ରାହୁଲ ଗାନ୍ଧୀଙ୍କ ବାସଭବନରେ ଦିଲ୍ଲୀ ପୁଲିସ !


ପ୍ରସାଦ ରାଓ
ନୂଆଦିଲ୍ଲୀ, ମାର୍ଚ୍ଚ ୧୯
ଆଜି ଦିଲ୍ଲୀ ପୁଲିସ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବାସଭବନରେ ପହଂଚିବା ଘଟଣା ଜାତୀୟ ରାଜନୀତିକୁ ସରଗରମ କରିଛି । ୪୫ ଦିନ ତଳେ ରାହୁଲ ଗାନ୍ଧୀ ‘ଭାରତ ଯୋଡୋ’ ଯାତ୍ରା ସମୟରେ ‘ଯୌନ ନିର୍ଯ୍ୟାତନା’ ପୀଡିତଙ୍କୁ ନେଇ ଏକ ବକ୍ତବ୍ୟ ରଖିଥିଲେ । ଦିଲ୍ଲୀ ପୁଲିସ ଏହି ମାମଲାରେ ରାହୁଲଙ୍କୁ ସ୍ପଷ୍ଟୀକରଣ ମାଗିବା ସହ ମାର୍ଚ୍ଚ ୧୬ରେ ନୋଟିସ ଜାରି କରିଥିଲେ । ତାହାର ଉତ୍ତର ମିଳିନଥିବା ଦର୍ଶାଇ ଦିଲ୍ଲୀ ପୁଲିସ ସ୍ପେଶାଲ ସିପି (ଆଇନ ଶୃଙ୍ଖଳା) ସାଗର ପ୍ରୀତ ହୁଡାଙ୍କ ନେତୃତ୍ୱରେ ଏକ ପୁଲିସ ଦଳ ଆଜି ସକାଳେ ରାହୁଲଙ୍କ ୧୨, ତୁଗଲମ ଲେନ୍ ସରକାରୀ ବାସଭବନରେ ପହଂଚି ଯାଇଥିଲେ, ଯାହାକି କଂଗ୍ରେସକୁ କ୍ଷୁବ୍ଧ କରିଛି । ରାହୁଲ ଗାନ୍ଧୀ ଜଣେ ଜାତୀୟ ନେତା ଓ ସାଂସଦ ହୋଇଥିବା ବେଳେ ୪୫ ଦିନ ତଳେ ଦେଇଥିବା ଏକ ବକ୍ତବ୍ୟକୁ ନେଇ ପୁଲିସ ତାଙ୍କୁ ଜେରା କରିବାକୁ ଘରେ ପହଂଚି ଯିବା କେନ୍ଦ୍ର ସରକାରଙ୍କ ସବୁଜ ସଂକେତ ବିନା ସମ୍ଭବ ନୁହେଁ ବୋଲି କଂଗ୍ରେସ କହିଛି । ଏଆଇସିସି ସାଧାରଣ ସଂପାଦକ (ଗଣଯୋଗାଯୋଗ) ଜୟରାମ ରମେଶ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଆଡକୁ ଆଂଗୁଠି ଉଠାଇଛନ୍ତି । କଂଗ୍ରେସର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ କୁହାଯାଇଛି, ଆଦାନୀ ମାମଲାକୁ ନେଇ କେନ୍ଦ୍ର ସରକାର କେତେ ବିବ୍ରତ ତାହା ଏହି କାର୍ଯ୍ୟାନୁଷ୍ଠାନରୁ ଜଣାପଡୁଛି । ରମେଶ କହିଛନ୍ତି, ‘ଭାରତ ଯୋଡୋ’ ପଦଯାତ୍ରା ସମୟରେ ‘ଯୌନ ନିର୍ଯ୍ୟାତନ’ ପୀଡିତଙ୍କୁ ନେଇ ରାହୁଲ ଗାନ୍ଧୀ ଯେଉଁ ବକ୍ତବ୍ୟ ରଖି ଥିଲେ ସେଥିରେ ଦିଲ୍ଲୀ ପୁଲିସ ଯଦି ଏତେଦୂର ଉଦବିଗ୍ନ ଥିଲେ ଫେବୃୟାରୀ ମାସରେ ହିଁ ରାହୁଲଙ୍କ ବୟାନ ଲିପିବଦ୍ଧ କରିବା ଉଚିତ ଥିଲା । ତାହା ନକରି ବୟାନ ଦେବାର ୪୫ ଦିନ ପରେ ରାହୁଲଙ୍କୁ ଦିଲ୍ଲୀ ପୁଲିସ ନୋଟିସ ଜାରି କରିବା ଓ ଆଜି ଜେରା ପାଇଁ ତାଙ୍କ ସରକାରୀ ବାସଭବନରେ ପହଂଚି ଯିବା ଆଦାନୀ ପ୍ରସଙ୍ଗକୁ ନେଇ ଶାସକ ବିଜେପି କେତେଦୂର ଉଦ୍ବିଗ୍ନ ତାହା ସୂଚିତ କରୁଛି । ଆଇନ ଅନୁଯାୟୀ ୱାଇନାଡ ସାଂସଦଙ୍କ ଲିଗାଲ ଟିମ୍ ପୁଲିସକୁ ନୋଟିସର ଉତ୍ତର ଦେବେ । ଦିଲ୍ଲୀ ପୁଲିସ ରାହୁଲଙ୍କୁ ଜେରା କରିବାକୁ ତାଙ୍କ ବାସଭବନରେ ପହଂଚିବା ପୁଲିସର ଔଧତ୍ୟକୁ ସୂଚିତ କରୁଛି ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ କହିଛନ୍ତି । ସେ ମଧ୍ୟ ଏଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଶାହାଙ୍କ ଆଡକୁ ଆଂଗୁଠି ଦେଖାଇଛନ୍ତି । ଦେଶବାସୀ ସବୁ ଦେଖୁଛନ୍ତି, ଠିକ୍ ସମୟରେ ଏହାର ଉଚିତ ଜବାବ ଦେବେ ବୋଲି ଗେହେଲୋଟ କହିଛନ୍ତି । କଂଗ୍ରେସ ନେତା ପବନ ଖେରା ମଧ୍ୟ କହିଛନ୍ତି, ରାହୁଲ ଗାନ୍ଧୀ ‘ଭାରତ ଯୋଡୋ’ ଯାତ୍ରା ସମୟରେ ୟୁପିର ହତରସରୁ ଆରମ୍ଭ କରି କାଠୁଆ ପର୍ଯ୍ୟନ୍ତ ଏକାଧିକ ଦୁଷ୍କର୍ମ ମାମଲା ପୀଡିତଙ୍କ କଥା ଉଠାଇ ଥିଲେ ଏବଂ ସେମାନଙ୍କୁ ନ୍ୟାୟ ଦେବାରେ ସରକାର କଣ କରିଛନ୍ତି (?) ବୋଲି ପ୍ରଶ୍ନ କରିଥିଲେ । ରାହୁଲଙ୍କ ମୁହଁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ଦିଲ୍ଲୀ ପୁଲିସକୁ ମାଧ୍ୟମ କରିଛନ୍ତି । ‘ପୁଲିସ କେବେ ଧମକ ଦିଏନି, ସେମାନଙ୍କ ପଛରେ ଥିବା ଶାସନତନ୍ତ୍ରର ଏହା କାର୍ଯ୍ୟ’ ବୋଲି ଖେରା ଗଣମାଧ୍ୟମକୁ କହିଛନ୍ତି । ରାହୁଲ ଗାନ୍ଧୀ ‘ଭାରତ ଯୋଡୋ’ ଯାତ୍ରାର ଉଦ୍ୟାପନ ଦିବସରେ ଶ୍ରୀନଗରରେ ଭାଷଣ ଦେବା ସମୟରେ କହିଥିଲେ, ପଦଯାତ୍ରା ବେଳେ ତାଙ୍କ ସଂସ୍ପର୍ଶରେ ଅନେକ ମହିଳା ଆସିଛନ୍ତି ଏବଂ ସେମାନଙ୍କ ସମସ୍ୟା କହିଛନ୍ତି । କିଛି ସେମାନଙ୍କ ପ୍ରତି ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ କରିଛନ୍ତି । ଦିଲ୍ଲୀ ପୁଲିସ ରାହୁଲଙ୍କ ଏହି ଭାଷଣକୁ ତଦନ୍ତ ପରିସରଭୁକ୍ତ କରି ଏସଂପର୍କରେ ଅଧିକ ତଥ୍ୟ ରଖିବାକୁ ମାର୍ଚ୍ଚ ୧୬ରେ ନୋଟିସ କରିଥିଲେ । ପୁଲିସ କହିଛି, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ତାଙ୍କ ଶ୍ରୀନଗର ଭାଷଣରେ ଅଭିଯୋଗ କରିଥିଲେ, ‘ଭାରତ ଯୋଡୋ’ ପଦଯାତ୍ରା ସମୟରେ ଜଣେ ଯୁବତୀ ତାଙ୍କ ନିକଟକୁ ଆସି ନିର୍ଯ୍ୟାତନାର ଶିକାର ହୋଇଥିବା ଅଭିଯୋଗ କରିଥିଲେ ଏବଂ ଏସଂପର୍କରେ ପୁଲିସକୁ ସୂଚିତ କରିବା କି (?) ବୋଲି ରାହୁଲ ପ୍ରଶ୍ନ କରିବାରୁ ଯୁବତୀ ଜଣକ ମନା କରି ଏହାଦ୍ୱାରା ତାଙ୍କୁ ଲଜ୍ଜିତ ହେବାକୁ ପଡିବ ବୋଲି କହିଥିଲେ ବୋଲି ରାହୁଲ ତାଙ୍କ ଭାଷଣରେ କହିଛନ୍ତି । ଏସଂପର୍କରେ ଅଧିକ ସୂଚନା ପାଇବାକୁ ରାହୁଲଙ୍କୁ ନୋଟିସ କରାଯାଇଛି । ଦିଲ୍ଲୀ ପୁଲିସର ଟିମ୍ ଆଜି ସକାଳେ ରାହୁଲ ଗାନ୍ଧୀଙ୍କ ସରକାରୀ ବାସଭବନ ନିକଟରେ ଏକ ଘଂଟରୁ ଅଧିକ ସମୟ ଅପେକ୍ଷା କରିବା ପରେ ରାହୁଲ ବାହାରକୁ ଆସି ପୁଲିସ ଟିମ୍ କୁ ଭେଟି ଥିଲେ ଓ ଆଲୋଚନା କରିବା ପରେ ନିଜ ଗାଡି ଡ୍ରାଇଭ କରି ପଳାଇ ଥିଲେ । ପୁଲିସ ମଧ୍ୟ ଫାଟକ ନିକଟରୁ ଫେରି ଯାଇଥିଲେ । ‘ଭାରତ ଯୋଡୋ’ ପଦଯାତ୍ରା ଏକ ଲମ୍ବା ଯାତ୍ରା ଥିଲା । ତେଣୁ, ଏବେ ତାଙ୍କର କିଛି ମନେ ନାହିଁଁ ବୋଲି ରାହୁଲ ଗାନ୍ଧୀ ପୁଲିସକୁ କହିଥିବା ଏବଂ ଏହି ବୟାନ ରେକର୍ଡ କରାଯିବ କହି ପୁଲିସ ତାଙ୍କୁ ଆଉ ଏକ ନୋଟିସ ଧରାଇ ଫେରି ଯାଇଥିବା ଜଣାପଡିଛି । ତେବେ, ଏଥିପାଇଁ କୌଣସି ନିର୍ଦ୍ଧିଷ୍ଟ ସମୟ ସୀମା ଦିଆଯାଇନାହିଁ ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS