ସିବିଆଇ, ଇଡି, ଆଇଟି ଛାଟ ମଧ୍ୟ ବିରୋଧୀଙ୍କୁ ଏକାଠି କରିପାରୁନି ?


ପ୍ରସାଦ ରାଓ
ନୂଆଦିଲ୍ଲୀ, ମାର୍ଚ୍ଚ ୧୧
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମାହୋଲ ପ୍ରସ୍ତୁତ ଚାଲିଛି । କେନ୍ଦ୍ର ସରକାର ସିବିଆଇ, ଇଡି ଓ ଅନ୍ୟ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କୁ ବ୍ୟବହାର କରି ନିର୍ବାଚନ ପାଇଁ ମାହୋଲ ପ୍ରସ୍ତୁତ କରୁଥିବା ବେଳେ ବିରୋଧୀ ଏହା ବିରୋଧରେ ମିଳିତ ଭାବେ ନହେଲେ ମଧ୍ୟ ବିଭିନ୍ନ ଗୋଷ୍ଠୀରେ ବିଭାଜିତ ହୋଇ ଲଢେଇ ଆରମ୍ଭ କରିଥିବା ଦେଖିବାକୁ ମିଳୁଛି । ଆଗାମୀ କିଛି ମାସ ମଧ୍ୟରେ ତେଲେଂଗାନାରେ ବିଧାନସଭା ନିର୍ବାଚନ ହେବାକୁ ଥିବା ସମୟରେ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର)ଙ୍କୁ ବିଜେପି ଟାର୍ଗେଟ୍ କରିଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି ମୁଖ୍ୟମନ୍ତ୍ରୀ ରାଓଙ୍କ କନ୍ୟା ବିଆରଏସ୍ (ଭାରତ ରାଷ୍ଟ୍ର ସମିତି) ବିଧାୟିକା କେ.କବିତାଙ୍କୁ ଦିଲ୍ଲୀସ୍ଥିତ କାର୍ଯ୍ୟାଳୟକୁ ଡକାଇ ନଅ ଘଂଟା ଜେରା କରିବା ପରେ ପୁନର୍ବାର ୧୬ତାରିଖ ହାଜର ହେବାକୁ ନୋଟିସ ଦେଇଛି । ହାଇଦ୍ରାବାଦରେ ଏହା ବିରୋଧରେ ରାଓଙ୍କ ସମର୍ଥକମାନଙ୍କ ଆଡୁ ପୋଷ୍ଟର ଲାଗିଛି । କିଛି ବିରୋଧୀ ନେତା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କ ସ୍କାନରରେ ଥିଲେ । ସେମାନେ ବିଜେପିରେ ଯୋଗଦେବାରୁ ସେମାନଙ୍କ ବିରୋଧରେ ଚାଲିଥିବା ତଦନ୍ତ ଶିଥିଳ ହୋଇଗଲା । ପୋଷ୍ଟରରେ ତାହା ଦର୍ଶାଯାଇଛି ।
କବିତା ଆଜି ଇଡି ସମ୍ମୁଖରେ ହାଜର ହେବା ପୂର୍ବରୁ ଗତକାଲି ଦିଲ୍ଲୀର ‘ଜନ୍ତର ମନ୍ତର’ଠାରେ ଅନଶନରେ ବସିଥିଲେ । ତାଙ୍କ ଦାବି ଥିଲା, ସଂସଦର ଚଳିତ ବଜେଟ ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍ ଗୃହୀତ କରାଯାଉ । ୨୭ ବର୍ଷ ହେଲା ଏହି ବିଲ୍ ଗୃହୀତ କରାଯିବାକୁ ନେଇ ପ୍ରହସନ ଚାଲିଛି । ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ଏହି ବିଲ୍ ଗୃହୀତ କରାଇବାକୁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସି ଥିଲା । ସରକାର କରିବା ପରେ ଥରେ ହେଲେ ଏହି ପ୍ରସଙ୍ଗ ଉଠାଇ ନାହିଁ । ଚଳିତ ସଂସଦ ଅଧିବେଶନରେ ଅନ୍ତତଃ ଏହି ବିଲ୍ ଗୃହୀତ କରାଯାଉ ବୋଲି କବିତା ଦାବି କରିଛନ୍ତି । କବିତାଙ୍କୁ ସମର୍ଥନ କରି ୧୮ଟି ବିରୋଧୀ ରାଜନୈତିକ ଦଳ ଗତକାଲିର ଧର୍ମଘଟରେ ସାମିଲ ହୋଇଥିଲେ । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସୋମବାର ରାତିରେ ଗିରଫ ହୋଇଥିବା ହାଇଦ୍ରାବାଦ ଭିତ୍ତିକ ବ୍ୟବସାୟୀ ଅରୁଣ ରାମଚନ୍ଦ୍ର ପିଲାଇଙ୍କ ସହ କବିତାଙ୍କୁ ମୁହାଁମୁହିଁ କରିବାକୁ ଇଡି ଆଜି ତାଙ୍କୁ ସମନ କରିଥିବା ଜଣାପଡିଛି ।
କବିତାଙ୍କ ଅଭିଯୋଗ ହେଉଛି, ତେଲେଂଗାନାରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ବିଜେପି ତାଙ୍କ ପିତା ତଥା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଓ ବିଆରଏସ୍ କୁ ଟାର୍ଗେଟ୍ କରିଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି ତାଙ୍କୁ ଜେରା ପାଇଁ ସମନ କରିବା ପଛରେ ଏହି ରହସ୍ୟ ରହିଛି । ତେବେ, ବିଆରଏସ୍ ପକ୍ଷରୁ ବିଜେପି ବିରୋଧୀ ଲଢେଇ ଜାରି ରହିବ । କେନ୍ଦ୍ର ସରକାରଙ୍କ ବିଫଳତା ବିରୋଧରେ ସ୍ୱର ଉତ୍ତୋଳନ ଚାଲିବ । ବିଆରଏସ୍ ମଧ୍ୟ ଗତ ୮ ତାରିଖ ଦିନ ବିଜେପିକୁ କଡା ସମାଲୋଚନା କରିଛି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାମାନେ କେନ୍ଦ୍ର ସରକାରଙ୍କ ସଂପ୍ରସାରିତ ହାତ ପାଲଟିଛନ୍ତି ବୋଲି ଦଳ କହିଛି ।ଅପରପକ୍ଷରେ, ‘ସାଉଥ କାର୍ଟେଲ’ ବା ଦକ୍ଷିଣୀ ମଦ ବ୍ୟବସାୟୀ ଗୋଷ୍ଠୀ ଦିଲ୍ଲୀର ନୂତନ ଅବକାରୀ ନୀତି ଦ୍ୱାରା ଉପକୃତ ହେବା ସକାଶେ ଆମ୍ ଆଦମୀ ପାର୍ଟିକୁ ୧୦୦ କୋଟି ଟଙ୍କାର ଲାଂଚ ଦେଇଥିବା ସନ୍ଦେହ କରାଯାଉଛି ବୋଲି ଇଡି (ପ୍ରବର୍ତ୍ତନ ନିର୍ଦେଶାଳୟ) କହିଛି । ବିଆରଏସ୍ ବିଧାୟକା କବିତା ଦକ୍ଷିଣୀ ମଦ ବ୍ୟବସାୟୀ ଗୋଷ୍ଠୀ ସହ ସଂପୃକ୍ତ । ହାଇଦ୍ରାବାଦ ଭିତ୍ତିକ ବ୍ୟବସାୟୀ ପିଲାଇ ତାଙ୍କ ପାଇଁ ମଧ୍ୟସ୍ଥତା କରିଥିବାର ସୁରାକ ମିଳିଛି । ତେଣୁ, କବିତାଙ୍କୁ ପିଲାଇଙ୍କ ସହ ମୁହାଁମୁହିଁ କରିବାକୁ ଡକାଯାଇଛି ବୋଲି ଇଡି ପକ୍ଷରୁ କୁହାଯାଇଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଗତ ଡିସେମ୍ବର ମାସରେ କବିତାଙ୍କୁ ଜେରା କରିଥିଲା ।
୨୦୨୧ ବର୍ଷ ମଧ୍ୟଭାଗରେ କୋଭିଡ଼ର ଡେଲଟା ପ୍ରଜାତି ଦେଶରେ ଆତଙ୍କର ବାତାବରଣ ସୃଷ୍ଟି କରିଥିବା ସମୟରେ ଦିଲ୍ଲୀ ଆମ୍ ଆଦମୀ ପାର୍ଟି ସରକାର ନୂତନ ଅବକାରୀ ନୀତି ଗୃହୀତ କରାଇ ତାହାକୁ କାର୍ଯ୍ୟକାରୀ କରିଥିଲେ । ଏହି ନୀତିର କାର୍ଯ୍ୟକାରିତାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆଧାରରେ ଦିଲ୍ଲୀର ଏଲଜି ବିଜୟ କୁମାର ସାକ୍ସେନା ତାହାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିଥିଲେ । ସିବିଆଇ ମାମଲା ରୁଜୁ କରିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ସରକାର ୨୦୨୧-୨୨ ନୂତନ ଅବକାରୀ ନୀତି ପ୍ରତ୍ୟାହାର କରି ନେଲେ । ଏହି ମାମଲାରେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ଅବକାରୀ ମନ୍ତ୍ରୀ ମନୀଷ ସିସୋଦିଆ ସିବିଆଇ ଓ ଇଡି ଦ୍ୱାରା ଗିରଫ ହୋଇ ତିହାର ଜେଲର ଅଛନ୍ତି । ୨୧ ତାରିଖ ତାଙ୍କ ଜାମିନ ଆବେଦନର ଶୁଣାଣୀ ରହିଛି ।
କେସିଆରଙ୍କ କନ୍ୟା କେ.କବିତା (୪୪) ଆଜି ଦିଲ୍ଲୀରେ ଇଡି କାର୍ଯ୍ୟାଳୟରେ ହାଜର ହୋଇ ଜେରାର ସମ୍ମୁଖୀନ ହେଉଥିବାରୁ ତାଙ୍କ ମନୋବଳ ବଢାଇବା ପାଇଁ ଭାଇ ତଥା ତେଲେଂଗାନା ମନ୍ତ୍ରୀ କେ.ଟି.ରାମା ରାଓ, ମା’, ଶ୍ୱଶୁର ଘରର ସଦସ୍ୟ ଏବଂ ତେଲେଂଗାନା ରାଜ୍ୟର ବହୁ ମନ୍ତ୍ରୀ ଦିଲ୍ଲୀରେ ଡେରା ପକାଇ ଥିଲେ । ଆନ୍ଧ୍ର ପ୍ରଦେଶର ବିଭାଜନ ପରେ ନୂତନ ତେଲେଂଗାନା ରାଜ୍ୟ ଗଠନ ହୋଇଛି ଏବଂ କେସିଆର ଲଗାତର ଦୁଇ ଥର ମୁଖ୍ୟମନ୍ତ୍ରୀ ରହିଛନ୍ତି । ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ସେ ଜୋରଦାର ପ୍ରସ୍ତୁତିରେ ଥିବା ବେଳେ ବିଜେପି ତାହା କରାଇ ନଦେବାକୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କ ଦୁରୁପଯୋଗ କରୁଛି ବୋଲି ବିଆରଏସ୍ ପକ୍ଷରୁ ଅଭିଯୋଗ କରାଯାଇଛି ।କେବଳ ତେଲେଂଗାନା ନୁହେଁ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ପରିବାର ମଧ୍ୟ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସୀଙ୍କ ବିଷ ଦୃଷ୍ଟିରେ ରହିଛନ୍ତି । ନିକଟରେ, ଲାଲୁ ଓ ତାଙ୍କ ପତ୍ନୀ ରାବ୍ରୀ ଦେବୀଙ୍କୁ ସିବିଆଇ ଜେରା କରିଥିବା ବେଳେ ଇଡି ପକ୍ଷରୁ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ଥିବା ଘର ଓ ସଂସ୍ଥା ଉପରେ ଚଢାଉ ହୋଇଛି । ଏହି ଚଢାଉରେ ନଗଦ କୋଟିଏ ଟଙ୍କା ଓ ୬୦୦ କୋଟି ଟଙ୍କାର ବେଆଇନ ସଂପତ୍ତି ଠାବ ହୋଇଛି ବୋଲି ଇଡି କହିଛି । ତେବେ, ଲାଲୁ ପରିବାର ଏହାକୁ ଅସ୍ୱୀକାର କରି ଇଡି ତାହାର ତାଲିକା ସର୍ବାଧାରଣରେ ଉପସ୍ଥାପନ କରୁ ବୋଲି ଚ୍ୟାଲେଂଜ କରିଛନ୍ତି ।
ଲାଲୁ ଯାଦବ ୨୦୦୪ରୁ ୨୦୦୯ ୟୁପିଏ-୧ ସରକାରରେ ରେଳବାଇ ମନ୍ତ୍ରୀ ଥିଲେ । ସେହି ସମୟରେ ରେଳବାଇରେ ଗୃପ-ଡି ଚାକିରୀରେ ନିଯୁକ୍ତି ପାଇଁ ଆଶାୟୀଙ୍କଠାରୁ ‘ଚାକିରୀ ବଦଳରେ ଜମି’ ବା ‘ଲ୍ୟାଣ୍ଡ୍ ଫର୍ ଜବ୍’ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ସିବିଆଇ ଏହାର ତଦନ୍ତ କରି କୌଣସି ପ୍ରମାଣ ନ ପାଇବାରୁ ତଦନ୍ତକୁ ବନ୍ଦ କରି ଦେଇଥିଲେ । ଏବେ, ପୁନର୍ବାର ଫାଇଲ ଖୋଲାଯାଇ ତଦନ୍ତ ଚାଲିଛି । ଲାଲୁଙ୍କ ପୁଅ ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଦିଲ୍ଲୀ ଗଲେ ରହୁଥିବା ନ୍ୟୁ ଫ୍ରେଣ୍ଡ୍ସ କଲୋନୀ ଘର ସମେତ ତିନି ଝିଅ ରାଗିଣୀ, ଚନ୍ଦା, ହେମାଙ୍କ ଘରେ ମଧ୍ୟ ଇଡି ଚଢାଉ ହୋଇଛି । ଏହାଛଡା, ଦିଲ୍ଲୀ ଘରେ ଚାଲି ଥିବା ଏ.କେ.ଇନଫୋସିଷ୍ଟମ୍ସ ପ୍ରାଇଭେଟ ଲିମିଟେଡର ଅମିତ କାତ୍ୟାଲଙ୍କ ଉପରେ ମଧ୍ୟ ଚଢାଉ ହୋଇଥିବା ଜଣାପଡିଛି ।ଇଡି ଚଢାଉରେ ନଗଦ ୫୩ ଲକ୍ଷ ଟଙ୍କା, ୧,୯୦୦ ଆମେରିକୀୟ ଡଲାର, ୫୪୦ ଗ୍ରାମ ସୁନା ବୁଲିୟନ୍, ୧.୫ କେଜିରୁ ଅଧିକ ସୁନା ଅଳଂକାର, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ ଇଲୋକ୍ଟ୍ରୋନିକ ଗେଜେଟ୍ ଜବତ ହୋଇଥିବା ଇଡିର ପ୍ରାଥମିକ ସୂଚନା ଥିଲା । ଏବେ ଇଡି କହିଲେଣି ନଗଦ କୋଟିଏ ଟଙ୍କା ଓ ୬୦୦ କୋଟି ଟଙ୍କାର ବେଆଇନ ସଂପତ୍ତି ଠାବ ହୋଇଛି । ଆରଜେଡ଼ି ନେତା ତଥା ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ସିବିଆଇରେ ହାଜର ହେବାକୁ ସମନ ହୋଇଥିଲେ ମଧ୍ୟ ଶନିବାର ସେ ପତ୍ନୀଙ୍କ ଅସୁସ୍ଥତା ଦର୍ଶାଇ ସିବିଆଇରେ ହାଜର ହୋଇନଥିଲେ । କିନ୍ତୁ, ସିବିଆଇ ତାଙ୍କ ପତ୍ନୀଙ୍କୁ ଜେରା କରିଥିବା ସୂଚନା ମିଳିଛି । ତେଜସ୍ୱୀ ସିବିଆଇରେ ହାଜର ହେବାକୁ ଆଉ ଏକ ତାରିଖ ମାଗିଛନ୍ତି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଲାଲୁ ପରିବାରକୁ ବାରମ୍ବାର ଟାର୍ଗେଟ୍ କରିବା ତାଙ୍କ ଦଳ ଆରଜେଡ଼ି (ରାଷ୍ଟ୍ରୀୟ ଜନତା ଦଳ)ର ଅଡୁଆ ବଢାଇଛି ।
ତେଲେଂଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ଭଳି ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ସିବିଆଇ ଓ ଇଡିର କାର୍ଯ୍ୟାନୁଷ୍ଠାନକୁ କେନ୍ଦ୍ର ସରକାରଙ୍କ ‘ଆକ୍ରୋଶମୂଳକ ରାଜନୀତି’ ବୋଲି କହିଛନ୍ତି । ସିଂଗାପୁରରେ ରହୁଥିବା ଲାଲୁଙ୍କ ଅନ୍ୟତମ ଝିଅ ରୋହିଣୀ ଆଚାର୍ଯ୍ୟ ଟ୍ୱିଟ୍ କରି ତାଙ୍କ ପରିବାର ବିଜେପି ଚାପ ଆଗରେ କେବେ ହେଲେ ମୁଣ୍ଡ ନୁଆଁଇ ନାହାନ୍ତି ବା ଆଗକୁ ମୁଣ୍ଡ ନୁଆଁଇବେ ନାହିଁ ବୋଲି କହିଛନ୍ତି । କିଛି ମାସ ତଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର (ଜେଡିୟୁ) ବିଜେପିର ହାତ ଛାଡି ବିହାରରେ ଆରଜେଡ଼ି ଓ କଂଗ୍ରେସ ସହ ମହାଗଠବନ୍ଧନ ସରକାର ପ୍ରତିଷ୍ଠା କରିବା ପରେ ବିଜେପିା ଅନ୍ତର୍ଦାହ ବଢିଛି । ବିଜେପି ରକ୍ତମୁଖା ହୋଇ ନୀତୀଶଙ୍କ ଜେଡୁୟୁ ଓ ଲାଲୁଙ୍କ ଆରଜେଡିକୁ ଧ୍ୱଂସ କରିବାକୁ କେନ୍ଦ୍ରୀୟ ତଦନ୍ତକାରୀଙ୍କ ସଂସ୍ଥାଙ୍କ ମାଧ୍ୟମରେ ମହାଭିଯାନ ଚଳାଇଛି ବୋଲି ଦୁଇ ଦଳ ପକ୍ଷରୁ ଅଭିଯୋଗ ହୋଇଛି ।
ବିଜେପି ଦିଲ୍ଲୀରେ ‘ଆମ୍ ଆଦମୀ ପାର୍ଟିର୍’ ସରକାରଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ଅଭିଯାନ ଚଳାଇ ଥିବା ବେଳେ ବିହାରରେ ଜେଡିୟୁ-ଆରଜେଡି-କଂଗ୍ରେସ ମହାଗଠବନ୍ଧନ ସରକାର ଏବଂ ତେଲେଂଗାନାରେ କେସିଆରଙ୍କ ବିଆରଏସ୍ ସରକାରଙ୍କୁ ଅସ୍ଥିର କରିବାକୁ ଉଦ୍ୟମ କରୁଛି । ୨୦୨୧ ବିଧାନସଭା ନିର୍ବାଚନ ସମୟରୁ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (ଟିଏମସି) ବିଜେପିର ନିଶାଣ ରହିଛନ୍ତି । କଂଗ୍ରେସ ଶାସିତ ରାଜସ୍ଥାନରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ସେଠାରେ ମଧ୍ୟ ପୁଲୱାମା ସହୀଦଙ୍କ ପରିବାର ସଦସ୍ୟଙ୍କୁ ନିଯୁକ୍ତି ମିଳୁ ନଥିବା ଅଭିଯୋଗରେ ସହୀଦଙ୍କ ବିଧବା ପତ୍ନୀଙ୍କୁ ମାଧ୍ୟମ କରି ବିଜେପି ବିକ୍ଷୋଭ କରିଛି । ଆଜି ରାଜସ୍ଥାନର ଜୟପୁରରେ ବିଜେପି ସମର୍ଥକଙ୍କ ବିକ୍ଷୋଭ ବେଳେ କଂଗ୍ରେସ-ବିଜେପି ସମର୍ଥକ ମୁହାଁମୁହିଁ ହୋଇଥିଲେ । ‘ଯବାନଙ୍କ ବଧବାଙ୍କ ନାମରେ ବିଜେପି ହୀନ ରାଜନୀତି କରୁଛି’ ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ ଅଭିଯୋଗ କରିଛନ୍ତି ।
ଛତିଶଗଡରେ ଥିବା କଂଗ୍ରେସ ଓ ଝାଡଖଣ୍ଡର ଜେଏମଏମ ସରକାର ମଧ୍ୟ ବିଜେପିର ନିଶାଣରେ ରହି ଆସିଛନ୍ତି । କର୍ଣ୍ଣାଟକରେ ବିଜେପି ସରକାର ଥିବା ବେଳେ ଜଣେ ବିଜେପି ବିଧାୟକଙ୍କ ଦୁର୍ନୀତି ବିଜେପିକୁ ଅଡୁଆରେ ପକାଇଛି । ବିଜେପି ବିଧାୟକ ମାଦଲା ବିରୁପାକ୍ଷପ୍ପାଙ୍କ ଘରୁ ଲୋକାୟୁକ୍ତ ପୁଲିସ ୮ କୋଟି ନଗଦ ଟଙ୍କା ଜବତ କରିଥିଲେ ମଧ୍ୟ ତାଙ୍କୁ ଗିରଫ କରିବାରେ ସଫଳ ହୋଇନଥିଲେ । ହାଇକୋର୍ଟରୁ ସେ ଆଗୁଆ ଜମିନ ପାଇବା ସମସ୍ତଙ୍କୁ ବିସ୍ମିତ କରିଛି । କିନ୍ତୁ, ଏହାକୁ ନେଇ ଜାତୀୟ ଗଣମାଧ୍ୟମ ସେତେଟା ମୁଖର ନୁହେଁ । କିଛି ମାସ ମଧ୍ୟରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ବିରୋଧୀ କଂଗ୍ରେସ ଏହାକୁ ବଡ ପ୍ରସଙ୍ଗ କରିବ ବୋଲି ସୂଚନା ମିଳୁଛି । ବିଜେପି କର୍ଣ୍ଣାଟକରେ ପୁନର୍ବାର କ୍ଷମତାକୁ ଫେରିବା ପାଇଁ ବ୍ୟାପକ ରଣନୀତି ପ୍ରସ୍ତୁତ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ସରକାର ପ୍ରତି କାମରେ ନେଉଥିବା ୪୦ ପ୍ରତିଶତ ପିସି (ଲାଂଚ)କୁ ମୁଖ୍ୟ ପ୍ରସଙ୍ଗ କରିବ ବୋଲି ରାଜ୍ୟର କଂଗ୍ରେସ ନେତାମାନେ କହିଛନ୍ତି ।
୨୦୨୪ ସାଧାରଣ ନିର୍ବାଚନ ପ୍ରାୟତଃ ସମସ୍ତ ରାଜ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଅଣ-ବିଜେପି ଶାସିତ ରାଜ୍ୟରେ ବିଜେପି ଏବଂ ବିରୋଧୀ ମୁହାଁମୁହିଁ ସ୍ଥିତିରେ ରହି ଥିବା ବେଳେ ବିଭିନ୍ନ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦୁର୍ନୀତି ବିରୋଧୀ ଅଭିଯାନ ନାମରେ ବିରୋଧୀଙ୍କୁ ଅଣନିଶ୍ୱାସୀ କରି ରଖିଛନ୍ତି । ବିରୋଧୀ ଦଳମାନେ ଏହାକୁ ନେଇ ଚିନ୍ତାବ୍ୟକ୍ତ କରୁଥିଲେ ମଧ୍ୟ ସଂଗଠିତ ଭାବେ ଲଢୁ ନାହାନ୍ତି । ନିଜ ଲଢେଇ ନିଜେ ଲଢିବାକୁ ବିରୋଧୀଙ୍କ ରଣନୀତି କାମ କରୁନାହିଁ । ସେମାନେ ସଂଗଠିତ ହୋଇ ଲଢିବା ଦିଗରେ ଏପର୍ଯ୍ୟନ୍ତ କିଛି ଆଖିଦୃଶିଆ ଉଦ୍ୟମ କରୁନାହାନ୍ତି । ସବୁ ବିରୋଧୀ (ଜାତୀୟ ହେଉ ବା ଆଂଚଳିକ) ନେତା ନିଜ ନିଜ ରାଜ୍ୟ ଓ ରାଜନୈତିକ ସ୍ୱାର୍ଥକୁ ଜଗି ରଣନୀତି ପ୍ରସ୍ତୁତ କରୁଥିବାରୁ ବିଜେପି ତାହାର ଫାଇଦା ନେଉଛି । ଇଡି, ସିବିଆଇ, ଆୟକର ବିଭାଗର ଘନଘନ ଚଢାଉ ପରେ ମଧ୍ୟ ବିରୋଧୀ ଗୋଟିଏ ମଂଚରେ ଏକାଠି ହୋଇପାରୁନଥିବା ୨୦୨୪ ପୂର୍ବରୁ ଏକ ଶକ୍ତିଶାଳୀ ବିରୋଧୀ ମେଂଟ ଗଠନ ସମ୍ଭାବନାକୁ ମଳିନ କରି ଦେଇଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS