ବଲିଉଡ଼ ଅଭିନେତା ସତୀଶ କୌଶିକଙ୍କ ମୃତ୍ୟୁ ସ୍ୱାଭାବିକ ନା ନୁହେଁ ?
ପ୍ରସାଦ ରାଓ
ନୂଆଦିଲ୍ଲୀ, ମାର୍ଚ୍ଚ ୧୨
ବଲିଉଡର ଲୋକପ୍ରିୟ ଅଭିନେତା ସତୀଶ କୌଶିକଙ୍କ ମୃତ୍ୟୁ ରହସ୍ୟମୟ ହେଲାଣି । ଗତ ୯ ତାରିଖ ରାତିରେ ଦିଲ୍ଲୀର ଏକ ଫାର୍ମ ହାଉସରେ ତାଙ୍କ ମୃତ୍ୟୁ ଘଟି ଥିଲା । ଅଭିନେତା ସତୀଶ କୌଶିକ ଦିନ ବେଳା ବନ୍ଧୁମାନଙ୍କ ସହ ହସଖୁସିରେ ହୋଲି ଖେଳି ଥିଲେ । ରାତିରେ ବିଶ୍ରମ ନେଉଥିବା ବେଳେ ତାଙ୍କ ମୃତ୍ୟୁ ଘଟିଥିଲା । ହୃଦଘାତରୁ ସତୀଶଙ୍କ ମୃତ୍ୟୁ ଘଟିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସୂଚନା ମିଳିଥିବା ବେଳେ ଏହା ଏକ ହତ୍ୟାକାଣ୍ଡ ବୋଲି କେତେକ ମହଲରେ ସନ୍ଦେହ ପ୍ରକାଶ ପାଇଛି । ସତୀଶଙ୍କ ମୃତ୍ୟୁ ପରଦିନ ଦିଲ୍ଲୀ ଦକ୍ଷିଣ-ପଶ୍ଚିମ ଜିଲ୍ଲା ପୁଲିସର ଏକ କ୍ରାଇମ୍ ଟିମ୍ ସେ ରହି ଥିବା ଫାର୍ମ ହାଉସକୁ ଯାଇ ଯାଂଚ କରିବା ସମୟରେ କିଛି ନିଷିଦ୍ଧ ଔଷଧ ତାଙ୍କ କୋଠରୀରୁ ମିଳିଥିବା କୁହାଯାଉଛି । ଏହି ନିଷିଦ୍ଧ ଔଷଧ ଯାଂଚ ପାଇଁ ପଠା ଯାଇଥିଲେ ମଧ୍ୟ ରିପୋର୍ଟ ଆସି ନଥିବା ପୁଲିସ କହିଛନ୍ତି । କରୋନେରୀ ଆରଟେରିରେ ବ୍ଲକେଜ ଯୋଗୁଁ ସତୀଶଙ୍କ ମୃତ୍ୟୁ ହୃଦଘାତଜନିତ ଘଟିଥିବା ଏବଂ ତାହା ସ୍ୱାଭାବିକ ମୃତ୍ୟୁ ଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ କୁହାଯାଇଥିବା ବେଳେ ପରୀକ୍ଷା ପାଇଁ ଭିସେରାକୁ ସଂରକ୍ଷିତ ରଖାଯାଇଥିବା ଜଣାପଡିଛି । ଫାର୍ମ ହାଉସ୍ ରେ ଫଟୋଗ୍ରାଫି, ଭିଡିଓ ଗ୍ରାଫି ମଧ୍ୟ କରାଯାଇଛି । ତେବେ, ସତୀଶ ରହି ଥିବା ଫାର୍ମ ହାଉସ୍ କୋଠରୀରୁ କିଛି ନିଷିଦ୍ଧ ଔଷଧ ମିଳି ଥିବା ଖବର ୬୬ ବର୍ଷ ବୟସ୍କ ଏହି ପ୍ରତିଭାଶାଳୀ ଅଭିନେତାଙ୍କ ମୃତ୍ୟୁକୁ ରହସ୍ୟାବୃତ୍ତ କରିଛି । ପୁଲିସ ତଦନ୍ତରୁ ଜଣପଡିଛି, ସତୀଶ କୌଶିକଙ୍କ ହାଇପରଟେନସନ୍ ଓ ସୁଗର ସମସ୍ୟା ଥିଲା । ସତୀଶ ବନ୍ଧୁମାନଙ୍କ ସହ ହୋଲି ଖେଳିବା ସମୟର ସିସିଟିଭି ଫୁଟେଜ୍ ପୁଲିସ ଯାଂଚ କରିଛନ୍ତି । ସେଦିନ ରାତି ପ୍ରାୟ ସାଢେ ୯ଟା ସମୟରେ ସତୀଶ ଫାର୍ମ ହାଉସରେ ତାଙ୍କ ପାଇଁ ଉଦ୍ଦିଷ୍ଟ ଥିବା କୋଠରୀକୁ ବିଶ୍ରାମ କରିବାକୁ ଯାଇଥିଲେ । ରାତି ପ୍ରାୟ ୧୨ଟା ସମୟରେ ସେ ତାଙ୍କ ମ୍ୟାନେଜରଙ୍କୁ ଫୋନ କରି ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେଉଥିବା ଜଣାଇବାରୁ ମ୍ୟାନେଜର ତାଙ୍କୁ ତୁରନ୍ତ ଗୁରୁଗ୍ରାମର ଫର୍ଟିସ ହସପିଟାଲକୁ ନେଇ ଥିଲେ । ସେଠାରେ ସିପିଆର ଦିଆଯିବା ସତ୍ତ୍ୱେ ରାତି ୧ଟା ୪୩ ମିନିଟରେ ସତୀଶଙ୍କ ମୃତ୍ୟୁ ଘଟି ଥିଲା । ସତୀଶ ଯେଉଁ ଫାର୍ମ ହାଉସରେ ଅବସ୍ଥାନ କରୁଥିଲେ ତାହାର ମାଲିକ ହେଉଛନ୍ତି ବିକାଶ ମାଲ୍ଲୁ । ସତୀଶଙ୍କ ମୃତ୍ୟୁ ପଛରେ ବିକାଶଙ୍କ ହାତ ଥିବା ମାଲ୍ଲୁଙ୍କ ଦ୍ୱତୀୟ ପତ୍ନୀ ଅଭିଯୋଗ କରି ଥିବାରୁ ଦିଲ୍ଲୀ ପୁଲିସର ଜଣେ ଇନିସପେକ୍ଟରସ୍ତରୀୟ ଅଧିକାରୀଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଛି । ସଂପୃକ୍ତ ମହିଳାଙ୍କୁ ଥାନାକୁ ଡକାଯାଇ ବୟାନ ଲିପିବଦ୍ଧ କରାଯିବ ବୋଲି ପୁଲିସ କହିଛନ୍ତି । ବିକାଶ ମାଲ୍ଲୁଙ୍କ ପତ୍ନୀ ଏକ ଜାତୀୟ ସମ୍ବାଦ ସରବରାହ ସଂସ୍ଥାକୁ କହିଛନ୍ତି, ତାଙ୍କ ପତିଙ୍କ ସହ ଅଭିନେତା ସତୀଶ କୌଶୀକଙ୍କ ବ୍ୟବସାୟିକ ସଂପର୍କ ଥିଲା । ସତୀଶ ବିକାଶଙ୍କୁ ଦେଇଥିବା ୧୫ କୋଟି ଟଙ୍କା ଫେରାଇବାକୁ କହିବାରୁ ବିକାଶ ଭାରତ ଆସିଲେ ଫେରାଇ ଦେବେ ବୋଲି କହିଥିଲେ । ସେ ଏସଂପର୍କରେ ସ୍ୱାମୀଙ୍କୁ ପଚାରିବାରୁ କୋଭିଡ଼ ସମୟରେ ବ୍ୟବସାୟରେ କ୍ଷତି ହୋଇଥିବା ସ୍ୱାମୀ କହିଥିଲେ । ତାଙ୍କ ସ୍ୱାମୀ (ବିକାଶ ମଲ୍ଲୁ) ଟଙ୍କା ଫେରସ୍ତ ଦେବାକୁ ଚାହୁଁ ନଥିଲେ । ସେ ବ୍ଲୁ ପିଲ୍ ଓ ରଷିଆନ୍ ଝିଅଙ୍କୁ ବ୍ୟବହାର କରି ସତୀଶଙ୍କ ଠିକଣା ଲଗାଇ ଦେବେ ବୋଲି ବିକାଶ କହିଥିବାରୁ ସେ ସତୀଶଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରିବା ସହ ନିରପେକ୍ଷ ତଦନ୍ତ ପାଇଁ ପୁଲିସର ନଜରକୁ ଆଣିଛନ୍ତି । ବିକାଶ ମଲ୍ଲୁଙ୍କ ପ୍ରଥମ ପତ୍ନୀ ଓ ଦ୍ୱିତୀୟ ପତ୍ନୀଙ୍କ ମଧ୍ୟରେ ସଂପର୍କ ତୀକ୍ତ ରହି ଆସିଛି । ପରସ୍ପର ପରସ୍ପର ବିରୋଧରେ ଗୁରୁତର ଅଭିଯୋଗ କରି ଥାନାକୁ ଯାଇଛନ୍ତି । ପୁଲିସ ଉଭୟ ପକ୍ଷ ବିରୋଧରେ ଏତଲା କରିଥିଲେ ମଧ୍ୟ କାହାରିକୁ ଗିରଫ କରି ନାହିଁ । ଏହି ପରିସ୍ଥିତିରେ ଅଭିନେତା ସତୀଶ କୌଶୀକଙ୍କ ମୃତ୍ୟୁକୁ ହତ୍ୟାର ରୂପ ଦେବାକୁ ଉଦ୍ୟମ ହେବା ପୁଲିସକୁ ଅଧଇକ ତଦନ୍ତ ପାଇଁ ବାଧ୍ୟ କରିଛି । ତେବେ, ଦିଲ୍ଲୀ ପୁଲିସ କହିଛି, ସତୀଶଙ୍କ ମୃତ୍ୟୁ ସ୍ୱାଭାବିକ ବୋଲି ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହେଉଛି । ତଥାପି, ଅଧିକ ତଦନ୍ତ ହେଉଛି । ତଦନ୍ତ ସରିଲେ ସତ୍ୟ ସାମ୍ନାକୁ ଆସିବ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS