ପ୍ରଧାନମନ୍ତ୍ରୀଙ୍କୁ ଆଠ ବିରୋଧୀ ଦଳର ଚିଠି, ୨୦୧୪ରୁ ବିରୋଧୀ ନେତା ଟାର୍ଗେଟ ହେଉଛନ୍ତି
ପ୍ରସାଦ ରାଓ
ମାର୍ଚ୍ଚ ୦୫/୨୩
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଆମ୍ ଆଦମୀ ପାର୍ଟି (ଆପ୍) ନେତା ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ଗିରଫ କରିବା ଘଟଣାକୁ ନେଇ ଦେଶରେ ବିରୋଧୀ ରାଜନୀତି ନୂଆ ମୋଡ ନେଇଛି । ଆଠଟି ବିରୋଧୀ ଦଳର ନେତାଙ୍କ ଦସ୍ତଖତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ପଠା ଯାଇଥିବା ମିଳିତ ପତ୍ରରେ ୨୦୧୪ରୁ ବିରୋଧୀ ଦଳ ନେତାଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କ ଦୁରୁପଯୋଗ କରାଯାଉଥିବା ଅଭିଯୋଗ କରାଯାଇଛି । ମିଳିତ ପତ୍ରରେ ବିଆରଏସ୍ ମୁଖ୍ୟ ତଥା ତେଲେଂଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ, ଟିଏମସି ମୁଖ୍ୟ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ‘ଆପ୍’ ପକ୍ଷରୁ ପଂଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ, ଏନସିପି ମୁଖ୍ୟ ଶରଦ ପାୱାର, ଏନସି (ନ୍ୟାସନାଲ କନଫରେନ୍ସ) ମୁଖ୍ୟ ଫରୁକ ଅବଦୁଲ୍ଲା, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ, ବିହାର ଉପ ମୁଖ୍ୟମନ୍ତ୍ରୀ ତଥା ଆରଜେଡ଼ି ନେତା ତେଜସ୍ୱୀ ଯାଦବ ଏବଂ ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀ ପକ୍ଷରୁ ଦସ୍ତଖତ କରାଯାଇଛି । ତେବେ, କଂଗ୍ରେସ, ଡିଏମକେ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁ ଓ କର୍ଣ୍ଣାଟକର ଜେଡିଏସ୍ ଏଥିରୁ ଦୂରେଇ ରହିଛି । ‘ଦେଶରେ ଏପର୍ଯ୍ୟନ୍ତ ଗଣତନ୍ତ୍ର ବଂଚି ଥିବା କଥାରେ ଆପଣ ଏକମତ ଥିବେ । ତେବେ, ବିରୋଧୀଙ୍କ କଂଠରୋଧ ପାଇଁ ଯେଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କ ଦୁରୁପଯୋଗ ହେଉଛି ସେଥିରୁ ଦେଶ ଗଣତନ୍ତ୍ରରୁ ଏକଛତ୍ରବାଦ ଆଡକୁ ଗତି କରୁଥିବା ସ୍ପଷ୍ଟ ହେଉଛି’ ବୋଲି ବିରୋଧୀ ନେତାମାନେ ପ୍ରଧାନମନ୍ତ୍ରୀଙ୍କୁ ଲେଖି ଥିବା ଚିଠିରେ ଅଭିଯୋଗ କରିଛନ୍ତି । ଏଥିରେ ଆହୁରି ମଧ୍ୟ କୁହାଯାଇଛି, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ରାଜ୍ୟର ପୂର୍ବତନ ଅବକାରୀ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ (ନିକଟରେ ଇସ୍ତଫା ଦେଇଛନ୍ତି) ମନିଷ ସିସୋଦିଆଙ୍କ ବିରୋଧରେ ଦୀର୍ଘ ଦିନ ତଦନ୍ତ କରିବା ପରେ ମଧ୍ୟ କାଣିଚାଏ ପ୍ରମାଣ ପାଇଲା ନାହିଁ । ତଥାପି, ତାଙ୍କୁ ଗିରଫ କରିଛି । ୨୦୧୪ରେ ତାଙ୍କ (ପ୍ରଧାନମନ୍ତ୍ରୀ ମୋଦୀଙ୍କ) ନେତୃତ୍ୱରେ କେନ୍ଦ୍ରରେ ସରକାର ପ୍ରତିଷ୍ଠା ହେବା ପରରୁ ଯେତେସବୁ ପ୍ରମୁଖ ନେତାଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଗିରଫ କରିଛନ୍ତି ବା ବିଭିନ୍ନ ମାମଲାରେ ଜେରା କରିଛନ୍ତି ସେଥିରୁ ଅଧିକାଂଶ ହେଉଛନ୍ତି ବିରୋଧୀ ଦଳର । କିନ୍ତୁ, ପରବର୍ତ୍ତୀ ସମୟରେ ଯେଉଁ ବିରୋଧୀ ନେତାମାନେ ବିଜେପିରେ ସାମିଲ ହୋଇଛନ୍ତି ସେମାନଙ୍କ ବିରୋଧରେ ତଦନ୍ତ ଶିଥିଳ ପଡିଯିବା ଆଶ୍ଚର୍ଯ୍ୟଜନକ । ବିରୋଧୀ ନେତାମାନେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଉଦାହରଣ ଦେଇ କହିଛନ୍ତି, ବିଶ୍ୱଶର୍ମା କଂଗ୍ରେସରେ ଥିବା ସମୟରେ ୨୦୧୪ ଓ ୨୦୧୫ରେ ଶାରଦା ଚିଟ୍ ଫଣ୍ଡ ଦୁର୍ନୀତି ଅଭିଯୋଗରେ ସିବିଆଇ ଓ ଇଡ଼ି ସ୍କାନରରେ ରହି ଥିଲେ ମଧ୍ୟ ପରେ ସେ ବିଜେପିରେ ଯୋଗ ଦେବାରୁ ମାମଲାରେ ଆଉ ଅଗ୍ରଗତି ଘଟିଲା ନାହିଁ । ସେହିଭଳି, ନାରଦା ଷ୍ଟିଂଗ୍ ଅପରେସନ ମାମଲାରେ ପଶ୍ଚିମ ବଂଗ ଟିଏମସି ନେତା ଶୁଭେନ୍ଦୁ ଅଧିକାରୀ ଓ ମୁକୁଳ ରାୟ ସିବିଆଇ ଏବଂ ଇଡ଼ି ସ୍କାନରରେ ଥିଲେ । ବିଧାନସଭା ନିର୍ବାଚନ ପୂର୍ବରୁ ସେମାନେ ବିଜେପିରେ ଯୋଗ ଦେବାରୁ ତଦନ୍ତ ଶିଥିଳ ପଡିଗଲା । ଶୁଭେନ୍ଦୁ ଅଧିକାରୀ ବର୍ତ୍ତମାନ ପଶ୍ଚିମ ବଂଗ ବିଧାନସଭାରେ ବିରୋଧୀ ଦଳ ନେତା ଅଛନ୍ତି । ଆରଜେଡ଼ି ନେତା ଲାଲୁ ପ୍ରସାଦ ଯାଦବ, ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀ ସାଂସଦ ସଂଜୟ ରାଉତ, ସମାଜବାଦୀ ପାର୍ଟି ନେତା ଆଜମ ଖାନ୍, ଏନସିପି ନେତା ନୱାବ ମଲ୍ଲିକ ଓ ଅନୀଲ ଦେଶମୁଖ, ଟିଏମସି ନେତା ଅଭିଷେକ ବାନାର୍ଜୀ ପ୍ରମୁଖଙ୍କ ଉଦାହରଣ ମଧ୍ୟ ଚିଠିରେ ଦିଆଯାଇଛି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାମାନେ ଯେଉଁ ସମୟରେ ଏହି ନେତାମାନଙ୍କୁ ଗିରଫ କରିଛନ୍ତି ବା ଜେରା କରିଛନ୍ତି ତାହା ନିର୍ବାଚନ ପାଖାପାଖି ସମୟ ହୋଇଥିବାରୁ ଏଥିରେ ରାଜନୈତିକ ଉଦ୍ଦେଶ୍ୟ ଥିବା ମନେ ହେଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଆମ୍ ଆଦମୀ ପାର୍ଟି ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ବିଜେପିର ବଡ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଥିବାରୁ ଦଳକୁ ଧ୍ୱଂସ କରିଦେବା ପାଇଁ ବିଜେପି ଚକ୍ରାନ୍ତ ଚଳାଇଛି । ଅବକାରୀ ଦୁର୍ନୀତି ମାମଲାରେ ସିସୋଦିଆଙ୍କୁ ଗିରଫ କରାଯିବା ଏହାର ଏକ ଉଦାହରଣ ବୋଲି ‘ଆପ୍’ ପକ୍ଷରୁ ଅଭିଯୋଗ ହୋଇଥିବା ବେଳେ ବିଜେପି ତାହାକୁ ଖଣ୍ଡନ କରିଛି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାମାନେ ମିଥ୍ୟା ଅଭିଯୋଗରେ କାହାରିକୁ ଗିରଫ କରିନଥା’ନ୍ତି, ତଦନ୍ତରେ ଠେସ୍ ପ୍ରମାଣ ମିଳିଲେ ହିଁ ଗିରଫଦାରୀ ହୋଇଥାଏ । ସେଥିରେ କିଏ କେଉଁ ରାଜନୈତିକ ଦଳର ବାଛ ବିଚାର ହୋଇନଥାଏ ବୋଲି ବିଜେପି କହିଛି । ‘ନ୍ୟାସନାଲ ହେରାଲ୍ଡ’ ଖବରକାଗଜର ପରିଚାଳନା ସଂସ୍ଥା ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଲିମିଟେଡ଼ ଗାନ୍ଧୀ ପରିବାର ନିୟନ୍ତ୍ରଣରେ ଥିବା ୟଂଗ୍ ଇଣ୍ଡିଆକୁ ହସ୍ତାନ୍ତର କରାଯିବାରେ ମନିଲଂଡରିଂ ହୋଇଥିବା ନେଇ ଇଡ଼ି (ପ୍ରବର୍ତ୍ତନ ନିର୍ଦେଶାଳୟ) ଗତବର୍ଷ କଂଗ୍ରେସ ନେତା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଏକାଧିକବାର ସମନ କରି ଜେରା କରିଥିଲେ । ସେହି ସମୟରେ ମଧ୍ୟ କେନ୍ଦ୍ର ସରକାର ବିରୋଧୀ ଦଳ ନେତାଙ୍କୁ ମିଥ୍ୟା ମାମଲାରେ ଫସାଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କ ମାଧ୍ୟମରେ ହାରାଶ କରୁଥିବା ଅଭିଯୋଗ ହୋଇଥିଲା । ତେବେ, ‘ଆପ୍’ ନେତା ମନୀଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିବା ଘଟଣାରେ ଆଠଟି ବିରୋଧୀ ଦଳର ନେତା ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କ ଜରିଆରେ ବିରୋଧୀ ନେତାଙ୍କୁ ଟାର୍ଗେଟ୍ କରାଯାଉଥିବା ଅଭିଯୋଗ କରିଥିବା ବେଳେ କଂଗ୍ରେସ ସେଥିରେ ଦସ୍ତଖତ ନଦେଇ ଦୂରେଇ ରହିବା ରାଜନୈତିକ ବାଧ୍ୟବାଧକତା ଭାବେ ବିଚାର କରାଯାଉଛି । ଜେଡ଼ିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ନେଇ ଏକ ବିରୋଧୀ ମେଂଟ ଗଠନ ସପକ୍ଷରେ ଯୁକ୍ତି କରୁଥିବାରୁ ସେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଥିବା ବିରୋଧୀ ଦଳ ନେତାଙ୍କ ସହ ସାମିଲ ହୋଇନଥିବା ଅନୁମାନ କରାଯାଉଛି । ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ସାମ୍ନା କରିବା ପାଇଁ ଦେଶର ସମସ୍ତ ବିରୋଧୀ ରାଜନୈତିକ ଦଳ ଗୋଟିଏ ମଂଚରେ ଏକାଠି ହେବା ଗୁରୁତ୍ୱପୂର୍ଣ୍ଣ କୁହାଯାଉଥିବା ବେଳେ ସିସୋଦିଆ ପ୍ରସଙ୍ଗରେ ବିରୋଧୀ ବିଭାଜିତ ହୋଇ ରହିବା ବିଜେପିକୁ ସୁହାଇଲା ଭଳି ହୋଇଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS