ରାଜ୍ୟପାଳଙ୍କ କ୍ଷମତା ପ୍ରୟୋଗକୁ ନେଇ ସିଜେଆଇଙ୍କ ଟିପ୍ପଣୀ ସମୟୋପଯୋଗୀ !


ପ୍ରସାଦ ରାଓ
ନୂଆଦିଲ୍ଲୀ, ମାର୍ଚ୍ଚ ୧୬
୨୦୨୨ ଜୁନରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମେଂଟ ସରକାରର ପତନରେ ତତ୍କାଳୀନ ରାଜ୍ୟପାଳଙ୍କ ଭୂମିକା ଅପରିଣାମଦର୍ଶୀ ଥିଲା, ଏକଥା ଗତକାଲି ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦଚୂଡଙ୍କ ଅଧକ୍ଷତାରେ ଗଠିତ ସାମ୍ବିଧାନିକ ପୀଠ ‘ସେନା ବନାମ ସେନା’ ମାମଲାର ଶୁଣାଣୀ ସମୟରେ ଦେଇଥିବା ମନ୍ତବ୍ୟରୁ ସ୍ପଷ୍ଟ । ସାମ୍ବିଧାନିକ ପୀଠରେ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡଙ୍କ ସହ ବିଚାରପତି ଜଷ୍ଟିସ ଏମ.ଆର.ଶାହା, ଜଷ୍ଟିସ କ୍ରୀଷ୍ଣା ମୁରାରୀ, ଜଷ୍ଟିସ ହୀମା କୋହିଲି ଓ ଜଷ୍ଟିସ ପି.ଏସ.ନରସିଂହା ଅଛନ୍ତି । ଆଜି ମଧ୍ୟ ଏହି ମାମଲାର ଶୁଣାଣୀ ହୋଇଛି । ସୁପ୍ରିମ କୋର୍ଟ ସାମ୍ବିଧାନିକ ପୀଠ ଗତକାଲି ମାମଲାର ଶୁଣାଣୀ ସମୟରେ ଉଦ୍ଧବ ଠାକରେ ସରକାର ଭାଂଗିବାରେ ତତ୍କାଳୀନ ରାଜ୍ୟପାଳଙ୍କ ଭୂମିକାକୁ ନେଇ ଯେଉଁ ପ୍ରଶ୍ନ ଉଠାଇଛନ୍ତି ସେଥିରୁ ରାଜ୍ୟପାଳମାନେ ନିର୍ବାଚିତ ସରକାର ଭାଂଗିବାରେ ରାଜନୀତିର ଅଂଶବିଶେଷ ହୋଇପଡୁଥିବା ସ୍ପଷ୍ଟ ହେଉଛି ।
ମହାରାଷ୍ଟ୍ରରେ ୨୦୧୯ରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି-ଶିବସେନା ମେଂଟ ନିର୍ବାଚନ ଲଢିଥିଲେ । ରାଜ୍ୟବାସୀ ମଧ୍ୟ ଏହି ମେଂଟକୁ ସରକାର ଗଠନ ପାଇଁ ବହୁମତ ଦେଇଥିଲେ । ତେବେ, ନିର୍ବାଚନ ପରେ ସରକାର ଗଠନ ସମୟରେ ଶିବସେନା ମୁଖ୍ୟମନ୍ତ୍ରୀ ପଦର ଦାବଦାରି ହେବାରୁ ଓ ବିଜେପି ତାହାକୁ ଗ୍ରହଣ ନ କରିବାରୁ ବିବାଦ ଆରମ୍ଭ ହୋଇଥିଲା । ବିଜେପି ପୂର୍ବ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ପୁନର୍ବାର ମୁଖ୍ୟମନ୍ତ୍ରୀ ରୂପେ ଦେଖିବାକୁ ଚାହୁଁଥିବା ବେଳେ ଶିବସେନା ନିର୍ବାଚନ ପୂର୍ବ ପ୍ରତିଶ୍ରୁତି ମୁତାବକ ମୁଖ୍ୟମନ୍ତ୍ରୀ ପଦ ଦଳକୁ ଦିଆଯିବାକୁ ଅଡି ବସିଲା । ଫଳରେ, ବିଜେପି-ଶିବସେନା ମେଂଟ ସରକାର ଗଠନ କରିବା ସମ୍ଭବ ହୋଇନଥିଲା । ସରକାର ଗଠନକୁ ନେଇ ବିଜେପି-ଶିବସେନା ବିବାଦ ଚରମରେ ଥିବା ବେଳେ ତତ୍କାଳୀନ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ବିଜେପିର ବରିଷ୍ଠ ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ଫଡନାଭିସ୍ ଓ ଏନସିପି ନେତା ଅଜିତ ପାୱାରଙ୍କୁ ରାତାରାତି ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ପଦରେ ଅଭିଷିକ୍ତ କରି ନୂଆ ବିବାଦର ସୂତ୍ରପାତ କରିଥିଲେ ।
ଇତିମଧ୍ୟରେ, ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଏନସିପି ନେତା ଶରଦ ପାୱାର ଓ କଂଗ୍ରେସ ନେତୃବର୍ଗଙ୍କ ସହ ବୁଝାମଣାରେ ରାଜ୍ୟରେ ତିନି ଦଳର ମେଂଟ ସରକାର ପ୍ରତିଷ୍ଠା ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ । ସରକାର ଗଠନ ପାଇଁ ମେଂଟ ନିକଟରେ ଆବଶ୍ୟକ ସଂଖ୍ୟା ଥିବାରୁ ଫଡନାଭିସ ଓ ଅଜିତ ପାୱାର ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ପଦରୁ ତୁରନ୍ତ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ । ରାଜ୍ୟପାଳ କୋଶିୟାରୀ ମଧ୍ୟ ତିନି ଦଳିଆ ମେଂଟ ବା ‘ମହା ବିକାଶ ଅଘାଡି’କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ । ଅଜିତ ପାୱାର ତାଙ୍କ ମୂଳଦଳ ଏନସିପିକୁ ଫେରି ଆସି ଥିଲେ । ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ରାଜ୍ୟରେ ‘ମହା ବିକାଶ ଅଘାଡି’ ବା ଏମଭିଏ ସରକାର ପ୍ରତିଷ୍ଠା ହୋଇଥିଲା । ଏମଭିଏ ତିନି ବର୍ଷ କ୍ଷମତାରେ ରହିବା ପରେ ଅଚାନକ ୨୦୨୨ ଜୁନରେ ଶିବସେନା ବିଧାୟକ ଦଳରେ ବିଦ୍ରୋହର ସୂତ୍ରପାତ ହୋଇ ଶିବସେନା ନେତା ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ପ୍ରଥମେ ୧୬ ଜଣ ଏବଂ ପରେ ମୋଟ ୩୯ ଜଣ ବିଧାୟକ ଅଲଗା ଗୋଷ୍ଠୀ କରି ବିଜେପି ସମର୍ଥନରେ ‘ମହା ବିକାଶ ଅଘାଡି’ ସରକାରକୁ କ୍ଷମତାଚ୍ୟୁତ କରି ରାଜ୍ୟରେ ବିଜେପି ସହ ମିଳିତ ସରକାର ପ୍ରତିଷ୍ଠା କଲେ । ସିନ୍ଧେ ମୁଖ୍ୟମନ୍ତ୍ରୀ ଓ ଫଡନାଭିସ୍ ଉପ ମୁଖ୍ୟମନ୍ତ୍ରୀ ଅଛନ୍ତି ।
ଶିବସେନା ବିବାଦ ସୁପ୍ରିମ କୋର୍ଟରେ ପହଂଚିବା ପରେ ଉଦ୍ଧବ ସରକାରଙ୍କୁ କ୍ଷମତାଚ୍ୟୁତ କରିବାରେ ତତ୍କାଳୀନ ରାଜ୍ୟପାଳ କୋଶିୟାରୀଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି ଏବଂ ସୁପ୍ରିମ କୋର୍ଟର ପାଂଚ ଜଣିଆ ସାମ୍ବିଧାନିକ ପୀଠ ତାହାର ତର୍ଜମା କରୁଛି । ଗତକାଲି ଶୁଣାଣୀ ସମୟରେ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡଙ୍କ ସମେତ ପାଂଚ ଜଣିଆ ସାମ୍ବିଧାନିକ ପୀଠ ଶିବସେନାରେ ଅସନ୍ତୋଷ ଏବଂ ଉଦ୍ଧବ ଠାକରେ ସରକାରଙ୍କ ପତନରେ ମହାରାଷ୍ଟ୍ରର ତତ୍କାଳୀନ ରାଜ୍ୟପାଳଙ୍କ ଭୂମିକାକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି । ରାଜ୍ୟରେ ଶିବସେନା-ଏନସିପି-କଂଗ୍ରେସର ମେଂଟ ସରକାର ତିନି ବର୍ଷ ଏକାଠି ରହି କ୍ଷମତା ଉପଭୋଗ କରିବା ପରେ ୨୦୨୨ ଜୁନରେ ଅଚାନକ କଣ ଏମିତି ହେଲା ଯେ ଶିବସେନାରେ ବିଦ୍ରୋହର ସୂତ୍ରପାତ ହେଲା ଏବଂ ଦଳର କିଛି ବିଧାୟକ ଉଦ୍ଧବ ଠାକରେଙ୍କ ନେତୃତ୍ୱକୁ ବିରୋଧ କରି ସିନ୍ଧେଙ୍କ ନେତୃତ୍ୱରେ ବିଦ୍ରୋହ କଲେ ବୋଲି ସାମ୍ବିଦାନିକ ପୀଠ ପ୍ରଶ୍ନ କରିବା ସହ ତତ୍କାଳୀନ ରାଜ୍ୟପାଳ କୋଶିୟାରୀ ମୁଖ୍ୟମନ୍ତ୍ରୀଙ୍କୁ ବିଧାନସଭାରେ ଆସ୍ଥା ଭୋଟ ଲୋଡିବାକୁ ନିର୍ଦେଶ ଦେବାର ଯଥାର୍ଥତା ନେଇ ପ୍ରଶ୍ନ କରିଛନ୍ତି ।
ରାଜ୍ୟରେ ତିନି ଦଳର ମିଳିତ ସରକାର ଚାଲି ଥିବା ବେଳେ ସେଥିରୁ ଗୋଟିଏ ଦଳର କିଛି ବିଧାୟକ ନିଜ ଦଳ ନେତୃତ୍ୱ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରି ନିଜକୁ ଅଲଗା କରି ନେବା ଦଳର ଆଭ୍ୟନ୍ତରିଣ ବ୍ୟାପାର ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ସଂଖ୍ୟାଗରିଷ୍ଠତା ହରାଇଛନ୍ତି ଦର୍ଶାଇ ରାଜ୍ୟପାଳ ତାଙ୍କୁ ଆସ୍ଥା ଭୋଟର ସାମ୍ନା କରିବାକୁ କହିବା ଯୁକ୍ତିସଂଗତ ନୁହେଁ ବୋଲି ସାମ୍ବିଧାନିକ ପୀଠ ମତ ଦେବା ସହ ତତ୍କାଳୀନ ରାଜ୍ୟପାଳ ପରିସ୍ଥିତିକୁ ଠିକ୍ ଭାବେ ତର୍ଜମା କରିବା ବଦଳରେ ମୁଖ୍ୟମନ୍ତ୍ରୀଙ୍କୁ ଆସ୍ଥା ଭୋଟ ଲୋଡିବାକୁ ନିର୍ଦେଶ ଦେବା ଅପରିଣାମଦର୍ଶୀ ନିଷ୍ପତ୍ତି ଥିଲା । ବିଦ୍ରୋହ ଗୋଟିଏ ଦଳ ମଧ୍ୟରେ ସୀମିତ ଥିବା ସମୟରେ ମେଂଟ ଅଂଶୀଦାର ଅନ୍ୟ ଦୁଇ ଦଳରେ ସେଭଳି କିଛି ପରିସ୍ଥିତି ନଥିଲା । ମୁଖ୍ୟମନ୍ତ୍ରୀ ଠାକରେ ବିଧାନସଭାରେ ଆସ୍ଥା ଭୋଟ ଲୋଡିଲେ ଗୋଟିଏ ନିର୍ବାଚିତ ସରକାର କ୍ଷମତାଚ୍ୟୁତ ହେଉଥିବା ଜାଣୁଥିଲେ ମଧ୍ୟ ରାଜ୍ୟପାଳ ଆସ୍ଥା ଭୋଟ ପାଇଁ ନିର୍ଦେଶ ଦେବାରେ କି ଯଥାର୍ଥ ଥିଲା ସାମ୍ବିଧାନିକ ପୀଠ ପ୍ରଶ୍ନ ଉଠାଇଛନ୍ତି ।
ଗୋଟିଏ ଦଳରେ ଅସନ୍ତୋଷ ଏକ ନିର୍ବାଚିତ ସରକାରଙ୍କୁ କ୍ଷମତାଚ୍ୟୁତ କରିବାର ଯଥେଷ୍ଟ କାରଣ ହୋଇନପାରେ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ଟିପ୍ପଣୀ ଦେଇଛନ୍ତି । ରାଜ୍ୟପାଳମାନେ ସବୁ ଦିଗକୁ ବିଚାରକୁ ନେଇ ସତର୍କତାର ସହ ନିଜ କ୍ଷମତା ଉପଯୋଗ କରିବା ଆବଶ୍ୟକ ବୋଲି ମଧ୍ୟ ସେ କହିଛନ୍ତି । ଆଜି ଦିନରେ ଦେଶର ଅଧିକାଂଶ ଅଣ ବିଜେପି ଶାସିତ ରାଜ୍ୟରେ ନିର୍ବାଚିତ ସରକାର ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ରାଜ୍ୟପାଳମାନଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବାଦ ବିବାଦ ଚାଲି ଥିବା ବେଳେ ‘ସେନା ବନାମ ସେନା’ ମାମଲାରେ ଗତକାଲି ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଦେଇଥିବା ମତ ସମୟୋପଯୋଗୀ ବୋଲି ଚର୍ଚ୍ଚା ହେଉଛି । ଏଠାରେ ସୂଚନାଯୋଗ୍ୟ କି, ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ଶିବସେନାର ଗୋଟିଏ ଗୋଷ୍ଠୀ ବିଧାୟକ ଗତ ବର୍ଷ ଜୁନ ମାସରେ ଉଦ୍ଧବ ଠାକରେଙ୍କ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରି ‘ମହା ବିକାଶ ଅଘାଡି’ ସରକାରରୁ ଦୂରେଇ ଯିବା ସହ ସରକାର ଭାଂଗିବାର କାରଣ ହୋଇଥିଲେ । ପରେ, ଏହି ଗୋଷ୍ଠୀ ବିଜେପି ସହ ମେଂଟ କରି ରାଜ୍ୟରେ ନୂଆ ସରକାର ଗଢିଛନ୍ତି ।
ଏହାପରେ, ‘ପ୍ରକୃତ ଶିବସେନା’ କାହାର (?) – ସେନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଆଇନଗତ ଲଢେଇ ଚାଲିଛି । ଯେଉଁ ୧୬ ଜଣ ଶିବସେନା ବିଧାୟକ ପ୍ରଥମେ ଦଳର ନେତୃତ୍ୱ ବିରୋଧରେ ବିଦ୍ରୋହୀ ଘୋଷଣା କରି ଅଲଗା ଗୋଷ୍ଠୀ ଗଠନ କରିଥିଲେ ସେମାନଙ୍କ ବିଧାୟକ ପଦ ଦଳବଦଳ ନିରୋଧ ଆଇନରେ ରଦ୍ଦ କରାଯିବାକୁ ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀ ରାଜ୍ୟ ବିଧାନସଭା ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ ମଧ୍ୟ ତାହା ଉପରେ କାର୍ଯ୍ୟାନୁଷ୍ଠାନ ନହେବାରୁ ଏହି ପ୍ରସଙ୍ଗ ସୁପ୍ରିମ କୋର୍ଟର ବିଚାରାଧୀନ ରହିଛି । ଉଦ୍ଧବ ଗୋଷ୍ଠୀଙ୍କ ଆବେଦନ ଉପରେ ସୁପ୍ରିମ କୋର୍ଟ ରାୟ ନ ଆସୁଣୁ ଗତ ମାସରେ ଭାରତୀୟ ନିର୍ବାଚନ ଆୟୁକ୍ତ ଏକନାଥ ସିନ୍ଧେ ଗୋଷ୍ଠୀ ହିଁ ‘ପ୍ରକୃତ ଶିବସେନା’ ବୋଲି ସ୍ୱୀକୃତି ଦେଇ ସେହି ଗୋଷ୍ଠୀକୁ ଶିବସେନାର ନିର୍ବାଚନ ଚିହ୍ନ ‘ଧନୁ-ତୀର’ ଧରାଇ ଦେଇଛନ୍ତି । ଯାହାକି, ଉଦ୍ଧବ ଗୋଷ୍ଠୀ ପାଇଁ ଅପମାନସୂଚକ ହୋଇଛି । ଉଦ୍ଧବଙ୍କ ପିତା ସ୍ୱର୍ଗତ ବାଲା ସାହେବ ଠାକରେ ହେଉଛନ୍ତି ଶିବସେନାର ପ୍ରତିଷ୍ଠାତା । ପୁଅ ଏବେ ଦଳର ମାଲିକାନା ଦାବି କରି ନିର୍ବାଚନ ଆୟୁକ୍ତଙ୍କ ନିଷ୍ପତ୍ତିକୁ ସୁପ୍ରିମ କୋର୍ଟରେ ଚ୍ୟାଲେଂଜ କରିଛନ୍ତି ।
ଶିବସେନା ବିଧାୟକ ଦଳରେ ବିଭାଜନ ହୋଇ ଉଦ୍ଧବ ଗୋଷ୍ଠୀ ଦୁର୍ବଳ ହୋଇପଡିଥିଲେ ମଧ୍ୟ ଥିଲେ ଦଳର ତୃଣମୂଳସ୍ତରର ସର୍ବାଧିକ ସଂଖ୍ୟକ ମୁଖିଆ ଉଦ୍ଧବଙ୍କ ସହ ଥିବା ନିର୍ବାଚନ ଆୟୁକ୍ତଙ୍କୁ ସୂଚିତ କରିଥିବା ସତ୍ତ୍ୱେ ନିର୍ବାଚନ ଆୟୁକ୍ତ ଏଭଳି ନିଷ୍ପତ୍ତି ନେଇଥିବା ଗ୍ରହଣୀୟ ନୁହେଁ ବୋଲି ଉଦ୍ଧବ ଗୋଷ୍ଠୀ ସୁପ୍ରିମ କୋର୍ଟରେ ଯୁକ୍ତି ରଖିଛନ୍ତି । ସୁପ୍ରିମ କୋର୍ଟର ସାମ୍ବିଧାନିକ ପୀଠ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଶୁଣାଣୀ ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି, ତତ୍କାଳୀନ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କୁ ଆସ୍ଥା ଭୋଟ ଲୋଡିବାକୁ ନିର୍ଦେଶ ଦେବା ବଦଳରେ ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ପ୍ରଶ୍ନ କରିବା ଉଚିତ ଥିଲା ଯେ, ‘ତିନି ବର୍ଷ ହେଲା ତୁମେ ସବୁ କଣ କରୁଥିଲ (?)’ । ନିର୍ବାଚନର ଗୋଟିଏ ମାସ ପରେ ଯଦି ଏଭଳି ଘଟିିଥା’ନ୍ତା, ଭିନ୍ନ କଥା ହୋଇଥା’ନ୍ତା । କିନ୍ତୁ, ସେମାନେ ତିନି ବର୍ଷ ଏକାଠି କ୍ଷମତା ଉପଭୋଗ କରିବା ପରେ ରାତାରାତି ଦଳରେ ମତଭେଦ ଥିବା କହି ଦଳରୁ ନିଜକୁ ଅଲଗା କରି ନେବା ଏବଂ ଗୋଟିଏ ନିର୍ବାଚିତ ସରକାରକୁ ଭାଂଗି ଅନ୍ୟ ଏକ ଦଳ ସହାୟତାରେ ସରକାର କରିବା ଯୁକ୍ତିସଂଗତ ମନେ ହେଉନି ।
ଯେତେବେଳେ ଏକ ସଂଖ୍ୟାଗରିଷ୍ଠ ସରକାରରେ ଅସ୍ଥିରତା ସୃଷ୍ଟି ହୁଏ ରାଜ୍ୟପାଳମାନେ ସଂପୃକ୍ତ ସରକାରଙ୍କୁ ବିଧାନସଭାରେ ଆସ୍ଥା ଭୋଟର ସାମ୍ନା କରିବାକୁ କହିଥା’ନ୍ତି । ୨୦୨୨ ଜୁନରେ ମହାରାଷ୍ଟ୍ରରେ ଯାହା ହେଲା ସେଥିରେ ରାଜ୍ୟପାଳ ଠାକରେ ସରକାରରେ ବିଦ୍ରୋହ ଘଟିବା ଭଳି କିଛି ଦେଖିଥିଲେ କି ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିଛନ୍ତି । ଶିବସେନାର ୩୪ ବିଧାୟକ ଉଦ୍ଧବ ଗୋଷ୍ଠୀରୁ ଅଲଗା ହୋଇଯିବା ପରେ ସରକାର ବିଧାନସଭାରେ ସଂଖ୍ୟାଲଘୁ ହୋଇଥିଲେ ଏବଂ ବିଧାୟକଙ୍କ ଆସ୍ଥା ହରାଇ ଦେଇଥିଲେ ବୋଲି ରାଜ୍ୟପାଳ କୋଶିୟାରୀଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମ କୋର୍ଟ ସାମ୍ବିଧାନିକ ପୀଠରେ ଯୁକ୍ତି ରଖିଥିଲେ ମଧ୍ୟ ‘ଗୋଟିଏ ଦଳରେ ଅସନ୍ତୋଷ ମୁଖ୍ୟମନ୍ତ୍ରୀଙ୍କୁ ଆସ୍ଥା ଭୋଟ ଲୋଡିବାକୁ ରାଜ୍ୟପାଳ କହିବାର ପର୍ଯ୍ୟାପ୍ତ କାରଣ ହୋଇନପାରେ ବୋଲି ପ୍ରଧାନ ବିଚାରପତି ମତ ଦେଇଛନ୍ତି । ଆଜି ମଧ୍ୟ ସୁପ୍ରିମ କୋର୍ଟ ସାମ୍ବିଧାନିକ ପୀଠରେ ମାମଲାର ଶୁଣାଣୀ ହୋଇଥିଲା । ଏମଭିଏ ସରକାରଙ୍କ ପୁନଃ ସଂସ୍ଥାପନ ପାଇଁ ଉଦ୍ଧବ ଠାକରେ ଗୋଷ୍ଠୀ ଓକିଲ ଯୁକ୍ତି ଉପସ୍ଥାପନ କରିଥିଲେ । ତେବେ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆସ୍ଥା ଭୋଟର ସାମ୍ନା ନକରି ଇସ୍ତଫା ଦେବା ସରକାର ସଂଖ୍ୟାଲଘୁରେ ପରିଣତ ହୋଇଥିବା ସୂଚିତ କରୁଛି, ତେଣୁ ଏମଭିଏ ସରକାରର ପୁନଃ ସଂସ୍ଥାପନ ନିର୍ଦେଶ ସମ୍ବିଧାନ ବିରୋଧୀ ହେବ ବୋଲି ସାମ୍ବିଧାନିକ ପୀଠ କହିଛନ୍ତି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS