ବିଜେପି ନହୋଇ ଅନ୍ୟ ବିରୋଧୀ ବିଧାୟକ ହୋଇଥିଲେ ?
ପ୍ରସାଦ ରାଓ
ମାର୍ଚ୍ଚ ୦୪/୨୩
ଗୁରୁବାର ଦିନ କର୍ଣ୍ଣାଟକର ଲୋକାୟୁକ୍ତ ଦୁର୍ନୀତି ନିବାରଣ ଶାଖା ଦ୍ୱାରା ଧରା ପଡିଥିବା ଏକ ଲାଂଚ କାରବାର ଘଟଣା ଦେଶବ୍ୟାପୀ ଆଲୋଡନ ସୃଷ୍ଟି କରିଛି । ରାଜ୍ୟରେ ବିଜେପିର ଶାସନ ଥିବା ବେଳେ ନଗଦ କୋଟି କୋଟି ଟଙ୍କା ନିଜ ପାଖରେ ଠୁଳ କରି ଧରା ପଡିଥିବା ବ୍ୟକ୍ତି ହେଉଛନ୍ତି ରାଜ୍ୟର ଜଣେ ବିଜେପି ବିଧାୟକ ମାଦାଲା ବିରୁପାକ୍ଷାପ୍ପା ଓ ତାଙ୍କ ଚାକିରିଆ ପୁଅ ମାଦାଲା ପ୍ରଶାନ୍ତ । ପ୍ରଥମେ ଲୋକାୟୁକ୍ତ ପୁଲିସ କୌଣସି ସୂତ୍ରରୁ ସୂଚନା ପାଇ ବିଧାୟକଙ୍କ ପୁଅ ପ୍ରଶାନ୍ତ ନିଜ କାର୍ଯ୍ୟାଳୟରେ ୪୦ ଲକ୍ଷ ଟଙ୍କା ଲାଂଚ ନେଉଥିବା ବେଳେ ଧରିଥିଲେ । ଏହାପରେ ପ୍ରଶାନ୍ତଙ୍କ କାର୍ଯ୍ୟାଳୟରେ ଚଢାଉ କରାଯାଇ ନଗଦ ୧.୭୫ କୋଟି ଟଙ୍କା ଜବତ କରାଗଲା । ଲାଂଚ କାରବାରର ମୁଖ୍ୟ କର୍ତ୍ତା ବିଧାୟକ ବୋଲି ଜାଣିବା ପରେ ଲୋକାୟୁକ୍ତ ପୁଲିସ ବିଧାୟକ ବିରୁପାକ୍ଷାପ୍ପାଙ୍କ ବାସଭବନରେ ଚଢାଉ କରି ନଗଦ ୬ କୋଟି ଟଙ୍କା ଜବତ କରିଥିବା ଜଣାପଡିଛି । ବାପା, ପୁଅଙ୍କ ପାଖରୁ ମିଳିଥିବା ନଗଦ ଟଙ୍କାର ପରିମାଣ ୮ କୋଟିରୁ ଅଧିକ ବୋଲି କର୍ଣ୍ଣାଟକ ଲୋକାୟୁକ୍ତ ଦୁର୍ନୀତି ନିର୍ବାରଣ ବିଭାଗ କହିଛନ୍ତି । ଏତେ ପରିମାଣର ନଗଦ ଟଙ୍କା ଜବତ ହେବାରୁ ଦୁର୍ନୀତି ନିବାରଣ ପୁଲିସ ବିଜେପି ବିଧାୟକ ବିରୁପାକ୍ଷାପ୍ପାଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ମାମଲା ରୁଜୁ କରିଛନ୍ତି । ବିଧାୟକ ମହୋଦୟଙ୍କୁ ପୁଲିସ ଠାବ କରିପାରୁନଥିବା କୁହାଯାଉଥିବା ବେଳେ ଗତକାଲି ସେ ଗୋଟିଏ ଉଦ୍ୟୋଗର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ସହ ଆଗୁଆ ଜାମିନ ପାଇଁ ଆବେଦନ କରିଥିବା ସୂଚନା ମିଳିଛି । ବିଧାୟକ ମାଦାଲା ବିରୁପାକ୍ଷାପ୍ପା କର୍ଣ୍ଣାଟକ ଦେବନାଗରେ ଜିଲ୍ଲାର ଚିନ୍ନାଗିରି ଆସନରୁ ନିର୍ବାଚିତ ହୋଇଥିଲେ ଏବଂ କର୍ଣ୍ଣାଟକରେ ‘ମହୀଶୂର ସାଣ୍ଡାଲ’ ସାବୁନ ତିଆରି କରୁଥିବା ‘ସୋପ୍ସ ଏଣ୍ଡ ଡ଼ିଟର୍ଜେଂଟ୍ ଲିମିଟେଡ’ର ଅଧ୍ୟକ୍ଷ ଥିଲେ । ପୁଅ ମାଦାଲା ପ୍ରଶାନ୍ତ ବେଂଗାଲୁରୁ ଜଳ ଯୋଗାଣ ଓ ସ୍ୱେରେଜ ବୋର୍ଡରେ ଜଣେ ଆକାଉନ୍ଟାଂଟ ଭାବେ କାର୍ଯ୍ୟରତ ଥିଲେ । ଗୁରୁବାର ଲୋକାୟୁକ୍ତ ପୁଲିସ ପ୍ରଶାନ୍ତଙ୍କୁ ୪୦ ଲକ୍ଷ ଲାଂଚ ଟଙ୍କା ସହ ଧରିବା ପରେ ତାଙ୍କ କାର୍ଯ୍ୟାଳୟରୁ ନଗଦ ୧ କୋଟି ୭୫ ଲକ୍ଷ ଟଙ୍କା ଜବତ କରିଛନ୍ତି ଏବଂ ବିଧାୟକ ବିରୁପାକ୍ଷାପ୍ପା ଦୁର୍ନୀତି ସହ ସିଧାସଳଖ ସଂପୃକ୍ତ ଥିବା ଏବଂ ପୁଅକୁ ଲାଂଚ ନେବା କାର୍ଯ୍ୟରେ ନିୟୋଜିତ କରିଥିବାର ପ୍ରମାଣ ପାଇବା ପରେ ବିରୁପାକ୍ଷାପ୍ପାଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚଢାଉ କରିଥିବା ଜଣାପଡିଛି । କିଛି ମାସ ଭିତରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ଏହି ସମୟରେ ରାଜ୍ୟର ଜଣେ ବିଜେପି ବିଧାୟକ ଓ ତାଙ୍କ ପୁଅ କୋଟି କୋଟି ଟଙ୍କା ଲାଂଚ କାରବାରରେ ସଂପୃକ୍ତ ଥିବା ଖବର ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଇଛି । ବିଧାୟକ ବିରୁପାକ୍ଷାପ୍ପା ଗତକାଲି ‘ସୋପ୍ସ ଏଣ୍ଡ ଡ଼ିଟର୍ଜେଂଟ୍ ଲିମିଟେଡ’ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ ଗିରଫ ହୋଇ ନାହାନ୍ତି । ତେବେ, ବିରୁପାକ୍ଷାପ୍ପାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ କହିଛନ୍ତି । କର୍ଣ୍ଣାଟକର ବୋମାଇ ସରକାର ବ୍ୟାପକ ଦୁର୍ନୀତିରେ ଲିପ୍ତ ଥିବା ଏବଂ ଶାସକ ଦଳ ନେତାମାନେ ସବୁ ଯୋଜନାରୁ ୪୦ ପ୍ରତିଶତ କମିଶନ ନେଉଥିବା ବିରୋଧୀ ଦଳଙ୍କ ଆଡୁ ଅଭିଯୋଗ ହୋଇଆସୁଛି । ଗୁରୁବାର ଘଟଣା ତାହାର ଏକ ଉଦାହରଣ କୁହାଯାଉଛି । ଶନିବାର ସୁଦ୍ଧା ବିଧାୟକ ବିରୁପାକ୍ଷାପ୍ପା ଗିରଫ ନହେବା ଘଟଣାକୁ ପୂର୍ବତନ କଂଗ୍ରେସ ନେତା ତଥା ସମାଜବାଦୀ ପାର୍ଟି ରାଜ୍ୟସଭା ସାଂସଦ କପିଲ ସିବଲ୍ କଟାକ୍ଷ କରିଛନ୍ତି । ବିରୁପାକ୍ଷାପ୍ପାଙ୍କ ସ୍ଥାନରେ ଯଦି ଜଣେ ଅନ୍ୟ ରାଜନୈତିକ ଦଳର ବିଧାୟକ ଥା’ନ୍ତେ ଏବଂ ଲୋକାୟୁକ୍ତ ପୁଲିସ ତାଙ୍କ ନିକଟରୁ ଏତେ ପରିମାଣର ନଗଦ ଟଙ୍କା ଜବତ କରିଥା’ନ୍ତେ ତେବେ ଇଡ଼ି ଏତେବେଳକୁ ତାଙ୍କ ଘରେ ପଶି ସାରନ୍ତାଣି ବୋଲି ସିବଲ୍ କହିଛନ୍ତି । ଆଜି ନୂଆଦିଲ୍ଲୀରେ ସିବଲ୍ ନିଜର ୱେବସାଇଟ୍ ‘ଇନସାଫ କେ ସିପାହୀ’କୁ ଲୋକାର୍ପଣ କରିବା ସମୟରେ ସାମ୍ବାଦିକଙ୍କୁ ଭେଟି ଏହି ମନ୍ତବ୍ୟ ଦେଇଛନ୍ତି । ସିବଲ୍ କହିଛନ୍ତି, ୨୦୧୪ ପରଠାରୁ କେନ୍ଦ୍ରରେ କ୍ଷମତାସୀନ ଦଳର ସରକାର ଆଠଟି ରାଜ୍ୟର ନିର୍ବାଚିତ ସରକାରଙ୍କୁ ବିଭିନ୍ନ ଉପାୟରେ କ୍ଷମତାରୁ ହଟାଇ ସମ୍ବିଧାନର ଦଶମ ଅନୁଚ୍ଛେଦକୁ ‘ଦଳତ୍ୟାଗୀଙ୍କ ଭୂସ୍ୱର୍ଗ’ରେ ପରିଣତ କରିଛନ୍ତି । ଦଳତ୍ୟାଗକୁ ନିରୁତ୍ସାହିତ କରିବା ପାଇଁ ସମ୍ବିଧାନର ଦଶମ ଅନୁଚ୍ଛେଦ ଉଦ୍ଦିଷ୍ଟ । କିନ୍ତୁ, ଶାସକ ଦଳ ବିଭିନ୍ନ ପ୍ରଲୋଭନ ଦେଖାଇ ଦଳତ୍ୟାଗକୁ ପ୍ରୋତ୍ସାହିତ କରିଆସିଛି । ଦଳତ୍ୟାଗକୁ ରୋକିବା ପାଇଁ ୧୯୮୫ରେ ଦଳବଦଳ ଆଇନ ପ୍ରଣୟନ ହୋଇଥିଲା ଏବଂ ୨୦୦୨ରେ ଆଇନକୁ ଅଧିକ କଡାକଡି କରାଯାଇଥିଲା । ୨୦୧୪ ପରେ ଏହି ଆଇନରେ ବାଟମାରଣା ହୋଇଛି । ସିବିଆଇ କେନ୍ଦ୍ର ସରକାରଙ୍କ ଅନୁମୋଦନ ନେଇ କାମ କରିଥାଏ, ଇଡ଼ିକୁ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦନର ଆବଶ୍ୟକତା ପଡିନଥାଏ । ତେବେ, ଆଜି ଦିନରେ ଯାହା ଦେଖିବାକୁ ମିଳୁଛି ତାହା ସରକାର ବନାମ ସାଧାରଣ ନାଗରିକ ଭଳି ମନେ ହେଉଛି । ‘ଆମେ ଚାହୁଁଛୁ, ସରକାର ନାଗରିକ ବିରୋଧୀ ନହୋଇ ନାଗରିକ ପାଇଁ ହୁଅନ୍ତୁ’ ବୋଲି ସିବଲ୍ କହିଛନ୍ତି । ବିଜେପି ବିଧାୟକ ବିରୁପାକ୍ଷାପ୍ପାଙ୍କ ଲାଂଚ କାରବାର ଧରା ପଡିବା କର୍ଣ୍ଣାଟକରେ ବିରୋଧୀଙ୍କ ପାଇଁ ସରକାର ବିରୋଧୀ ଲଢେଇରେ ବଡ ଅସ୍ତ୍ର ହୋଇଛି । ରାଜ୍ୟର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା ଆଜି ସରକାର ବିରୋଧରେ ଏକ ଶୋଭାଯାତ୍ରାରେ ବାହାରି ଗିରଫ ହୋଇଛନ୍ତି । ଆଗାମୀ ଦିନରେ କଂଗ୍ରେସ ଏବଂ ଜେଡିଏସ୍ ବିଜେପିକୁ ଘେରିବାରେ ବିଧାୟକ ବୁରୁପାକ୍ଷାପ୍ପାଙ୍କ ଦୁର୍ନୀତିକୁ ବଡ ପ୍ରସଙ୍ଗ କରିବେ ଏବଂ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ଅଡୁଆ ବଢାଇବେ, ଏଥିରେ କୌଣସି ସନ୍ଦେହ ନାହିଁ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS