ସିସୋଦିଆଙ୍କ ଅଡୁଆ ବଢୁଛି, ଜାମିନ ଆବେଦନର ଶୁଣାଣୀ ୨୧ରେ


ପ୍ରସାଦ ରାଓ
ନୂଆଦିଲ୍ଲୀ, ମାର୍ଚ୍ଚ ୧୦
ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସିବିଆଇ ପରେ ଇଡି (ପ୍ରବର୍ତ୍ତନ ନିର୍ଦେଶାଳୟ) ଏବେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଡୁଆ ବଢାଇଛି । ସିସୋଦିଆ ଫେବୃୟାରୀ ୨୬ ତାରିଖରେ ସିବିଆଇ ଦ୍ୱାରା ଗିରଫ ହେବା ପରେ ସାତ ଦିନ ସବିଆଇ ହାଜତରେ କଟାଇ ଏବେ ତିହାର ଜେଲରେ ଅଛନ୍ତି । ସେ ଜାମିନ ପାଇଁ ସୁପ୍ରିମ କୋର୍ଟକୁ ଯାଇଥିଲେ ମଧ୍ୟ ତଳ କୋର୍ଟରେ ଆବେଦନ କରିବାକୁ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ଖଣ୍ଡପୀଠ କହିଥିଲେ । ସିସୋଦିଆ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ । କୋର୍ଟ ତାଙ୍କୁ ୨୦ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହାଜତକୁ ପଠାଇ ଥିଲେ ମଧ୍ୟ ମାର୍ଚ୍ଚ ୧୦ ତାରିଖ ଜାମିନ ଆବେଦନର ଶୁଣାଣୀ କରିବାକୁ ଧାର୍ଯ୍ୟ କରିଥିଲେ । ଆଜି ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣୀ ହେବାକୁ ଥିବା ବେଳେ ଦିଲ୍ଲୀ ମଦ ଦୁର୍ନୀତି ମାମଲା ସଂପର୍କିତ ମନିଲଂଡରିଂ ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦେଶାଳୟ) ପକ୍ଷରୁ ଜେଲରେ ଥିବା ସିସେଦିଆଙ୍କୁ ଲଗାତର ଜେରା କରାଯାଇ ଗତକାଲି ଗିରଫ କରାଯାଇଛି ଏବଂ ଆଜି ରାଉଜ୍ ଏଭିନ୍ୟୁ କୋର୍ଟରେ ହାଜର କରାଯାଇ ୧୦ ଦିନ ପାଇଁ ତାଙ୍କୁ ରିମାଣ୍ଡ ଦେବାକୁ ଆବେଦନ କରାଯାଇଥିଲା । ଇଡିର ରିମାଣ୍ଡ ଆବେଦନ ପରେ ଦିଲ୍ଲୀ ଅଦାଲତ ସିସୋଦିଆଙ୍କ ଜାମିନ ଆବେଦନ ଶୁଣାଣୀକୁ ୨୧ ତାରିଖକୁ ଘୁଂଚାଇ ଥିବା ବେଳେ ଇଡିର ରିମାଣ୍ଡ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଥିଲେ । ପରେ, ସାତ ଦିନ ରିମାଂଣ୍ଡ ମଂଜୁର କରିଛନ୍ତି । କୋର୍ଟରେ ଇଡି ପକ୍ଷରୁ ଓକିଲ ଜୋହେବ ହୋସେନ ସିସୋଦିଆଙ୍କ ବିରୋଧରେ ଅଭିଯୋଗପତ୍ର ଉପସ୍ଥାପନ କରିଥିଲେ । ସିସୋଦିଆ ଦିଲ୍ଲୀ ସରକାରଙ୍କ ଅବକାରୀ ମନ୍ତ୍ରୀ ଭାବେ କିଛି ନିର୍ଦ୍ଧିଷ୍ଟ ଘରୋଇ ସଂସ୍ଥାଙ୍କୁ ଉପକୃତ କରିବା ପାଇଁ ନୂତନ ମଦ ନୀତି ପ୍ରସ୍ତୁତ କରିଥିଲେ । ବିଶେଷକରି, ଦିଲ୍ଲୀର ହୋଲେସେଲ ମଦ ବ୍ୟବସାୟ କିଛି ନିର୍ଦ୍ଧିଷ୍ଟ ସଂସ୍ଥାଙ୍କ ହାତରେ ସମର୍ପି ଦେବା ପାଇଁ ଷଡଯନ୍ତ୍ର ହୋଇଥିଲା ବୋଲି ଇଡି ଅଭିଯୋଗ କରିଛି । ଘରୋଇ ସଂସ୍ଥାଙ୍କ ପାଇଁ ୧୨ ପ୍ରତିଶତ ଲାଭାଂଶ ଧାର୍ଯ୍ୟ କରାଯିବା ସମୟରେ କାହାରି ସହିତ ଆବଶ୍ୟକ ପରାମର୍ଶ କରାଯାଇନାହିଁ ବା ମତାମତ ନିଆଯାଇ ନାହିଁ । କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତିବିଶେଷଙ୍କୁ ଲାଭବାନ କରିବାକୁ ଷଡଯନ୍ତ୍ର ହୋଇଛି । ସିସୋଦିଆ ନିଜ ଫୋନ୍ ନଷ୍ଟ କରି ଦେଇ ଫ୍ଲିପକାର୍ଟ ମାଧ୍ୟମରେ ଅନ୍ୟମାନଙ୍କ ନାମରେ ଫୋନ୍ କିଣୁଥିଲେ, ତାହାର ପେମେଂଟ୍ ଅନ୍ୟମାନେ ଦେଉଥିଲେ । ସେହିଭଳି ସିମ୍ ମଧ୍ୟ ଅନ୍ୟମାନଙ୍କ ନାମରେ କିଣି ସେ ବ୍ୟବହାର କରୁଥିଲେ । ଦିଲ୍ଲୀ ସରକାରଙ୍କ ନୂତନ ମଦ ନୀତି ପ୍ରସ୍ତୁତ ସମୟରେ ବିଜୟ ନାୟାର ସାଉଥ କାର୍ଟେଲ୍ ସହ ତାହାର ସଂଯୋଜନା କରିଥିଲେ । ସେମାନଙ୍କୁ ସୁହାଇଲା ଭଳି ମଦ ନୀତି ପ୍ରସ୍ତୁତ ହୋଇଥିଲା । ତେଲେଂଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ କନ୍ୟା ତଥା ତେଲେଂଗାନାର ବିଆରଏସ୍ ବିଧାନ ପରିଷଦ ସଦସ୍ୟା କେ.କବିତା ‘ସାଉଥ କାର୍ଟେଲ’କୁ ନିୟନ୍ତ୍ରଣ କରୁଥିବାରୁ ଏବଂ ଦିଲ୍ଲୀ ଅବକାରୀ ବ୍ୟବସାୟରେ ସେମାନଙ୍କ ବଡ ଭାଗିଦାରୀ ଥିବା ତଦନ୍ତରୁ ଜଣାପଡିଥିବାରୁ କବିତାଙ୍କୁ ଜେରା ପାଇଁ ୧୧ ତାରିଖ ଇଡି କାର୍ଯ୍ୟାଳୟକୁ ଡକାଯାଇଛି । ବିଜୟ ନାୟାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ପାଇଁ ‘ସାଉଥ୍ କାର୍ଟେଲ୍’ ସହ ବ୍ୟବସାୟିକ ବୁଝାମଣା କରିଥିବା ବେଳେ ସିସୋଦିଆ ନିଜେ ଇଣ୍ଡୋସ୍ପିଟିଟ୍ସ ମଦ କଂପାନୀ ଫାଇଲ ଅବକାରୀ ବିଭାଗ ଦ୍ୱାରା ଅନୁମୋଦିତ କରାଇଥିବା ଇଡି ଓକିଲ କୋର୍ଟରେ କହିଛନ୍ତି । ମୋଟ ୨୯୨କୋଟି ଟଙ୍କାର ମଦ ଦୁର୍ନୀତି ସାମ୍ନାକୁ ଆସୁ ଥିବାରୁ ଏହାର ସଂପୂର୍ଣ୍ଣ ‘ମୋଡସ୍ ଅପରେଂଡି’ ପଦାକୁ ଆଣିବା ଜରୁରୀ ହୋଇଛି । ଏଥିସକାଶେ ଇଡି ପକ୍ଷର ଯେଉଁମାନଙ୍କୁ ସମନ କରାଯାଇଛି ସେମାନଙ୍କ ସହ ସିସୋଦିଆଙ୍କୁ ମୁହାଁମୁହିଁ ବସାଇ ଜେରା କରିବା ସକାଶେ ସିସୋଦିଆଙ୍କ ରିମାଣ୍ଡ ମଗାଯାଇଛି ବୋଲି ଇଡି ଓକିଲ କହିଥିଲେ । ସିସୋଦିଆଙ୍କ ଓକିଲ ଦୟାନ କ୍ରିଷ୍ଣନ ଏଥିରେ ଏକମତ ନହୋଇ କୋର୍ଟରେ ଇଡିର ୧୦ ଦିନିଆ ରିମାଣ୍ଡ ଆବେଦନକୁ ବିରୋଧ କରିଥିଲେ । ମନୀଷ ସିସୋଦିଆ ଓ ଅନ୍ୟମାନେ ନୂତନ ମଦ ନୀତି ପ୍ରସ୍ତୁତ କରିଥିଲେ ମଧ୍ୟ ଦିଲ୍ଲୀର ଏଲଜିଙ୍କ ଅନୁମୋଦନ ପରେ ହିଁ ତାହା କାର୍ଯ୍ୟକାରୀ କରାଯାଇଥିଲା । ଇଡି ସିସୋଦିଆଙ୍କ ବିରୋଧରେ ମନିଲଂଡରିଂ ମାମଲାର ତଦନ୍ତ କରୁଥିବା ବେଳେ ତାଙ୍କ ନିକଟକୁ କେଉଁଠୁ ଓ କେବେ କେତେ ଟଙ୍କା ଆସିଲା, କେଉଁଠି ତାହା ରହିଲା ଏବଂ କେମିତି ବିନିଯୋଗ ହେଲା ତାହା ପ୍ରମାଣ କରିବା ଜରୁରୀ । କିନ୍ତୁ, ସିସୋଦିଆଙ୍କ ନିକଟରୁ ତଦନ୍ତକାରୀ ସଂସ୍ଥା ଫଟା କଉଡିଟିଏ ମଧ୍ୟ ପାଇ ନାହାନ୍ତି । ତେଣୁ, ସିସୋଦିଆଙ୍କ ବିରୋଧରେ ମନିଲଂଡରିଂ ଅଭିଯୋଗର କୌଣସି ଯଥାର୍ଥତା ନାହିଁ ବୋଲି ଦୟାନ କ୍ରିଷ୍ଣନ ଯୁକ୍ତି ରଖିଛନ୍ତି । କୋର୍ଟ ଉଭୟ ପକ୍ଷଙ୍କୁ ଶୁଣିବା ପରେ ସାତ ଦିନ ପାଇଁ ଇଡିକୁ ସିସୋଦିଆଙ୍କ ରିମାଣ୍ଡ ମଂଜୁର କରିଛନ୍ତି । ସିସୋଦିଆ ୧୭ ତାରିଖ ପର୍ଯ୍ୟନ୍ତ ଇଡି ହେପାଜତରେ ରହିବେ ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS