ଶାସକ ଦଳର ଚକ୍ରବ୍ୟୁହରେ ବିରୋଧୀ ନେତା !


ପ୍ରସାଦ ରାଓ
ନୂଆଦିଲ୍ଲୀ, ମାର୍ଚ୍ଚ ୧୮
କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିକଟରେ ଲଣ୍ଡନ ଗସ୍ତ ଅବସରରେ କେମ୍ବିଜ ବିଶ୍ୱବିଦ୍ୟାଳୟରେ ଭାରତରେ ଗଣତନ୍ତ୍ରର ହନନ ଚାଲି ଥିବା ନେଇ ରଖିଥିବା ବକ୍ତବ୍ୟ ଉପରେ ଗତକାଲି ଲୋକସଭାରେ ନିଜ ପକ୍ଷ ରଖିବାକୁ ଚାହିଁଲେ ମଧ୍ୟ ତାଙ୍କୁ ସେହି ସୁଯୋଗ ମିଳି ନଥିଲା । ପୂର୍ବଦିନ ସେ ଲୋକସଭା ବାଚସ୍ପତିଙ୍କୁ ଭେଟି ଲୋକସଭାରେ ବକ୍ତବ୍ୟ ରଖିବାକୁ ସୁଯୋଗ ଦିଆଯିବାକୁ ସେ ଅନୁରୋଧ କରିଥିଲେ । ବାଚସ୍ପତି ତାଙ୍କ ଅନୁରୋଧକୁ ଶୁଣି ହସି ଦେଇଥିଲେ ମଧ୍ୟ କିଛି କହି ନଥିଲେ ବୋଲି ପରେ ରାହୁଲ ସାମ୍ବାଦିକଙ୍କୁ କହିଥିଲେ । ଗତକାଲି ରାହୁଲ ଲୋକସଭାରେ ତାଙ୍କୁ ବକ୍ତବ୍ୟ ରଖିବାର ସୁଯୋଗ ଦିଆଯିବ ବୋଲି ଆଶା କରିଥିଲେ ସିନା ବିଜେପି ସାଂସଦମାନେ ତାହା କରାଇ ଦେଲେନି । ରାହୁଲ ଗାନ୍ଧୀ ପ୍ରଥମେ ତାଙ୍କ ଲଣ୍ଡନ ବକ୍ତବ୍ୟ ପାଇଁ କ୍ଷମା ମାଗନ୍ତୁ, ତାହା ପରେ ଯାଇ ଗୃହରେ ପକ୍ଷ ରଖିବା ସୁଯୋଗ ମିଳିବ ବୋଲି ବିଜେପି ସାଂସଦ ଅଡି ବସିବା କ୍ଷଣି କଂଗ୍ରେସ ଓ ଅନ୍ୟ ବିରୋଧୀ ଆଦାନୀ-ହିଣ୍ଡେନବର୍ଗ ପ୍ରସଙ୍ଗ ଉଠାଇ ଜେପିସି (ମିଳିତ ସଂସଦୀୟ ଦଳ) ତଦନ୍ତ ଦାବିକୁ ଦୋହରାଇବାରୁ ପ୍ରବଳ ହଟ୍ଟଗୋଳ ହୋଇ ସଂସଦ ଅଧିବେଶନ ମୁଲତବୀ ରହିଲା ।
ପାଟିତୁଣ୍ଡ ଚାଲି ଥିବା ବେଳେ ଲୋକସଭାରେ ଅଡିଓ ମ୍ୟୁଟ୍ କରି ଦିଆଯିବାରୁ ବିରୋଧୀ ତାହାର ମଧ୍ୟ ବିରୋଧ କରିଥିଲେ । ସଂସଦରେ ବିରୋଧୀ ଦଳ ସାଂସଦମାନେ ବକ୍ତବ୍ୟ ରଖିବା ସମୟରେ ମାଇକ୍ ସବୁ ଅଚଳ କରି ଦିଆଯାଉଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ବ୍ରିଟେନରେ ଯେଉଁ ଅଭିଯୋଗ କରିଥିଲେ ତାହା ଆଜି ସଂସଦରେ ପ୍ରମାଣିତ ହୋଇଛି କହି ବିରୋଧୀ ପରୋକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଇଂଗିତ କରିଥିଲେ । ସଂସଦରେ ଉଭୟ ଶାସକ ଓ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ କୌଣସି ପ୍ରସଙ୍ଗ ଉପରେ ଆଲୋଚନା ହୋଇନପାରି ସଂସଦର ଉଭୟ ଗୃହକୁ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ଏହା ସଂସଦରେ ବିରୋଧୀଙ୍କ ସ୍ୱରକୁ ଚପାଇ ଦେବାକୁ ଶାସକ ଦଳର ସୁଚିନ୍ତିତ ରଣନୀତି ଥିଲା ବିରୋଧୀ ସାଂସଦମାନେ ଅଭିଯୋଗ କରିଛନ୍ତି । ସୋମବାର ସଂସଦ ଅଧିବେଶନ ଆରମ୍ଭ ହେଲେ ପରିସ୍ଥିତି ବଦଳିବ ବୋଲି ଆଶା କରିବା ମଧ୍ୟ ଭୁଲ ହେବ ।
ରାହୁଲ ଗାନ୍ଧୀଙ୍କ ଅଭିଯୋଗ ହେଉଛି, ସେ ଲଣ୍ଡନରେ ଦେଶର ଗଣତନ୍ତ୍ରକୁ ନେଇ ଯେଉଁ ବକ୍ତବ୍ୟ ରଖିଥିଲେ ତାହା ଦେଶ ବିରୋଧୀ ନଥିଲା । କେନ୍ଦ୍ର ସରକାରଙ୍କ ଚାରି ଜଣ ମନ୍ତ୍ରୀ ତାଙ୍କ ବିରୋଧରେ ମିଥ୍ୟାରୋପ କରି ଦେଶବାସୀଙ୍କୁ ବିଭ୍ରାନ୍ତ କରୁଥିବାରୁ ସେ ଜଣେ ସାଂସଦ ଭାବେ ସଂସଦରେ ନିଜ ବକ୍ତବ୍ୟ ରଖିବାକୁ ଚାହୁଁଛନ୍ତି । ତାଙ୍କୁ ସୁଯୋଗ ଦିଆନଯିବା ଦେଶର ଗଣତନ୍ତ୍ରକୁ କିଭଳି ହନନ କରାଯାଉଛି ତାହା ସୂଚାଉଛି । କଂଗ୍ରେସ ମଧ୍ୟ କହିଛି, ରାହୁଲ ଗାନ୍ଧୀ ଲଣ୍ଡନରେ ଦେଇଥିବା ବକ୍ତବ୍ୟକୁ ବିଜେପି ଭୁଲ ଭାବେ ଚିତ୍ରଣ କରି ସଂସଦରେ ଓ ବାହାରେ ଉପସ୍ଥାପନ କରୁଥିବା ଗ୍ରହଣୀୟ ନୁହେଁ । ତେଣୁ, ରାହୁଲ ସଂସଦରେ କ୍ଷମା ମାଗିବା ପ୍ରଶ୍ନ ଉଠୁ ନାହିଁ । ଅପରପକ୍ଷରେ, ବିଜେପି ମନ୍ତ୍ରୀ ଓ ସାଂସଦମାନେ କହୁଛନ୍ତି, ରାହୁଲ ଦେଶର ଗଣତନ୍ତ୍ରକୁ ନେଇ ବିଦେଶ ମାଟିରେ ଯେଉଁ ଗୁରୁତର ଅଭିଯୋଗ କରିଛନ୍ତି ତାହା ଦେଶକୁ ତଥା ସଂସଦକୁ ନିନ୍ଦିତ କରି ଥିବାରୁ ସେ ତୁରନ୍ତ କ୍ଷମା ମାଗି ନେବା ଉଚିତ ଥିଲା । କିନ୍ତୁ, ରାହୁଲ ତାହା ନକରି ସଂସଦରେ ନିଜର ବକ୍ତବ୍ୟ ରଖିବାକୁ ଚାହୁଁଛନ୍ତି । ଏକଥା ହେବାକୁ ଦିଆଯିବ ନାହିଁ ।
ସଂସଦକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ଶାସକ ଦଳର ଦାୟିତ୍ୱ । ତେବେ, ଶାସକ ଓ ବିରୋଧୀଙ୍କ ମଧ୍ୟରେ ସଂପର୍କ ଏତେଦୂର ତୀକ୍ତ ହେଲାଣି ଯେ କେହି ପଛକୁ ପାଦେ ଫେରିବାକୁ ଚାହୁଁ ନାହାନ୍ତି । ଆଦାନୀ-ହିଣ୍ଡେନବର୍ଗ ପ୍ରସଙ୍ଗର ଜେପିସି ତଦନ୍ତ ଦାବିରେ ବିରୋଧୀ ସଂସଦକୁ ଅଚଳ କରୁଥିବା ବେଳେ ବିଜେପି ରାହୁଲଙ୍କ ବକ୍ତବ୍ୟକୁ ପ୍ରସଙ୍ଗ କରି ଗୃହ ଅଚଳ କରୁଛି । ରାହୁଲଙ୍କୁ ସମର୍ଥନ ଦେଇ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ଗତକାଲିି ‘ଇଣ୍ଡିଆ ଟୁଡେ’ କନକ୍ଲାଭରେ କହିଛନ୍ତି, ବ୍ରିଟେନ ଗସ୍ତ ଅବସରରେ ରାହୁଲ ବିଭିନ୍ନ କାର୍ଯ୍ୟକ୍ରମରେ ଯେଉଁ ବକ୍ତବ୍ୟ ରଖିଛନ୍ତି ସେଥିରେ କେଉଁଠି ବି ବିଦେଶୀ ରାଷ୍ଟ୍ରମାନେ ଭାରତୀୟ ଗଣତନ୍ତ୍ରରେ ହସ୍ତକ୍ଷେପ କରିବାକୁ କହି ନାହାନ୍ତି ବା ସେଥିରେ କାଣିଚାଏ ଦେଶ ବିରୋଧୀ ମନ୍ତବ୍ୟ ନାହିଁ । ଦେଶରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ରହିଛି । ସେସବୁ ଆଲୋଚନାର ପ୍ରସଙ୍ଗ ନହୋଇ ରାହୁଲ କ୍ଷମା ମାଗିବା ଦାବିରେ ଶାସକ ଦଳ ସଂସଦକୁ ଅଚଳ କରିବା ଦୁଃଖଦାୟକ । ବିଦେଶ ମାଟିରେ ରାହୁଲ ସେଭଳି କିଛି କହି ନଥିବାରୁ କ୍ଷମା ମାଗିବା ପ୍ରଶ୍ନ ଉଠୁ ନାହିଁ ।
ଅପରପକ୍ଷରେ, ‘ଇଣ୍ଡିଆ ଟୁଡେ’ ଦିଲ୍ଲୀ କନକ୍ଲାଭରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଶୁକ୍ରବାର କହିଛନ୍ତି, ସଂସଦରେ ଯେଉଁ ଅଚଳାବସ୍ଥା ସୃଷ୍ଟି ହୋଇଛି ତାହା ଦୂର ପାଇଁ ବିରୋଧୀ କଥାବାର୍ତ୍ତା ମାଧ୍ୟମରେମଝି ରାସ୍ତା ବାହାର କରିବାକୁ ଆଗେଇ ଆସିବା ଆବଶ୍ୟକ । ସେମାନେ ଦୁଇ ପାଦ ଆଗକୁ ବଢିଲେ ସରକାର ମଧ୍ୟ ଦୁଇ ପାଦ ଆଗକୁ ବଢିବେ । ଏଭଳି କିଛି ବିଷୟବସ୍ତୁ ଅଛି ଯାହା ରାଜନୀତିରୁ ଉଦ୍ଧ୍ୱର୍ରେ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମଧ୍ୟ ଘରୋଇ ରାଜନୀତିକୁ ନେଇ ବିଦେଶ ମାଟିରେ ଆଲୋଚନା କରିବାକୁ ମନା କରୁଥିଲେ । ସଂସଦୀୟ ବ୍ୟବସ୍ଥା କେବଳ ଶାସକ ବା ବିରୋଧୀଙ୍କୁ ନେଇ ଚାଲେନି । ଉଭୟ ପକ୍ଷ ମଧ୍ୟରେ କଥାବାର୍ତ୍ତାର ଆବଶ୍ୟକତା ରହିଛି । ଶାସକ ଦଳର ଉଦ୍ୟମ ସତ୍ତ୍ୱେ ବିରୋଧୀ କଥାବାର୍ତ୍ତା କରିବାକୁ ଚାହୁଁ ନାହାନ୍ତି । ଖାଲି ମିଡ଼ିଆ ନିକଟକୁ ଧାଉଁଛନ୍ତି । ସେମାନେ ସଂସଦରେ ବକ୍ତବ୍ୟ ରଖିବାର ଅଧିକାର କଥା କହୁଛନ୍ତି, ସଂସଦରେ ଏନେଇ ପୂର୍ଣ୍ଣ ସ୍ୱାଧୀନତା ରହିଛି । କିଏ ସେମାନଙ୍କୁ ରୋକୁଛି (?) ବୋଲି ଶାହା ଓଲଟା ପ୍ରଶ୍ନ କରିଛନ୍ତି ।
ଲଣ୍ଡନରେ ରାହୁଲଙ୍କ ବକ୍ତବ୍ୟକୁ ନେଇ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନରେ ‘ତୁ ତୁ..ମେଁ ମେଁ’ ଚାଲି ଥିବା ବେଳେ ସଂସଦ ବାହାରେ ବିରୋଧୀଙ୍କୁ ଘେରିବା ପାଇଁ ଯେଭଳି ଉଦ୍ୟମ ହେଉଛି ତାହା ମାସେ ଦୁଇ ମାସ ମଧ୍ୟରେ ହୋଇଥିବା ବିଭିନ୍ନ କାର୍ଯ୍ୟାନୁଷ୍ଠାନରୁ ସୂଚନା ମିଳୁଛି । ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ‘ଆମ୍ ଆଦମୀ ପାର୍ଟି’ ନେତା ମନୀଷ ସିସୋଦିଆ ଗତ ମାସରୁ ଗିରଫ ହୋଇ ଜେଲରେ ଅଛନ୍ତି । ପ୍ରଥମେ ସିବିଆଇ ଓ ପରେ ଇଡି (ପ୍ରବର୍ତ୍ତନ ନିର୍ଦେଶାଳୟ) ତାଙ୍କୁ ଗିରଫ କରି ଲମ୍ବା ସମୟ ପାଇଁ ଜେଲରେ ରଖିବା ବ୍ୟବସ୍ଥା କରିଛି । ସିବିଆଇ ସିସୋଦିଆଙ୍କୁ ଦୁଇ ପର୍ଯ୍ୟାୟରେ ସାତ ଦିନ ରିମାଣ୍ଡରେ ନେଇ ଜେରା କରିଥିଲା । ସିସୋଦିଆ ଦିଲ୍ଲୀ ତିହାର ଜେଲରେ ଥିବା ସମୟରେ ଇଡି ମଧ୍ୟ ମନିଲଂଡରିଂ ମାମଲା ତଦନ୍ତ ନାମରେ ତାଙ୍କୁ ଏକାଧିକ ଥର ଜେରା କରି ପରେ ଗିରଫ କରିଛି । ସିସୋଦିଆଙ୍କୁ ଇଡି ସାତ ଦିନ ରିମାଣ୍ଡରେ ନେଇ ଜେରା କରିଥିଲା । ରିମାଣ୍ଡ ଅବଧି ସରିବା ପରେ ଗତକାଲି ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟରେ ହାଜର କରି ତାଙ୍କୁ ଅଧିକ ପାଂଚ ଦିନ ରିମାଣ୍ଡ ମାଗିଛି ।
ପୂର୍ବଦିନ ସିବିଆଇ ସିସୋଦିଆଙ୍କୁ ଆଉ ମାମଲାରେ ଛନ୍ଦିଛି । ରାଜନୈତିକ ଗୁପ୍ତଚର କାର୍ଯ୍ୟ ପାଇଁ ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାର ଏକ ଗୁପ୍ତଚର ଏଜେନ୍ସୀକୁ ନିଯୁକ୍ତି ଦେଇଥିଲେ ଏବଂ ସିସୋଦିଆଙ୍କ ଦ୍ୱାରା ତାହା ପରିଚାଳିତ ହେଉଥିଲା ବୋଲି ସିବିଆଇ ଅଭିଯୋଗ କରିଛି । ଯେଉଁଥିରେ କି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ମଧ୍ୟ ଫସିବାକୁ ଯାଉଛନ୍ତି ବୋଲି ବିଜେପି ପ୍ରବକ୍ତାମାନେ ଜାତୀୟ ଗଣମାଧ୍ୟମରେ ଖୋଲାଖୋଲି କହୁଛନ୍ତି । କେନ୍ଦ୍ର ସରକାର ବିରୋଧୀଙ୍କୁ ଦମନ କରିବା ପାଇଁ ତଦନ୍ତକାରୀ ସଂସ୍ଥାଙ୍କୁ ଦୁରୁପଯୋଗ କରୁଥିବା ନେଇ ବିରୋଧୀ ଲଗାତର ଅଭିଯୋଗ କରୁଥିବା ବେଳେ ଏହା ସିବିଆଇ, ଇଡି ଓ ଆୟକର ବିଭାଗର ଦୁର୍ନୀତି ମୂଳୋତ୍ପାଟନ ଅଭିଯାନ ବୋଲି କେନ୍ଦ୍ର ସରକାର ଦାବି କରୁଛନ୍ତି । ତେବେ, ବିରୋଧୀ ହିଁ କେବଳ ଦୁର୍ନୀତି କରୁଛନ୍ତି, ଶାସକ ଦଳରୁ କେହି ସିବିଆଇ ଓ ଇଡି ନଜରକୁ ଆସୁ ନାହାନ୍ତି କି (?) ବୋଲି ବିରୋଧୀଙ୍କ ଆଡୁ ପ୍ରଶ୍ନ ହେଉଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସିସୋଦିଆଙ୍କୁ ଗିରଫ କରି ଜେଲରେ ପୁରାଇ ବେଳେ ଏବେ ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ପାଳି ପଡୁଥିବା ଆଲୋଚନା ହେଉଛି ।
ତେଜସ୍ୱୀ ହେଉଛନ୍ତି ଆଜିର ଦିନରେ ଆରଜେଡିର ଜଣେ ପ୍ରମୁଖ ନେତା । ରେଳବାଇରେ ‘ଜମି ବଦଳରେ ନିଯୁକ୍ତି’ ମାମଲାରେ ସିବିଆଇ ତାଙ୍କୁ ୨୫ ତାରିଖ ଦିଲ୍ଲୀ କାର୍ଯ୍ୟାଳୟରେ ହାଜର ହେବାକୁ ସମନ କରିଛି । ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ) ମୁଖ୍ୟ ଲାଲୁ ପ୍ରସାଦ ଯାଦବ ୟୁପିଏ-୧ ସରକାରରେ ୨୦୦୪ରୁ ୨୦୦୯ ରେଳ ବିଭାଗ ମନ୍ତ୍ରୀ ଥିଲେ । ସେହି ସମୟରେ ଦେଶର ବିଭିନ୍ନ ରେଳବାଇ ଡିଭିଜନରେ ଗୃପ୍-ଡି ଚାକିରୀରେ ନିଯୁକ୍ତି ପାଇଁ ୪୦୦୦ ବେକାର ଯୁବକ, ଯୁବତୀଙ୍କଠାରୁ ଜମି ନିଆଯାଇଥିବା ଅଭିଯୋଗ ହୋଇଛି । ୟୁପିଏ ସରକାରରେ ସିବିଆଇ ମାମଲାର ତଦନ୍ତ କରୁଥିଲେ ମଧ୍ୟ ଯଥେଷ୍ଟ ପ୍ରମାଣ ହସ୍ତଗତ ହୋଇନଥିବା ଦର୍ଶାଇ ମାମଲାକୁ ବନ୍ଦ କରି ଦେଇଥିଲା । ପରେ, ୨୦୧୪ରେ କେନ୍ଦ୍ରରେ ବିଜେପି ନେତୃତ୍ୱରେ ଏନଡିଏ ସରକାର ପ୍ରତିଷ୍ଠା ହେବା ପରେ ମାମଲା ଖୋଲିଛି । ସିବିଆଇ ଓ ଇଡି ବିଭିନ୍ନ ଦିଗରୁ ଏହି ମାମଲାର ତଦନ୍ତ କରୁଛନ୍ତି ।ସିବିଆଇ ଲାଲୁ ଯାଦବ, ତାଙ୍କ ପତ୍ନୀ ରାବ୍ରୀ ଦେବୀ ଓ ଝିଅ ମିଶା ଭାରତୀଙ୍କୁ ଜେରା କରିଛନ୍ତି । ଇଡି ଦେଶର ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ନଗଦ ଅର୍ଥ ଓ ସଂପତ୍ତି ଠାବ କରିଥିବା ଦାବି କରୁଛି ।
ସିବିଆଇ ମାମଲାରେ ଲାଲୁ, ରାବ୍ରୀ ଓ ମିଶା ଭାରତୀ ଜାମିନ ପାଇଥିବା ବେଳେ ଲାଲୁ ପୁତ୍ର ତେଜସ୍ୱୀଙ୍କୁ ୨୫ ତାରିଖ ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି । ତେଜସ୍ୱୀ ସିବିଆଇ ସମନ ବିରୋଧରେ ଦିଲ୍ଲୀ ହାଇକୋର୍ଟକୁ ଯାଇଥିଲେ ମଧ୍ୟ ରିଲିଫ ପାଇ ନାହାନ୍ତି । ତେବେ, ମାର୍ଚ୍ଚ ମାସରେ ସେ ଗିରଫ ହେବେ ନାହିଁ ବୋଲି କୋର୍ଟରୁ ଆଶ୍ୱସ୍ତି ମିଳିଥିବା ସୂଚନା ମିଳିଛି । ବିରୋଧୀଙ୍କ ସଂକଟ କେବଳ ଦିଲ୍ଲୀ, ବିହାରରେ ସୀମିତ ନାହିଁ । ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ତେଲେଂଗାନାରେ ମଧ୍ୟ ତାହାର ପଦଧ୍ୱନୀ ଶୁଣିବାକୁ ମିଳୁଛି । ଦିଲ୍ଲୀ ଅବକାରୀ ଦୁର୍ନୀତିରେ ଦକ୍ଷିଣୀ ଲବିର ସଂପୃକ୍ତିକୁ ନେଇ ତେଲେଂଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ କନ୍ୟା ତଥା ବିଆରଏସ୍ (ଭାରତ ରାଷ୍ଟ୍ର ସମିତି) ବିଧାନ ପରିଷଦ ସଦସ୍ୟା କେ.କେବିତାଙ୍କ ଘନିଷ୍ଟ ସହଯୋଗୀଙ୍କୁ ଇଡି ଗିରଫ କରିଥିଲା । ପରେ, ଇଡି କବିତାଙ୍କୁ ମାର୍ଚ୍ଚ ୧୧ ତାରିଖରେ ନିଜ ଦିଲ୍ଲୀ କାର୍ଯ୍ୟାଳୟକୁ ଡକାଇ ଦୀର୍ଘ ସମୟ ଜେରା କରିଛି । ୧୬ ତାରିଖ ଦିନପୁଣି ଥରେ ତାଙ୍କୁ ହାଜର ହେବାକୁ ସମନ ହୋଇଥିଲେ ମଧ୍ୟ ଏତଲା ରଦ୍ଦ କରିବାକୁ କବିତା ସୁପ୍ରିମ କୋର୍ଟରେ ଆବେଦନ କରିଥିବାରୁ ଏବଂ ତାହା ବିଚାରାଧୀନ ଥିବାରୁ ସେଦିନ ଇଡି କାର୍ଯ୍ୟାଳୟକୁ ଯାଇନଥିଲେ । ବିଆରଏସ୍ ସାଧାରଣ ସଂପାଦକ ସୋମା ଭରତ କୁମାର ଇଡି କାର୍ଯ୍ୟାଳୟକୁ ଯାଇ ଇଡି ଚାହୁଁଥିବା କାଗଜପତ୍ର ଦାଖଲ କରିଥିଲେ ।
କିନ୍ତୁ, ଇଡି ପ୍ରତ୍ୟକ୍ଷ ଭାବେ କବିତାଙ୍କୁ ଜେରା କରିବାକୁ ଚାହୁଁଥିବା ଦର୍ଶାଇ ପୁନର୍ବାର ୨୦ ତାରିଖ ହାଜର ହେବାକୁ ସମନ କରିଛି । କବିତା ସୁପ୍ରିମ କୋର୍ଟରେ ତାଙ୍କ ଆବେଦନର ଜରୁରୀ ଶୁଣାଣୀ ପାଇଁ ଗତକାଲି ଆବେଦନ କରିଥିଲେ ମଧ୍ୟ କୋର୍ଟ ତାହାକୁ ଖାରଜ କରିଛନ୍ତି । ପୂର୍ବରୁ ନିର୍ଦ୍ଧାରିତ ମାର୍ଚ୍ଚ ୨୪ରେ ହିଁ କବିତାଙ୍କ ଆବେଦନର ଶୁଣାଣୀ ହେବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି । କବିତାଙ୍କ ଓକିଲ ସୁପ୍ରିମ କୋର୍ଟରେ ଦର୍ଶାଇ ଥିଲେ ଯେ, ଦିଲ୍ଲୀ ଅବକାରୀ ଦୁର୍ନୀତିକୁ ନେଇ ସିବିଆଇ କିମ୍ବା ଇଡି ଅଦାଲତରେ ଦାଖଲ କରିଥିବା ଅଭିଯୁକ୍ତ ତାଲିକାରେ କବିତାଙ୍କ ନାମ ନାହିଁ । ତେଣୁ, କବିତାଙ୍କୁ ଇଡି କାର୍ଯ୍ୟାଳୟକୁ ସମନ କରିବା ଆଇନ ବିରୋଧୀ ।ତଦନ୍ତକାରୀ ସଂସ୍ଥା କହୁଛନ୍ତି, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ସହ ଯେଉଁ ଦକ୍ଷିଣୀ ଲବିର ସଂପୃକ୍ତି ରହିଛି ତାହା କେ.କବିତାଙ୍କ ଦ୍ୱାରା ପରିଚାଳିତ ହେଉଥିବା ସୁରାକ ମିଳିଛି । ଦିଲ୍ଲୀରେ ମଦ ବ୍ୟବସାୟ ହାତେଇବାକୁ ଦକ୍ଷିଣୀ ଲବି ରାଜ୍ୟ ସରକାରଙ୍କୁ ୧୦୦ କୋଟି ଟଙ୍କା ଲାଂଚ ଦେଇଥିବା ଅଭିଯୋଗ ଥିବାରୁ କବିତାଙ୍କୁ ଜେରା କରାଯାଉଛି । ଜରୁରୀ ଶୁଣାଣୀ ପାଇଁ କବିତାଙ୍କ ଆବେଦନକୁ ସୁପ୍ରିମ କୋର୍ଟ ମନା କରିବା ସମୟରେ ଇଡି ମାର୍ଚ୍ଚ ୨୦ ତାରିଖରେ ତାଙ୍କୁ ହାଜର ହେବାକୁ ପୁନର୍ବାର ନୋଟିସ ଦେଇଥିବାରୁ କବିତା ସେଦିନ ଇଡିରେ ହାଜର ହେବେ କି ନାହିଁ, ଯଦି ହାଜର ହେବେ ତାଙ୍କୁ ଗିରଫ କରାଯିବ କି (?) ବୋଲି ପ୍ରଶ୍ନ ହେଉଛି ।
ଏସବୁ ଘଟଣାକୁ ତର୍ଜମା କଲେ ଦେଶରେ ବିରୋଧୀ କିଭଳି ଶାସକ ଦଳର ଚକ୍ରବ୍ୟୁହରେ ଫସିଛନ୍ତି ତାହା ସ୍ପଷ୍ଟ ହେଉଛି । ମହାଭାରତରେ ଭଗବାନ ଶ୍ରୀକୃଷ୍ଣ ଓ ପଣ୍ଡୁ ପୁତ୍ର ଅର୍ଜୁନ ହିଁ ଚକ୍ରବ୍ୟୁହରେ ପ୍ରବେଶ ଓ ସେଥିରୁ ବାହାରିବାର ଭେଦ ଜାଣିଥିଲେ । ଅର୍ଜୁନ ପୁତ୍ର ଅଭିମନ୍ୟୁ ଅଧା ଜାଣି ଚକ୍ରବ୍ୟୁହରେ ପ୍ରବେଶ କରିଥିଲେ ସିନା ବାହାରି ନପାରି ଶେଷରେ କୌରବ ରଥୀଙ୍କ ଦ୍ୱାରା ମୃତ୍ୟୁବରଣ କରିଥିଲେ । ଆଜି ଶାସକ ଦଳ ବିରୋଧୀଙ୍କ ପାଇଁ ସେଭଳି ଚକ୍ରବ୍ୟୁହ ରଚନା କରି ସିବିଆଇ, ଇଡି ଓ ଅନ୍ୟ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କୁ ବ୍ୟବହାର କରୁଛି । ତାହାକୁ ଭେଦିବା ଓ ବିଜୟୀ ହୋଇ ଫେରିବା ବାଟ କେବଳ ଶ୍ରୀକୃଷ୍ଣ ଓ ଅର୍ଜୁନ ହିଁ ଜାଣିଥିଲେ । ଆଜି ଦିନରେ ଶାସକ ଦଳର ଚକ୍ରବ୍ୟୁହ ଭୋଦିବା ରହସ୍ୟ ଜାଣିଥିବା ଜଣେ ବିରୋଧୀ ନେତାଙ୍କ ଆବଶ୍ୟକତା ଥିବା ଆଲୋଚନା ହେଉଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏଭଳି କିଏ ବିରୋଧୀ ନେତା ମିଳିତ ବିରୋଧୀ ଦଳର ନେତୃତ୍ୱ ନେବାକୁ ଆଗକୁ ଆସିବେ ତାହା ଦେଖିବାକୁ ଦେଶବାସୀ ଅପେକ୍ଷାରେ ଅଛନ୍ତି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS