ଦୁର୍ନୀତି ବିରୋଧୀ ଆନ୍ଦୋଳନରୁ ଦୁର୍ନୀତିର ପଙ୍କ ପର୍ଯ୍ୟନ୍ତ !
ପ୍ରସାଦ ରାଓ
ମାର୍ଚ୍ଚ ୦୮/୨୩
ରାଜନୀତିରୁ ଦୁର୍ନୀତି ମୂଳୋତ୍ପାଟନ ପାଇଁ ଗାନ୍ଧୀବାଦୀ ଆନ୍ନା ହଜାରେଙ୍କ ଆନ୍ଦୋଲନରୁ ଜନ୍ମ ନେଇଥିବା ‘ଆମ୍ ଆଦମୀ ପାର୍ଟି’ ଆଜି ବିଭିନ୍ନ ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇ ମୁକୁଳିବାର ବାଟ ଖୋଜୁଛି । ଦଳର ଦୁଇ ଜଣ ବରିଷ୍ଠ ନେତା ତଥା ଦିଲ୍ଲୀ ସରକାରର ପୂର୍ବତନ ମନ୍ତ୍ରୀ ସିବିଆଇ ଏବଂ ଇଡି (ପ୍ରବର୍ତ୍ତନ ନିର୍ଦେଶାଳୟ) ଦ୍ୱାରା ଗିରଫ ହୋଇ ତିହାର ଜାଲରେ ଅଛନ୍ତି । ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦାୟିତ୍ୱରେ ଥିଲେ । ମନିଲଂଡରିଂ ମାମଲାରେ ଇଡି ହାତରେ ଗିରଫ ହୋଇ ଗତ ୯ ମାସ ହେଲା ଜେଲରେ ଥିବା ବେଳେ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ଥିବା ମନୀଷ ସିସୋଦିଆ ୨୦୨୨ ମଦ ଦୁର୍ନୀତିରେ ଛନ୍ଦି ହୋଇ ଗତ ଫେବୃୟାରୀ ୨୬ ତାରିଖରେ ସିବିଆଇ ଦ୍ୱାରା ଗିରଫ ହୋଇ ସାତ ଦିନ ରିମାଣ୍ଡରେ ରହିବା ପରେ ମାର୍ଚ୍ଚ ୬ତାରିଖରୁ ତିହାର ଜେଲରେ ଅଛନ୍ତି । ଜୈନ ଓ ସିସୋଦିଆ ନିକଟରେ ରାଜ୍ୟ ମନ୍ତ୍ରୀ ପରିଷଦରୁ ଇସ୍ତଫା ଦେଇ ନ୍ୟାୟିକ ଲଢେଇ ଲଢୁଥିବା ସମୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ସେମାନେ ନିର୍ଦୋଷ ବୋଲି ଦାବି କରି ‘ଆପ୍’କୁ ଧ୍ୱଂସ କରିବା ପାଇଁ ଏହା ବିଜେପିର ଷଡଯନ୍ତ୍ର ବୋଲି କହୁଛନ୍ତି । ଯେଉଁ ଆନ୍ନା ଆନ୍ଦୋଳନରୁ ବିଜେପି ୨୦୧୪ରେ କେନ୍ଦ୍ରରେ କ୍ଷମତାକୁ ଆସିଥିଲା ଆଜି ସେ ‘ଆପ୍’ର ବଡ ଶତୃ ହୋଇଥିବା ବେଳେ କଂଗ୍ରେସ ଆରମ୍ଭରୁ ଶତୃ ରହିଛି । କେଜରୀୱାଲ ସରକାର ଦୁର୍ନୀତିଗ୍ରସ୍ତ କହି ଦୁଇ ଜାତୀୟ ଦଳ ‘ଆପ୍’କୁ ଘେରିବାକୁ ଉଦ୍ୟମ କରୁଥିବା ‘ଆପ୍’ ପାଇଁ ବଡ ସମସ୍ୟା ହୋଇଛି ।
ଆନ୍ନା ଆନ୍ଦୋଳନର ସୂତ୍ରପାତ ହୋଇଥିଲା ୨୦୧୧ରେ । ‘ଆପ୍’ର ଜନ୍ମ ୨୦୧୨ରେ । କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ନେତୃତ୍ୱାଧୀନ ୟୁପିଏ-୨ ସରକାର ସମୟରେ ଟୁ-ଜି ସ୍ପେକ୍ଟ୍ରମ୍ ଦୁର୍ନୀତି ଭଳି ବହୁ ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇଥିଲା । ଦେଶବ୍ୟାପୀ କଂଗ୍ରେସ ବିରୋଧୀ ହାୱା ରହିଥିବା ବେଳେ ଗାନ୍ଧୀବାଦୀ ନେତା ଆନ୍ନା ହଜାରେ ରାଜନୈତିକ ଦୁର୍ନୀତିର ମୂଳୋତ୍ପାଟନ ପାଇଁ ଏକ କଠୋର ଆଇନର ଆବଶ୍ୟକତା ରହିଥିବା ଦର୍ଶାଇ ସଂସଦରେ ‘ଜନ ଲୋକପାଳ ବିଲ୍’ ଆଣିବାକୁ ସରକାରଙ୍କ ନିକଟରେ ଦାବି କରିଥିଲେ । ପ୍ରଧାନମନ୍ତ୍ରୀ ସିଂହ ଆନ୍ନାଙ୍କ ଦାବିକୁ ଅଗ୍ରାହ୍ୟ କରିବାରୁ ଆନ୍ନା ୨୦୧୧ ଏପ୍ରିଲ ୫ ତାରିଖରେ ଦିଲ୍ଲୀର ଜନ୍ତର ମନ୍ତରରେ ଆମରଣ ଅନଶନରେ ବସି ଥିଲେ । ଦେଶବ୍ୟାପୀ ଆନ୍ନାଙ୍କୁ ସମର୍ଥନ ମିଳିବାରୁ ଆରଟିଆଇ କାର୍ଯ୍ୟକର୍ତ୍ତା ଅରବିନ୍ଦ କେଜରୀୱାଲ, ସୁପ୍ରିମ କୋର୍ଟ ଆଇନଜୀବୀ ପ୍ରଶାନ୍ତ ଭୂଷଣ, ପୂର୍ବତନ ବରିଷ୍ଠ ପୁଲିସ ଅଧିକାରୀ କିରଣ ବେଦୀ, ଯୋଗଗୁରୁ ରାମଦେବଙ୍କ ଭଳି ସିଭିଲ ସୋସାଇଟି ସଦସ୍ୟମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ ।
‘ଜନ ଲୋକପାଳ ବିଲ୍’ ସଂସଦରେ ପାରିତ କରାଯିବା ଦାବି କେବଳ ନୁହେଁ, ବିଭିନ୍ନ ଦୁର୍ନୀତିଗ୍ରସ୍ତ ନେତା ଓ ଅଧିକାରୀଙ୍କ ଦ୍ୱାରା ବିଦେଶୀ ବ୍ୟାଙ୍କରେ ଗଚ୍ଛିତ କଳାଧନର ପୁନରୁଦ୍ଧାର ଦାବିରେ ଆନେ୍ଦାଳନ ବ୍ୟାପକ ହେବାରୁ ବିଜେପି, ସିପିଏମ୍ ଭଳି ରାଜନୈତିକ ଦଳମାନେ ଆନ୍ନା ଆନ୍ଦୋଳନକୁ ସମର୍ଥନ ଦେଇଥିଲେ । ତେବେ, ଆନ୍ନା ହଜାରେ ତାଙ୍କ ଆମରଣ ଅନଶନକୁ ରାଜନୈତିକ ଦଳଙ୍କଠାରୁ ଦୂରେଇ ରଖିବାକୁ ଚାହିଁବାରୁ ରାଜନେତାମାନେ ଆନ୍ନା ସହ ଅନଶନ ସ୍ଥଳରେ ବସିବାର ସୁଯୋଗ ପାଇ ନଥିଲେ । ଆନ୍ନାଙ୍କ ଚାପରେ କେନ୍ଦ୍ର ସରକାର ସଂସଦରେ ପେଶ୍ ପାଇଁ ଚିଠା ‘ଜନ ଲୋକପାଳ ବିଲ୍’ ପ୍ରସ୍ତୁତ କରିବାକୁ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଥିଲେ ମଧ୍ୟ ଆନ୍ନା ସେଥିରେ ସହମତ ନହୋଇ ମନ୍ତ୍ରୀସ୍ତରୀୟ କମିଟି ଯେଉଁ ଚିଠା ବିଲ୍ ପ୍ରସ୍ତୁତ କରିବ ତାହା ଦୁର୍ବଳ ହେବା ଆଶଙ୍କା ଥିବାରୁ କମିଟିରେ ସିଭିଲ ସୋସାଇଟିକୁ ମଧ୍ୟ ସାମିଲ କରିବାକୁ ଦାବି ରଖି ଥିଲେ ।
କେନ୍ଦ୍ର ସରକାର ଏପ୍ରିଲ ୯ ତାରିଖରେ ଚିଠା ‘ଜନ ଲୋକପାଳ ବିଲ୍’ ପ୍ରସ୍ତୁତି ପାଇଁ ଏକ ଯୁଗ୍ମ କମିଟି ଗଠନ କରିବାକୁ ରାଜି ହେବା ସହ ବରିଷ୍ଠ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀଙ୍କ ଅଧ୍ୟକ୍ଷତାରେ ତାହା ଗଠନ କରିଥିଲେ । ସିଭିଲ ସୋଇଟି ପକ୍ଷରୁ ଶାନ୍ତି ଭୂଷଣ ଯୁଗ୍ମ କମିଟିର ଉପାଧ୍ୟକ୍ଷ ରହିଥିଲେ । ସଦସ୍ୟ ଭାବେ ଆନ୍ନା ହଜାରେଙ୍କ ସହ ଜଷ୍ଟିସ ଏନ.ସନ୍ତୋଷ ହେଗଡେ, ଆଇନଜୀବୀ ପ୍ରଶାନ୍ତ ଭୂଷଣ, ସାମାଜିକ କର୍ମୀ ଅରବିନ୍ଦ କେଜରୀୱାଲଙ୍କୁ ନିଆଯାଇଥିଲା । କମିଟି ଚିଠା ବିଲ୍ ପ୍ରସ୍ତୁତ କରିବା ପରେ ୨୦୧୧ ଏପ୍ରିଲ ୧୬ରେ ଯୁଗ୍ମ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ, ଚିଠା ବିଲ୍ କୁ ନେଇ ମତପାର୍ଥକ୍ୟ ରହିଥିଲା । ଯୋଗଗୁରୁ ରାମଦେବ ୨୦୧୧ ମେ’ରେ ‘ଭାରତ ସ୍ୱାଭିମାନ ଆନ୍ଦୋଳନ’ ନାମରେ ଏକ ଦୁର୍ନୀତି ବିରୋଧୀ ଅଭିଯାନ ଆରମ୍ଭ କରି ରାମଲିଳା ମଇଦାନରେ ଲକ୍ଷାଧିକ ସମର୍ଥକଙ୍କୁ ନେଇ ଆନ୍ଦୋଳନ ଆରମ୍ଭ କରିଥିଲେ । ମନମୋହନ ସିଂହ ସରକାର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ଜୁନ ୫ ତାରିଖ ଦିନ ରାମଲିଳା ମଇଦାନରୁ ରାମଦେବ ଓ ତାଙ୍କ ସମର୍ଥକମାନଙ୍କୁ ଘଉଡାଇ ଥିଲେ । ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ରାମଦେବଙ୍କ ଓକିଲ ସୁପ୍ରିମ କୋର୍ଟକୁ ଯାଇଥିଲେ ।
ସୁପ୍ରିମ କୋର୍ଟ ରାମଦେବଙ୍କ ପିଟିସନର ଶୁଣାଣୀ କରିବା ପୂର୍ବରୁ ପିଟିସନରେ ଥିବା ବିଷୟବସ୍ତୁ ଗଣମାଧ୍ୟମରେ ଚାଲି ଆସିବାରୁ ସୁପ୍ରିମ କୋର୍ଟ ସେଥିରେ କ୍ଷୁବ୍ଧ ହୋଇ କେନ୍ଦ୍ର ସରକାରଙ୍କ ଗୃହ ସଚିବ, ଦିଲ୍ଲୀର ମୁଖ୍ୟ ଶାସନ ସଚିବ, ଦିଲ୍ଲୀ ପ୍ରଶାସନ ଏବଂ ଦିଲ୍ଲୀ ପୁଲିସ କମିଶନରଙ୍କୁ ନୋଟିସ କରିଥିଲେ । ପରେ, ସୁପ୍ରିମ କୋର୍ଟ ଦିଲ୍ଲୀ ରାମଲିଳା ମଇଦାନରେ ହୋଇଥିବା ପୁଲିସ କାର୍ଯ୍ୟାନୁଷ୍ଠାନକୁ ନାପସନ୍ଦ କରି ଦିଲ୍ଲୀ ପୁଲିସକୁ ଭର୍ଛନା କରିଥିଲେ । ଡ୍ରାଫ୍ଟ କମିଟି ଦ୍ୱାରା ପ୍ରସ୍ତୁତ ଚିଠା ‘ଜନ ଲୋକପାଳ ବିଲ୍’କୁ ନେଇ ସରକାରଙ୍କ ପ୍ରତିନିଧି ଓ ସିଭିଲ ସୋସାଇଟି ମଧ୍ୟରେ ଭିନ୍ନମତ ଥିବା ଦେଖି କେନ୍ଦ୍ର ସରକାର ଦୁଇ ପକ୍ଷର ପ୍ରସ୍ତାବକୁ ଭିନ୍ନ ଭିନ୍ନ ଭାବେ ସଂସଦରେ ଉପସ୍ଥାପନ କରିବେ ବୋଲି କହିଥିଲେ । ତେବେ, ସଂସଦରେ ସରକାରଙ୍କ ପ୍ରତିନିଧିଙ୍କ ଦ୍ୱାରା ଦାଖଲ ଚିଠା ବିଲ୍ ଗୃହୀତ ହେଲେ ଆଇନ ଦୁର୍ବଳ ରହିବ ଦର୍ଶାଇ ଆନ୍ନା ଅଗଷ୍ଟ ୧୬ରୁ ଅନଶନ ଚେତାବନୀ ଦେବାରୁ ୨୦୧୧ ଅଗଷ୍ଟ ୧୫ ତାରିଖ ଦିନ ଦିଲ୍ଲୀ ପ୍ରଶାସନ ଜୟପ୍ରକାଶ ନାରାୟଣ ପାର୍କ, ରାଜଘାଟ ଓ ଦିଲ୍ଲୀ ଗେଟରେ ୧୪୪ ଧାରା ଜାରି କରିଥିଲେ । ଅଗଷ୍ଟ ୧୬ ତାରିଖ ସକାଳେ ଆନ୍ନା ଅନଶନ ଆରମ୍ଭ କରିବାରୁ ତାଙ୍କ ସମେତ ୧୨ଶହରୁ ଅଧିକ ସମର୍ଥକଙ୍କୁ ଉଠାଇ ନିଆଯାଇଥିଲା ।
ଦିଲ୍ଲୀ ପୁଲିସ କିରଣ ବେଦୀ, ଶାନ୍ତି ଭୂଷଣଙ୍କ ସମେତ ଅଧିକାଂଶ ଆନ୍ନା ସମର୍ଥକଙ୍କୁ ସନ୍ଧ୍ୟାରେ ମୁକ୍ତ କରିଥିଲେ ମଧ୍ୟ ଆନ୍ନା ବ୍ୟକ୍ତିଗତ ମୂଚାଲିକାରେ ଯିବାକୁ ରାଜି ନହେବାରୁ ପୁଲିସ ତାଙ୍କୁ ତିହାର ଜେଲକୁ ପଠାଇ ଦେଇଥିଲେ । ଆନ୍ନା ଜେଲ ଭିତରେ ଅନଶନରେ ବସିବାରୁ ଓ ପାଣି ଟୋପାଏ ମଧ୍ୟ ପିଇବେ ନାହିଁ ବୋଲି ଅଡି ରହିବାରୁ ସରକାରଙ୍କ ଉପରେ ଚାପ ବଢି ଥିଲା । ଦେଶବ୍ୟାପୀ ଆନ୍ନାଙ୍କ ସପକ୍ଷରେ ପ୍ରବଳ ଜନମତ ସୃଷ୍ଟି ହେବା ଏବଂ ବିରୋଧୀ ସଂସଦରେ ଅଚଳାବସ୍ଥା ସୃଷ୍ଟି କରିବା ପରେ ପ୍ରଧାନମନ୍ତ୍ରୀ ସିଂହ ଆନ୍ନାଙ୍କୁ ଜେଲରେ ମୁକ୍ତି ଦେବାକୁ ନିଷ୍ପତ୍ତି ନେଇଥିଲେ । ତେବେ, ଆନ୍ନା ଜେଲରୁ ବାହାରିବାକୁ ସର୍ତ୍ତ ରଖିଥିଲେ, ଜୟପ୍ରକାଶ ନାରାୟଣ ନ୍ୟାସନାଲ ପାର୍କରେ ସେମାନଙ୍କୁ ପ୍ରତିବାଦ ବିକ୍ଷୋଭ ପାଇଁ ଅନୁମତି ଦିଆଯାଉ । ଆନ୍ନାଙ୍କୁ ରାମଲିଳା ମଇଦାନ ଦିଆଯାଇ ୧୫ ଦିନ ପ୍ରତିବାଦ ସଭା କରିବାକୁ ଅନୁମତି ଦିଆଗଲା । ଆନ୍ନା ହଜାରେ ୨୦୧୧ ଅଗଷ୍ଟ ୧୯ ତାରିଖ ଦିନ ଜେଲରୁ ବାହାରକୁ ଆସି ରାମଲିଳା ମଇଦାନରେ ପ୍ରତିବାଦ ବିକ୍ଷୋଭରେ ସାମିଲ ହୋଇଥିଲେ ।
କେନ୍ଦ୍ର ସରକାର ୨୦୧୧ ଅଗଷ୍ଟ ୨୭ ତାରିଖରେ ସଂସଦରେ ଚିଠା ‘ଜନ ଲୋକପାଳ ବିଲ୍’ ଉପସ୍ଥାପନ କରିଥିଲେ । ତାହା ଉପରେ ବିତର୍କ ମଧ୍ୟ ହୋଇଥିଲା । ଏକ ସିଟିଜନ ଚାର୍ଟର, ପ୍ରଶାସନର ତଳସ୍ତର ଅଧିକାରୀଙ୍କୁ ‘ଜନ ଲୋକପାଳ ବିଲ୍’ ଅନ୍ତର୍ଭୁକ୍ତ କରାଯିବା ଏବଂ ସବୁ ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତି ପାଇଁ ଆନ୍ନାଙ୍କ ଦାବିକୁ ସରକାର ଗ୍ରହଣ କରିବା ପରେ ଆନ୍ନା ଅଗଷ୍ଟ ୨୮ ତାରିଖରେ ଅନଶନ ଭଂଗ କରିଥିଲେ । ତେବେ, ସରକାର ଚିଠା ବିଲ୍ ସଂସଦୀୟ ଷ୍ଟାଣ୍ଡିଂ କମିଟିକୁ ବିଚାର ପାଇଁ ପଠାଇବାକୁ ନିଷ୍ପତ୍ତି ନେବାରୁ ଆନ୍ନା ଡିସେମ୍ବର ୧୧ ତାରିଖରେ ଦିନକ ପାଇଁ ‘ଜନ୍ତର ମନ୍ତର’ରେ ଅନଶନରେ ବସିଥିଲେ । ପ୍ରଥମ ଥର ପାଇଁ ବିଜେପି, ସିପିଆଇ, ସିପିଏମ, ଜନତା ଦଳ, ଅକାଳୀ ଦଳ, ତେଲୁଗୁ ଦେଶମ ପାର୍ଟି, ବିଜେଡ଼ି ପ୍ରଭୃତି ଦଳ ଆନ୍ନାଙ୍କ ସହ ଗୋଟିଏ ମଂଚରେ ବସି ଚିଠା ଜନ ଲୋକପାଳ ବିଲ୍ କୁ ନେଇ ବିତର୍କରେ ଭାଗ ନେଇଥିଲେ । ଆନ୍ନ ୨୦୧୧ ଡିସେମ୍ବରରେ ‘ଜେଲ ଭରୋ’ ଆନ୍ଦୋଳନ ଚେତାବନୀ ଦେଇ ଡିସେମ୍ବର ୨୭ରୁ ମୁମ୍ବାଇର ବାନ୍ଦ୍ରା କୁର୍ଲା କଂପ୍ଲେକ୍ସରେ ଅନଶନ ଆରମ୍ଭ କରି ଦେବାରୁ ସେହିଦିନ ଲୋକସଭାରେ ସରକାର ସଂସଦରେ ଜନ ଲୋକପାଳ ବିଲ୍ ଉପସ୍ଥାପନ କଲେ । ବିତର୍କ ପରେ ଲୋକସଭାରେ ତାହା ଗୃହୀତ ହେଲା ସିନା ରାଜ୍ୟସଭାରେ ଦୁଇ ତୃତୀୟାଂଶ ସଭ୍ୟଙ୍କ ସମର୍ଥନ ଅଭାବରୁ ଗୃହୀତ ହୋଇପାରିନଥିଲା ।
୨୦୧୧ ଡିସେମ୍ବର ୨୮ରେ ‘ଜନ ଲୋକପାଳ ବିଲ୍’ ରିଭ୍ୟୁ ପାଇଁ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ନିକଟକୁ ଯାଇଥିଲା । ରାଷ୍ଟ୍ରପତି ବିଲ୍ କୁ ରାଜ୍ୟସଭାରେ ଉପସ୍ଥାପନ ପାଇଁ ଅନୁମୋଦନ ଦେଇଥିଲେ । ୨୦୧୨ ଫେବୃୟାରୀରେ ବିଲ୍ ଉପସ୍ଥାପନ ହେବା କଥା । କିନ୍ତୁ, ଧାର୍ଯ୍ୟ ସମୟ ପୂର୍ବରୁ ରାଜ୍ୟସଭା ଅଧିବେଶନ ବନ୍ଦ ହୋଇଯିବାରୁ ବିଲ୍ ଉପସ୍ଥାପନ ହୋଇନଥିଲା । ଆନ୍ନା ୨୦୧୨ ମାର୍ଚ୍ଚ ୨୫ ଓ ଜୁନ ୩ ତାରିଖରେ ଦିିକିଆ ଅନଶନରେ ବସିଲେ । ପ୍ରଧାନମନ୍ତ୍ରୀଙ୍କ ସମତେ ଦୁର୍ନୀତି ଅଭିଯୋଗ ଆସିଥିବା ୧୪ ଜଣ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିରେ ପୁନର୍ବାର ଜୁଲାଇ ୨୫ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଆନ୍ନାଙ୍କ ଆନ୍ଦୋଳନ କାର୍ଯ୍ୟକ୍ରମ ଚାଲିଲା । ତଥାପି ସରକାର ସଂସଦରେ ଜନ ଲୋକପାଳ ବିଲ୍ ଗୃହୀତ କରାଇବା ପାଇଁ ପ୍ରସ୍ତୁତ ନଥିବା ଦେଖି ଆନ୍ନା ହଜାରେ ଅନଶନରୁ ଓହରି ଯିବା ସହ ସରକାରଙ୍କ ସହ ଆଉ ଆଲୋଚନ କରିବେ ନାହିଁ ବୋଲି ଘୋଷଣା କଲେ । ଟିମ୍ ଆନ୍ନାର କେହି ସଦସ୍ୟ ମଧ୍ୟ ସରକାରଙ୍କ ସହ ଆଲୋଚନା କରିବେ ନାହିଁ ବୋଲି ନିଷ୍ପତ୍ତି ହେଲା । ଆନ୍ନା ଓ ତାଙ୍କର ଅଧିକାଂଶ ସମର୍ଥକ ମୁଖ୍ୟସ୍ରୋତ ରାଜନୀତିରେ ପ୍ରବେଶ କରିବାରୁ ମନା କରିବାରୁ ଅରବିନ୍ଦ କେଜରୀୱାଲ ‘ଇଣ୍ଡିଆ ଏଗେନେଷ୍ଟ୍ କରପସନ୍’ ନାମରେ ଏକ ମଂଚ ଗଠନ କରି ରାଜନୀତି ଆରମ୍ଭ କରିଥିଲେ । ୨୦୧୨ ନଭେମ୍ବର ୨୬ରେ ରାଜନୈତିକ ଦଳର ନାମ କରଣ ହୋଇଥିଲା ‘ଆମ୍ ଆଦମୀ ପାର୍ଟି’ । ‘ଆପ୍’ ଗଠନ ସମୟରେ ସିଭିଲ ସୋସାଇଟିର ବହୁ ଗଣ୍ୟମଣ୍ୟ ସଦସ୍ୟ କେଜରୀୱାଲଙ୍କ ସହ ସାମିଲ ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେ ଜଣେ ଏକଛତ୍ରବାଦୀ ଦର୍ଶାଇ ସେଠାରୁ ଦୂରେଇ ଯାଇଥିଲେ ।
କେଜରୀୱାଲଙ୍କ ‘ଆମ୍ ଆଦମୀ ପାର୍ଟି’ ପ୍ରଥମେ କରି ୨୦୧୩ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ୭୦ ବିଧାନସଭା ଆସନରୁ ୨୮ଟି ଜିତି ଥିଲା । ବିଜେପି ସର୍ବାଧିକ ୩୧ ଆସନ ପାଇବା ସତ୍ତ୍ୱେ ‘ଆପ୍’ କଂଗ୍ରେସର ୮ ବିଧାୟକଙ୍କ ସମର୍ଥନରେ ସରକାର କରିଥିଲା ଓ କେଜରୀୱାଲ ଦେଶର ପ୍ରଥମ ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇଥିଲେ । କିନ୍ତୁ, ପ୍ରତିଶ୍ରୁତି ମୁତାବକ ‘ଜନ ଲୋକପାଳ ବିଲ୍’ ଦିଲ୍ଲୀ ବିଧାନସଭାରେ ଗୃହୀତ କରାଇବାରେ ବିଫଳ ହେବାରୁ ୪୯ ଦିନ କ୍ଷମତାରେ ରହି ଇସ୍ତଫା ଦେଇଥିଲେ । ୨୦୧୫ରେ ନିର୍ବାଚନରେ ଦିଲ୍ଲୀବାସୀ ‘ଆପ୍’ ଉପରେ ଆଶୀର୍ବାଦ ଅଜାଡି ଦେଇ ୭୦ରୁ ୬୭ଟି ଆସନରେ ବିଜୟୀ କରାଇ ଥିଲେ । ବିଜେପି ମାତ୍ର ୩ଟି ଆସନ ପାଇଥିଲା । କେଜରୀୱାଲ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ । ୨୦୨୦ ବିଧାନସଭା ନିର୍ବାଚନରେ ମଧ୍ୟ ‘ଆପ୍’ ୭୦ରୁ ୬୨ଟି ଆସନ ପାଇଛି ଓ ବିଜେପିକୁ ୮ଟି ଆସନ ମିଳିଛି । କେଜରୀୱାଲ ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅଛନ୍ତି । ବିଧାନସଭାରେ କଂଗ୍ରେସର ସ୍ଥିତି ‘ଶୂନ’ ।
‘ଆପ୍’ ଦିଲ୍ଲୀ ପରେ ୨୦୧୭ରେ ପଂଜାବ ବିଧାନସଭା ନିର୍ବାଚନରେ ଭାଗ୍ୟ ପରୀକ୍ଷା କରି ୨୦ଟି ଆସନରୁ ଇନିଂସ ଆରମ୍ଭ କରିଥିଲା । ୨୦୨୨ ପଂଜାବ ବିଧାନସଭା ନିର୍ବାଚନରେ ଦଳକୁ ୧୧୮ରୁ ୯୨ ଆସନ ମିଳିଛି । ୨୦୧୯ ଲୋକସଭା ନିର୍ବାଚନରେ ‘ଆପ୍’ ସାଂସଦ ନିର୍ବାଚିତ ହୋଇଥିବା ଭଗୱନ୍ତ ମାନ୍ ପଂଜାବ ମୁଖ୍ୟମନ୍ତ୍ରୀ ଅଛନ୍ତି । ‘ଆପ୍’ ଚଣ୍ଡିଗଡ, ଗୋଆ ଓ ଗୁଜରାଟରେ ମଧ୍ୟ ଆଶାତୀତ ରାଜନୈତିକ ସଫଳତା ଏବଂ ଜାତୀୟ ଦଳର ସ୍ୱୀକୃତି ପାଇଛି । ୨୦୧୪ ଲୋକସଭା ନିର୍ବାଚନରେ ‘ଆପ୍’ର ୪ଟି ପ୍ରାର୍ଥୀ ନିର୍ବାଚିତ ହୋଇଥିବା ବେଳେ ୨୦୧୯ରେ ମାତ୍ର ଗୋଟିଏ ଆସନ ମିଳି ଥିଲା । ତେବେ, ରାଜ୍ୟସଭାରେ ‘ଆପ୍’ର ୧୦ ଜଣ (୨୪୫ରୁ) ସାଂସଦ ଅଛନ୍ତି । ଅବଶ୍ୟ ୨୦୧୩ରେ କେଜରୀୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବା ବେଳକୁ କେନ୍ଦ୍ର ସରକାର ସେହି ବର୍ଷ ସଂସଦରେ ଜନ ଲୋକପାଳ ବିଲ୍ ଗୃହୀତ କରାଇ ତାହାକୁ ଆଇନରେ ପରିଣତ କରି ସାରିଛନ୍ତି । ଆନ୍ନା ହଜାରେଙ୍କ ଦାବି ପୂରଣ ହୋଇଛି ସିନା ଆଜି ସୁଦ୍ଧା ଦେଶରୁ ରାଜନୈତିକ ଦୁର୍ନୀତିର ମୂଳୋତ୍ପାଟନ ହୋଇପାରି ନାହିଁ ।
କେଜରୀୱାଲଙ୍କ ‘ଇଣ୍ଡିଆ ଏଗେନେଷ୍ଟ୍ କରପସନ୍’ ଆଜି ‘ଧୂଆଁବାଣ’ ସାବ୍ୟସ୍ତ ହୋଇଥିବା ବେଳେ ‘ଆପ୍’ ସର୍ବାଧିକ ଦୁର୍ନୀତିଗ୍ରସ୍ତ ରାଜନୈତିକ ଦଳ ବୋଲି ସାବ୍ୟସ୍ତ କରିବା ପାଇଁ ଉଭୟ ବିଜେପି ଓ କଂଗ୍ରେସ ସମସ୍ତ ଶକ୍ତି ଲଗାଇଛନ୍ତି । ଆନ୍ନା ଆନ୍ଦୋଳନର ସୁଫଳ ୨୦୧୪ରେ ବିଜେପିକୁ ମିଳି ଥିବା ସମସ୍ତେ ଜାଣନ୍ତି । ମନମୋହନ ସିଂହଙ୍କ ୟୁପିଏ-୨ ସରକାର ଲୋକଚକ୍ଷୁରେ ନିନ୍ଦିତ ହେବା ଓ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡ଼ିଏ ସରକାର କ୍ଷମତାସୀନ ହେବାରେ ଆନ୍ନା ହଜାରେଙ୍କ ସହ କେଜରୀୱାଲଙ୍କ ମଧ୍ୟ ବିଶେଷ ଭୂମିକା ରହିଥିବା ବେଳେ ସେହି ବିଜେପି ଆଜି କେଜରୀୱାଲଙ୍କ ଏକ ନମ୍ବର ଶତୃ । ଏହାକୁ ରାଜନୈତିକ ବିଡମ୍ବନା ହିଁ କୁହାଯିବ । ‘ଆପ୍’ ଜାତୀୟ ରାଜନୀତିରେ ନିଜକୁ କଂଗ୍ରେସ ଓ ବିଜେପିର ଏକମାତ୍ର ବିକଳ୍ପ ବୋଲି ଦାବି କରୁଛି ଏବଂ ଗଲା କିଛି ବର୍ଷ ମଧ୍ୟରେ ତାହା କାମରେ ଦେଖାଇଛି । ଯାହାକି ‘ଆପ୍’ ଓ କେଜରୀୱାଲଙ୍କୁ ଦୁର୍ନୀତି ଅଭିଯୋଗର ପଙ୍କକୁ ଘୋଷାଡି ନେଇଛି । ସେଥିରୁ ମୁକୁଳିବା କଷ୍ଟସାଧ୍ୟ ହେଲେ ମଧ୍ୟ ଅସମ୍ଭବ ନୁହେଁ । କେଜରୀୱାଲ ଏହି ପଙ୍କ ଭିତରୁ ନିଜକୁ ଉଦ୍ଧାର କରି ତାଙ୍କ ରାଜନୈତିକ ଭିନ୍ନତା ପ୍ରତିପାଦନ କରିବାରେ ସକ୍ଷମ ହେବେ ବୋଲି ଆଜି ମଧ୍ୟ କିଛି ରାଜନୈତିକ ବିଶ୍ଲେଷକ ବିଶ୍ୱାସ କରୁଛନ୍ତି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS