ମୃତ୍ୟୁଦଣ୍ଡକୁ କମ୍ ଯନ୍ତ୍ରଣାଦାୟକ କରିବା ପାଇଁ ଫାଶୀ ଦଉଡିର ବିକଳ୍ପ କଣ ହୋଇପାରେ ?
ପ୍ରସାଦ ରାଓ
ନୂଆଦିଲ୍ଲୀ, ମାର୍ଚ୍ଚ ୨୧
ଫାଶୀ ଆଦେଶ କାର୍ଯ୍ୟକାରୀ କରିବାକୁ ଯାଇ ଦଣ୍ଡିତ ବ୍ୟକ୍ତିଙ୍କୁ ଫାଶୀକାଠରେ ଝୁଲାଇ ଦିଆଯାଉଥିବା ଅତ୍ୟନ୍ତ କ୍ରୁର ଏବଂ ଯନ୍ତ୍ରଣାଦାୟିକ ହୋଇଥିବାରୁ ଅପେକ୍ଷାକୃତ କମ୍ ଯନ୍ତ୍ରଣା ଦେଇ ମୃତ୍ୟୁ ଦଣ୍ଡାଦେଶ କିଭଳି କାର୍ଯ୍ୟକାରୀ ହୋଇପାରିବ ବିକଳ୍ପ ଉପରେ ବିଚାର କରିବାକୁ ସୁପ୍ରିମ କୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, କାହାକୁ ଫାଶୀ ଦଉଡିରେ ଝୁଲାଇ ମୃତ୍ୟୁଦଣ୍ଡ ଦିଆଗଲେ ତାହା ଯନ୍ତ୍ରଣାଦାୟକ ହୋଇଥିବାରୁ କିଭଳି କମ୍ ଯନ୍ତ୍ରଣା ଦେଇ ଦଣ୍ଡାଦେଶ କାର୍ଯ୍ୟକାରୀ କରି ହେବ ସେହି ବିକଳ୍ପ ପଦ୍ଧତି ଉପରେ ବିଚାର ବିମର୍ଷ ଓ ତଥ୍ୟ ସଂଗ୍ରହ ଆରମ୍ଭ ହେବା ଆବଶ୍ୟକ । ଫାଶୀ ଦଉଡିରେ ଝୁଲାଇ କାହାରିକୁ ମୃତ୍ୟୁଦଣ୍ଡ ଦିଆଗଲେ ତାହାର ପ୍ରଭାବ ଉପରେ ଯଦି କିଛି ଗବେଷଣା ଫଳାଫଳ ରହିଛି ତାହା ସୁପ୍ରିମ କୋର୍ଟରେ ଉପସ୍ଥାପନ କରାଯିବାକୁ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ଆଟର୍ଣ୍ଣି ଜେନେରାଲ ଆର.ଭେଂକଟରମଣୀଙ୍କୁ ନିର୍ଦେଶ ଦେଇଛନ୍ତି । ଆଜି ‘ମୃତ୍ୟୁଦଣ୍ଡ ପାଇଥିବା ବ୍ୟକ୍ତିଙ୍କୁ ଫାଶୀ ବଦଳରେ ଯନ୍ତ୍ରଣାହୀନ ମୃତ୍ୟୁ ଦିଆଯିବା’ ନେଇ ହୋଇଥିବା ଏକ ପିଟିସନର ଶୁଣାଣୀ ସମୟରେ ସୁପ୍ରିମ କୋର୍ଟ ଏଭଳି ମତ ରଖିବା ସହ ଏହା ଉପରେ ବିଚାର ବିମର୍ଷ ପାଇଁ ଏକ ବିଶେଷଜ୍ଞ ପ୍ୟାନେଲ ଗଠନ କରିବା ବିଷୟ ବିଚାର କରାଯାଇପାରେ ବୋଲି ମଧ୍ୟ କହିଛନ୍ତି । ମୃତ୍ୟୁଦଣ୍ଡ ପାଇଥିବା ବ୍ୟକ୍ତିଙ୍କୁ ଫାଶୀକାଠରେ ନ ଝୁଲାଇ ଗୁଳି ମାରି, ବିଷାକ୍ତ ଇଂଜେକ୍ସନ୍ ପ୍ରୟୋଗ କରି କିମ୍ବା ଇଲେକ୍ଟ୍ରି ଚେୟାର ମାଧ୍ୟମରେ ମୃତ୍ୟୁଦଣ୍ଡ ଦିଆଯିବାକୁ ପିଟିସନରେ ବିକଳ୍ପ ଭାବେ ଉପସ୍ଥାପନ କରାଯାଇଛି । ମୃତ୍ୟୁଦଣ୍ଡ ପାଇଥିବା ବ୍ୟକ୍ତିଙ୍କୁ ଫାଶୀକାଠରେ ଝୁଲାଇ ଯେଉଁ ମୃତ୍ୟୁ ଦିଆଯାଉଛି ତାହା ଅତ୍ୟନ୍ତ ‘କ୍ରୁର ଓ ଯନ୍ତ୍ରଣାଦାୟକ’ ପଦ୍ଧତି ବୋଲି ଆଇନଜୀବୀ ରିଷି ମାଲହୋତ୍ରା ଲ’ କମିସନଙ୍କ ଏକ ରିପୋର୍ଟକୁ ପାଠ କରି କହିଛନ୍ତି । ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି, ନିଶ୍ଚିତ ଭାବେ ଏହା ମର୍ମସ୍ପର୍ଶୀ । ତେବେ, ଫାଶୀକାଠରେ ଝୁଲି ମୃତ୍ୟଦଣ୍ଡ ପାଉଥିବା ବ୍ୟକ୍ତିଙ୍କୁ କେତେମାତ୍ରାରେ ଯନ୍ତ୍ରଣା ହେଉଛି ତାହା ଉପରେ ଯଦି କିଛି ବୈଜ୍ଞାନିକ ପଦ୍ଧତି ଗବେଷଣା ହୋଇଛି ତାହାର ରିପୋର୍ଟ ଅଦାଲତରେ ଉପସ୍ଥାପନ କରାଯିବା ଆବଶ୍ୟକ । ଏହା ଉପରେ ଏକ ବିଶେଷଜ୍ଞ କମିଟି ଗଠନ କରିବା ବିଷୟ ଅଦାଲତ ବିଚାର କରିବେ । ମାମଲାର ପରବର୍ତ୍ତୀ ଶୁଣାଣୀ ମେ’ ୨କୁ ଧାର୍ଯ୍ୟ ହୋଇଛି । ଆଜି ପିଟିସନ ଉପରେ ଶୁଣାଣୀ ସମୟରେ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତିଓ ଅନ୍ୟ ବିଚାରପତିମାନେ ଫାଶୀ ଦଉଡିର ଝୁଲାଇ ମୃତ୍ୟୁଦଣ୍ଡ ଦିଆଯିବାର ବିଭିନ୍ନ ବିକଳ୍ପ ଉପରେ ଚର୍ଚ୍ଚା କରିଥିଲେ । ସୁପ୍ରିମ କୋର୍ଟ ବିଚାରପତି ପି.ଏସ.ନରସିଂହା ଆମେରିକାରେ ବିଷାକ୍ତ ଇଂଜେକ୍ସନ ପ୍ରୟୋଗ ମାଧ୍ୟମରେ ମୃତ୍ୟୁଦଣ୍ଡ ଦିଆଯାଉଥିବା ଉଲ୍ଲେଖ କରି ତାହା ମଧ୍ୟ ତୁରନ୍ତ କାମ କରୁନି ଓ ଯନ୍ତ୍ରଣାଦାୟକ ରହୁଛି ବୋଲି କହିଥିଲେ । ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ ଏହି ପଦ୍ଧତି ମଧ୍ୟ ଯନ୍ତ୍ରଣାଦାୟକ କହିଛନ୍ତି । ସେ କହିଛନ୍ତି, ମୃତ୍ୟୁଦଣ୍ଡ ପାଇଥିବା ବ୍ୟକ୍ତିଙ୍କୁ ଗୁଳି କରି ମାରିବା ସାମରିକ ସରକାରମାନଙ୍କ ଏକ ପ୍ରିୟ ‘ଟାଇମ୍ ପାସ୍’ ରହିଛି । ତାହା ମଧ୍ୟ ମାନବାଧିକାରର ସଂପୂର୍ଣ୍ଣ ଉଲଂଘନ । ବିଷ ଇଂଜେକ୍ସନରେ କେଉଁ ଧରଣର ରସାୟନର ବ୍ୟବହାର ହେଲେ ମୃତ୍ୟୁ କମ୍ ଯନ୍ତ୍ରଣାହୀନ ହୋଇପାରିବ ତାହା ଉପରେ ଗବେଷଣା କରାଯିବାକୁ ବିଚାରପତିମାନେ ପ୍ରସ୍ତାବ ଦେଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି, ଯଦି ଫାଶୀ ଦଉଡିରେ ଝୁଲାଇ ମୃତ୍ୟୁଦଣ୍ଡ ଦିଆଯିବା ପଦ୍ଧତିକୁ ଅଦାଲତ ଅସାମ୍ବିଧାନିକ ଘୋଷଣା କରିବେ ତେବେ ତାହାର ବିକଳ୍ପ ବିଷାକ୍ତ ଇଂଜେକ୍ସନ ହେବ କି ଅନ୍ୟ କୌଣସି ପଦ୍ଧତି, ସେ ନେଇ ଗବେଷଣା ଓ ଅଧିକ ତର୍ଜମା ଆବଶ୍ୟକ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS