ଇଡିରେ ହାଜର ହେବାକୁ ଦିଲ୍ଲୀରେ ବିଆରଏସ୍ ବିଧାୟିକା କେ.କବିତା
ପ୍ରସାଦ ରାଓ
ମାର୍ଚ୍ଚ ୦୯/୨୩
ମାର୍ଚ୍ଚ ୧୧ ତାରିଖ ଦିନ ଇଡି (ପ୍ରବର୍ତ୍ତନ ନିର୍ଦେଶାଳୟରେ) ହାଜର ହେବାକୁ ତେଲେଂଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ବିଧାୟିକା କନ୍ୟା କେ.କବିତା ସଂପ୍ରତ୍ତି ଦିଲ୍ଲୀରେ ଅଛନ୍ତି । ଆସନ୍ତା କାଲି ସେ ଦିଲ୍ଲୀର ‘ଜନ୍ତର ମନ୍ତର’ରେ ଆୟୋଜିତ ୧୮ଟି ଦଳର ଏକ ପ୍ରତିବାଦ ବିକ୍ଷୋଭରେ ଭାଗ ନେବେ । ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ କରାଯିବା ନିମନ୍ତେ ସଂସଦର ଆସନ୍ତା ଅଧିବେଶନରେ ସରକାର ଆଇନ ପାରିତ କରାଇବାକୁ ଦାବି କରି କାଲି ଦିଲ୍ଲୀରେ ଏହି ବିକ୍ଷୋଭର ଆୟୋଜନ ହୋଇଛି । ବିଆରଏସ୍ ବିଧାୟିକା କବିତା ଆଜି ଗଣମାଧ୍ୟମକୁ ଭେଟି କଂଗ୍ରେସକୁ କଟାକ୍ଷ କରିଛନ୍ତି । କଂଗ୍ରେସ ଆଉ ଜାତୀୟ ଦଳ ହୋଇ ରହି ନାହିଁ, ଆଂଚଳିକ ଦଳରେ ପରିଣତ ହୋଇସାରିଛି । ଆଗାମୀ ନିର୍ବାଚନରେ ବିଜେପିକୁ ପରାଜିତ କରିବାକୁ ଯଦି ଚାହୁଁଥାଏ ତେବେ ଗର୍ବ, ଅହଂକାର ପରିତ୍ୟାଗ କରି ଅନ୍ୟ ଆଂଚଳିକ ଶକ୍ତିଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ଦିଲ୍ଲୀ ସରକାରଙ୍କ ଅବକାରୀ ଦୁର୍ନୀତି ମାମଲାରେ ‘ସାଉଥ କାର୍ଟଲ’ ବା ଦକ୍ଷିଣୀ ଲବି ଉପକୃତ ହୋଇଥିବା ନେଇ ସୁରାକ ପାଇବା ପରେ ଇଡି (ପ୍ରବର୍ତ୍ତନ ନିର୍ଦେଶାଳୟ) ତେଲେଂଗାନା ମୁଖ୍ୟମନ୍ତ୍ରୀଙ୍କ କନ୍ୟା ତଥା ବିଧାୟିକା କବିତାଙ୍କୁ ଟାର୍ଗେଟ୍ କରିଛି । ମାର୍ଚ୍ଚ ୧୧ରେ ତାଙ୍କୁ ଜେରା କରିବାକୁ ନିଜ କାର୍ଯ୍ୟାଳୟକୁ ଡକାଇଛି ।
୨୦୨୨ରେ ଦିଲ୍ଲୀ ସରକାର ଲାଗୁ କରିଥିବା ନୂତନ ଅବକାରୀ ନୀତି ସିବିଆଇ ମାମଲା ପରେ ପ୍ରତ୍ୟାହୃତ ହୋଇସାରିଛି । ତଥାପି, ମଦ ଭେଣ୍ଡିଂ ଲାଇସେନ୍ସ ପ୍ରଦାନରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଥିବା ଅଭିଯୋଗର ତଦନ୍ତ ଚାଲିଛି । ନିକଟରେ, ଦିଲ୍ଲୀ ଅବକାରୀ ମନ୍ତ୍ରୀ ଥିବା ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏହି ଦୁର୍ନୀତିରେ ସଂପୃକ୍ତ ଥିବା ଅଭିଯୋଗରେ ସିବିଆଇ ଦ୍ୱାରା ଗିରଫ ହୋଇ ତିଆର ଜେଲ ଯାଇଛନ୍ତି । କଥିତ ଦୁର୍ନୀତିରେ ‘ସାଉଥ କାର୍ଟଲ’ ଉପକୃତ ହୋଇଥିବା ଏବଂ ସେ ତାହାର ପୃଷ୍ଠପୋଷକ ଥିବା ନେଇ ବିଆରଏସ୍ ବିଧାୟିକା କବିତାଙ୍କ ବିରୋଧରେ ଇଡି ଯେଉଁ ଅଭିଯୋଗ କରିଛି ତାହାକୁ କବିତା ଖଣ୍ଡନ କରିବା ସହ ରାଜନୈତିକ ଉଦ୍ଦେଶ୍ୟରେ ଏଭଳି ଅଭିଯୋଗ ହୋଇଥିବା କହିଛନ୍ତି । ୨୦୨୩ରେ ତେଲେଂଗାନା ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ଦୃଷ୍ଟିରୁ କେନ୍ଦ୍ର ସରକାର ଉଦ୍ଦେଶ୍ୟମୂଳକ ଭାବେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କ ଦୁରୁପଯୋଗ କରି ତେଲେଂଗାନାରେ ଲଗାତର ଚଢାଉ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । କବିତା କହିଛନ୍ତି, ତେଲେଂଗାନା ନିର୍ବାଚନକୁ ଆଖିରେ ରଖି ଲଗାତର ଭାବେ କେନ୍ଦ୍ରୀୟ ଏଜେନ୍ସୀଙ୍କ ଚଢାଉ ଚାଲିଛି । ଇତିମଧ୍ୟରେ ଆୟକର ବିଭାଗ ୫୦୦ ଚଢାଉ କରିଥିବା ବେଳେ ସିବିଆଇ ୧୦୦ ଓ ଇଡି ୨୦୦ ଚଢାଉ କଲେଣି ।
ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ନିମନ୍ତେ ସଂସଦରେ ବିଲ୍ ଗୃହୀତ କରାଯିବାକୁ ଦାବି କରି ଦିଲ୍ଲୀରେ ଆମରଣ ଅନଶନ ପାଇଁ ମାର୍ଚ୍ଚ ୨ ତାରିଖରେ ସେ ପୋଷ୍ଟର ଜାରି କରିଥିଲେ । ଅନ୍ୟ ବିରୋଧୀ ରାଜନୈତିକ ଦଳଙ୍କ ସମର୍ଥନ ମିଳିଛି । ପୋଷ୍ଟର ଜାରି ପରେ ପରେ ଇଡି ତାଙ୍କୁ ସମନ ପଠାଇ ମାର୍ଚ୍ଚ ୯ରେ ହାଜର ହେବାକୁ କହି ଥିଲା । ମାର୍ଚ୍ଚ ୧୬ରେ ହାଜିରା ପାଇଁ ତାରିଖ ଧାର୍ଯ୍ୟ କରାଯିବାକୁ ସେ ଇଡିକୁ ସମୟ ମାଗି ଥିଲେ । ଇଡି ୧୧ ତାରିଖକୁ ଧାର୍ଯ୍ୟ କରିଛି । ଇଡି ଏତେଦୂର ବ୍ୟଗ୍ର କାହିଁକି (?) ବୋଲି କବିତା ପ୍ରଶ୍ନ କରିଛନ୍ତି । ସେ ଜଣେ ମହିଳା ଭାବେ ମାର୍ଚ୍ଚ ୧୧ରେ ଇଡି ଅଧିକାରୀମାନେ ତାଙ୍କ ଘରକୁ ଯାଇ ଜେରା କରିବାକୁ ଅନୁରୋଧ କରିଥିଲେ ମଧ୍ୟ ଇଡି ପକ୍ଷରୁ ତାହାକୁ ଅଗ୍ରାହ୍ୟ କରିଦେଇ ଦିଲ୍ଲୀ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କହିଛି । ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ବିଲ୍ କୁ ନେଇ କବିତା କହିଛନ୍ତି, ଦୀର୍ଘ ୨୭ ବର୍ଷ ହେଲା ଏହି ବିଲ୍ ସଂସଦରେ ପାରିତ ହୋଇପାରୁନାହିଁ । ଏହା କେବଳ ଆଲୋଚନାର ବିଷୟ ହୋଇ ରହି ଯାଇଛି । ଆଗ୍ରମୀ ସଂସଦ ଅଧିବେଶନରେ ଏହି ବିଲ୍ ପାରିତ କରାଯିବାକୁ ଆସନ୍ତା କାଲି ଦିଲ୍ଲୀ ‘ଜନ୍ତର ମନ୍ତର’ରେ ଆୟୋଜିତ ବିକ୍ଷୋଭରେ ଦାବି କରାଯିବ । ୧୮ଟି ରାଜନୈତିକ ଦଳ ଏଥିରେ ସାମିଲ ହେଉଛନ୍ତି ।
୧୯୯୬ରେ ପ୍ରଧାନମନ୍ତ୍ରୀ ଏଚ.ଡି.ଦେବେଗୌଡାଙ୍କ ସରକାରରେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ବିଷୟକୁ ନେଇ ସଂବିଧାନ ସଂଶୋଧନ ପ୍ରସ୍ତାବ ଆସିଥିଲା । କିନ୍ତୁ,ଏହା ଉପରେ କିଛି ଅଭିଯୋଗ ଆସିବାରୁ ପ୍ରସ୍ତାବ ଲଟକି ରହିଥିଲା । କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାରରେ ମଧ୍ୟ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ବିଲ୍ ସଂସଦରେ ଉପସ୍ଥାପନ ଉଦ୍ୟମ ହୋଇଥିଲା । ତେବେ, ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ ଏହି ବିଲ୍ ରାଜ୍ୟସଭାରେ ଗୃହୀତ ହୋଇଥିଲେ ମଧ୍ୟ ଲୋକସଭାରେ ତାହା ଉପରେ ଭୋଟିଂ ମଧ୍ୟ ହୋଇନଥିଲା । ଫଳରେ, ବିଲ୍ ଆଇନର ରୂପ ନେଇ ପାରି ନାହିଁ । ୨୦୨୪ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଏହି ସ୍ଥାନ ସଂରକ୍ଷଣ ବିଲ୍ ସଂସଦରେ ପାରିତ କରାଇ ଆଇନରେ ପରିଣତ କରିବାକୁ ସେ ଦାବି କରିଛନ୍ତି । କବିତା କହିଛନ୍ତି, ୨୦୧୮ରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଉଦ୍ୟମରୁ ହିଁ ରାଜ୍ୟସଭାରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ବିଲ୍ ପାରିତ ହେବା ସମ୍ଭବ ହୋଇଥିବାରୁ ସେ ଦେଶର ସମସ୍ତ ମହିଳାଙ୍କ ପକ୍ଷରୁ ତାଙ୍କୁ ସାଲ୍ୟୁଟ କରୁଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS