ପୂର୍ବ ପ୍ରଧାନମନ୍ତ୍ରୀଙ୍କ ହତ୍ୟାକାରୀଙ୍କୁ ଆଗୁଆ ଖଲାସ କରି ଦେଲେ ସୁପ୍ରିମ କୋର୍ଟ !
ପ୍ରସାଦ ରାଓ
ନୂଆଦିଲ୍ଲୀ
ନଭେମ୍ବର ୧୧
ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ୧୯୯୧ ମେ’ରେ ନୃଶଂସ ଭାବେ ହତ୍ୟା କରି ଆଜୀବନ କାରାଦଣ୍ଡ ଭୋଗୁଥିବା ହତ୍ୟାକାରୀଙ୍କ ମଧ୍ୟରୁ ଛଅ ଜଣଙ୍କୁ ଆଜି ସୁୁପ୍ରିମ କୋର୍ଟ ଖଲାସ କରି ଦେଇଛନ୍ତି । ଦୀର୍ଘ ବର୍ଷ ଧରି ସେମାନେ ଜେଲରେ ଥିଲେ । ଆଜି ଖଲାସ ହୋଇଥିବା ଛଅ ଜଣଙ୍କ ମଧ୍ୟରେ ନଳିନୀ ଶ୍ରୀହରନ, ଆର.ପି.ରବିଚନ୍ଦ୍ରନ ଅଛନ୍ତି । ବିଚାରପତି ଜଷ୍ଟିସ ବି.ଆର.ଗଭାଇ ଓ ବି.ଭି.ନାଗରତ୍ନାଙ୍କୁ ନେଇ ଗଠିତ ସୁପ୍ରିମ କୋର୍ଟର ଏକ ଖଣ୍ଡପୀଠ ଆଜି ତାଙ୍କ ରାୟ ଶୁଣଇଛନ୍ତି । ପୂର୍ବରୁ ସୁପ୍ରିମ କୋର୍ଟ ସମ୍ବିଧାନର ୧୪୨ ଧାରାରେ ଥିବା ବିଶେଷ କ୍ଷମତା ବଳରେ ମେ’ ୧୮ ତାରିଖ ଆଜୀବନ କାରାଦଣ୍ଡ ଭୋଗୁଥବା ଅନ୍ୟତମ ଦୋଷୀ ଏ.ଜି.ପେରାରିଭଲନଙ୍କୁ ଖଲାସ କରି ଦେଇଥିଲେ । ପେରାରିଭଲନ ୩୦ ବର୍ଷରୁ ଅଧିକ ସମୟ ହେଲା ଜେଲ ଜୀବନ ବିତାଇ ସାରିଥିଲେ । ତାଙ୍କ ଖଲାସ କ୍ଷେତ୍ରରେ ସମ୍ବିଧାନର ଯେଉଁ ବିଶେଷ କ୍ଷମତାର ପ୍ରୟୋଗ ହୋଇଛି ତାହା ନିଳିନୀ ଶ୍ରୀହରନ, ରବିଚନ୍ଦ୍ରନ ଓ ଅନ୍ୟ ୪ ଜଣଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ବୋଲି ଜଷ୍ଟିସ ଗଭାଇ ଓ ଜଷ୍ଟିସ ନାଗରତ୍ନାଙ୍କ ଖଣ୍ଡପୀଠ କହିଛନ୍ତି ।
ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ୧୯୯୧ ମେ’ ୨୧ ତାରିଖରେ କଂଗ୍ରେସର ଏକ ନିର୍ବାଚନ ରାଲିରେ ଯୋଗ ଦେବାକୁ ତାମିଲନାଡୁର ଶ୍ରୀପେରମବୁଦ୍ଦୁର ଯାଇଥିବା ବେଳେ ରାତିରେ ତାଙ୍କୁ ଏକ ମାନବ ବୋମା ବିଷ୍ଫୋରଣ ମାଧ୍ୟମରେ ତାଙ୍କୁ ହତ୍ୟା କରାଯାଇଥିଲା । ଶ୍ରୀଲଙ୍କାର ତାମିଲ ଉଗ୍ରପନ୍ଥୀ ସଂଗଠନ ଏଲଟିଟିଇର ଏହା ଷଡଯନ୍ତ୍ର ଥିଲା । ଧନ୍ନୁ ନାମକ ଜଣେ ମହିଳା ମାନବ ବୋମାକୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ଧନ୍ନୁ ନିଜ ଅଂଟାରେ ବାରୁଦ ବୋମା ବାନ୍ଧି ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସମାବେଶରେ ପ୍ରବେଶ କରିଥିଲେ ଏବଂ ତାଙ୍କ ଆଶୀର୍ବାଦ ନେବା ବାହାନାରେ ଅତି ନିକଟକୁ ଯାଇ ବିଷ୍ଫୋରଣ ଘଟାଇ ଥିଲେ । ବିଷ୍ଫୋରଣରେ ଘଟଣାସ୍ଥଳରେ ହିଁ ରାଜୀବ ଗାନ୍ଧୀଙ୍କ ସମେତ ବହୁ ନିରୀହ ଲୋକଙ୍କ ମୃତ୍ୟୁ ଘଟି ଥିଲା । ବଷ୍ଫୋରଣ ଏତେଦୂର ଭୟାନକ ଥିଲା ଯେ ରାଜୀବଙ୍କ ସମେତ ଅନ୍ୟମାନଙ୍କ ଶରୀର ଖଣ୍ଡ ଖଣ୍ଡ ଅବସ୍ଥାରେ ସମଗ୍ର ଅଂଚଳରେ ବିଛାଇ ଯାଇଥିବା ଦେଖିବାକୁ ମିଳି ଥିଲା । ଖଲାସ ହୋଇଥିବା ହତ୍ୟାକାରୀଙ୍କୁ ପ୍ରଥମେ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଲେ ମଧ୍ୟ ପରେ ତାହାକୁ ଆଜୀବନ କାରାଦଣ୍ଡରେ ପରିଣତ କରାଯାଇଥିଲା ।
ଏହି ହତାକାଣ୍ଡରେ ଆଜୀବନ କାରାଦଣ୍ଡ ଭୋଗୁଥିବା ନଳିନୀ ଶ୍ରୀହରନ, ରବିଚନ୍ଦ୍ରନ, ସନ୍ଥାନ, ମୁରୁଗନ, ଏ.ଜି.ପେରାରିଭଲନ, ରବର୍ଟ ପାୟସ ଓ ଜୟକୁମାରଙ୍କ ମଧ୍ୟରୁ ପେରାରିଭଲନ ୩୦ ବର୍ଷରୁ ଅଧିକ ସମୟ ଜେଲରେ କଟାଇ ସାରିଥିବା ବେଳେ ଅନ୍ୟମାନେ ମଧ୍ୟ ଦୀର୍ଘ ବର୍ଷ ଧରି ଜେଲରେ କଟାଇଛନ୍ତି । ନଳିନୀ ଶ୍ରୀହରନ ଓ ରବିଚନ୍ଦ୍ରନଙ୍କୁ ତାମିଲନାଡୁ ସରକାର ତାମିଲନାଡୁ ସସ୍ପେନସନ୍ ଅଫ୍ ସେଂଟେନ୍ସ ରୁଲ, ୧୯୮୨ ଆଧାରରେ ଗତ ବର୍ଷ ଡ଼ିସେମ୍ବର ୨୭ ତାରିଖରେ ପାରୋଲରେ ଛାଡି ଥିଲେ । ଏବେସୁଦ୍ଧା ସେମାନେ ପାରୋଲରେ ଅଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ, ୧୯୯୯ ମେ’ ମାସରେ ସୁପ୍ରିମ କୋର୍ଟ ପେରାରିଭଲନ, ମୁରୁଗନ, ସନ୍ଥନ ଓ ଶ୍ରୀହରନଙ୍କ ମୃତ୍ୟୁଦଣ୍ଡକୁ କାଏମ ରଖି ଥିଲେ । ନଳିନୀ ଶ୍ରୀହରନ ଗୋଟିଏ କନ୍ୟା ସନ୍ତାନର ଜନନୀ ଥିବା ଦର୍ଶାଇ ମୃତ୍ୟୁଦଣ୍ଡ କୋହଳ କରିବାକୁ ଆବେଦନ କରିବାରୁ ୨୦୦୦ରେ ଅଦାଲତ ତାଙ୍କ ମୃତ୍ୟୁ ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ ।
ଅପରପକ୍ଷର, ପେରାରିଭଲନ, ମୁରୁଗନ, ସନ୍ଥନଙ୍କ କ୍ଷମା ଯାଚିକା ଉପରେ ନିର୍ଣ୍ଣୟରେ ବିଳମ୍ବ ହେବା କାରଣରୁ ସର୍ବୋଚ୍ଚ ନ୍ୟାୟାଳୟ ୨୦୧୪ରେ ସେମାନଙ୍କ ମୃତ୍ୟୁଦଣ୍ଡ ଆଜୀବନ କାରାଦଣ୍ଡକୁ ବଦଳାଇ ଥିଲେ । ସୁପ୍ରିମ କୋର୍ଟ ଖଣ୍ଡପୀଠଙ୍କ ଆଜିର ରାୟ ଏବଂ ରାଜୀବ ଗାନ୍ଧୀ ହତ୍ୟାକାରୀ ନଳିନୀ ଶ୍ରୀହରନ, ରବିଚନ୍ଦ୍ରନଙ୍କ ସମେତ ଅନ୍ୟ ୪ ଜଣ ଖଲାସ ହେବା ଘଟଣା କଂଗ୍ରେସକୁ କ୍ଷୁବ୍ଧ କରିଛି । ବରିଷ୍ଠ କଂଗ୍ରେସ ନେତା, ସାଂସଦ ତଥା କଂଗ୍ରେସ ଦଳର ଗଣଯୋଗାଯୋଗ ଦାୟିତ୍ୱରେ ରହିଥିବା ସାଧାରଣ ସଂପାଦକ ଜୟରାମ ରମେଶ ‘ଟ୍ୱିଟ୍’ କରି ସୁପ୍ରିମ କୋର୍ଟଙ୍କ ଆଜିର ରାୟ ଅଗ୍ରହଣୀୟ ଏବଂ ଗୁରୁତର ଭାବେ ତୃଟିପୂର୍ଣ୍ଣ ବୋଲି କହିଛନ୍ତି । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏଭଳି ଏକ ରାୟ ଦେବା ସମୟରେ ଭାରତୀୟଙ୍କ ଅନ୍ତଃସ୍ୱରକୁ ଶୁଣିବାକୁ ଚାହିଁ ନଥିବା ଦୁର୍ଭଗ୍ୟଜନକ ବୋଲି ସେ କହିଛନ୍ତି ।
୨୦୦୦ ମସିହାରେ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ବିଧବା ପତ୍ନୀ ତଥା ତତ୍କାଳୀନ କଂଗ୍ରେସ ସଭାପତି ଶ୍ରୀମତୀ ସୋନିଆ ଗାନ୍ଧୀ ମାନବିକତା ଦେଖାଇ ହସ୍ତକ୍ଷେପ କରିବାରୁ ନଳିନୀ ଶ୍ରୀହରନଙ୍କ ମୃତ୍ୟୁଦଣ୍ଡ ଆଜୀବନ କାରାଦଣ୍ଡରେ ପରିଣତ ହୋଇଥିଲା । ୨୦୦୮ରେ ରାଜୀବ ଗାନ୍ଧୀଙ୍କ କନ୍ୟା ତଥା ବର୍ତ୍ତମାନର କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭେଲୋର ଜେଲକୁ ଯାଇ ସେଠାରେ ଥିବା ନଳିନୀଙ୍କୁ ଭେଟି ଥିଲେ । କଂଗ୍ରେସ ସରକାର ସମୟରେ ନଳିନୀଙ୍କ ମୃତ୍ୟୁଦଣ୍ଡ ଆଜୀବନ କାରାଦଣ୍ଡ ହୋଇଥିବା ବେଳେ ୨୦୧୪ରେ ଆଉ ଛଅ ଜଣଙ୍କ ମୃତ୍ୟୁଦଣ୍ଡ କୋହଳ ହୋଇ ଆଜୀବନ କାରାଦଣ୍ଡ ହୋଇଥିଲା । ଦୀର୍ଘ ବର୍ଷ ଧରି ଜେଲରେ ଥିବା ନଳିନୀ ଓ ଅନ୍ୟ ଦୋଷୀମାନେ ମୁକ୍ତ ହେବା ସୋନିଆ ଗାନ୍ଧୀ ଚାହୁଁ ଥିଲେ ବୋଲି ଯାହା କୁହାଯାଉଛି ସେଥିରେ କଂଗ୍ରେସ ଦଳ କେବେ ସହମତ ନଥିଲା । ଏକଥା ବାରମ୍ଭାର କହି ଆସୁଛି । ସୋନିଆ ଗାନ୍ଧୀଙ୍କ ବ୍ୟକ୍ତିଗତ ଭାବାବେଗକୁ ଦଳ ସମ୍ମାନ କରେ । ତେବେ, ନଳିନୀ ଓ ଅନ୍ୟମାନଙ୍କୁ ମୁକ୍ତ କରାଯିବା ପ୍ରସଙ୍ଗରେ କଂଗ୍ରେସ କେନ୍ଦ୍ର ସରକାରଙ୍କ ମତ ସହ ଏକମତ । ଆଜିର ରାୟକୁ ନେଇ ଆଇନଗତ ପଦକ୍ଷେପ କଥା ଚିନ୍ତା କରାଯିବ ବୋଲି କଂଗ୍ରେସ ମୁଖପାତ୍ର ଅଭିଷେକ ମନୁ ସିଂଘଭି ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS