାଡି ଉପ ନିର୍ବାଚନ ଲଢିଛନ୍ତି । ରୁତୁଜା ପୂର୍ବତନ ବିଧାୟକ ରମେଶ ଲଟକେଙ୍କ ବିଧବା ହୋଇଥିବା ଦୃଷ୍ଟିରୁ ବିରୋଧ ତାଙ୍କ ବିପକ୍ଷରେ ପ୍ରାର୍ଥୀ ନ ଦେବାକୁ ଉଦ୍ଧବ ଠାକରେ ଓ ଏନସିପି ନେତା ଶରଦ ପାୱାର ନିବେଦନ କରିଥିଲେ । ଅନୁରୋଧ ରକ୍ଷା କରି ବିଜେପି ଶେଷ ମୁହୂର୍ତ୍ତରେ ତାହାର ପ୍ରାର୍ଥୀଙ୍କୁ ପ୍ରତ୍ୟାହାର କରି ନେଇଥିଲା । ରୁତୁଜା ୬୭ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି । ବିଜେପି ମଧ୍ୟ ରୁତୁଜାଙ୍କ ବିଜୟର ଶ୍ରେୟ ନେବାକୁ ପଛାଇ ନାହିଁ । ଦଳ ଶେଷ ମୁହୂର୍ତ୍ତରେ ପ୍ରାର୍ଥୀ ପ୍ରତ୍ୟାହାର କରି ନଥିଲେ ରୁତୁଜାଙ୍କ ପରାଜୟ ନିଶ୍ଚିତ ଥିଲା ବୋଲି ମହାରାଷ୍ଟ୍ର ବିଜେପି ନେତାମାନେ ଦାବି କରୁଛନ୍ତି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS