ବିଜେପି ଫୋକସ୍ ରେ କର୍ଣ୍ଣାଟକ, ଦୁଇ ମାସରେ ପ୍ରଧାନମନ୍ତ୍ରୀ ଛଅ ଥର ଗଲେଣି


ପ୍ରସାଦ ରାଓ
ବେଂଗାଲୁରୁ, ମାର୍ଚ୍ଚ ୧୨
ଚଳିତ ବର୍ଷ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ବିଜେପିର ନିଦ ହଜି ଯାଇଛି । ରାଜ୍ୟରେ ବିଜେପି ସରକାର ରହିଛି । ତେବେ, ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ସରକାର ବ୍ୟାପକ ଦୁର୍ନୀତି ଅଭିଯୋଗରେ ଘାଂଟି ହେଉଥିବାରୁ ଯେଉଁ ସରକାର ବିରୋଧୀ ଜନମତ ସୃଷ୍ଟି ହୋଇଛି ତାହା ବିଜେପି ନେତୃବର୍ଗଙ୍କୁ ଚିନ୍ତାରେ ପକାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତାକୁ ପାଥେୟ କରି ଦଳ ୨୦୨୩ ନିର୍ବାଚନ ଜିତିବାର ଆଶା ରଖି ଥିବାରୁ ମୋଦୀ ଦୁଇ ମାସରେ ଷଷ୍ଠ ଥର ପାଇଁ କର୍ଣ୍ଣାଟକ ଗସ୍ତରେ ଯାଇ କଂଗ୍ରେସ ଓ ଜନତା ଦଳ (ଧର୍ମନିରପେକ୍ଷ)ର ଦୃଢ ଦୁର୍ଗ ଥିବା ମାଣ୍ଡ୍ୟା ଏବଂ ହୁବାଲି-ଧରାୱାଡ ଜିଲ୍ଲାରେ ପ୍ରାୟ ୧୬,୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଆଜି ମାଣ୍ଡ୍ୟାରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍-ସୋ’ ମଧ୍ୟ ହୋଇଯାଇଛି । ମୋଦୀ ଏନଏଚ-୨୭୫ର ବେଂଗାଲୁରୁ-ନିଦାଘାଟା-ମହୀଶୂର ସେକ୍ସନରେ ଛଅ ଲେନ୍ ବିଶିଷ୍ଟ ବେଂଗାଲୁରୁ-ମହୀଶୂର ଏକ୍ସପ୍ରେସୱେର ଉଦ୍ଘାଟନ କରିଛନ୍ତି । ପ୍ରାୟ ୮,୪୮୦ କୋଟି ଟଙ୍କା ବ୍ୟୟରେ ଏହି ରାସ୍ତା ନିର୍ମାଣ କରାଯାଇଛି । ଏକ୍ସପ୍ରେସୱେ ନିର୍ବାଣ ଫଳରେ ବେଂଗାଲୁରୁରୁ ମହୀଶୂର ଯିବାକୁ ପ୍ରାୟ ୭୫ ମିନିଟ କମ୍ ସମୟ ଲାଗିବ ବୋଲି ଆକଳନ କରାଯାଇଛି । ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟତଃ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଥିବା କଂଗ୍ରେସକୁ ନିଶାଣ କରିଛନ୍ତି । କଂଗ୍ରେସ ଦଳ ତାଙ୍କ କବର ଖୋଳିବା କଥା କହୁଥିବା ବେଳେ ସେ ରାଜ୍ୟରେ ଏକ୍ସପ୍ରେସୱେ ନିର୍ମାଣ କରୁଛନ୍ତି ଓ ଗରୀବ ଲୋକଙ୍କ ଜୀବନଯାତ୍ରାରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପୂରାତନ ମହୀଶୂର ଅଂଚଳରେ କର୍ଣ୍ଣାଟକର ନଅଟି ଜିଲ୍ଲା ରହିଛି । ଏହି ନଅଟି ଜିଲ୍ଲା ମଧ୍ୟରେ ମାଣ୍ଡ୍ୟା ଅନ୍ୟତମ । ନଅଟି ଜିଲ୍ଲାରେ ୬୧ଟି ବିଧାନସଭା ଆସନ ରହିଛି । ଜେଡିଏସ୍ ର ଦୁର୍ଗ ଭାବେ ପରିଚିତ ଏହି ଅଂଚଳରେ କଂଗ୍ରେସର ମଧ୍ୟ ବେଶ୍ ପ୍ରଭାବ ରହିଛି । ୨୦୧୮ ବିଧାନସଭା ନିର୍ବାଚନରେ ବିଜେପି ଉପକୂଳ କର୍ଣ୍ଣାଟକ ଓ ମୁମ୍ବାଇ-କର୍ଣ୍ଣାଟକ ଅଂଚଳରେ ଆଶାତୀତ ସଫଳତା ପାଇଥିଲେ ମଧ୍ୟ ପୂରାତନ ମହୀଶୂର ଅଂଚଳ ଓ ହାଇଦ୍ରାବାଦ-କର୍ଣ୍ଣାଟକ ଅଂଚଳରେ ପଛେଇ ଯାଇଥିଲା । ବିଜେପି ରାଜ୍ୟରେ ବିଜୟ ସଂକଳ୍ପ ଯାତ୍ରା ଚଳାଇ ଥିବା ବେଳେ ମାଣ୍ଡ୍ୟା ଅଂଚଳରେ ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱିତୀୟ ରୋଡ୍ ସୋ’ ହୋଇଛି । ମାଣ୍ଡ୍ୟା ଅଂଚଳରେ ସାତଟି ବିଧାନସଭା ନିର୍ବାଚନମଣ୍ଡଳୀ ରହିଛି । ୨୦୧୮ ବିଧାନସଭା ନିର୍ବାଚନରେ ଜେଡିଏସ୍ ମାଣ୍ଡ୍ୟା ଅଂଚଳର ସାତଟି ଯାକ ବିଧାନସଭା ଆସନରେ ବିଜୟୀ ହୋଇଥିଲା । ତେବେ, ୨୦୧୯ରେ ଜେଡିଏସ୍ ବିଧାୟକ (କେଆର ପେଟା ନିର୍ବାଚନମଣ୍ଡଳୀ) ନାରାୟଣ ଗୌଡ ଦଳତ୍ୟାଗ କରି ବିଜେପିକୁ ପଳାଇ ଥିଲେ ଏବଂ ବିଜେପି ଟିକଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଜେପି ୨୦୧୯ର ଏହି ସଫଳତାକୁ ଆଖିରେ ରଖି ୨୦୨୩ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଓ ଜେଡିଏସ୍ ରୁ ଜିତିଲା ଭଳି ପ୍ରାର୍ଥୀଙ୍କୁ ନିଜ ଦଳରେ ସାମିଲ କରି ବଡ ବିଜୟ ହାସଲ କରିବା ଯୋଜନାରେ ଥିବା ସୂଚନା ମିଳୁଛି । କେବଳ ପ୍ରଧାନମନ୍ତ୍ରୀ ମୋଦୀ ନୁହନ୍ତି, ବିଜେପିର ଚାଣକ୍ୟ ଭାବେ ପରିଚିତ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓ ଦଳର ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ମଧ୍ୟ କର୍ଣ୍ଣାଟକ ପାଇଁ ଅଧିକ ସମୟ ଦେଉଥିବା ଦେଖିବାକୁ ମିଳୁଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS