ତଦନ୍ତରେ ଅଗ୍ରଗତି ନାହିଁ, ବିଧାନସଭା ଅଚଳ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ
ପ୍ରସାଦ ରାଓ
ଭୁବନେଶ୍ୱର
ମାର୍ଚ୍ଚ ୧୦/୨୩
ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାର ୪୦ ଦିନ ବିତି ଗଲାଣି । କିନ୍ତୁ, ହତ୍ୟା ପଛରେ କିଏ ଏପର୍ଯ୍ୟନ୍ତ ଓଡ଼ିଶା କ୍ରାଇମ୍ ବ୍ରାଂଚ ସ୍ପଷ୍ଟ କରି ନାହିଁ । ତେଣୁ, ରାଜ୍ୟ ଗୃହ ମନ୍ତ୍ରଣାଳୟ ଦାୟିତ୍ୱ ନିଜ ହାତରେ ରଖି ଥିବା ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ଆଜିଠାରୁ ଆରମ୍ଭ ହୋଇଥିବା ରାଜ୍ୟ ବିଧାନସଭାର ଦ୍ୱତୀୟ ପର୍ଯ୍ୟାୟ ବଜେଟ ଅଧିବେଶନରେ ବିରୋଧୀ ବିଧାୟକମାନେ ଏଭଳି ଦାବି କରି ବିଧାନସଭାକୁ ଅଚଳ କରିଛନ୍ତି । ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ପ୍ରଥମେ ପୂର୍ବାହ୍ନ ସାଢେ ୧୧ଟା ଓ ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିବାକୁ ବାଧ୍ୟ ହୋଇଛନ୍ତି ।
ନବ ଦାସ ରାଜ୍ୟ କ୍ୟାବିନେଟର ଜଣେ ବରିଷ୍ଠ ମନ୍ତ୍ରୀ ଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତାଙ୍କ ଅଧିନରେ ଥିଲା । ଗତ ଜାନୁୟାର ୨୯ ତାରିଖ ଦିନ ସେ ନିଜ ନିର୍ବାଚନ ମଣ୍ଡଳୀ ଝାରସୁଗୁଡା ଗସ୍ତରେ ଯାଇଥିବା ସମୟରେ ବ୍ରଜରାଜନଗରରେ ଜଣେ ପୁଲିସ କର୍ମଚାରୀ (ଚାକିରୀରୁ ବରଖାସ୍ତ ହୋଇସାରିଛନ୍ତି) ତାଙ୍କୁ ନିଜ ସର୍ଭିସ ରିଭଲଭରରୁ ଗୁଳି କରି ହତ୍ୟା କରିଥିଲେ । ଏହି ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ ସମଗ୍ର ଦେଶରେ ଚହଳ ପକାଇ ଥିବା ବେଳେ ରାଜ୍ୟ ସରକାର ଏହାର ତଦନ୍ତ ଦାୟିତ୍ୱ ରାଜ୍ୟ କ୍ରାଇମ୍ ବ୍ରାଂଚ ଉପରେ ନ୍ୟସ୍ତ କରିଛନ୍ତି । ଘଟଣା ସ୍ଥଳରୁ ହିଁ ଅଭିଯୁକ୍ତ ପୁଲିସ ଏଏସଆଇ ଗୋପାଳକୃଷ୍ଣ ଦାସ ଗିରଫ ହୋଇଥିଲେ । କ୍ରାଇମ ବ୍ରାଂଚ ତାଙ୍କୁ ଜେରା କରିବା ସହ ନାର୍କୋ ଟେଷ୍ଟ୍ ଭଳି ବିଭିନ୍ନ ବୈଷୟିକ ପରୀକ୍ଷା କରାଇ ହତ୍ୟାର କାରଣ ଖୋଜୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସଫଳତା ପାଇ ନାହାନ୍ତି ।
ରାଜ୍ୟ ପୁଲିସ ଦ୍ୱାରା ଘଟଣାର ତଦନ୍ତ ଚାଲି ଥିବାରୁ ଏପର୍ଯ୍ୟନ୍ତ ସତ୍ୟ ପଦାକୁ ଆସି ନାହିଁ ବୋଲି ବିରୋଧୀ ଅଭିଯୋଗ କରିବା ସହ ରାଜ୍ୟ ସରକାରଙ୍କୁ ଘେରୁଛନ୍ତି । ବିଧାନସଭାରେ କଂଗ୍ରେସ ବିଧାୟକମାନେ ଓଡ଼ିଶା ହାଇକୋର୍ଟର ତତ୍ତ୍ୱାବଧାନରେ ହତ୍ୟା ଘଟଣାର ଏସଆଇଟି ତଦନ୍ତ ଦାବି କରୁଥିବା ବେଳେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି ସିବିଆଇ ତଦନ୍ତ ଦାବି କରୁଛି । ରାଜ୍ୟ ସରକାର ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ଘଟଣାର କ୍ରାଇମ୍ ବ୍ରାଂଚ ତଦନ୍ତ କରାଉଥିଲେ ମଧ୍ୟ ବିରୋଧୀ ସେଥିରେ ସନ୍ତୁଷ୍ଟ ନଥିବା ଏବଂ ଏହାକୁ ନେଇ ଆଇନଗତ ପ୍ରଶ୍ନ ଉଠାଉ ଥିବା ଦେଖିବାକୁ ମିଳୁଛି । ଏହି ହତ୍ୟା ଘଟଣାକୁ ନେଇ ବିରୋଧୀ ବିଧାୟକମାନେ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ଦିନରୁ ଗୃହକୁ ଅଚଳ କରି ରଖି ଥିଲେ । ବାଚସ୍ପତି ୧୦ ତାରିଖ ପର୍ଯ୍ୟନ୍ତ ଅଧିବେଶନକୁ ସ୍ଥଗିତ ରଖି ଥିଲେ । ଆଜି ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହୋଇଥିଲେ ମଧ୍ୟ ନବ ଦାସ ତାତି କମି ନାହିଁ ।
ଆଜି (ଶୁକ୍ରବାର) ପୁନଃ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେଉ ହେଉ ଉଭୟ ବିଜେପି ଓ କଂଗ୍ରେସ ବିଧାୟକମାନେ ଗୃହରେ ହଟ୍ଟଗୋଳ କରି ଅଧିବେଶନକୁ ଅଚଳ କରିଛନ୍ତି । ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଂଜନ ପୁଝାରୀ ଆଜି କ୍ୟାବିନେଟ୍ ନିଷ୍ପତ୍ତିଗୁଡିକ ସଂପର୍କରେ ଗୃହକୁ ଅବଗତ କରାଉଥିବା ସମୟରେ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ମାଡି ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାହାନ୍ତି (?) ବୋଲି ପ୍ରଶ୍ନ କରି ହଟ୍ଟଗୋଳ କରିଥିଲେ । ଫଳରେ, ବାଚସ୍ପତି ପୂର୍ବାହ୍ନ ସାଢେ ୧୧ଟା ପର୍ଯ୍ୟନ୍ତ ଅଧିବେଶନକୁ ମୁଲତବୀ ରଖିଥିଲେ । ବିଜେପି ସଦସ୍ୟମାନେ ମଧ୍ୟ ଘଟଣାର ସିବିଆଇ ତଦନ୍ତ ଦାବିରେ ହଟ୍ଟଗୋଳ କରିବାରୁ ପରେ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ରଖା ଯାଇଥିଲା । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଓଡ଼ିଶା କ୍ରାଇମ୍ ବ୍ରାଂଚ ୪୧ ଦିନ ହେଲା ନବ ଦାସ ହତ୍ୟାକାଣ୍ଡର ତଦନ୍ତ କରୁଥିଲେ ମଧ୍ୟ ହତ୍ୟା ପଛରେ କିଏ, ତାହା ସ୍ପଷ୍ଟ କରିପାରୁନାହିଁ । ତଦନ୍ତ ନାମରେ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରାଯାଉଛି । ହତ୍ୟା ପଛରେ କିଏ ଓ ହତ୍ୟାର ଉଦ୍ଦେଶ୍ୟ କଣ – ତାହା ତଦନ୍ତ କରୁଥିବା କ୍ରାଇମ୍ ବ୍ରାଂଚ ସ୍ପଷ୍ଟ କରୁନଥିବାରୁ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଓ ଏସଆଇଟି ଦ୍ୱାରା ଘଟଣାର ତଦନ୍ତ ଦାବି କରୁଛି ।
ସେହିଭଳି, ବିଜେପି ବିଧାୟକ ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ନବ ଦାସଙ୍କ ହତ୍ୟା ପଛରେ ଥିବା ରହସ୍ୟକୁ ଉନ୍ମୋଚନ କରିବାରେ ଓଡ଼ିଶା କ୍ରାଇମ୍ ବ୍ରାଂଚ ଅକ୍ଷମ ରହିଛି । ୪୧ ଦିନର ତଦନ୍ତ ପରେ ମଧ୍ୟ ସିବି-ସିଆଇଡି ଅଧିକାରୀଙ୍କ ହାତ ଖାଲି । ହତ୍ୟା ଷଡଯନ୍ତ୍ର ପଛରେ କେଉଁମାନେ ଅଛନ୍ତି ତାହା ଏପର୍ଯ୍ୟନ୍ତ ଉନ୍ମୋଚନ ହୋଇ ନଥିବାରୁ ତଦନ୍ତ କୁଆଡେ ଯାଉଛି ଜଣାପଡୁନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୩ ବର୍ଷର ଶାସନରେ ଏଭଳି ଏକ ସ୍ପର୍ଶକାତର ହତ୍ୟା ଘଟଣାର ତଦନ୍ତ କୌଣସି କୂଳରେ ପହଂଚୁ ନଥିବା ଉଦ୍ବେଗର ବିଷୟ । ତେଣୁ, ଦଳ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ସହ ନବ ସାଦ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରୁଛି । ଆଜି ବିଧାନସଭାରେ ଦଳ ବାଚସ୍ପତିଙ୍କୁ ଏହା ଜଣାଇ ଦେଇଛି ବୋଲି ମାଝୀ ଗଣମାଧ୍ୟମକୁ କହିଛନ୍ତି । ଅପରପକ୍ଷରେ ବିଜେଡ଼ି କହିଛି, ବିଧାନସଭାର ଗୁରୁତ୍ୱପୂର୍ଣ୍ଣ ଶୂନ୍ୟକାଳରେ ବିଧାୟକମାନେ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ସଂପର୍କିତ ପ୍ରସଙ୍ଗକୁ ନେଇ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେବା ପରିବର୍ତ୍ତେ ବିଧାନସଭାକୁ ଅଚଳ କରିବା ଦୁଃଖଦାୟକ । ରାଜ୍ୟବାସୀ ସେମାନଙ୍କୁ ଏହାର ଜବାବ ଦେବେ । ରାଜ୍ୟ ସରକାର ବିରୋଧୀଙ୍କୁ ଜଣାଇ ସାରିଛନ୍ତି ଯେ, ନବ ଦାସ ହତ୍ୟାକାଣ୍ଡର ତଦନ୍ତ ଚାଲୁ ରହିଛି । ତଦନ୍ତ ସରିଲେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ । ତଥାପି, ବିରୋଧୀ ସହନଶୀଳତା ହରାଇ ଭୁଲ ତଥ୍ୟ ଦେବା ମାଧ୍ୟମରେ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରୁଛନ୍ତି ।
ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ତଦନ୍ତକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ବିଧାୟକମାନେ ବିଧାନସଭାରେ ଅଚଳବସ୍ଥା ଜାରି ରଖି ଥିବା ବେଳେ ଆଜି ବିଜେଡ଼ିର ପଦ୍ମପୁର ବିଧାୟିକା ବର୍ଷା ସିଂହ ବରିହାଙ୍କ ଏକ ଟ୍ୱିଟ୍ ସାମ୍ନାକୁ ଆସିଛି । ମୃତ୍ୟୁ ପରେ ଜଣେ ନେତାଙ୍କୁ ନିନ୍ଦିତ କରିବାକୁ ଓଡ଼ିଶା ବିଜେପିର କିଛି ନେତା ଯେଉଁ ଉଦ୍ୟମ କରୁଛନ୍ତି ତାହା ହିନ୍ଦୁ ପରଂପରା ଓ ସଂସ୍କୃତିରେ ଗ୍ରହଣୀୟ ନୁହେଁ ବୋଲି ବର୍ଷା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟ୍ୱିଟ୍ କରିବା ସହ ସେ ତାଙ୍କ ଦଳର ନେତାଙ୍କୁ ଏଥିରୁ କ୍ଷାନ୍ତ କରିବାକୁ ଅନୁରୋଧ କରିଥିବା ଜଣାପଡିଛି । ତାଙ୍କ ପିତାଙ୍କ ମୃତ୍ୟୁ ପରେ ମଧ୍ୟ କିଛି ବିଜେପି ନେତା ତାଙ୍କୁ ଠିକ୍ ଏମିତି ଆକ୍ଷେପ କରିଥିଲେ । ତାଙ୍କ ଚରିତ୍ର ଓ ବାହାଘରକୁ ନେଇ କୁତ୍ସାରଟନା କରିଥିଲେ । ବ୍ୟକ୍ତଗତ ଆକ୍ରମଣ କରି ତାଙ୍କୁ ମାନସିକ ଆଘାତ ଦେଇଥିଲେ । ଏବେ ସେମାନେ ସ୍ୱର୍ଗତ ନବ କିଶୋର ଦାସଙ୍କ ଚରିତ୍ର ସଂହାର ଉଦ୍ୟମ କରିବା ସହ ତାଙ୍କ ପରିବାରକୁ ମାନସିକ ଯନ୍ତ୍ରଣା ଦେଉଛନ୍ତି ବୋଲି ବର୍ଷା ଟ୍ୱିଟ୍ କରି କେନ୍ଦ୍ର ମନ୍ତ୍ରୀ ପ୍ରଧାନ ନିରବ ରୁହନ୍ତୁ ନାହିଁ କି ଏହାର ପରୋକ୍ଷ ସମର୍ଥନ କରନ୍ତୁ ନାହିଁ ବୋଲି ଅନୁରୋଧ କରିଛନ୍ତି ।
ନବ ଦାସ ହତ୍ୟା ଘଟଣାର ତଦନ୍ତକୁ ନେଇ ବିଧାନସଭା ଭିତରେ ଓ ବାହାରେ ବିରୋଧୀ କଂଗ୍ରେସ, ବିଜେପି ଏବଂ ଶାସକ ବିଜେଡ଼ି ମଧ୍ୟରେ ଏଭଳି ରାଜନୈତିକ ପଇଁତରା ଚାଲି ଥିବା ବେଳେ ଝାରସୁଗୁଡା ଜେଲରେ ଅଟକ ଥିବା ଅଭିଯୁକ୍ତ ଗୋପାଳ ଦାସ ନିର୍ବିକାର ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଗୋପାଳ ବାଇପୋଲାର୍ ରୋଗରେ ପିଡିତ ବୋଲି ତାଙ୍କ ପରିବାର କହୁଥିବା ବେଳେ ଗୋପାଳ ମାନସିକ ଦୃଷ୍ଟିରୁ ସୁସ୍ଥ ଥିବା ତଦନ୍ତକାରୀ ଅଧିକାରୀମାନେ ଅନୁମାନ କରୁଛନ୍ତି । ଶେଷରେ କ୍ରାଇମ୍ ବ୍ରାଂଚ ତେଦନ୍ତ କେଉଁଠି ପହଂଚୁଛି ତାହା ଦଖିବା ପାଇଁ ସମସ୍ତଙ୍କ ଆପେକ୍ଷା ରହିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS