ଲଣ୍ଡନ ବକ୍ତବ୍ୟ ପାଇଁ ରାହୁଲ କ୍ଷମା ମାଗିବା ଆବଶ୍ୟକ କି ?


ପ୍ରସାଦ ରାଓ
ନୂଆଦିଲ୍ଲୀ, ମାର୍ଚ୍ଚ ୧୪
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଦୁଇ ଦିନ ହେଲା ସଂସଦରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ରାହୁଲ ନିକଟରେ ଲଣ୍ଡନ ଗସ୍ତରେ ଥିବା ସମୟରେ ବିଭିନ୍ନ ଅନୁଷ୍ଠାରେ ଭାଷଣ ଦେଇ ସଂପ୍ରତ୍ତି ଦେଶରେ ଗଣତନ୍ତ୍ର ବିପନ୍ନ ହୋଇପଡିଥିବା ଏବଂ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡିକ ଶାସକ ଦଳ ଦ୍ୱାରା କରାୟତ୍ତ ହୋଇ ନିଜର ସ୍ୱାଧୀନତା ହରାଇ ବସିଥିବା ଅଭିଯୋଗ କରିଥିଲେ । ଯେହେତୁ ରାହୁଲ ବିଦେଶ ମାଟିରେ ଏଭଳି ଏକ ବାର୍ତ୍ତା ପହଂଚାଇ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ନିନ୍ଦିତ କରିଛନ୍ତି ସଂସଦରେ କ୍ଷମା ମାଗନ୍ତୁ ବୋଲି ବୋଲି ସଂସଦରେ ବିଜେପି ସାଂସଦମାନେ ଦାବି କରିଥିବା ବେଳେ କଂଗ୍ରେସ କହିଛି, ରାହୁଲ କିଛି ଭୁଲ କହିନଥିବାରୁ ସଂସଦରେ କ୍ଷମା ମାଗିବାର କୌଣସି ଯଥାର୍ଥତା ନାହିଁ । କଂଗ୍ରେସର ଯୁକ୍ତିକୁ ସଂସଦରେ ଅଧିକାଂଶ ବିରୋଧୀ ଦଳ ସମର୍ଥନ କରିଛନ୍ତି । ଫଳରେ, ଶାସକ ଓ ବିରୋଧୀ ମଧ୍ୟରେ ଦୁଇ ଦିନ ହେଲା ସଂସଦରେ ଉଚ୍ଚବାଚ ହେବା ସହ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ବାଧାପ୍ରାପ୍ତ ହୋଇଛି, ଯାହାକି ଦେଶବାସୀଙ୍କ ସାମ୍ନାରେ ବଡ ପ୍ରଶ୍ନ ଠିଆ କରିଛି- ଲଣ୍ଡନରେ ଦେଇଥିବା ମତ ପାଇଁ ରାହୁଲ ଗାନ୍ଧୀ ସଂସଦରେ ଉପସ୍ଥିତ ହୋଇ କ୍ଷମା ମାଗିବା ଆବଶ୍ୟକ କି ?
ଏହି ପ୍ରଶ୍ନକୁ ନେଇ ଦେଶର ଦକ୍ଷିଣପନ୍ଥୀ ଏବଂ ଭିନ୍ନ ବିଚାରଧାରା ସଂପନ୍ନ ରାଜନୈତିକ ଦଳ ମଧ୍ୟରେ ଯେଉଁ ଉତ୍ତେଜନା ସୃଷ୍ଟିକାରୀ ବିତର୍କ ଚାଲିଛି ଭାରତ ବାହାରେ ତାହା କିଭଳି ପ୍ରଭାବ ପକାଉଛି ଭିନ୍ନ କଥା, କିନ୍ତୁ ଦେଶରେ ଏହି ଦୁଇ ବିଚାରଧାରା ମଧ୍ୟରେ ବଢୁଥିବା ତୀକ୍ତତା ଏଥିରୁ ଅଧିକ ଉଜାଗର ହୋଇଛି । ୨୦୨୪ରେ ଦେଶରେ ସାଧାରଣ ନିର୍ବାଚନ ହେବା ପୂର୍ବରୁ ୨୦୨୩ରେ ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲେଂଗାନା, ଛତିଶଗଡ, କର୍ଣ୍ଣାଟକ ଭଳି ଗରୁତ୍ୱପୂର୍ଣ୍ଣ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ଏବଂ ଏସବୁ ରାଜ୍ୟରେ ବିଜେପି ଓ ଅଣ ବିଜେପି ରାଜନୈତିକ ଦଳମାନେ ମୁହାଁମୁହିଁ ସ୍ଥିତିରେ ରହିଛନ୍ତି । ତେବେ, ଶାସକ ଓ ବିରୋଧୀ ବେକାରୀ, ଦରବୃଦ୍ଧି ଭଳି ମୌଳିକ ସମସ୍ୟାକୁ ଏଡାଇ ଲଣ୍ଡନରେ ରାହୁଲ ଗାନ୍ଧୀ ଦେଇଥିବା ବକ୍ତବ୍ୟ ଭଳି ଏକ ଅପ୍ରସଙ୍ଗକୁ ପ୍ରସଙ୍ଗ କରି ପରସ୍ପର ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗି ହେବା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି, ତାହା ସୁସ୍ପଷ୍ଟ ।
କନ୍ୟାକୁମାରୀରୁ କଶ୍ମୀର ‘ଭାରତ ଯୋଡୋ’ ପଦଯାତ୍ରାର ଆଶାତୀତ ସଫଳତା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିରୋଧୀ ରାଜନୀତିର କେନ୍ଦ୍ରବିନ୍ଦୁ ହେବା ସମ୍ଭାବନା ଥିବା ବେଳେ ବିଜେପିର ହଲ୍ଲାପଟା ରାହୁଲଙ୍କ ପାଇଁ ସେହି ସୁଯୋଗ ସୃଷ୍ଟି କରିଛି । ଅଣ-ବିଜେପି ରାଜନୈତିକ ଦଳମାନେ ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ନେଇ ବିରୋଧୀ ମେଂଟ ଗଠନ କରିବେ କି କଂଗ୍ରେସକୁ ଛାଡି ବିଜେପିକୁ ପରାଜିତ କରିବା ପାଇଁ ଅଲଗା ଏକାଠି ହେବେ, ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ । ଏଭଳି ସ୍ଥିତିରେ ରାହୁଲ ଗାନ୍ଧୀ ବିଦେଶ ମାଟି ଲଣ୍ଡନରେ ଭାରତୀୟ ଗଣତନ୍ତ୍ରର ସାଂପ୍ରତିକ ସ୍ଥିତିକୁ ନେଇ ରଖିଥିବା ବକ୍ତବ୍ୟ ଏବଂ ତାହାକୁ ନେଇ ବିଜେପି ନେତୃବର୍ଗଙ୍କ ମାତ୍ରାଧିକ ପ୍ରତିକ୍ରିୟା ବିରୋଧୀ ରାଜନୀତିରେ ରାହୁଲଙ୍କୁ ସ୍ୱତଃ କେନ୍ଦ୍ରବିନ୍ଦୁକୁ ଟାଣି ଆଣିଛି । ଗତକାଲି ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଆରମ୍ଭ ହେଉ ହେଉ ବିଜେପିର ବରିଷ୍ଠ ମନ୍ତ୍ରୀ, ସାଂସଦମାନେ ରାହୁଲ ଗାନ୍ଧୀଙ୍କ ଲଣ୍ଡନ ବ୍ୟକ୍ତବ୍ୟକୁ ନେଇ କଂଗ୍ରେସକୁ ଘେରିଥିଲେ । ବିରୋଧୀ ଦଳମାନେ ଏକତ୍ରିତ ହୋଇ ବିଜେପିକୁ ବିରୋଧ କରି ସେମାନେ ଇସ୍ୟୁ ଭିତ୍ତିରେ ଏକାଠି ହେଉଥିବାର ସୂଚନା ଦେଇଥିଲେ ।
ରାହୁଲ ନିଜ ବକ୍ତବ୍ୟ ପାଇଁ ଲଜ୍ଜିତ ହେବା ସହ ସଂସଦରେ କ୍ଷମା ମାଗନ୍ତୁ ବୋଲି ବିଜେପି ସାଂସଦ ଦାବି କରିଥିବା ବେଳେ ଅଣ-ବିଜେପି ସାଂସଦମାନେ ରାହୁଲ କିଛି ଭୁଲ କହି ନଥିବାରୁ କ୍ଷମା ମାଗିବେ କାହିଁକି ବୋଲି ପାଲଟା ଯୁକ୍ତି ରଖି କଂଗ୍ରେସକୁ ସମର୍ଥନ ଦେବାରୁ ଆକ୍ଷେପ, ପ୍ରତ୍ୟାକ୍ଷେପ ମଧ୍ୟରେ ସଂସଦରେ ଅଚଳ ହୋଇଥିଲା । ଆଜି ମଧ୍ୟ ସେହି ଏକା ଅବସ୍ଥା ଦେଖିବାକୁ ମିଳିଛି । ଜଣେ ସାଂସଦ ଲଣ୍ଡନ ଗସ୍ତରେ ଥିବା ବେଳେ ବିଦେଶ ମାଟିରେ ଦେଶର ଗଣତନ୍ତ୍ରକୁ ନେଇ ବିରୋଧାତ୍ମକ ଟିପ୍ପଣୀ ଦେବା ଗ୍ରହଣୀୟ ନୁହେଁ, ସଂସଦ ଏଥିରେ ନିରବଦ୍ରଷ୍ଟା ରହି ପାରିବ ନାହିଁ ବୋଲି କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋୟେଲ ସଂସଦରେ ବକ୍ତବ୍ୟ ରଖିବାରୁ ବିଜେପି ଓ କଂଗ୍ରେସ ମଧ୍ୟରେ ତୀବ୍ର ବାକ୍ୟ ବିନିମୟ ହୋଇ ଉଭୟ ଲୋକସଭା ଓ ରାଜ୍ୟସଭା ଅଧିବେଶନ ମୁଲତବୀ ରହିଥିଲା । ରାହୁଲ ନିଜ ବକ୍ତବ୍ୟ ପାଇଁ କ୍ଷମା ମାଗନ୍ତୁ ଏବଂ ସବୁ ରାଜନୈତିକ ଦଳର ସାଂସଦମାନେ ରାହୁଲଙ୍କୁ ନିନ୍ଦା କରନ୍ତୁ ବୋଲି ବିଜେପି ଆହ୍ୱାନ ଦେଇଥିବା ବେଳେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ତାହାକୁ ନକାରି ଦେଇଛନ୍ତି । ଯେଉଁମାନ ଗଣତନ୍ତ୍ରର କଂଠରୋଧ କରୁଛନ୍ତି ସେମାନେ ଗଣତନ୍ତ୍ରର ରକ୍ଷାକର୍ତ୍ତା ବୋଲି ନିଜକୁ ଦାବି କରିବା କେତେଦୂର ଗ୍ରହଣୀୟ ବୋଲି କଂଗ୍ରେସ ପ୍ରଶ୍ନ କରିଛି ।
ଆଜି ସଂସଦ ଅଧିବେଶନ ଆରମ୍ଭ ପୂର୍ବରୁ ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ଅନୁରାଗ ଠାକୁର, ପିୟୂଷ ଗୋୟେଲ, ନୀତୀନ ଗଡକରୀ, କିରଣ ରିଜ୍ଜୁଙ୍କ ସମେତ ବହୁ ମନ୍ତ୍ରୀ ଏକାଠି ହୋଇ ସଂସଦ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ, ଯାହାକି ସଂସଦ ଅଧିବେଶନରେ ପ୍ରତିଫଳିତ ହୋଇଥିଲା । ସମଭାବାପନ୍ନ ବିରୋଧୀ ଦଳଙ୍କୁ ନେଇ କଂଗ୍ରେସ ମଧ୍ୟ ଏକାଭଳି ରଣନୀତି ପ୍ରସ୍ତୁତ କରି ବିଜେପିକୁ ଉତ୍ତର ଦେଇଛି । ‘ଆମ୍ ଆଦମୀ ପାର୍ଟି’ ଭଳି କଂଗ୍ରେସର କଟ୍ଟର ବିରୋଧୀ ସମେତ ଅନ୍ୟ ବିରୋଧୀ ଦଳ ସାଂସଦମାନେ ଗତକାଲି କଂଗ୍ରେସକୁ ସମର୍ଥନ ଦେଇଥଇବା ବେଳେ ଟିଏମସି ଦୂରେଇ ରହିଥିଲା । ତେବେ, ଟିଏମସି ସାଂସଦ ସୌଗତ ରାୟ ଏକ ବିବୃତି ମାଧ୍ୟମରେ ମୌନଭଂଗ କରିଛନ୍ତି । ଲଣ୍ଡନର କେମ୍ବି୍ରିଜ ବିଶ୍ୱବିଦ୍ୟାଳୟରେ ରାହୁଲ ଦେଶକୁ ନିନ୍ଦିତ କଲା ଭଳି କିଛି କହି ନାହାନ୍ତି, ତେଣୁ କ୍ଷମା ମାଗିବାର ଆବଶ୍ୟକତା ରହିଲା କେଉଁଠି ବୋଲି ସେ ଏକ ଜାତୀୟ ଗଣମାଧ୍ୟମରେ ମନ୍ତବ୍ୟ ରଖି ଚର୍ଚ୍ଚାକୁ ଆସିଛନ୍ତି । ବିରୋଧୀ ଦଳଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀରୁ ଟିଏମସି ଦୂରେଇ ରହିବା ନେଇ ସାଂସଦ ରାୟଙ୍କୁ ପ୍ରଶ୍ନ ହେବାରୁ ସେ କହିଛନ୍ତି, ପ୍ରତ୍ୟେକ ରାଜନୈତିକ ଦଳର ନିଜସ୍ୱ ରଣନୀତି ରହିଛି, ଟିଏମସି ଗୋଟିଏ ବିରୋଧୀ ଦଳ ଏବଂ ଦଳର ସ୍ଥିତି ଭିନ୍ନ ଥିବାରୁ ଜନସାଧାରଣଙ୍କ ଆବଶ୍ୟକତାକୁ ଦେଖି ରଣନୀତି ପ୍ରସ୍ତୁତ ହେଉଛି ।
ରହୁଲ କ୍ଷମା ମାଗନ୍ତୁ ବୋଲି ବିଜେପିର ଦାବିକୁ ନେଇ ‘ଆପ୍’ର ଗତକାଲିର ରଣନୀତି ଏବଂ ଟିଏମସି ସାଂସଦ ସୌଗତ ରାୟଙ୍କ ଆଜିର ବକ୍ତବ୍ୟ ଆଗାମୀ ଦିନରେ ବିଜେପି ବିରୋଧୀ ମେଂଟ ଗଠନରେ ସହାୟକ ହୋଇପାରେ ବୋଲି କଂଗ୍ରେସ ଆଶା କରୁଛି । ଗତ ନଅ ବର୍ଷର ବିଜେପି ଶାସନରେ ଦେଶର ବିଭିନ୍ନ ସାମ୍ବିଧାନିକ ଓ ଗଣତାନ୍ତ୍ରିକ ଅନୁଷ୍ଠାନ ଦୁର୍ବଳ ହୋଇପଡିଥିବା ଏବଂ କେନ୍ଦ୍ର ସରକାର ବିରୋଧୀଙ୍କ ସ୍ୱର ନିଷ୍ପ୍ରଭ କରିବାକୁ ସିବିଆଇ, ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି), ଆୟକର ବିଭାଗ ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କ ଦୁରୁପଯୋଗ କରୁଥିବା ଅଧିକାଂଶ ବିରୋଧୀ ଦଳ ଅଭିଯୋଗ କରି ଆସୁଛନ୍ତି । ଏଭଳି ସ୍ଥିତିରେ ରାହୁଲଙ୍କ ଲଣ୍ଡନ ବକ୍ତବ୍ୟ ସେହି ଦିଗକୁ ଇଂଗିତ କରୁଛି, ଯାହାକି ଭାରତୀୟ ରାଜନୀତିରେ ନିଆଁ ଲଗାଇଛି । ରାହୁଲଙ୍କ ମନ୍ତବ୍ୟକୁ ନେଇ ଯେଉଁ ଝଡ ଉଠିଛି ସେଥିରେ ବିଜେପି ୧୯୮୪ ଶିଖ୍ ବିରୋଧୀ ଦଂଗା କଥା ପୁରାଇ କଂଗ୍ରେସକୁ ଘେରିବାକୁ ଉଦ୍ୟମ କରୁଛି । ୧୯୮୪ ଦଂଗାରେ ହଜାର ହଜାର ଶିଖ୍ ସଂପ୍ରଦାୟଙ୍କ ମୃତ୍ୟୁ ପାଇଁ ଯେଉଁମାନେ ଦାୟି ସେମାନଙ୍କୁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ସୁରକ୍ଷା ଦେଇଆସିଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଅଭିଯୋଗ କରି କଂଗ୍ରେସକୁ ଅଡୁଆରେ ପକାଇବା ଉଦ୍ୟମ କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ସମୟରେ ବିଦେଶ ମାଟିରେ ଦେଶକୁ ନିନ୍ଦିତ କରିଥିବାରୁ କ୍ଷମା ମାଗନ୍ତୁ ବୋଲି କଂଗ୍ରେସ ଓ ବିରୋଧୀ ଦାବି କରୁଛନ୍ତି ।
ଶାସକ ଓ ବିରୋଧୀ ମଧ୍ୟରେ ଆରମ୍ଭ ହୋଇଯାଇଥିବା ଆକ୍ଷେପ, ପ୍ରତ୍ୟାକ୍ଷେପର ଝଡ ଏତେଶୀଘ୍ର ଥମିବାକୁ ଯାଉନାହିଁ । ୨୦୨୪ରେ ସାଧାରଣ ନିର୍ବାଚନ ପୂର୍ବରୁ ଏହାକୁ ରିହରସଲ୍ କୁହାଯାଇପାରେ । ସାଧାରଣ ନିର୍ବାଚନ ସମୟକୁ ଏହା ଅଧିକ ଘନିଭୂତ ହୋଇ କେଉଁସ୍ତରରେ ପହଂଚିବ, ତାହା ଏବେଠାରୁ କହିବା ସମ୍ଭବ ନୁହେଁ । ତେବେ, ରାହୁଲଙ୍କ ଲଣ୍ଡନ ବକ୍ତବ୍ୟ ବିରୁଡି ବସାରେ ହାତ ମାରିବା ଭଳି ହୋଇଛି ସେଥିରେ କିଛି ସନ୍ଦେହ ନାହିଁ । ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଲଣ୍ଡନ ବକ୍ତବ୍ୟ ପାଇଁ ରାହୁଲ ଗାନ୍ଧୀ କ୍ଷମା ମାଗିବା ଆବଶ୍ୟକ କି ? ଉଭୟ ଶାସକ ଓ ବିରୋଧୀ ନିଜ ନିଜ ରାଜନୈତିକ ଦୃଷ୍ଟିଭଙ୍ଗୀ ରଖି ଏହାକୁ ନେଇ ଚର୍ଚ୍ଚା କରୁଛନ୍ତି । ତେବେ,ଏହି ପ୍ରସଙ୍ଗକୁ ନେଇ ସାଧାରଣ ଜନତାର ମତ କଣ (?), ଜାଣିବା ସମୟ ଆସିଛି । ଦେଶରେ ଯେଭଳି ରାଜନୈତିକ ଧ୍ରୁବୀକରଣ ଚାଲିଛି ସେଥିରେ ଚନସାଧାରଣ ମଧ୍ୟ ଏକପ୍ରକାର ସାମିଲ ହେଲେଣି । ତେଣୁ, ଜନତାର ମତ ମଧ୍ୟ ବିଭାଜିତ ରହିବ ଏଥିରେ କିଛି ସନ୍ଦେହ ନାହିଁ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS