ସୁପ୍ରିମ କୋର୍ଟରେ ଆର୍ଥିକ ଦୁର୍ବଳ ଶ୍ରେଣୀ ପାଇଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ କାଏମ ରହିଲା
ପ୍ରସାଦ ରାଓ
ନଭେମ୍ବର ୦୭
କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୧୯ ଜାନୁୟାରୀରେ ପାର୍ଲାମେଂଟରେ ଗୃହୀତ ୧୦୩ତମ ସଂବିଧାନ ସଂଶୋଧନ ବିଲ୍ ‘ଅସାମ୍ବିଧାନିକ ନୁହେଁ’ ବୋଲି ଆଜି ସୁପ୍ରିମ କୋର୍ଟର ଏକ ପାଂଚ ଜଣିଆ ସାମ୍ବିଧାନିକ ପୀଠର ରାୟ ଆସିବା ପରେ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନରେ ଆଡମିଶନ ସମେତ ସରକାରୀ ଚାକିରୀରେ ନିଯୁକ୍ତି କ୍ଷେତ୍ରରେ ଅଣସଂରକ୍ଷିତ ବର୍ଗରୁ ଅର୍ଥନୈତିକ ଦୁର୍ବଳ ଶ୍ରେଣୀ (ଇଡବ୍ଲୁଏସ) ପାଇଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ କାଏମ ରହିବା ନିଶ୍ଚିତ ହୋଇଛି । ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ୟୁ.ୟୁ.ଲଳିତଙ୍କ ଅଧ୍ୟକ୍ଷତାରେ ବିଚାରପତି ଜଷ୍ଟିସ ଦୀନେଶ ମାହେଶ୍ୱରୀ, ଜଷ୍ଟିସ ଏସ.ରବିନ୍ଦ୍ର ଭଟ୍ଟ, ଜଷ୍ଟିସ ବେଲା ଏମ. ତ୍ରିବେଦୀ ଓ ଜଷ୍ଟିସ ଜେ.ବି.ପରଡିୱାଲାଙ୍କୁ ନେଇ ଗଠିତ ପାଂଚ ଜଣିଆ ସାମ୍ବିଧାନିକ ପୀଠରୁ ସର୍ବାଧିକ ମତରେ ଏହି ରାୟ ପ୍ରକାଶ ପାଇଛି । କେନ୍ଦ୍ର ସରକାର ସମ୍ବିଧାନରେ ଯେଉଁ ୧୦୩ତମ ସଂଶୋଧନ କରିଛନ୍ତି ତାହା କୌଣସି ପ୍ରକାର ସମ୍ବିଧାନରେ ଥିବା ବ୍ୟବସ୍ଥାର ଉଲଂଘନ କରୁନାହିଁ ବୋଲି ପାଂଚ ଜଣିଆ ସାଂବିଧାନିକ ପୀଠର ୩ ଜଣ ବିଚାରପତି ରାୟ ରଖି ଥିବା ବେଳେ ଦୁଇ ଜଣ ବିଚାରପତି ତାହାର ପୁନର୍ବିଚାର ସପକ୍ଷରେ ରାୟ ଦେଇଛନ୍ତି । ତେବେ, ୩-୨ ରାୟରେ ସରକାରଙ୍କ ୧୦୩ତମ ସଂବିଧାନ ସଂଶୋଧନ କାଏମ ରହିଛି । ବିଚାରପତି ଜଷ୍ଟିସ ମାହେଶ୍ୱରୀ ତାଙ୍କ ରାୟ ପାଠ କରି ସରକାରଙ୍କ ଦ୍ୱାରା ହୋଇଥିବା ସମ୍ବିଧାନର ୧୦୩ତମ ସଂଶୋଧନ ଆଇନସମ୍ମତ ଏବଂ ସମ୍ବିଧାନର ମୂଳ ଢାଂଚାକୁ କୌଣସି ପ୍ରକାର ଉଲଂଘନ କରୁ ନାହିଁ ବୋଲି କହିଥିବା ବେଳେ ବିଚାରପତି ଜଷ୍ଟିସ ତ୍ରାବେଦୀ ତାଙ୍କ ରାୟରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥାର ପୁନର୍ବିଚାର ଓ ଏକ ନିଦ୍ଧିଷ୍ଟ ସମୟ ସୀମା ପର୍ଯ୍ୟନ୍ତ ତାହା ଲାଗୁ କରାଯିବା ସପକ୍ଷରେ ମତ ଦେଇଥିଲେ । ଜଷ୍ଟିସ ପରିଡିୱାଲା ସମ୍ବିଧାନର ୧୦୩ତମ ସଂଶୋଧନକୁ ସମର୍ଥନ କରିଥିବା ବେଳେ ସଂରକ୍ଷଣ ବ୍ୟବସ୍ଥାର ପୁନଃ ସମୀକ୍ଷା କରାଯିବା ଓ ତାହାର ଏକ ସମୟ ସୀମା ଧାର୍ଯ୍ୟ କରାଯିବା ସପକ୍ଷରେ ବିଚାରପତି ଜଷ୍ଟିସ ତ୍ରିବେଦୀଙ୍କ ମତରେ ସହମତି ପ୍ରକାଶ କରିଛନ୍ତି । ତେବେ, ପାଂଚ ଜଣିଆ ସମ୍ବିଧାନିକ ପୀଠର ଅନ୍ୟତମ ସଦସ୍ୟ ବିଚାରପତି ଜଷ୍ଟିସ ଏମ.ରବିନ୍ଦ୍ର ଭଟ୍ଟ ସଂଖ୍ୟାଗରିଷ୍ଠ ମତ ସହ ଏକମତ ନହୋଇ ସମ୍ବିଧାନର ୧୦୩ତମ ସଂଶୋଧନ ମାଧ୍ୟମରେ ଇଡ଼ବ୍ଲୁଏସ୍ (ଆର୍ଥିକ ଦୁର୍ବଳ ଶ୍ରେଣୀ) ପାଇଁ ଯେଉଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ହୋଇଛି ସେଥିରେ ସଂଖ୍ୟାଲଘୁ ଜାତି, ଜନଜାତି ଓ ଅନ୍ୟ ପଛୁଆ ଜାତି (ଓବିସି)ର ଗରୀବ ଲୋକଙ୍କୁ ଅନ୍ତର୍ଭୁକ୍ତ କରାନଯିବା ପକ୍ଷପାତ ହୋଇଛି ବୋଲି ରାୟ ଦେଇଛନ୍ତି । ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଲଳିତ ମଧ୍ୟ ସଂଖ୍ୟାଗରିଷ୍ଠ ମତ ସହ ଏକମତ ନହୋଇ ଜଷ୍ଟିସ ରବିନ୍ଦ୍ର ଭଟ୍ଟଙ୍କ ରାୟ ସହ ସହମତ ହୋଇଛନ୍ତି । ସୁପ୍ରିମ କୋର୍ଟର ସାମ୍ବିଧାନିକ ପୀଠରେ ସର୍ବାଧିକ ମତରେ ସମ୍ବିଧାନର ୧୦୩ତମ ସଂଶୋଧନ କାଏମ ରହିଥିବା ବେଳେ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ଏହି ରାୟ ଦେଶର ଗରୀବ ଲୋକଙ୍କୁ ସାମାଜିକ ନ୍ୟାୟ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମିଶନ’ର ସଫଳତା ବୋଲି ବିଜେପି କହିଛି । ଦଳର ସାଧାରଣ ସଂପାଦକ (ସଂଗଠନ) ବି.ଏଲ.ସନ୍ତୋଷ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗରୀବ କଲ୍ୟାଣ ଦୃଷ୍ଟିଭଙ୍ଗିରେ ଏହା ଆଉ ଏକ ବଡ ସଫଳତା । ଏହା ସାମାଜିକ ନ୍ୟାୟ କାର୍ଯ୍ୟକୁ ମଧ୍ୟ ଉତ୍ସାହିତ କରିବ । କେନ୍ଦ୍ର ସରକାର ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ ୨୦୧୯ ଜାନୁୟାରୀରେ ଏହି ସଂବିଧାନ ସଂଶୋଧନ କରିଥିଲେ । ତେବେ, ତୁରନ୍ତ ତାହା ବିରୋଧରେ ସୁପ୍ରିମ କାର୍ଟରେ ଆବେଦନମାନ ହୋଇଥିଲା । କଂଗ୍ରେସ ସମେତ ଅଧିକାଂଶ ବିରୋଧୀ ଦଳ ସରକାରଙ୍କ ଏହି ସମ୍ବିଧାନ ସଂଶୋଧନକୁ ବିରୋଧ କରି ନଥିଲେ ମଧ୍ୟ ତାମିଲନାଡ଼ୁ ସରକାରଙ୍କ ସମେତ ଅନ୍ୟମାନେ ବିରୋଧ କରି ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ । ଅନ୍ୟୁନ ୪୦ଟି ପିଟିସନ୍ ସୁପ୍ରିମ କୋର୍ଟରେ ବିଚାରାଧୀନ ଥିଲା । ଦେଶରେ ସବୁ ପ୍ରକାର ସ୍ଥାନ ସଂରକ୍ଷଣ ମିଶି ୫୦ ପ୍ରତିଶତ ମଧ୍ୟର ସୀମିତ ରହିବା ସପକ୍ଷରେ ୧୯୯୨ରେ ସୁପ୍ରିମ କୋର୍ଟ ଦେଇଥିବା ରାୟକୁ କେନ୍ଦ୍ର ସରକାରଙ୍କ ୧୦୩ତମ ସଂଶୋଧନ ଉଲଂଘନ କରୁଛି ବୋଲି ଆବେଦନକାରୀମାନେ ଦର୍ଶାଇ ଥିଲେ । ଏହା ଏକ ସାମ୍ବିଧାନିକ ପ୍ରସଙ୍ଗ ହୋଇଥିବାରୁ ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଏକ ପାଂଚ ଜଣିଆ ସାମ୍ବିଧାନକ ପୀଠ ଏହାର ଶୁଣାଣୀ କରୁଥିଲେ । ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ୟୁ.ୟୁ.ଲଳିତ ଆସନ୍ତା କାଲି (ନଭେମ୍ବର ୮ରେ) ଅବସର ଗ୍ରହଣ କରିବାକୁ ଥିବା ବେଳେ ଆଜି ୧୦୩ତମ ସମ୍ବିଧାନ ସଂଶୋଧନର ବୈଧତା ଉପରେ ପାଂଚ ଜଣିଆ ସାମ୍ବିଧାନିକ ପୀଠର ରାୟ ପ୍ରକାଶ ପାଇଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS