ସିସୋଦିଆଙ୍କ ସିବିଆଇ ରିମାଣ୍ଡ ଅବଧି ବଢିଲା, ୧୦ରେ ଜାମିନ ଆବେଦନର ଶୁଣାଣୀ
ପ୍ରସାଦ ରାଓ
ମାର୍ଚ୍ଚ ୦୪/୨୩
ପୂର୍ବତନ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ସିବିଆଇ ହାଜତ ମିଆଦ ଆଉ ତିନି ଦିନ ବଢିଛି । ୬ ତାରିଖ (ସୋମବାର) ପର୍ଯ୍ୟନ୍ତ ସିସୋଦିଆ ସିବିଆଇ ହେପାଜତରେ ରହିବେ । ସିସୋଦିଆଙ୍କ ଜାମିନ ଆବେଦନ ଉପରେ ମାର୍ଚ୍ଚ ୧୦ ତାରିଖ ଶୁଣାଣୀ ହେବ ବୋଲି ଆଜି ରାଉଜ ଏଭିନ୍ୟୁ କୋର୍ଟ ବିଚାରପତି କହିଛନ୍ତି । ୨୦୨୨ରେ ଦିଲ୍ଲୀରେ ନୂତନ ଅବକାରୀ ନୀତି କାର୍ଯ୍ୟକାର କରାଯିବାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗରେ ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ଓ ଅବକାରୀ ମନ୍ତ୍ରୀ ଥିବା ସିସୋଦିଆଙ୍କୁ ଗତ ରବିବାର ଦିନ ଗିରଫ କରାଯାଇଥିଲା । ସିବିଆଇ ଅଧିକାରୀମାନେ ତାଙ୍କୁ ପଚରା ଉଚୁରା ପାଇଁ କାର୍ଯ୍ୟାଳୟକୁ ଡକାଯାଇ ଆଠ ଘଂଟା ଜେରା କରିବା ପରେ ଗିରଫ କରିଥିବା ସୂଚିତ କରିଥିଲେ । ସୋମବାର ଦିନ ସିସୋଦିଆଙ୍କୁ ଦିଲ୍ଲୀ ରାଉଜ ଏଭିନ୍ୟୁ କୋର୍ଟରେ ହାଜର କରାଯିବା ପରେ ତଦନ୍ତକାରୀ ସଂସ୍ଥାର ଆବେଦନକ୍ରମେ ବିଚାରପତି ଏମ.କେ.ନାଗପାଲ ତାଙ୍କୁ ପାଂଚ ଦିନିଆ ସିବିଆଇ ରିମାଣ୍ଡ ଦେଇଥିଲେ । ଆଜି ରିମାଣ୍ଡ ଅବଧି ଶେଷ ହେବାରୁ ସିବିଆଇ ଅଧିକାରୀମାନେ ସିସୋଦିଆଙ୍କୁ କୋର୍ଟରେ ହାଜର କରାଇ ଆଉ ଅଧିକ ତିନି ଦିନ ରିମାଣ୍ଡ ଦିଆଯିବାକୁ ଆବେଦନ କରିଥିଲେ । ସିସୋଦିଆ ତଦନ୍ତରେ ସହଯୋଗ କରୁନଥିବା ଦର୍ଶାଇ ସିବିଆଇ ଅଧିକ ତିନି ଦିନ ରିମାଣ୍ଡ ମାଗି ଥିବା ବେଳେ ସିସୋଦିଆ ଆଜି ସୁଦ୍ଧା ସିବିଆଇକୁ ତଦନ୍ତରେ ସଂପୂର୍ଣ୍ଣ ସହଯୋଗ କରି ଆସୁଛନ୍ତି ବୋଲି ତାଙ୍କ ଓକିଲମାନେ କୋର୍ଟରେ ଦର୍ଶାଇ ଆବେଦନର ବିରୋଧ କରିଥିଲେ । କୋର୍ଟ ଉଭୟ ପକ୍ଷ ଓକିଲଙ୍କ ଯୁକ୍ତି ଶୁଣିବା ପରେ ସିସୋଦିଆଙ୍କ ସିବିଆଇ ରିମାଣ୍ଡ ମିଆଦ ସୋମବାର ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ, ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସିସୋଦିଆ ସିବିଆଇ ରିମାଣ୍ଡରେ ଥିବା ସମୟରେ ସୁପ୍ରିମ କୋର୍ଟରେ ତାଙ୍କ ଗିରଫଦାରୀକୁ ଚ୍ୟାଲେଂଜ କରିବା ସହ ଜାମିନ ଆବେଦନ କରି ପିଟିସନ ଦାଖଲ କରିଥିଲେ । ତେବେ, ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଗତ ବୁଧବାର ଦିନ ସିସୋଦିଆଙ୍କ ଆବେଦନକୁ ଶୁଣାଣୀ କରିବାକୁ ମନା କରି ଜାମିନ ପାଇଁ ଦିଲ୍ଲୀ ହାଇକୋର୍ଟ ବା ତଳ କୋର୍ଟକୁ ଯିବାକୁ କହିଥିଲେ । ସୁପ୍ରିମ କୋର୍ଟଙ୍କ କହିବା ଅନୁସାରେ ସିସୋଦିଆ ଆଜି ପାଂଚ ଦିନିଆ ସିବିଆଇ ରିମାଣ୍ଡ ଶେଷ ଦିନ ରାଉଜ ଏଭିନ୍ୟୁ କୋର୍ଟରେ ଜାମିନ ଆବେଦନ କରିଛନ୍ତି । ବିଚାରପତି ଏମ.କେ.ନାଗପାଲ ଆବେଦନ ଉପରେ ମାର୍ଚ୍ଚ ୧୦ ତାରିଖ ଶୁଣାଣୀ କରିବେ ବୋଲି କହିଛନ୍ତି । ସିସୋଦିଆଙ୍କୁ ବୁଧବାର ଦିନ ସୁପ୍ରିମ କୋର୍ଟରୁ ରିଲିଫ ନ ମିଳିବାରୁ ସେ ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ପରିଷଦରୁ ଇସ୍ତଫା ଦେଇଥିଲେ । ଉପ ମୁଖ୍ୟମନ୍ତ୍ରୀ ପଦ ସହ ଅର୍ଥ, ଅବକାରୀ ଭଳି ୧୮ଟି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ତାଙ୍କ ନିକଟରେ ରହିଥିଲା । ୨୦୨୨ ଜୁଲାଇରେ ସିବିଆଇ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାର ତଦନ୍ତ ହାତକୁ ନେଇ ଯେଉଁ ଏତଲା ରୁଜୁ କରିଥିଲା ସେଥିରେ ସିସୋଦିଆଙ୍କୁ ଏକ ନମ୍ବର ଅଭିଯୁକ୍ତ ଦର୍ଶାଇଛି । ଏହା ପରେ ବିଭିନ୍ନ ସମୟରେ ତାଙ୍କ ସରକାରୀ ବାସଭବନ, ଦପ୍ତର ଏବଂ ସେସଂପର୍କିତ ବିଭିନ୍ନ ଅନୁଷ୍ଠାନ ଉପରେ ଚଢାଉ କରିବା ସହ ତାଙ୍କୁ ସିବିଆଇ କାର୍ଯ୍ୟାଳୟକୁ ଡକାଇ ଜେରା କରିଛି । ସିବିଆଇ ତଦନ୍ତରେ ସେ ସର୍ବଦା ସହଯୋଗ କରିଛନ୍ତି, ତଦନ୍ତରେ ସିସୋଦିଆ ସହଯୋଗ କରୁନଥିବା ଦର୍ଶାଇ ସିବିଆଇ ଅଧିକ ତିନି ଦିନ ରିମାଣ୍ଡ ମାଗିବା ଯୁକ୍ତି ସଂଗତ ନୁହେଁ ବୋଲି ସିସୋଦିଆଙ୍କ ଓକିଲ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ । ତେବେ, ରିମାଣ୍ଡ ସମୟରେ ସିସୋଦିଆଙ୍କୁ ଜେରା କରିବାକୁ ଯଥେଷ୍ଟ ସମୟ ମିଳିନଥିବାରୁ ଏବଂ କିଛି ଡିଜିଟାଲ ପ୍ରମାଣ ହସ୍ତଗତ ହୋଇଛି ଯାହାକୁ ନେଇ ତାଙ୍କୁ ସାକ୍ଷୀଙ୍କ ସହ ମୁହାଁମୁହିଁ କରି ଜେରା କରିବାର ଆବଶ୍ୟକ ଥିବାରୁ ଅଧିକ ତିନି ଦିନ ରିମାଣ୍ଡ ଦିଆଯାଉ ବୋଲି ସିବିଆଇ କୋର୍ଟରେ ଯୁକ୍ତି ରଖି ଥିଲା । କୋର୍ଟ ଉଭୟ ପକ୍ଷଙ୍କୁ ଶୁଣିବା ପରେ ଅପରାହ୍ନରେ ସିସୋଦିଆଙ୍କ ସିବିଆଇ ରିମାଣ୍ଡ ଆଉ ତିନି ଦିନ ବଢାଇଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS