ବିଧାୟକଙ୍କ ଆଗୁଆ ଜାମିନ ବାତିଲ ପାଇଁ କର୍ଣ୍ଣାଟକ ଲୋକାୟୁକ୍ତ ଗଲେ ସୁପ୍ରିମ କୋର୍ଟ


ପ୍ରସାଦ ରାଓ
ନୂଆଦିଲ୍ଲୀ, ମାର୍ଚ୍ଚ ୧୫
କର୍ଣ୍ଣାଟକରେ ଚାକିରୀଆ ପୁଅକୁ ମାଧ୍ୟମ କରି ଲାଂଚ ଗ୍ରହଣ କରୁଥିବା ଅଭିଯୋଗରେ ଲୋକାୟୁକ୍ତ ପୁଲିସ ହାତରେ ଧରା ପଡିଥିବା ବିଜେପି ବିଧାୟକ ମାଦାଲା ବିରୁପାକ୍ଷାପ୍ପା ଗିରଫକୁ ଏଡାଇ ହାଇକୋର୍ଟରୁ ଆଗୁଆ ଜାମିନ ଆଣିବାରେ ସକ୍ଷମ ହୋଇଛନ୍ତି । ହାଇକୋର୍ଟଙ୍କ ଏହି ତରବରିଆ ନିଷ୍ପତ୍ତି ଅଭିଯୁକ୍ତଙ୍କୁ ଗିରଫଦାରୀରୁ ରକ୍ଷା କରିଥିବା ବେଳେ ଏଭଳି ଏକ ହାଇପ୍ରୋଫାଇଲ ମାମଲାରେ ଜନସାଧାରଣଙ୍କ ନିକଟରେ ଏକ ଭୁଲ ବାର୍ତ୍ତା ପହଂଚାଉଛି ବୋଲି ଲୋକାୟୁକ୍ତ କହିଛନ୍ତି । କର୍ଣ୍ଣାଟକ ଲୋକାୟୁକ୍ତଙ୍କ ପକ୍ଷରୁ ମଂଗଳବାର ଦିନ ସୁପ୍ରିମ କୋର୍ଟରେ ଏହି ମର୍ମରେ ଏକ ଆବଦନ କରାଯିବା ସହ ସଂପୃକ୍ତ ବିଧାୟକଙ୍କୁ ହାଇକୋର୍ଟରୁ ମିଳିଥିବା ଆଗୁଆ ଜାମିନକୁ ରଦ୍ଦ କରାଯିବାକୁ ନିବେଦନ କରାଯାଇଛି । ରାଜ୍ୟ ଲୋକାୟୁକ୍ତଙ୍କ ପକ୍ଷରୁ ମଂଗଳବାର ଦିନ ବରିଷ୍ଠ ଆଇନଜୀବୀ ବାସଭ ପ୍ରଭୁ ପାତିଲ ସୁପ୍ରିମ କୋର୍ଟରେ ଏହି ଆବେଦନ କରିଛନ୍ତି । ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ଓ ବିଚାରପତି ଜଷ୍ଟିସ ପି.ଏସ.ନରସିଂହାଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠରେ ଲୋକାୟୁକ୍ତଙ୍କ ଆଇନଜୀବୀ ପାଟିଲ କହିଛନ୍ତି, ବିଜେପି ବିଧାୟକ ବିରୁପାକ୍ଷାପ୍ପା କର୍ଣ୍ଣାଟକର ବିଶ୍ୱ ପ୍ରସିଦ୍ଧ ‘ମହୀଶୂର ସାଣ୍ଡାଲ’ ସାବୁନ ପ୍ରସ୍ତୁତ କରୁଥିବା କଂପାନୀ ‘କର୍ଣ୍ଣାଟକ ସୋପ୍ସ ଏଣ୍ଡ ଡ଼ିଟରଜେଂଟ୍ସ ଲିମିଟେଡ଼’ର ଅଧ୍ୟକ୍ଷ ଥିବା ସମୟରେ କଂପାନୀ ପାଇଁ କେମିକାଲ ଅଏଲ୍ ଯୋଗାଣ ଟେଣ୍ଡର ଅନୁମୋଦନ ସକାଶେ ୩୦ ପ୍ରତିଶତ କମିଶନ ଆଦାୟ କରୁଥିଲେ ବୋଲି ଗୁରୁତର ଦୂର୍ନୀତି ଅଭିଯୋଗ ରହିଛି । ଗତ ୨ ତାରିଖ ଦିନ ବିଧାୟକଙ୍କ ସରକାରୀ ଚାକିରୀଆ ପୁଅ ମାଦଲା ପ୍ରଶାନ୍ତ ତାଙ୍କ କାର୍ଯ୍ୟାଳୟରେ ୪୦ ଲକ୍ଷ ଟଙ୍କା ଲାଂଚ ନେଉଥିବା ବେଳେ ଲୋକୟୁକ୍ତ ପୁଲିସ ହାତରେ ଟଙ୍କା ସହ ଧରା ପଡିଥିଲେ । ପ୍ରଶାନ୍ତଙ୍କ ନିକଟରୁ ଟଙ୍କା ଜବତ ହେବା ପରେ ଲୋକାୟୁକ୍ତ ପୁଲିସ ପକ୍ଷରୁ ମାଦଲାଙ୍କ କାର୍ଯ୍ୟାଳୟରେ ଚଢାଉ କରାଯାଇ ନଗଦ ୧ କୋଟି ୬୨ ଲକ୍ଷ ଟଙ୍କା ଓ ବିଧାୟକଙ୍କ ବାସଭବନରୁ ଅତିରିକ୍ତ ୬ କୋଟ ୧୦ ଲକ୍ଷ ଟଙ୍କା ଜବତ ହୋଇଥିଲା । ବିଧାୟକଙ୍କ ଅଫିସ ଓ ଘରୁ ନଗଦ ମୋଟ ୮ କୋଟି ୨୩ ଲକ୍ଷ ଟଙ୍କା ଜବତ ହୋଇଥିବା ଲୋକାୟୁକ୍ତଙ୍କ ପକ୍ଷରୁ କୁହାଯାଇଛି । ଲାଂଚ ମାଲା ପଦାକୁ ଆସୁ ଆସୁ ବିଜେପି ବିଧାୟକ ଏମ.ବିରୁପାକ୍ଷାପ୍ପା ‘କର୍ଣ୍ଣାଟକ ସୋପ୍ସ ଏଣ୍ଡ ଡ଼ିଟରଜେଂଟ୍ସ ଲିମିଟେଡ଼’ର ଅଧ୍ୟକ୍ଷ ପଦରୁ ତୁରନ୍ତ ଇସ୍ତଫା ଦେଇ ହାଇକୋର୍ଟରୁ ଆଗୁଆ ଜାମିନ ମିଳିବା ପର୍ଯ୍ୟନ୍ତ ଫେରାର ରହିଥିଲେ । ଲୋକାୟୁକ୍ତ ଓକିଲ ପାଟିଲ ସୁପ୍ରିମ କୋର୍ଟ ଖଣ୍ଡପୀଠରେ ସମସ୍ତ ତଥ୍ୟ ଉପସ୍ଥାପନ କରି କର୍ଣ୍ଣାଟକ ହାଇକୋର୍ଟ ବିଜେପି ବିଧାୟକ ବିରୁପାକ୍ଷାପ୍ପାଙ୍କୁ ତରବରିଆ ଭାବେ ମଂଜୁର କରିଥିବା ଆଗୁଆ ଜାମିନକୁ ବାତିଲ କରାଯିବାକୁ ଆବେଦନ କରିଛନ୍ତି । ବିଧାୟକ ବିରୁପାକ୍ଷାପ୍ପା ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ତାଙ୍କୁ ତୁରନ୍ତ ଗିରଫ କରି ହାଜତରେ ଜେରା କରିବାକୁ ଅନୁମତି ନମିଳିଲେ ସେ ବାହାରେ ରହି ସାକ୍ଷୀମାନଙ୍କୁ ପ୍ରଭାବିତ କରିବା ସହ ପ୍ରମାଣ ନଷ୍ଟ ଉଦ୍ୟମ କରି ପାରନ୍ତି ବୋଲି ଆଇନଜୀବୀ ପାଟିଲ ସୁପ୍ରିମ କୋର୍ଟ ଖଣ୍ଡପୀଠରେ ଆଶଙ୍କା ବ୍ୟକ୍ତ କରିବାରୁ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ଗତକାଲି ଏକ ସାମ୍ବିଧାନିକ ବେଂଚରେ ବ୍ୟସ୍ତ ରହିଥିବା ଦର୍ଶାଇ ଜଷ୍ଟିସ ସଂଜୟ କେ.କାଉଲଙ୍କ ଖଣ୍ଡପୀଠରେ ଏହି ଆବେଦନ କରିବାକୁ କହିଥିଲେ । କର୍ଣ୍ଣାଟକ ଲୋକାୟୁକ୍ତଙ୍କ ପକ୍ଷରୁ ଜଷ୍ଟିସ ସଂଜୟ କାଉଲଙ୍କ ଖଣ୍ଡପୀଠରେ ଆବେଦନ କରାଯାଇ ତୁରନ୍ତ ମାମଲାର ଶୁଣାଣୀ ପାଇଁ ଆବେଦନ କରାଯାଇଛି । ଗତକାଲି ଜଷ୍ଟିସ କାଉଲଙ୍କ ଖଣ୍ଡପୀଠ ମାମଲାର ଶୁଣାଣୀ ପାଇଁ ଆବେଦନକୁ ଗ୍ରହଣ କରିଥିବା ବେଳେ ଏହା ଏକ ବେଲ୍-କ୍ୟାନସଲ୍ ଆବେଦନ ହୋଇଥିବାରୁ ତାହା ଉଚିତ ସମୟରେ ପଂଜୀକରଣ ହୋଇ ଶୁଣାଣୀ ହେବ ବୋଲି କହିଥିଲେ । ଆଜି ଏହି ମାମଲାର ଶୁଣାଣୀ ହୋଇପାରେ ବୋଲି ସୂଚନା ମିଳିଛି । ଏଠାରେ ଉଲ୍ଲେଖନୀୟ ଯେ, ବିଜେପି ବିଧାୟକ ବିରୁପାକ୍ଷାପ୍ପାଙ୍କ ପୁଅ ମାଦଲା ପ୍ରଶାନ୍ତ ବେଂଗାଲୁରୁ ୱାଟର ସପ୍ଲାଇ ଏଣ୍ଡ ସ୍ୱେରେଜ୍ ବୋର୍ଡରେ ମୁଖ୍ୟ ଆକାଉଂଟସ୍ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ମାର୍ଚ୍ଚ ୨ ତାରିଖ ଦିନ ବାପା ବିଧାୟକ ବିରୁପାକ୍ଷାପ୍ପାଙ୍କ ପାଇଁ କେଏସଡିଏଲ୍ କାର୍ଯ୍ୟାଳୟରେ ୪୦ ଲକ୍ଷଟଙ୍କା ଲାଂଚ ନେଉଥିବା ସମୟରେ ଲୋକୟୁକ୍ତ ପୁଲିସ ଲାଂଚ ଟଙ୍କା ସହ ତାଙ୍କୁ ଗିରଫ କରିଥିଲେ । ପୁଅ ଗିରଫ ହେବା ପରେ ବାପା କେଏସଡିଏଲ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ପରେ, କର୍ଣ୍ଣାଟକ ହାଇକୋର୍ଟର ଏକ ଜଣିକିଆ ବେଂଚ ବିରୁପାକ୍ଷାପ୍ପାଙ୍କୁ ଆଗୁଆ ଜାମିନ ଦେଇଛନ୍ତି । ହାଇକୋର୍ଟର ଜଣିକିଆ ବେଂଚ ଅଭିଯୁକ୍ତ ବିଧାୟକଙ୍କୁ ୫ ଲକ୍ଷ ଟଙ୍କା ବଂଡରେ ଆଗୁଆ ଜାମିନ ପ୍ରଦାନ କରିଥିବା ବେଳେ ସାକ୍ଷୀଙ୍କୁ ପ୍ରଭାବିତ ନକରିବାକୁ ଏବଂ ଜାମିନ ପାଇବାର ୪୮ ଘଂଟା ମଧ୍ୟରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି । ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣୀ ମାର୍ଚ୍ଚ ୧୭ରେ ହେବ ବୋଲି ଧାର୍ଯ୍ୟ ହୋଇଛି । ଯେଉଁ କେଏସଡିଏଲ ଲାଂଚ ମାମଲାରେ ପ୍ରଶାନ୍ତ ମାଦଲାଙ୍କ ନିକଟରୁ ମାର୍ଚ୍ଚ ୨ ତାରିଖ ୪୦ ଲକ୍ଷ ଲାଂଚ ଟଙ୍କା ଜବତ ହୋଇଥିଲା ସେଥିରେ ସାବୁନ ତିଆରି କେମିକାଲ ଯୋଗାଣ ପାଇଁ ୮୧ ଲକ୍ଷ ଟଙ୍କା ଲାଂଚ ମଗାଯାଇଥିଲା ବୋଲି କର୍ଣ୍ଣାଟକ ଲୋକାୟୁକ୍ତ କହିଛନ୍ତି । ତେବେ, ବିଧାୟକ ବିରୁପାକ୍ଷାପ୍ପା ତାଙ୍କ ପିଟିସନରେ କହିଛନ୍ତି, କଥିତ ଲାଂଚ ମାମଲା ସହ ତାଙ୍କର କୌଣସି ସଂପର୍କ ନାହିଁ । ମିଥ୍ୟା ଅଭିଯୋଗରେ ତାଙ୍କୁ ଫସାଇ ଦିଆଯାଇଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS