ପୂର୍ବାଂଚଳ ରାଜ୍ୟ ନିର୍ବାଚନ ଫଳାଫଳରୁ ବିରୋଧୀ କିଛି ଶିଖିବେ କି ?
ପ୍ରସାଦ ରାଓ
ମାର୍ଚ୍ଚ ୦୩/୨୩
ଗୁରୁବାର ପ୍ରକାଶ ପାଇଥିବା ତିନିଟି ଉତ୍ତର ପୂର୍ବାଂଚଳ ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ । ଫଳାଫଳକୁ ନେଇ ବିଜେପିକୁ ଉତ୍ସାହିତ ଥିବା ବେଳେ ବିରୋଧୀ ଶିବରରେ ନୈରାଶ୍ୟ ହିଁ ରହିଛି । ବିଜେପି ଉତ୍ସାହିତ ହେବାର କାରଣ ହେଉଛି, ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୨୦୨୩ରେ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ରହିଛି । ୯ଟି ରାଜ୍ୟ ମଧ୍ୟରେ ଫେବୃୟାରୀରେ ନିର୍ବାଚନ ସରିଥିବା ତିନିଟି ଉତ୍ତର ପୂର୍ବାଂଚଳ ରାଜ୍ୟ ତ୍ରିପୁରା, ମେଘାଳୟ, ନାଗାଲାଣ୍ଡ ଅନ୍ୟତମ । ଆାଶଛୁଆଁ ଦରଦାମ, ବର୍ଦ୍ଧିତ ବେକାର ସମସ୍ୟା, ଧାର୍ମିକ ଅସହିଷ୍ଣୁତା, ଆଦାନୀ-ହିଂଡେନବର୍ଗ ପ୍ରସଙ୍ଗ ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେପି ଏବଂ କେନ୍ଦ୍ର ସରକାର ବିରୋଧୀଙ୍କ ତୀବ୍ର ଆକ୍ରମଣର ସମ୍ମୁଖୀନ ଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କନ୍ୟାକୁମାରୀରୁ କଶ୍ମୀର ପଦଯାତ୍ରା କଂଗ୍ରେସ ପାଇଁ ଏକ ସକାରାତ୍ମକ ଭାବଧାରା ସୃଷ୍ଟି କରିଥିବା ନେଇ ହେଉଥିବା ଆଲୋଚନା ୨୦୨୩ ପ୍ରାରମ୍ଭରୁ ହେଉଥିବା ବିଧାନସଭା ନିର୍ବାଚନଗୁଡିକୁ କିଭଳି ପ୍ରଭାବିତ କରୁଛି ଦେଖିବା ସକାଶେ ସମସ୍ତେ ବ୍ୟାକୁଳ ଥିଲେ । ବର୍ଷ ଆରମ୍ଭରୁ ତିନି ଉତ୍ତର ପୂର୍ବାଂଚଳ ରାଜ୍ୟରେ ନିର୍ବାଚନ ସରିଛି ଏବଂ ଏହି ତିନି ରାଜ୍ୟର ଫଳାଫଳ ବିଜେପି ପାଇଁ ଉତ୍ସାହର କାରଣ ହୋଇଥିବା ବେଳେ ବିରୋଧୀଙ୍କୁ ନିରାଶ କରିଛି । ଗତ ପ୍ରାୟ ନଅ ବର୍ଷ ହେଲା ବିଲୁପ୍ତି ମୁହଁରୁ ଉଦ୍ଧାର ହେବାକୁ ସଂଘର୍ଷ କରୁଥିବା କଂଗ୍ରେସ ପାଇଁ ଫଳାଫଳ ଅଧିକ ନିରାଶାଜନକ ହୋଇଛି । ଅନ୍ୟ ବିରୋଧୀ ଦଳମାନେ ମଧ୍ୟ ନିର୍ବାଚନ ପୂର୍ବରୁ ଏକାଠି ହେବା ବଦରେ ପରସ୍ପର ବିରୋଧରେ ଲଢେଇରେ ରହି ପରାଜୟର ମୁହଁ ଦେଖିଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧ ଏକତା କଥା କୁହାଯାଉଥିବା ବେଳେ ବିଭାଜିତ ଅବସ୍ଥାରେ ନିର୍ବାଚନ ଲଢିବା ଦ୍ୱାରା ପରିଣତି କଣ ହୁଏ ତାହା ସେମାନେ ଏହି ତିନି ରାଜ୍ୟ ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ଅନୁମାନ କରିପାରୁଥିବେ । ତ୍ରିପୁରାରେ ବିଜେପି ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଲଗାତର ଦ୍ୱିତୀୟ ଥର ପାଇଁ ସରକାର କରିବାକୁ ଯାଉଛି । ମେଘାଳୟରେ ଆଂଚଳିକ ଦଳ ଏନପିପି (ନ୍ୟାସନାଲ ପିପୁଲ୍ସ ପାର୍ଟି) ଓ ନାଗାଲାଣ୍ଡରେ ଏନଡିଡିପି (ନ୍ୟାସନାଲ ଡେମୋକ୍ରେଟିକ୍ ପ୍ରୋଗ୍ରେସିଭ ପାର୍ଟିର୍) ସହ ଦଳ ମେଂଟରେ ସରକାର କରିବ । ତିନି ରାଜ୍ୟରେ କଂଗ୍ରେସ, ବାମପନ୍ଥୀ ଓ ଅନ୍ୟ ଜାତୀୟ ଦଳଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିବା ବେଳେ ଆଂଚଳିକ ଦଳ ସେମାନଙ୍କୁ ବହୁ ପଛରେ ପକାଇଛନ୍ତି । ୬୦ ଆସନ ବିଶିଷ୍ଟ ତ୍ରିପୁରାର ବିଧାନସଭାରେ ଏକାକୀ ବିଜେପି ୩୨ ଆସନ ପାଇଛି । ସହଯୋଗୀ ଦଳ ଆଇପିଏଫଟି ଗୋଟିଏ ଆସନ ପାଇ ଥିବାରୁ ବିଜେପି ନିକଟରେ ୩୩ ବିଧାୟକ ରହିଛନ୍ତି । ସରକାର ଗଠନ ପାଇଁ ମେଜିକ ସଂଖ୍ୟା ହେଉଛି ୩୧ । ରାଜ୍ୟରେ ଆଦିବାସୀଙ୍କ ହକ୍ ପାଇଁ ଦୁଇ ବର୍ଷ ତଳେ ଲଢେଇ ଆରମ୍ଭ କରିଥିବା ‘ଟିପରା ମୋଥା’ ୧୩ଟି ଆସନରେ ବିଜୟୀ ହୋଇ ମୁଖ୍ୟ ବିରୋଧୀ ଦଳ ହୋଇଛି । ତ୍ରିପୁରା ରାଜ ପରିବାର ସଦସ୍ୟ ପ୍ରଦ୍ୟୋତ କିଶୋର ମାଣିକ୍ୟ ଦେବବର୍ମା ‘ଟିପରା ମୋଥା’ର ପ୍ରତିଷ୍ଠାତା । ଆଗାମୀ ଦିନରେ ଦଳ ଆହୁରି ସଂଗଠିତ ହେବ ଏବଂ ପରବର୍ତ୍ତୀ ବିଧାନସଭା ନିର୍ବାଚନରେ ରାଜ୍ୟରେ ସରକାର ଗଠନ ସ୍ଥିତିରେ ରହିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଦଳର ସଫଳତା ପାଇଁ କଂଗ୍ରେସ-ସିପିଏମର ମିଳିତ ପ୍ରଦର୍ଶନକୁ ଫିକା କରି ଦେଇଛି । ଦିନ ଥିଲା ତ୍ରିପୁରୀ କମ୍ୟୁନିଷ୍ଟମାନଙ୍କ ଅନ୍ୟତମ ଗଡ ଭାବେ ପରିଚିତ ଥିଲା । ୨୦୨୩ ବିଧାନସଭା ନିର୍ବାଚନରେ କଂଗ୍ରେସ-ସିପିଏମ୍ ମେଂଟ ୧୪ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସକୁ ୩ଟି ଓ ସିପିଏମକୁ ୧୧ଟି ଆସନ ମିଳିଛି । ସେହିଭଳି, ୬୦ ଆସନ ବିଶିଷ୍ଟ ମେଘାଳୟରେ ୫୯ ଆସନ ପାଇଁ ନିର୍ବାଚନ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ କନରାଡ ସାଂଗାମାଙ୍କ ଏନପିପି (ନ୍ୟାସନାଲ ପିପୁଲ୍ସ ପାର୍ଟି)କୁ ୨୬ ଆସନ ମିଳିଛି । ୨୦୧୮ ନିର୍ବାଚନରେ ଏନପିପିକୁ ୨୦ ଆସନ ମିଳିଥିଲା । ଏନପିପି ବିଜେପି ସହ ମେଂଟରେ ସରକାରରେ ଥିଲା । ୨୦୨୩ରେ ଏନପିପି (ନ୍ୟାସନାଲ ପିପୁଲ୍ସ ପାର୍ଟି) ୨୬ ଆସନ ପାଇ ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି । ମୁଖ୍ୟମନ୍ତ୍ରୀ କନରାଡ ସାଂଗାମାଙ୍କୁ ୨୦୨୩ରେ ସରକାର ଗଠନ ପାଇଁ ଆଉ ୪ଟି ବିଧାୟକଙ୍କ ସମର୍ଥନ ଆବଶ୍ୟକତା ଥିବା ବେଳେ ବିଜେପି ସହଯୋଗର ହାତ ବଢାଇଛି । ମେଘାଳୟ ମୁଖ୍ୟମନ୍ତ୍ରୀ ସାଂଗାମା ତାଙ୍କ ପଛରେ ୩୨ ବିଧାୟକଙ୍କ ସମର୍ଥନ ଥିବା ଆଜି ସିଲଂରେ କହିଥିବା ବେଳେ ୨୯ ବିଧାୟକଙ୍କ ସହ ରାଜଭବନକୁ ଯାଇ ରାଜ୍ୟପାଳଙ୍କ ନିକଟରେ ଶକ୍ତି ପ୍ରଦର୍ଶନ କରିଛନ୍ତି । ଏନପିପିର ୨୬, ବିଜେପିର ଦୁଇ ବିଧାୟକଙ୍କ ସହ ଜଣେ ସ୍ୱାଧୀନ ବିଧାୟକ ରାଜ୍ୟପାଳ ଫଗୁ ଚୌହାନଙ୍କ ସାମ୍ନାରେ ଉପସ୍ଥିତ ହୋଇଥିଲେ ଏବଂ ମୁଖ୍ୟମନ୍ତ୍ରୀ ସାଂଗାମା ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରି ଲଗାତର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଦାବି ଉପସ୍ଥାପନ କରିଥିଲେ । ଆସନ୍ତା ୭ ତାରିଖ ସେ ଶପଥ ଗ୍ରହଣ କରୁଥିବା ସୂଚନା ମିଳିଛି । ବିଧାନସଭା ନିର୍ବାଚନରେ ଏନପିପି ସର୍ବାଧିକ ଆସନ ପାଇଥିବା ବେଳେ ବିଦାୟୀ ସରକାରରେ ସହଯୋଗୀ ଥିବା ୟୁଡିପି (ୟୁନାଇଟେଡ ଡେମୋକ୍ରେଟିକ ପାର୍ଟି) ୧୧ଟି ଆସନରେ ବିଜୟୀ ହୋଇ ଦ୍ୱିତୀୟ ସ୍ଥାନରେ ରହିଛି । ୨୦୧୮ ନିର୍ବାଚନରେ ୟୁଡିପି ୬ଟି ଆସନ ମିଳି ଥିଲା । ମେଘାଳୟରେ କଂଗ୍ରେସକୁ ୫ଟି ଓ ତୃଣମୂଳ କଂଗ୍ରେସକୁ ୫ଟି ଲେଖାଏଁ ଆସନ ମିଳିଛି । ବିଜେପି ତିନିଟି ଆସନ ପାଇଛି । ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ଗତକାଲି ଏନପିପି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ସାଂଗାମା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସହ ଯୋଗଯୋଗ କରି ରାଜ୍ୟରେ ବିଜେପି ସହ ମିଳିତ ସରକାର ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ରଖି ଥିଲେ ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ତାହାକୁ ଗ୍ରହଣ କରି ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଜେପି ରାଜ୍ୟ ଶାଖାକୁ ନିର୍ଦେଶ ଦେଇଛନ୍ତି ବୋଲି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଆଜି ଟ୍ୱିଟ୍ କରିଛନ୍ତି । ନାଗାଲାଣ୍ଡରେ ମଧ୍ୟ ୬୦ଟି ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ଏନଡିଡିପି (ନ୍ୟାସନାଲ ଡେମୋକ୍ରେଟିକ୍ ପ୍ରୋଗ୍ରେସିଭ ପାର୍ଟି)- ବିଜେପି ମେଂଟକୁ ସର୍ବାଧିକ ୩୭ ଆସନ ମିଳିଛି । ଏନଡିଡିପିକୁ ୨୫ଟି ଓ ବିଜେପିକୁ ୧୨ଟି ଆସନ ମିଳିଥିବା ବେଳେ ଏନସିପିକୁ ୭ଟି, ଏନପିପିକୁ ୫ଟି ଓ ଅନ୍ୟମାନଙ୍କୁ ୧୧ଟି ଆସନ ମିଳିଛି । ଏନଡିଡିପି-ବିଜେପି ମେଂଟ ସର୍ବାଧିକ ସଂଖ୍ୟକ ଅର୍ଥାତ ୩୭ ଆସନ ପାଇ ଥିବାରୁ ଏନଡିଡିପି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିଓ ଲଗାତର ପଂଚମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ତେବେ, ବର୍ଷ ଆରମ୍ଭରୁ ପାଂଚଟି ରାଜ୍ୟରେ ହୋଇଥିବା ଛଅଟି ଉପ ନିର୍ବାଚନରେ କଂଗ୍ରେସକୁ ୩ଟି ଓ ବିଜେପି ନେତୃତ୍ୱାଧୀନ ଏନଡ଼ିଏକୁ ୩ଟି ଆସନରେ ବିଜୟ ମିଳିଛି । ପଶ୍ଚିମ ବଂଗରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ମମତା ନବାନାର୍ଜୀଙ୍କୁ ବଡ ଝଟକା ଦେଇ ବିରୋଧୀ ମେଂଟ ଗଠନରେ ଅବରୋଧର ସୃଷ୍ଟିର କାରଣ ହୋଇଛି । ପଶ୍ଚିମ ବଂଗର ସାଗରଦିଘି ବିଧାନସଭା ଉପ ନିର୍ବାଚନରେ ଟିଏମସି ପ୍ରାର୍ଥୀଙ୍କ ପରାଜୟକୁ ମମତା ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଏହି ଆସନରେ କଂଗ୍ରେସ ପ୍ରାର୍ଥୀ ବାୟରନ ବିଶ୍ୱାସ କମ୍ୟୁନିଷ୍ଟ ଦଳର ସମର୍ଥନରେ ଟିଏମସି ପ୍ରାର୍ଥୀ ଦେବାଶିଷ ବାନାର୍ଜୀଙ୍କୁ ପାଖାପାଖି ୨୩ ହଜାର ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି । ଏହା କଂଗ୍ରେସ, କମ୍ୟୁନିଷ୍ଟ ଓ ବିଜେପିର ମିଳିତ ଷଡଯନ୍ତ୍ର ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିବା ସହ ଟିଏମସି ୨୦୨୪ ନିର୍ବାଚନରେ କୌଣସି ମେଂଟରେ ସାମିଲ ନହୋଇ ସବୁ ଦଳଙ୍କ ବିରୋଧରେ ଏକାକୀ ନିର୍ବାଚନ ଲଢିବେ ବୋଲି ଏକ ଜାତୀୟ ଗଣମାଧ୍ୟମରେ ବିବୃତି ରଖିଛନ୍ତି । ମମତାଙ୍କ ଏହି ବିବୃତି ୨୦୨୪ ପୂର୍ବରୁ ବିରୋଧୀ ଏକତା ପାଇଁ ଏକ ବଡ ଝଟକା ହୋଇଛି । ମେଘାଳୟ ବିଧାନସଭା ନିର୍ବାଚନରେ ଟିଏମସିକୁ ୫ଟି ଆସନ ମିଳିବା ମମତାଙ୍କ ପାଇଁ ସୁଖଦ ଖବର ହୋଇଥିଲେ ମଧ୍ୟ ପଶ୍ଚିମ ବଂଗ ସାଗରଦିଘି ବିଧାନସଭା ଉପ ନିର୍ବାଚନରେ ପରାଜୟ ତାଙ୍କୁ ବାଧୁଥିବା ଏହି ବିବୃତିରୁ ସ୍ପଷ୍ଟ ହେଉଛି । ମେଘାଳୟରେ ଦଳକୁ ଅଧିକ ଆସନ ମିଳିଥା’ନ୍ତା । ତେବେ, ମତଦାତା ତୃଣମୂଳ କଂଗ୍ରେସକୁ କଂଗ୍ରେସ ଭାବି ବିଭ୍ରାନ୍ତ ହେବାରୁ ଟିଏମସିର ପ୍ରଦର୍ଶନ ୧୩ ପ୍ରତିଶତ ଭୋଟରେ ସୀମିତ ରହିଗଲା ବୋଲି ସେ କହିଛନ୍ତି । ମମତାଙ୍କ କଂଗ୍ରେସ ଓ କମ୍ୟୁନିଷ୍ଟଙ୍କ ବିରୋଧରେ ବିଷୋଦଗାର ଆଗାମୀ ଦିନରେ ବିରୋଧୀ ମେଂଟ ଉଦ୍ୟମକୁ କିଭଳି ପ୍ରଭାବିତ କରିବ, ତାହା ସମୟ କହିବ । ୨୦୨୩ରେ ଆଉ ଛଅଟି ରାଜ୍ୟ ଛତିଶଗଡ, ରାଜସ୍ଥାନ, କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, ତେଲେଂଗାନା ଓ ମିଜେରାମରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ଏହି ଛଅଟି ରାଜ୍ୟ ମଧ୍ୟରୁ ଦୁଇଟି ରାଜ୍ୟ କର୍ଣ୍ଣାଟକ ଓ ମଧ୍ୟ ପ୍ରଦେଶରେ ବିଜେପିର ସରକାର ଥିବା ବେଳେ ଛତିଶଗଡ ଓ ରାଜସ୍ଥାନରେ କଂଗ୍ରେସ, ତେଲେଂଗାନାରେ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଟିଆରଏସ୍ ଏବଂ ମିଜେରାମରେ ମୁଖ୍ୟମନ୍ତ୍ରୀ ଜୋରମଥଂଗଙ୍କ ମିଜେ ଜାତୀୟ ସାମ୍ମୁଖ୍ୟ (ଏମଏନଏଫ) ସରକାର ରହିଛି । ଏହି ଛଅଟି ରାଜ୍ୟ ବିଧାନସଭାନିର୍ବାଚନ ଫଳାଫଳ ୨୦୨୪ ସାଧାରଣ ନିର୍ବାଚନକୁ ବହୁମାତ୍ରାରେ ପ୍ରଭାବିତ କରିବା ସମ୍ଭାବନା ଥିବାରୁ ଜାତୀୟସ୍ତରରେ ବିଜେପିର ମୁକାବିଲା ପାଇଁ ବିରୋଧୀ ପୂର୍ବାଂଚଳ ରାଜ୍ୟ ତ୍ରିପୁରା, ମେଘାଳୟ, ନାଗାଲାଣ୍ଡ ନିର୍ବାଚନ ଫଳାଫଳରୁ ଶିକ୍ଷାଲାଭ କରିବେ ଏବଂ ୨୦୨୪ ପୂର୍ବରୁ ଗୋଟିଏ ଛାତ ତଳେ ଏକାଠି ହେବାର ପ୍ରୟାସ କରିବେ ବୋଲି ଆଶା କରାଯାଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS