ଯାହା ଦିଲ୍ଲୀରେ ଚାଲିଛି, ତାହା ଓଡ଼ିଶାରେ ମଧ୍ୟ ଚାଲିଛି !
ପ୍ରସାଦ ରାଓ
ଭୁବନେଶ୍ୱର
ମାର୍ଚ୍ଚ ୦୧/୨୩
ଦିଲ୍ଲୀ ହେଉ ବା ଓଡ଼ିଶା, ସବୁଠି ଗୋଟିଏ ପ୍ରକାର ରାଜନୀତି ଦେଖିବାକୁ ମିଳୁଛି । ଶାସନରେ ଥିବା ଦଳ ବିରୋଧୀଙ୍କୁ ଦବାଇବା ପାଇଁ ମାତ୍ରାଧିକ ଶକ୍ତି ପ୍ରୟୋଗ କରୁଛି । କେନ୍ଦ୍ର ସରକାର ସମେତ ବିଭିନ୍ନ ବିଜେପି ଶାସିତ ରାଜ୍ୟରେ ବିଜେପି ଆଡୁ ଏଭଳି କାର୍ଯ୍ୟାନୁଷ୍ଠାନର ଝଲକ ଦେଖିବାକୁ ମିଳୁଥିବା ବେଳେ ଅଣ-ବିଜେପି ଶାସିତ ରାଜ୍ୟରେ କ୍ଷମତାରେ ଥିବା ଦଳ ବିରୋଧୀ ଭୂମିକାରେ ଥିବା ବିଜେପି ପାଇଁ ସମାନ କୌଶଳ ପ୍ରୟୋଗ କରୁଛନ୍ତି । ଫଳରେ, ଦେଶର ରାଜନୀତି ଆଉ ସହିଷ୍ଣୁତାର ସୀମା ଭିତରେ ନାହିଁ । ଶାସକ ଓ ବିରୋଧୀଙ୍କ ମଧ୍ୟରେ ଅସହିଷ୍ଣୁତା ବଢୁଛି ଏବଂ ତାହାର ହିଂସାତ୍ମକ ରୂପ ଦେଶବାସୀଙ୍କ ସାମ୍ନାକୁ ଆସୁଛି । ମଂଗଳବାର ଦିନ ଭୁବନେଶ୍ୱରରେ ଲୋୟର ପିଏମଜିରେ ଘଟି ଥିବା ହିଂସାକୁ ଏହାର ଜ୍ୱଳନ୍ତ ଉଦାହରଣ ଭାବେ ଗ୍ରହଣ କରାଯାଇପାରେ ।
ମଂଗଳବାର ହିଂସାର ଜଡ ହେଉଛି ନିକଟରେ ରାଜ୍ୟରେ ଘଟିଥିବା ଜଣେ ବରିଷ୍ଠ ମନ୍ତ୍ରୀଙ୍କ ଅମାନୁଷିକ ହତ୍ୟା ଘଟଣା । ରାଜ୍ୟ କ୍ୟାବିନେଟର ଏହି ବରିଷ୍ଠ ମନ୍ତ୍ରୀ ଜଣକ ଜାନୁୟାରୀ ୨୯ ତାରିଖ ଦିନ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତରେ ଯାଇଥିବା ସମୟରେ ସ୍ପଷ୍ଟ ଦିବାଲୋକରେ ତାଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ଉଭୟ ଶାସକ ଓ ବିରୋଧୀଙ୍କ ପାଇଁ ଉଦ୍ବେଗର କାରଣ ହୋଇଛି । ମାସେ ହେଲା ଓଡ଼ିଶା କ୍ରାଇମ ବ୍ରାଂଚ ହତ୍ୟା ଘଟଣାର ତଦନ୍ତ କରୁଥିଲେ ମଧ୍ୟ ହତ୍ୟାର ଉଦ୍ଦେଶ୍ୟ ନିକଟରେ ପହଂଚି ପାରି ନାହିଁ । ହତ୍ୟା ଅଭିଯୋଗରେ କ୍ରାଇମ ବ୍ରାଂଚ ଦ୍ୱାରା ଗିରଫ ହୋଇଥିବା ବ୍ୟକ୍ତି ଜଣକ ଜଣେ ପୁଲିସ କର୍ମଚାରୀ ହୋଇଥିବାରୁ ଓଡ଼ିଶା ପୁଲିସ ଘଟଣାର ତଦନ୍ତ କଲେ ନିରପେକ୍ଷ ହେବ ନାହିଁ ବୋଲି ବିରୋଧୀ ଆଶଙ୍କା କରୁଛନ୍ତି । ବିଜେପି ଘଟଣାର ସିବିଆଇ ତଦନ୍ତ ଦାବି କରୁଥିବା ବେଳେ କଂଗ୍ରେସ ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତାହାର ଏସଆଇଟି ତଦନ୍ତ ଦାବି କରୁଛି ।
ଦୁଇ ବିରୋଧୀ ଦଳ ନିଜ ନିଜ ଦାବିରେ ଅଟଳ ରହି ସରକାରଙ୍କୁ ଘେରୁଥିବା ବେଳେ ବିଜେପି ରାଜ୍ୟ ଶାଖା ଅଧିକ ଆକ୍ରମଣାତ୍ମକ ଢଙ୍ଗରେ ସରକାରଙ୍କୁ ଆକ୍ରମଣ କରୁଛି । ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମନ୍ତ୍ରୀଙ୍କ ହତ୍ୟା ବିଜେଡ଼ିର ଆଭ୍ୟନ୍ତରୀଣ ରାଜନୀତିରୁ ସୃଷ୍ଟ ଏବଂ ଏହା ପଛରେ ଶାସକ ଦଳ ସହ ଥିବା କିଛି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସଂପର୍କ ଥିବା ସନ୍ଦେହ କରାଯାଉଛି ବୋଲି ବିଧାନସଭାରେ ଓ ବାହାରେ ବୟାନ ଦେଇ ସିବିଆଇ ତଦନ୍ତ ଦାବିକୁ ଜୋରଦାର କରିବା ସରକାରଙ୍କୁ କ୍ଷୁବ୍ଧ କରିଥିବା ବେଳେ ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡି ପଡିଥିବା ଅଭିଯୋଗ କରି ଦଳର ନେତାମାନେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ଏବଂ ବିଧାନସଭାକୁ ଘେରିବାକୁ ଉଦ୍ୟମ କରିବା ଦୁଇ ଦଳ ମଧ୍ୟରେ ଏକ ମୁକାବିଲାତ୍ମକ ପରିସ୍ଥିତି ସୃଷ୍ଟି କରିଛି ।
୨୦୨୪ରେ ଓଡ଼ିଶାରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ବିଜେଡ଼ି ଓ ବିଜେପି ବିଭିନ୍ନ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ଅବସ୍ଥାରେ ଥିବା ବେଳେ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା ସେମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱଯୁଦ୍ଧର ସୁଯୋଗ ସୃଷ୍ଟି କରିଛି । ନବ ଦାସ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କ୍ଷେତ୍ରରେ କ୍ରାଇମ ବ୍ରାଂଚ ଏପର୍ଯ୍ୟନ୍ତ ସଫଳତା ପାଇ ନଥିବା ଏବଂ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ରହିଥିବା ଅଭିଯୋଗରେ ଗତକାଲି ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ଶାଖା ପକ୍ଷରୁ ବିଧାନସଭା ଘେରାଉ ଓ ବିକ୍ଷୋଭ କାର୍ଯ୍ୟକ୍ରମ ଥିଲା । ବିଜେପି ଯୁବ ମୋର୍ଚ୍ଚା କର୍ମୀମାନେ ବହୁ ସଂଖ୍ୟାରେ ରାଜଧାନୀରେ ଏକତ୍ରୀତ ହୋଇ ଶୋଭାଯାତ୍ରା କରିଥିଲେ । ଲୋୟର ପିଏମଜିରେ ପହଂଚି ମୁତୟନ ଥିବା ସଶସ୍ତ୍ର ପୁଲିସ ବଳର ବ୍ୟାରିକେଡ ଭାଂଗି ବିଧାନସଭା ଆଡକୁ ମାଡି ଯିବାକୁ ଉଦ୍ୟମ କରିଥିଲେ । ପୁଲିସ ସେଥିରେ ବାଧା ଦେବାରୁ ଉପସ୍ଥିତ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ସହ ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କ ଖଣ୍ଡଯୁଦ୍ଧ ହୋଇଥିଲା ।
ଏହି ଖଣ୍ଡଯୁଦ୍ଧରେ ଉଭୟ ପକ୍ଷ ଆହତ ହୋଇଛନ୍ତି । ୨୨ ଜଣ ପୁଲିସ ଅଧିକାରୀ ଓ କର୍ମଚାରୀ ରକ୍ତାକ୍ତ ହୋଇଥିବା ପୁଲିସପକ୍ଷରୁ କୁହାଯାଉଥିବା ବେଳେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନରେ ୫୦ରୁ ଅଧିକ ବିଜେପି ଯୁବ ମୋର୍ଚ୍ଚ କର୍ମୀ ଆହତ ହୋଇଥିବା ବିଜେପି ରାଜ୍ୟ ଶାଖା ଦାବି କରିଛି । ଆହତ ପୁଲିସ କର୍ମଚାରୀଙ୍କୁ ହପ୍ପିଟାଲରେ ବିଭିନ୍ନ ସୁବିଧା ମିଳୁଥିବା ବେଳେ ଆହତ ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କୁ କୌଣସି ପ୍ରକାର ସୁବିଧା ଦିଆଯାଉିନି ବୋଲି ଦଳ ଅଭିଯୋଗ କରିଛି । ବିଜେପି ରାଜ୍ୟ ଶାଖା ସଭାପତି ସମୀର ମହାନ୍ତି ଗତକାଲିର ହିଂସା ଶାସକ ଦଳ ଦ୍ୱାରା ‘ପ୍ରୟୋଜିତ’ ବୋଲି ଆଜି ଅଭିଯୋଗ କରିଛନ୍ତି । ମହାନ୍ତିଙ୍କ ଅଭିଯୋଗ ହେଉଛି, ଲୋୟର ପିଏମଜିରେ ବିଜେପି ଯୁବ ମୋର୍ଚ୍ଚାର ବିକ୍ଷୋଭ ଶାନ୍ତିପୂର୍ଣ୍ଣ ଥିବା ବେଳେ ଶାସକ ବିଜେଡ଼ି ନେତାଙ୍କ ଦ୍ୱାରା ନିୟୋଜିତ ଖଳ ଲୋକମାନେ ପ୍ରଥମେ ଯୁବ ମୋର୍ଚ୍ଚ କର୍ମୀଙ୍କୁ ଓ ପରେ କର୍ତ୍ତବ୍ୟରତ ପୁଲିସକୁ ଆକ୍ରମଣ କରି ହିଂସାତ୍ମକ ପରିସ୍ଥିିତି ସୃଷ୍ଟି କରିଥିଲେ । ତେବେ, ବିଜେଡ଼ି ଏଭଳି ଅଭିଯୋଗ ଭିତ୍ତିହୀନ କହି ତାହାର ଖଣ୍ଡନ କରିଛି ।
ରାଜ୍ୟ ବିଧାନସଭା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ପୁଲିସ ବିରୋଧୀ ବୟାନବାଜୀରେ କ୍ଷୁବ୍ଧ ଓଡ଼ିଶା ପୁଲିସ ଗତକାଲିର ହିଂସା ପାଇଁ ବିଜେପି ଯୁବ ମୋର୍ଚ୍ଚାକୁ ସିଧାସଳଖ ଦାୟି କରିଛନ୍ତି । ଯୁବ ମୋର୍ଚ୍ଚା ବିକ୍ଷୋଭକାରୀମାନେ ମଂଗଳବାର ଲୋୟର ପିଏମଜିରେ ପହଂଚିବା ପରେ ପୁଲିସ ବ୍ୟାରିକେଡ ଭାଂଗି ବିଧାନସଭା ଆଡକୁ ମାଡି ଯିବାକୁ ଉଦ୍ୟମ କଲା ବେଳେ ପୁଲିସ ସେମାନଙ୍କୁ ରୋକିବାରୁ କର୍ତ୍ତବ୍ୟରତ ପୁଲିସ କର୍ମଚାରୀଙ୍କ ଉପରେ ସେମାନେ ଢେଲାମାଡ କରିଥିଲେ । ଖାଲି ପାଣି ବୋତଲ ଓ ଅଣ୍ଡା ମାଡ ମଧ୍ୟ ହୋଇଥିଲା । ଢେଲା ମାଡରେ ପୁଲିସ ଅଧିକାରୀ ଓ କର୍ମଚାରୀ ରକ୍ତାକ୍ତ ହେବାରୁ ନିଜର ସୁରକ୍ଷା ପାଇଁ ଲୁହବୁହା ବାଷ୍ପ ପ୍ରୟୋଗ ଓ ଲାଠିମାଡ କରିଥିଲେ । ବିକ୍ଷୋଭକାରୀଙ୍କ ଆକ୍ରମଣରେ ୨୨ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ପୁଲସ କହିଥିବା ବେଳେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନରେ ୫୦ରୁ ଅଧିକ ଯୁବ ମୋର୍ଚ୍ଚା କର୍ମୀ ଆହତ ହୋଇଛନ୍ତି ବୋଲି ବିଜେପି ଦାବି କରିଛି ।
ମଂଗଳବାର ହିଂସାକୁ ନେଇ ଭୁବନେଶ୍ୱର କ୍ୟାପିଟାଲ ଥାନା ପୁଲିସ ଏକ ମାମଲା ରୁଜୁ କରିବା ସହ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ୍ ଆଚାର୍ଯ୍ୟଙ୍କ ସମେତ ୨୨ ଜଣଙ୍କୁ ଆଇପିସିର ବିଭିନ୍ନ ସଂଗିନ ଦଫାରେ ଗିରଫ କରିଛନ୍ତି । ସେମାନଙ୍କ ବିରୋଧରେ କାର୍ଯ୍ୟରତ ପୁଲିସ କର୍ମଚାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା, ଆକ୍ରମଣ କରିବା, ହତ୍ୟା ଉଦ୍ୟମ, ଜୀବନରୁ ମାରି ଦେବାକୁ ଧମକ, ହିଂସା ଭିଆଇବା ଏବଂ ସର୍ବସାଧାରଣଙ୍କ ସଂପତ୍ତି ନଷ୍ଟ କରିବା ଭଳି ସଂଗିନ ଦଫା ଲାଗଛି । ରାଜ୍ୟ ବିଜେପି ପକ୍ଷରୁ ମଧ୍ୟ ପୁଲିସ ବିରୋଧରେ ସଂଗିନ ଅଭିଯୋଗ ହୋଇଛି । ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଗତକାଲି ରାତିରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇ ମଂଗଳବାର ଲୋୟର ପିଏମଜିରେ ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ସମୟରେ ସାଦା ପୋଷାକରେ ଥିବା ପୁଲିସ କର୍ମଚାରୀମାନେ ମହିଳା କର୍ମୀଙ୍କୁ ଆକ୍ରମଣ କରିଥିବା, ଅସଦାଚରଣ କରିଥିବା ଏବଂ ଅଶ୍ଲୀଳ ଭାଷରେ ଗାଳିଗୁଲଜ କରିଥିବା ଅଭିଯୋଗ କରାଯାଇଛି ।
ସଂପୃକ୍ତ ପୁଲିସ କର୍ମଚାରୀଙ୍କୁ ଗିରଫ କରାଯିବାକୁ ମହିଳା ମେର୍ଚ୍ଚା ଦାବି କରିଥିବା ବେଳେ କ୍ୟାପିଟାଲ ଥାନା ପୁଲିସ ଏତଲାର ପଂଜୀକରଣ କରିନଥିବା ଅଭିଯୋଗ ହୋଇଛି । ଏତଲା ପଂଜୀକରଣ କରି ତାହାର ନକଲ ସେମାନଙ୍କୁ ଦିଆଯାଉ ବୋଲି ଦାବିରେ ବହୁ ବିଜେପି ନେତା ଓ ନେତ୍ରୀ ଆଜି ଭୋର ୩ଟା ପର୍ଯ୍ୟନ୍ତ ଥାନା ବାହାରେ ଧାରଣ ଦେଇଥିଲେ ମଧ୍ୟ କେହି ଶୁଣି ନଥିଲେ । ଏଥି ନେଇ ରାଜ୍ୟ ବିଜେପି ସଭାପତି ମହାନ୍ତି ଆଜି ସରକାରଙ୍କୁ ଘେରିଛନ୍ତି । ପୁଲିସ କାହା ଇଂଗିତରେ ଏତଲା ଗ୍ରହଣ କରୁନି ସମସ୍ତେ ଜାଣନ୍ତି ବୋଲି ସେ ଗଣମାଧ୍ୟମକୁ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ କଥାରେ ଆଇନ ତା’ ବାଟରେ ଯିବ ବୋଲି କହୁଥିବା ବେଳେ ରାଜ୍ୟ ପୁଲିସ ଆଇନର ଉର୍ଦ୍ଧରେ କି (?) ବୋଲି ସେ ପ୍ରଶ୍ନ କରିଛନ୍ତି ।
‘ନବ ଦାସଙ୍କ ହତ୍ୟାର ସିବିଆଇ ତଦନ୍ତ ଆମେ ଦାବି କରୁଛୁ, ଦାବି ପୂରଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ’ ବୋଲି ସମୀର ମହାନ୍ତି କହିଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଗତକାଲି ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କ ଉପରେ ହୋଇଥିବା ପୁଲିସ କାର୍ଯ୍ୟାନୁଷ୍ଠାନର ନିନ୍ଦା କରିଛନ୍ତି । ପୁଲିସ ସେମାନଙ୍କୁ ରାଜନୈତିକ କର୍ମୀ ନଭାବି ଅପରାଧୀଙ୍କ ଭଳି ବ୍ୟବହାର କରିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ପ୍ରଧାନ କହିଛନ୍ତି । ଅପରପକ୍ଷରେ, ଓଡ଼ିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ ବିଜେପି ଯୁବ ମୋର୍ଚ୍ଚାର ଗୁଣ୍ଡାମୀ ଗ୍ରହଣୀୟ ନୁହେଁ, ପୁଲିସର ଗତକାଲିର କାର୍ଯ୍ୟାନୁଷ୍ଠାନ ଆତ୍ମରକ୍ଷା ପାଇଁ ଉଦ୍ଧିଷ୍ଟ ଥିଲା ବୋଲି ବିଜେଡ଼ି କହିଛି । କୌଣସି ବିଜେପି ଶାସିତ ରାଜ୍ୟରେ ଏଭଳି ଘଟଣା ଘଟିଥିଲେ ବିଜେପି ବିଜେଡ଼ି ସ୍ଥାନରେ ଓ ବିଜେଡ଼ି ବିଜେପି ସ୍ଥାନରେ ଥାଆନ୍ତା -ଏଥିରେ ଦ୍ୱିମତ ହେବାର ନାହିଁ ।
ଗତକାଲିର ଘଟଣାକୁ ନେଇ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଥିବା ବେଳେ ବିଜେଡ଼ି କେନ୍ଦ୍ର ମନ୍ତ୍ରୀ ପ୍ରଧାନଙ୍କୁ ଟାର୍ଗେଟ କରିଛି । ଫଳରେ, ନବ ଦାସଙ୍କ ହତ୍ୟା ପରେ ଓଡ଼ିଶାରେ ବିଜେଡ଼ି-ବିଜେପି ମଧ୍ୟରେ ଯେଉଁ ନୂତନ ଦ୍ୱନ୍ଦ୍ୱଯୁଦ୍ଧର ସୂତ୍ରପାତ ହୋଇଛି ତାହା ୨୦୨୪ ନିର୍ବାଚନ ସରିବା ଯାଏଁ ଟାଣି ହୋଇ ଚାଲିବ – ଏଥିରେ କିଛି ସନ୍ଦେହ ନାହିଁ । କେବଳ ଦେଖିବାକୁ ବାକି ରହିଲା – ନବ ଦାସ ହତ୍ୟା ଘଟଣାରେ ଓଡ଼ିଶା କ୍ରାଇମ ବ୍ରାଂଚ କେବେ ଓ କେତେ ସତ୍ୟର ନିକଟତର ହେଉଛନ୍ତି । ଗିରଫ ହେବା ଦିନରୁ ଅଭିଯୁକ୍ତ ପୁଲିସ କର୍ମଚାରୀ ଗୋପାଳ ଦାସର ମୁହଁରେ ଯେଉଁ ରହସ୍ୟମୟ ହସ ଦେଖିବାକୁ ମିଳୁଛି ସେଥିରେ କେବେ ପୂର୍ଣ୍ଣଛେଦ ପଡୁଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS