‘ପଦ୍ମ’କୁ ନେଇ ରାଜନୀତି !
ପ୍ରସାଦ ରାଓ
ନଭେମ୍ବର ୦୯
‘ପଦ୍ମ’ ହେଉଛି ଭାରତୀୟ ଜନତା ପାର୍ଟିର ନିର୍ବାଚନ ଚିହ୍ନ । ‘ପଦ୍ମ ଫୁଲ’ ହେଉଛି ଧନଦାତ୍ରୀ ମା’ ମହାଲକ୍ଷ୍ମୀଙ୍କ ଆସନ । ନିକଟରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ‘ଆମ୍ ଆଦମୀ ପାର୍ଟି’ ମୁଖ୍ୟ ଅରବିନ୍ଦ କେଜରୀୱାଲ ଆମେରୀକିୟ ଡ଼ଲାର ମୂଲ୍ୟ ତୁଳନାରେ ଦେଶରେ ଟଙ୍କାର ମୂଲ୍ୟ ରେକର୍ଡ ମାତ୍ରାରେ ହ୍ରାସ ପାଇବା ଏବଂ ଦେଶର ଅର୍ଥନୀତି ସଂକଟରେ ଥିବା ଦର୍ଶାଇ ଆଗାମୀ ଦିନରେ ଆରବିଆଇ ଦ୍ୱାରା ଛପା ହେବାକୁ ଥିବା ଭରତୀୟ ନୋଟରେ ମହାତ୍ମା ଗାନ୍ଧୀଙ୍କ ସହ ମା’ ମହାଲକ୍ଷ୍ମୀ ଓ ଗଜାନନ ଗଣେଶଙ୍କ ଚିତ୍ର ସ୍ଥାନିତ କରାଯିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରସ୍ତାବ ଦେଇ ସମାଲୋଚନାର ଶରବ୍ୟ ହୋଇଥିଲେ । ଗୁଜରାଟ ବିଧାନସଭା ନିର୍ବାଚନରେ ଭୋଟରଙ୍କ ସାମ୍ନାରେ ନିଜକୁ ‘ହିନ୍ଦୁତ୍ୱବାଦୀ’ ଜାହିର କରିବା ପାଇଁ କେଜରୀୱାଲ ଏଳି ଏକ ପ୍ରସ୍ତାବ ରଖିଛନ୍ତି ବୋଲି ବିଜେପି ସମେତ ଅନ୍ୟ କିଛି ବିରୋଧୀ ରାଜନୈତିକ ଦଳ ଆରୋପ ଲଗାଇ ଥିଲେ । ଏବେ ବିଜେପି ନିଜେ ‘ପଦ୍ମ’କୁ ନେଇ ସମାଲୋଚନାର ଶରବ୍ୟ ହୋଇଛି । ୨୦୨୩ରେ ହେବାକୁ ଥିବା ଜି-୨୦ ସମ୍ମିଳନୀ ଭାରତ ଆୟୋଜନ କରୁଛି । ଏଥିସକାଶେ ଆୟୋଜକ ଦେଶ ଭାବେ ଭାରତ ଯେଉଁ ‘ଲୋଗୋ’ ପ୍ରସ୍ତୁତ କରିଛି ସେଥିରେ ପଦ୍ମ ଫୁଲକୁ ସ୍ଥନୀତ କରାଯାଇଥିବାରୁ ବିରେଧୀ ତାହାକୁ ସମାଲୋଚନା କରିଛନ୍ତି । ‘ଲୋଗୋ’ର ସର୍ବାଗ୍ରେ ‘ପଦ୍ମ’ ରହିଥିବା ବେଳେ ନିମ୍ନ ଭାଗରେ ‘ବସୁଦେବ କୁଟୁମ୍ବମ୍’ ଲେଖା ରହିବା ସହ ‘ଗୋଟିଏ ବିଶ୍ୱ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ ସ୍ଲୋଗାନ ରହିଛି । ‘ଜି-୨୦’ ଲୋଗୋରେ ବିଜେପି ତାହାର ନିର୍ବାଚନ ଚିହ୍ନ ‘ପଦ୍ମ’କୁ ସ୍ଥାନିତ କରିବା ଲଜ୍ୟାହୀନତା ବୋଲି କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇଛି । ଦେଶର ସ୍ୱାଧୀନତା ପରେ (୭୦ ବର୍ଷ ତଳେ) ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ କଂଗ୍ରେସ ପତାକାକୁ ଦେଶର ଜାତୀୟ ପତାକା କରାଯିବା ପ୍ରସ୍ତାବକୁ ଖାରଜ କରିଥିଲେ । କିନ୍ତୁ, ବର୍ତ୍ତର୍ମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ସୁଯୋଗ ମିଳିଲେ ନିଜ ଦଳର ନିର୍ବାଚନ ଚିହ୍ନର ପ୍ରସାର କରିବାକୁ କୁଣ୍ଠିତ ନୁହନ୍ତି । ୨୦୨୩ରେ ଭାରତର ନେତୃତ୍ୱରେ ଆୟୋଜନ ହେଉଥିବା ‘ଜି-୨୦’ ସମ୍ମିଳନୀ ପାଇଁ ଯେଉଁ ଅଫିସିଆଲ୍ ‘ଲୋଗୋ’ ତିଆରି କରାଯାଇଛି ସେଥିରେ ବିଜେପିର ଦଳୀୟ ନିର୍ବାଚନ ଚିହ୍ନ ସ୍ଥାନୀତ ହେବା ଏହାର ଜ୍ୱଳନ୍ତ ଉଦାହରଣ ବୋଲି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ‘ଟ୍ୱିଟର’ରେ ଲେଖିଛନ୍ତି । ରମେଶଙ୍କ ଏହି ‘ଟ୍ୱିଟ୍’ର ଉତ୍ତର ରଖିଛନ୍ତି ବିଜେପିର ଜାତୀୟ ମୁଖପାତ୍ର ଶେହଜାଦ ପୁନେୱାଲା । ସେ କହିଛନ୍ତି, ‘ପଦ୍ମ’ ହେଉଛି ଦେଶର ଜାତୀୟ ପୁଷ୍ପ । ତାହା ମଧ୍ୟ ହେଉଛି ମା’ ମହାଲକ୍ଷ୍ମୀଙ୍କ ଆସନ । ‘ଆପଣମାନେ ଭାରତର ଜାତୀୟ ପୁଷ୍ପକୁ ବିରୋଧ କରୁଛନ୍ତି କି ? କଂଗ୍ରେସ ନେତା କମଳନାଥଙ୍କ ନାମରୁ ‘କମଲ’ ବାଦ୍ ଦେଇ ପାରିବେ କି ?’ ବୋଲି ପୁନେୱାଲା ପ୍ରଶ୍ନ କରିବା ସହ ‘ରାଜୀବ’ର ଅର୍ଥ ମଧ୍ୟ ‘କମଳ’ ବା ‘ପଦ୍ମ’ ବୋଲି କଂଗ୍ରେସ ନେତାଙ୍କୁ ବୁଝାଇ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ‘ଜି-୨୦’ ସମ୍ମିଳନୀ ପାଇଁ ପ୍ରସ୍ତୁତ ଲୋଗୋରେ ‘ପଦ୍ମ’ ଫୁଲ ସ୍ଥାନିତ ହେବାର ଯଥାର୍ଥ ଦର୍ଶାଇଛନ୍ତି । ‘ଜି-୨୦’ ରାଷ୍ଟ୍ରଙ୍କ ଅଧ୍ୟକ୍ଷ ଭାବେ ଭାରତ ୨୦୨୩ରେ ଏହି ଐତିହାସିକ ସମ୍ମିଳନୀ ଆୟୋଜକ କରୁଥିବାରୁ ସେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି, ‘ବସୁଦେବ କୁଟୁମ୍ବମ୍’ ବା ‘ସମଗ୍ର ବିଶ୍ୱ ହେଉଛି ଗୋଟିଏ ପରିବାର’ ବାର୍ତ୍ତା ମାଧ୍ୟମରେ ଦେଶ ସମଗ୍ର ବିଶ୍ୱ ପ୍ରତି ତାହାର ସହାନୁଭୂତି ବା କରୁଣା ପ୍ରଦର୍ଶନ କରିବାକୁ ଚାହିଁଛି । ‘ପଦ୍ମ’ ଭାରତୀୟ ସଂସ୍କୃତିର ଐତିହ୍ୟକୁ ବହନ କରୁଛି ଏବଂ ସମଗ୍ର ବିଶ୍ୱକୁ ଏକାଠି କରିବାର ବିଶ୍ୱାସ ଜାଗ୍ରତ କରୁଛି । ‘ସମଗ୍ର ବିଶ୍ୱ ଏକ ବିଷମ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ଭାରତ ‘ଜି-୨୦’ ରାଷ୍ଟ୍ର ଗୋଷ୍ଠୀର ଅଧ୍ୟକ୍ଷ ଦାୟିତ୍ୱ ନେଇଛି । ପରିସ୍ଥିତି ଯାହା ଥାଉ ନା କାହିଁକି ‘ପଦ୍ମ’ ତାହାର ପାଖୁଡା ମେଲି ଚାଲିଛି’ ବୋଲି ସେ କହିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ, ଭାରତ ‘ଜି-୨୦’ ଗୋଷ୍ଠୀର ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ଆସନ୍ତାବର୍ଷ ନଭେମ୍ବର ୧୫ ଓ ୧୬ରେ ବାଲି ଦ୍ୱୀପରେ ଏହି ସମ୍ମିଳନୀ ଆୟୋଜନ କରୁଛି । ଏଥିରେ, ପ୍ରଧାନମନ୍ତ୍ରୀ ମୋଦୀ ଅଧ୍ୟକ୍ଷତା କରିବେ ଏବଂ ବହୁ ରାଷ୍ଟ୍ରନାୟକ ଯୋଗ ଦେବେ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS