ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବଢୁଛି ?
ପ୍ରସାଦ ରାଓ
ନୂଆଦିଲ୍ଲୀ, ମାର୍ଚ୍ଚ ୨୦
ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବଢୁଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ବିଗତ ୨୪ ଘଂଟା ମଧ୍ୟରେ ଚିହ୍ନଟ ହୋଇଥିବା ନୂଆ ରୋଗୀ ସଂଖ୍ୟାକୁ ନେଇ ଏଭଳି ଏକ ଆଶଙ୍କା ସାମ୍ନାକୁ ଆସିଛି । ସୋମବାର ସକାଳ ସୁଦ୍ଧା ବିଗତ ୨୪ ଘଂଟା ମଧ୍ୟରେ ଦେଶରୁ ନୂଆ ୯୧୮ଟି କୋଭିଡ଼ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବା ସମୟରେ ୪ଟି ମୃତ୍ୟୁ ଘଟିଛି । ଏଥିରୁ ଦୁଇଟି ରାଜସ୍ଥାନରୁ, ଗୋଟିଏ କର୍ଣ୍ଣାଟକ ଓ ଗୋଟିଏ କେରଳରୁ ରିପୋର୍ଟ ହୋଇଥିବା ଜଣାପଡିଛି । ଦେଶରେ ଦୈନିକ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ସଂଖ୍ୟା ୫୦୦ ରହିବାର ଗୋଟିଏ ସପ୍ତାହ ପରେ ଶନିବାର ତାହା ଦ୍ୱିଗୁଣିତ ହୋଇ ଏକ ହଜାର ଟପିଛି । ଗତ ଏକ ସପ୍ତାହ ମଧ୍ୟରେ ଦେଶର କିଛି ରାଜ୍ୟରେ କରୋନା ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଇଥିବା ଏଥିରୁ ସୂଚନା ମିଳୁଛି । ଚିହ୍ନଟ ହୋଇଥିବା ଅଧିକାଂଶ ନୂଆ ସଂକ୍ରମିତ ପଶ୍ଚିମ ଓ ଦକ୍ଷିଣ ଭାରତର ହୋଇଥିଲେ ମଧ୍ୟ ଉତ୍ତର ଭାରତରେ ମଧ୍ୟ ସଂକ୍ରମଣ ବଢିବା ଆରମ୍ଭ କରିଥିବା ଏକ ଜାତୀୟ ଇଂରାଜୀ ଦୈନିକରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି । ଗତ ବର୍ଷ ନଭେମ୍ବର ମାସ ୬ ତାରିଖରେ ଦେଶରେ ଗୋଟିଏ ଦିନରେ ସର୍ବାଧିକ ଏକ ହଜାର କୋଭିଡ଼ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାପରେ ପ୍ରଥମ ଥର ପାଇଁ ଗତ ଶନିବାର ଗୋଟିଏ ଦିନରେ ୧,୦୭୧ ନୂଆ କେଶ୍ ଚିହ୍ନଟ ହୋଇଛି । ମାର୍ଚ୍ଚ ୧୨ରୁ ୧୮ ସାତ ଦିନ ମଧ୍ୟରେ ଦେଶରେ ୪,୯୨୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ କେଶ୍ ସଂଖ୍ୟା ପୂର୍ବ ସପ୍ତାହ ତୁଳନାରେ ୮୫ ପ୍ରତିଶତ ଅଧିକ ଥିବା ଜଣାପଡିଛି । ପୂର୍ବ ସପ୍ତାହରେ ଏହି ସଂଖ୍ୟା ଥିଲା ୨, ୬୭୧ । ଦୈନିକ କୋଭିଡ଼ ରୋଗୀ ପଂଜୀକରଣ କ୍ଷେତ୍ରରେ ମଧ୍ୟ ସାତ ଦିନିଆ ହାରିହାରି ସଂଖ୍ୟା ଗତ ଆଠ ଦିନ ହେଲା ଦ୍ୱିଗୁଣିତ ହୋଇଛି । ମାର୍ଚ୍ଚ ୧୦ ତାରିଖରେ ଏହି ସଂଖ୍ୟା ୩୫୩ ଥିବା ବେଳେ ମାର୍ଚ୍ଚ ୧୮ରେ ୭୦୪ ହୋଇଛି । ଗତ ସପ୍ତାହରେ କୋଭିଡ଼ ସଂକ୍ରମଣ ମାମଲା ୧୧ ଦିନରେ ଦ୍ୱିଗୁଣିତ ହୋଇଥିବା ବେଳେ ଚଳିତ ସପ୍ତାହରେ ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଇଥିବା ରବିବାରର ସୂଚନାରୁ ଜଣାପଡିଛି । ରବିବାର ଦେଶରେ ସକ୍ରୀୟ କେରାନା ରୋଗୀ ସଂଖ୍ୟା ୬ ହଜାର ଟପିଛି । ପୂର୍ବ ରବିବାର ଏହି ସଂଖ୍ୟା ଥିଲା ୩,୭୭୮ । କିନ୍ତୁ, ଦେଶରେ ଟେଷ୍ଟ ପଜେଟିଭିଟି ରେଟ୍ (ଟିପିଆର) ସେଭଳି ଆଖିଦୃାିଆ ବଢି ନଥିବାରୁ କୋଭିଡ଼ ସଂକ୍ରମଣ ଏପର୍ଯ୍ୟନ୍ତ କିଛି ରାଜ୍ୟରେ ସୀମିତ ଥିବା ଏବଂ ଅନ୍ୟାନ୍ୟ ଅଂଚଳକୁ ବ୍ୟାପି ନଥିବା ଅନୁମାନ କରିହେଉଛି । ଗତ ଶନିବାର ଦୈନିକ କୋଭିଡ଼ ଟିପିଆର ଏକ ପ୍ରତିଶତ ଟପି ଥିଲା । ସାତ ଦିନିଆ ହାରାହାରି ଟିପିଆର ପାଖାପାଖି ୦.୮ ପ୍ରତିଶତ ରହିଛି । ତେବେ, ଧୀରେ ଧୀରେ ସଂକ୍ରମଣ ବଢୁଥିବା କୁହାଯାଉଛି । ଗତ ସାତ ଦିନ ମଧ୍ୟରେ ନୂଆ କୋଭିଡ଼ ରୋଗୀ ଚିହ୍ନଟ କ୍ଷେତ୍ରରେ ମହାରାଷ୍ଟ୍ର କର୍ଣ୍ଣାଟକକୁ ଟପି ଯାଇଛି । ସପ୍ତାହକ ପୂର୍ବରୁ କର୍ଣ୍ଣାଟକରୁ ସର୍ବାଧିକ ସଂଖ୍ୟକ ନୂଆ ରୋଗୀ ଚିହ୍ନଟ ହୋଇଥିଲା । ଗତ ମାର୍ଚ୍ଚ ୧୨ରୁ ୧୮ ତାରିଖ ମଧ୍ୟରେ ମହାରାଷ୍ଟ୍ରରେ ୧,୧୬୫ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି, ଯାହାକି ପୂର୍ବ ସପ୍ତାହ ତୁଳନାରେ ୨.୩ ଗୁଣ ଅଧିକ । କେରଳରେ ମଧ୍ୟ ଏହି ସଂଖ୍ୟା ୫୨୦ରୁ ୭୩୯କୁ ବୃଦ୍ଧି ପାଇଛି । କର୍ଣ୍ଣାଟକରେ ଏହି ସଂଖ୍ୟା ୫୮୪ରୁ ୬୫୬କୁ ବୃଦ୍ଧି ପାଇଥିବା ବେଳେ ବୃଦ୍ଧି ହାର ମନ୍ଥର ହୋଇଥିବା ସୂଚନା ମୁଳୁଛି । ଅପରପକ୍ଷରେ, ଗୁଜରାଟରେ କରୋନା ସଂକ୍ରମଣ ଦୃତ ଗତିରେ ବୃଦ୍ଧି ପାଉଥିବା ସୂଚନା ମିଳୁଛି । ଗତ ଶନିବାର ସୁଦ୍ଧା ଗୁଜରାଟରେ ସାତ ଦିନରେ ୬୬୦ ନୂଆ କୋଭିଡ଼ କେଶ୍ ଚିହ୍ନଟ ହୋଇଥିବା ବେଳେ ତାହାପୂର୍ବ ସପ୍ତାହରେ ଏହି ସଂଖ୍ୟା ଥିଲା ୧୯୦ । ପୂର୍ବ ସପ୍ତାହ ତୁଳନାରେ ଶନିବାର ଶେଷ ହୋଇଥିବା ସପ୍ତାହରେ ଚିହ୍ନଟ ନୂଆ କେଶ୍ ସଂଖ୍ୟା ୨.୫ ଗୁଣ ବୃଦ୍ଧି ପାଇଛି । ରବିବାର ସକାଳ ସୁଦ୍ଧା ଦେଶରେ ସକ୍ରୀୟ କୋଭିଡ଼ ରୋଗୀ ସଂଖ୍ୟା ୫,୯୧୫ ଥିବା ସମୟରେ ଏଥିରୁ ୭୦ ପ୍ରତିଶତ ୪ଟି ରାଜ୍ୟ ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ ଓ ଗୁଜରାଟର । ଆଜି ସକାଳ ସୁଦ୍ଧା ବିଗତ ୨୪ ଘଂଟା ମଧ୍ୟରେ ୯୧୮ଟି ନୂଆ କୋଭିଡ଼ ରୋଗୀ ଚିହ୍ନଟ ହେବା ପରେ ଦେଶରେ ମୋଟ ସକ୍ରୀୟ ରୋଗୀ ସଂଖ୍ୟା ସୋମବାର ସୁଦ୍ଧା ୬, ୩୫୦ ହୋଇଛି । ରବିିବାର ୧,୦୭୦ ନୂଆ କେଶ୍ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ କହୁଛି । ୨୦୨୨ ନଭେମ୍ବର ୬ରେ ଦୈନିକ ସର୍ବାଧିକ ଏକ ହଜାର ନୂଆ ରୋଗୀ ଚିହ୍ନଟ ହୋଇଥିଲେ । ୪ ମାସ ପରେ ଗତ ରବିବାର ୧,୦୭୦ ନୂଆ ରୋଗୀ ଚିହ୍ନଟ ହାଇଛନ୍ତି । ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି କେନ୍ଦ୍ର ସରକାର ସଂଶୋଧିତ ଗାଇଡଲାଇନ୍ ଜାରି କରିଛନ୍ତି । ଡାକ୍ତରୀ ପରାମର୍ଶ ବିନା ସାମାନ୍ୟ ଜ୍ୱର, କାଶ ରୋଗୀ ଆଂଟିବାୟୋଟିକ ନ ଖାଇବାକୁ ସରକାର ପରାମର୍ଶ ଦେଇଛନ୍ତି । କେରଳ, ମହାରାଷ୍ଟ୍ର ଓ ଗୁଜରାଟରୁ ସର୍ବାଧିକ ସଂଖ୍ୟକ ନୂଆ କେଶ୍ ଚିହ୍ନଟ ହୋଇଥିବାରୁ ଏହି ତିନିଟି ରାଜ୍ୟ ସମେତ ତେଲେଂଗାନା, ତାମିଲନାଡୁ ଓ କର୍ଣ୍ଣାଟକକୁ ଟେଷ୍ଟ୍, ଟ୍ରାକ୍, ଟ୍ରିଟମେଂଟ ଓ ଭ୍ୟାକ୍ସିନେସନ୍ ବଢାଇବାକୁ କୁହାଯାଇଛି । ଜରୁରୀ ପରିସ୍ଥିତି ଉପୁଜିଲେ କଂଟେନମେଂଟ ଷ୍ଟ୍ରାଟେଜି କଣ ହେବ ତାହା ଉପରେ ଆଲୋଚନା ପାଇଁ ଆଜି ଏକ ଉଚ୍ଚସ୍ତରୀୟ ମେଡିକାଲ୍ ଟିମ୍ ବୈଠକ ହେଉଥିବା ସୂଚନା ମିଳିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS