ବିଧାନସଭା ସମ୍ମୁଖରେ ବିଜେପିର ବିକ୍ଷୋଭ, ପୁଲିସ ସହ ମୁହାଁମୁହିଁ


ପ୍ରସାଦ ରାଓ
ଭୁବନେଶ୍ୱର
ଫେବୃଆରୀ ୨୮/୨୩
ଆଜି ବିଜେପି ପକ୍ଷରୁ ରାଜ୍ୟ ବିଧାନସଭା ସମ୍ମୁଖରେ ବିକ୍ଷୋଭ ସମୟରେ ବିକ୍ଷୋଭକାରୀ ପୁଲିସ ବ୍ୟାରିକେଡ ଭାଂଗି ବିଧାନସଭାରେ ପଶିବାକୁ ଉଦ୍ୟମ କରିବାରୁ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି । ବିଧାନସଭା ଅଧିବେଶନ ଚାଲୁଥିବା ସମୟରେ ଏହି ଘଟଣା ଘଟିଛି । ବିଜେପି ବିକ୍ଷୋଭକାରୀମାନେ ପୁଲିସ ବ୍ୟାରିକେଡ ଭାଂଗି ବିଧାନସଭାକୁ ଧସେଇ ପଶିବାକୁ ଉଦ୍ୟମ କରିବାରୁ ପୁଲିସ ସହ ସେମାନଙ୍କର ମୁହାଁମୁହିଁ ହୋଇଥିଲା । ପୁଲିସ ବିକ୍ଷୋଭକାରୀଙ୍କୁ ଘଉଡାଇବା ପାଇଁ ଲୁହବୁହା ବାଷ୍ପ ପ୍ରୟୋଗ କରିବା ସହ ଲାଠି ଚାଳନା କରିଥିବା ଖବର ମିଳିଛି । ବିକ୍ଷୋଭକାରୀଙ୍କ ମଧ୍ୟରୁ କିଛି ପୁଲିସ ଉପରକୁ ପାଣି ବୋତଲ ଫିଙ୍ଗବା ଓ ଅଣ୍ଡା ମାଡ କରିବାରୁ ପୁଲିସ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡିଛି । ଜାନୁୟାରୀ ୨୯ ତାରିଖ ଦିନ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରଠାରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ସ୍ପଷ୍ଟ ଦିବାଲୋକରେ ହତ୍ୟା କରାଯିବା ଘଟଣା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡି ଯାଇଥିବାର ବଡ ଉଦାହରଣ ଦର୍ଶାଇ ବିଜେପି ପକ୍ଷରୁ ଆଜି ବିଧାନସଭା ଘେରାଉ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ବିଜେପି କର୍ମୀମାନେ ଶୃଙ୍ଖଳିତ ଭାବେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ସମୟରେ କିଛି ବାହାର ଲୋକ, ସମ୍ଭବତଃ ବିଜେଡ଼ି ଦ୍ୱାରା ନିୟୋଜିତ ଖଳ ପ୍ରକୃତିର ଲୋକମାନେ ବିଭ୍ରାଟ ସୃଷ୍ଟି ପାଇଁ ଏଭଳି ହିଂସାକାଣ୍ଡ ଘଟାଇଛନ୍ତି ବୋଲି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଭିଯୋଗ କରାଯାଇଛି । ପୁଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷରେ ଅନ୍ୟୁନ ଦୁଇ ଜଣ ପୁଲିସ କର୍ମଚାରୀ ଓ କିଛି ବିଜେପି କର୍ମୀ ଆହତ ହୋଇଥିବା ସୂଚନା ମିଳିଛି । ପୁଲିସ ବିକ୍ଷୋଭକାରୀଙ୍କ ବିରୋଧୀରେ ମାତ୍ରାଧିକ ବଳ ପ୍ରୟୋଗ କରିଛନ୍ତି ବୋଲି ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଇରେଶ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି । ଅପରପକ୍ଷରେ, ବିଧାନସଭାରେ ଶୂନ୍ୟକାଳରେ ଉଭୟ ଶାସକ ଓ ବିରୋଧୀ ସଦସ୍ୟମାନେ ପରସ୍ପର ବିରୋଧୀ ଅଭିଯୋଗମାନ ଆଣି ଗୃହରେ ପ୍ରବଳ ହଟ୍ଟଗୋଳ କରିବାରୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ବିଧାନସଭା ଅଦିବେଶନକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ଶାସକ ଦଳ ବିଧାୟକମାନେ ରାଜ୍ୟକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଣରେ କେନ୍ଦ୍ର ସରକାରଙ୍କ ଅବହେଳାକୁ ଦର୍ଶାଇ ହଟ୍ଟଗୋଳ କରିଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକମାନେ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତରେ ଅଗ୍ରଗତି ଘଟୁନଥିବା ଦର୍ଶାଇ ଗୃହରେ ହଟ୍ଟଗୋଳ କରି ଅଚଳାବସ୍ଥା ସୃଷ୍ଟି କରିଥିଲେ । ଏଠାରେ ଉଲ୍ଲେଖନୀୟ ଯେ, ରାଜ୍ୟର ବରିଷ୍ଠ ମନ୍ତ୍ରୀ ନବ କିଶୋର ଦାସ ଗତ ଜାନୁୟାରୀ ୨୯ ତାରିଖ ଦିନ ନିଜ ନିର୍ବାଚନ ମଣ୍ଡଳୀ ଝାରସୁଗୁଡା ଯାଇ ବ୍ରଜରାଜନଗରରେ ଏକ ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା ସମୟରେ ଗାନ୍ଧୀ ଛକରେ ଗୋପାଳ ଦାସ ନାମକ ଜଣେ ପୁଲିସ ଏଏସଆଇ ମନ୍ତ୍ରୀଙ୍କ ଛାତିକୁ ଲକ୍ଷ୍ୟ କରି ଅତି ନିକଟରୁ ଗୁଳି ଚଳାଇ ଥିଲେ । ମନ୍ତ୍ରୀଙ୍କ ଛାତିରେ ଗୁଳି ବାଜି ତାଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ସଂଗେ ସଂଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାର କ୍ରାଇମ ବ୍ରାଂଚ ତଦନ୍ତ ନିର୍ଦେଶ ଦେଇଥିଲେ । ଝାରସୁଗୁଡା ପୁଲିସ ଘଟଣାସ୍ଥଳରୁ ଅଭିଯୁକ୍ତ ପୁଲିସ ଏଏସଆଇ ଗୋପାଳକୁ ଗିରଫ କରିଥିଲେ । ଓଡ଼ିଶା କ୍ରାଇମ ବ୍ରାଂଚ ମାସେ ହେଲା ଘଟଣାର ତଦନ୍ତ କରୁଛି । ଗୋପାଳକୁ ଜେରା କରୁଛି ଏବଂ ବିଭିନ୍ନ ପ୍ରକାର ବୈଷୟିକ ଯାଂଚ ମଧ୍ୟ କରିଛି । ତଥାପି, ହତ୍ୟାର ଉଦ୍ଦେଶ୍ୟ କଣ ଥିଲା ତାହା ଏପର୍ଯ୍ୟନ୍ତ ଲୋକଲୋଚନକୁ ଆଣି ପାରି ନାହିଁ । ବିରୋଧୀ ଏଥିରେ ଅସନ୍ତୁଷ୍ଟ । ନବ ଦାସଙ୍କ ହତ୍ୟାର ସିବିଆଇ ତଦନ୍ତ ପାଇଁ ବିଜେପି ଦାବି କରୁଥିବା ବେଳେ କଂଗ୍ରେସ ଏସଆଇଟି ତଦନ୍ତ ଦାବି କରୁଛି । ନବ ଦାସଙ୍କ ହତ୍ୟାର ରାଜନୀତିକରଣ ନ କରିବାକୁ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳଙ୍କୁ ଅନୁରୋଧ କରିବା ସତ୍ତ୍ୱେ କେହି ଶୁଣିବା ସ୍ଥିତିରେ ନାହାନ୍ତି । ଏହି ହତ୍ୟା ଘଟଣାର ଯାଂଚରେ ଏଫବିଆଇର ସହାୟତା ନିଆଯିବ ବୋଲି ସରକାର ଘୋଷଣା କରିଛନ୍ତି । ତଥାପି ବିରୋଧୀ ସନ୍ତୁଷ୍ଟ ନହୋଇ ବିଧାନସଭା ଭିତରେ ଓ ବାହାରେ ପ୍ରଦର୍ଶନ ଜାରି ରଖିଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS