ବୁଧବାର ଭୋଟ: କର୍ଣ୍ଣାଟକାରେ କିଏ ? କଂଗ୍ରେସ ନା ବିଜେପି ??
ପ୍ରସାଦ ରାଓ
ମେ’ ୦୯
୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକା ବିଧାନସଭା ପାଇଁ ଆସନ୍ତା କାଲି (ବୁଧବାର) ଭୋଟ ହେବାକୁ ଯାଉଛି । ନିର୍ବାଚନରେ କଂଗ୍ରେସ, ବିଜେପି ଓ ଜେଡିଏସ୍ ବା ଜନତା ଦଳ (ଧର୍ମ ନିରପେକ୍ଷ) ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ୱନ୍ଦ୍ୱିତା ହେଉଥିଲେ ମଧ୍ୟ କଂଗ୍ରେସ ଓ ବିଜେପି ମଧ୍ୟରୁ ଗୋଟିଏ ଦଳ ସରକାର ଗଠନ କରିବାକୁ ସକ୍ଷମ ହେବ ଓ ଦୁଇ ଦଳ ମଧ୍ୟରୁ କାହାରିକୁ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ନ ମିଳିଲେ ଜେଡିଏସ୍ ‘କିଙ୍ଗ୍ ମେକର’ ଭୂମିକାରେ ରହିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ଆକଳନ କରୁଛନ୍ତି । ରାଜ୍ୟରେ ବିଜେପି ସରକାର ରହିଛି ଏବଂ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ରାଜ୍ୟରେ ଜୋରଦାର ନିର୍ବାଚନ ପ୍ରଚାର କରିଥିବାରୁ ୨୦୨୩ରେ ଲଗାତର ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିବ ବୋଲି ବିଜେପି ନେତୃବର୍ଗ ଆଶା ରଖିଛନ୍ତି । ଅପରପକ୍ଷରେ, ରାଜ୍ୟରେ ପ୍ରବଳ ସରକାର ବିରୋଧୀ ହାୱା କାମ କରୁଥିବାରୁ ଏବଂ କଂଗ୍ରେସର ନେତୃତ୍ୱ ଓ ସାଂଗଠନିକ ସ୍ଥିତି ସୁଦୃଢ ରହି ଥିବାରୁ କଂଗ୍ରେସ ୨୦୨୩ ବିଧାନସଭା ନିର୍ବାଚନରେ ବାଜିମାତ୍ କରିବ ବୋଲି କଂଗ୍ରେସ ନେତୃବର୍ଗ ବିଶ୍ୱାସ କରୁଛନ୍ତି ।
କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ଭୋଟ ପ୍ରଚାର ବେଶ୍ ସରଗରମ ଥିଲା । କଂଗ୍ରେସ ସଭାପତି ମଲ୍ଲକାର୍ଜୁନ ଖାର୍ଗେ ଦଳ ପାଇଁ ପ୍ରଚାରର ମଂଗ ଧରି ଥିବା ବେଳେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଓ ଏଆଇସିସି ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ରାଜ୍ୟରେ ଅଧିକ ସମୟ ଦେଇ ନିର୍ବାଚନ ପ୍ରଚାର କରିଥିଲେ । ମୁଖ୍ୟମନ୍ତ୍ରୀ ବାସବରାଜ ବେମାଇ ସରକାର ୪୦ ପ୍ରତିଶତ କମିଶନ ନେବା ସରକାର ଏବଂ ରାଜ୍ୟବାସୀ ଏହି ଦୁର୍ନୀତିଗ୍ରସ୍ତ ସରକାରକୁ ହଟାଇବା ପାଇଁ ମନ ସ୍ଥିର କରିସାରିଛନ୍ତି ବୋଲି କଂଗ୍ରେସ ନେତୃବର୍ଗ କହୁଥିବା ବେଳେ ବିଜେପି ନେତୃବର୍ଗ ଗତ ପାଂଚ ବର୍ଷରେ ରାଜ୍ୟ ସରକାର କଣ ସବୁ ବିକାଶମୂଳକ କାର୍ଯ୍ୟ କରିଛନ୍ତି ତାହା ଉହ୍ୟ ରଖି ଜାତି, ଧର୍ମ ଓ ଜାତୀୟତାବାଦକୁ ପ୍ରସଙ୍ଗ କରି ଦଳର ପ୍ରଚାରକୁ ଶାଣିତ କରିଥିଲେ । ପ୍ରଚାର ଶେଷ ଚରଣରେ କଂଗ୍ରେସ ନେତୃବର୍ଗ ପିଏଫଆଇ ସହ ବଜରଂଗ ଦଳକୁ ତୁଳନା କରିବା ଏବଂ ଏଆଇସିସି ପୂର୍ବତନ ସଭାପତି ସୋନିଆ ଗାନ୍ଧୀ କର୍ଣ୍ଣାଟକାର ଅସ୍ମିତା ଓ ସାର୍ବଭୌମତ୍ୱର ସୁରକ୍ଷା ପାଇଁ ଦଳ ସଂକଳ୍ପବଦ୍ଧ ବୋଲି ବୟାନ ଦେବା କଂଗ୍ରେସକୁ ବିବାଦ ଭିତରକୁ ଟାଣି ନେଇଛି ।
ମୁସଲିମ୍ ଚରମପଂଥୀ ସଂଗଠନ ପିଏଫଆଇ ସହ ଦକ୍ଷିଣପନ୍ଥୀ ସଂଗଠନ ବଜରଙ୍ଗ ଦଳକୁ ତୁଳନା କରାଯିବା ହିନ୍ଦୁତ୍ୱ ବିରୋଧୀ ମାନସିକତା ବୋଲି ବିଜେପି ନେତୃବର୍ଗ ଅଭିଯୋଗ କରିଥିବା ବେଳେ ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ‘କର୍ଣ୍ଣାଟକାର ଅସ୍ମିତା ଓ ସାର୍ବଭୌମତ୍ୱ’କୁ ନେଇ ବୟାନ ଜାତୀୟତାବାଦ ବିରୋଧୀ କହି ଏଥିପାଇଁ ସେନିଆ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ସେମାନେ ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସୋନିଆଙ୍କ ବୟାନକୁ ଦେଶର ‘ସାର୍ବଭୌମତ୍ୱ ଓ ଅଖଣ୍ଡତା ବିରୋଧୀ’ ଦର୍ଶାଇ ଏହା ‘ଟୁକୁଡେ..ଟୁକୁଡେ ଗ୍ୟାଂଗ’ର ମାନସିକତା ବୋଲି ସମାଲୋଚନା କରିଛନ୍ତି । କର୍ଣ୍ଣାଟକା ହେଉଛି ମହାବୀର ହନୁମାନଙ୍କ ଆବାସ ସ୍ଥଳ । ଏହି ପବିତ୍ର ସ୍ଥଳରେ ଦକ୍ଷିଣପନ୍ଥୀ ବଜରଙ୍ଗ ଦଳକୁ ନିଷିଦ୍ଧ ଘୋଷିତ ମୁସଲିମ୍ ଚରମପନ୍ଥୀ ସଂଗଠନ ପିଏଫଆଇ ସହ ତୁଳନା କରାଯାଇ ରାଜ୍ୟରେ କଂଗ୍ରେସ ଦଳ କ୍ଷମତାକୁ ଆସିଲେ ପିଏଫଆଇ ସହ ବଜରଙ୍ଗ ଦଳକୁ ନିଷିଦ୍ଧ କରିବ ବୋଲି କଂଗ୍ରେସ ଘୋଷଣା କରିବା ସଂଖ୍ୟାଲଘୁ ତୁଷ୍ଟିକରଣର ଚରମ ନିଦର୍ଶନ ବୋଲି ବିଜେପି ଆଡୁ ଅଭିଯୋଗ ହୋଇଛି । ସୋନିଆଙ୍କ ‘କର୍ଣ୍ଣାଟକର ସାର୍ବଭୌମତ୍ୱ’ ସଂପର୍କିତ ବୟାନକୁ ଦେଶ ବିରୋଧୀ କହି ବିଜେପି କଂଗ୍ରେସ ଦଳ ଏବଂ ସୋନିଆ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଭାରତୀୟ ନିର୍ବାଚନ ଆୟୁକ୍ତଙ୍କ ନିକଟରେ ଫେରାଦ ହୋଇଥିବା ବେଳେ ନିର୍ବାଚନ ଆୟୁକ୍ତ ମଧ୍ୟ ଏନେଇ କଂଗ୍ରେସ ଦଳ ଓ ତାହାର ପୂର୍ବତନ ସଭାପତି ସୋନିଆ ଗାନ୍ଧୀଙ୍କୁ କୈଫିୟତ ତଲବ କରିଥିବା ଜଣାପଡିଛି ।
କଂଗ୍ରେସ ଓ ବିଜେପି ମଧ୍ୟରେ ଆକ୍ଷେପ, ପ୍ରତ୍ୟାକ୍ଷେପ ଭିତରେ ସୋମବାର କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ସରିଛି । ୮୧ ବର୍ଷ ବୟସ୍କ ଏଆଇସିସି ସଭାପତି ମଲ୍ଲକାର୍ଜୁନ ଖାର୍ଗେ ନିଜର ଅତିକ୍ରାନ୍ତ ବୟସର ଦ୍ୱାହି ଦେଇ ଓ ବିଜେପି ପ୍ରାର୍ଥୀଙ୍କ ଆଡୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ବୁଧବାର ହେବାକୁ ଥିବା ନିର୍ବାଚନରେ କଂଗ୍ରେସକୁ ବହୁମତରେ ବିଜୟୀ କରାଇବାକୁ ରାଜ୍ୟବାସୀଙ୍କୁ ଆକୁଳ ନିବେଦନ କରିଛନ୍ତି । ଅପରପକ୍ଷରେ, ଚଳିତ ନିର୍ବାଚନରେ ପ୍ରାର୍ଥୀ ନହୋଇ ରାଜନୀତିରୁ ଏକପ୍ରକାର ଅବସର ନେଇ ସାରିଥିବା କହୁଥିବା କର୍ଣ୍ଣାଟକାର ପ୍ରଭାବବଶାଳୀ ଲିଂଗାୟତ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦୁରାପ୍ପା ଏଥର ରାଜ୍ୟରେ ବିଜେପି ବହୁ ଅଧିକ ଆସନରେ ବିଜୟୀ ହୋଇ ଏକାକୀ ସରକାର ଗଠନ କରିବ ବୋଲି ଦୃଢତାର ସହ କହିଛନ୍ତି । ନିର୍ବାଚନ ପ୍ରଚାର ଶେଷ ସୁଦ୍ଧା ଉଭୟ କଂଗ୍ରେସ ଓ ବିଜେପି ପରସ୍ପର ବିରୋଧରେ ଏକାଧିକ ନିର୍ବାଚନ ଆଚରଣବିଧି ଉଲଂଘନ ଅଭିଯୋଗ ଆଣି ଭାରତୀୟ ନିର୍ବାଚନ ଆୟୁକ୍ତଙ୍କ ନିକଟରେ ଫେରାଦ ହୋଇଥିବା ସୂଚନା ମିଳିଛି ।
କର୍ଣ୍ଣାଟକା ହେଉଛି ଦକ୍ଷିଣ ଭାରତର ଏକମାତ୍ର ରାଜ୍ୟ ଯେଉଁଠି କି ବିଜେପି ସରକାର ରହିଛି । ଦକ୍ଷିଣ ଭାରତର ଅନ୍ୟ ରାଜ୍ୟରେ କ୍ଷମତା ଦଖଲ ବା ସଂଗଠନକୁ ସୁଦୃଢ କରିବା ପାଇଁ ବିଜେପି ତାହାର କର୍ଣ୍ଣାଟକା ଭିତ୍ତିଭୂମିକୁ ବ୍ୟବହାର କରିବାକୁ ଚାହୁଁ ଥିବାରୁ ୨୦୨୩ ବିଧାନସଭା ନିର୍ବାଚନ ବିଜେପି ପାଇଁ ବେଶ ଗୁରୁତ୍ୱ ବହନ କରୁଛି । ସେହିଭଳି, ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମାତ୍ର ତିନିଟି ରାଜ୍ୟରେ କ୍ଷମତାରେ ସୀମିତ ଥିବା କଂଗ୍ରେସ କର୍ଣ୍ଣାଟକା ବିଜୟକୁ ଗୁରୁତ୍ୱ ଦେଉଛି । ଦଳ କର୍ଣ୍ଣାଟକାରେ ବିଜୟ ହାସଲ କଲେ ଦେଶବ୍ୟାପୀ କଂଗ୍ରେସ ନେତା ଓ କର୍ମୀଙ୍କ ମନୋବଳ ବଢିବ ଓ ୨୦୨୪ ପାଇଁ ସେମାନେ ପ୍ରସ୍ତୁତ ହେବେ । ତେଣୁ, ଦଳରେ ଉତ୍ସାହ ଫେରାଇ ଆଣିବାକୁ କଂଗ୍ରେସ ଚାହୁଁଛି । ଦିନ ଥିଲା କର୍ଣ୍ଣାଟକା କଂଗ୍ରେସର ଗଡ ଭାବେ ବିଚାର କରାଯାଉଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା, କର୍ଣ୍ଣାଟକା କଂଗ୍ରେସ ସଭାପତି ଡି.କେ.ଶିବକୁମାରଙ୍କ ଭଳି ପ୍ରଭାବଶାଳୀ ନେତାଙ୍କ ସହ ରାଜ୍ୟରେ ଦଳର ସଂଗଠନ ମଧ୍ୟ ବେଶ ସୁଦୃଢ ରହିଛି ।
ରାଜ୍ୟର ସର୍ବାଧିକ ସଂଖ୍ୟକ ମତଦାତା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟାଙ୍କୁ ୨୦୨୩ରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ପସନ୍ଦ କରୁଥିବା ନିକଟରେ ହୋଇଥିବା ଏକ ଜାତୀୟସ୍ତରର ସର୍ବେକ୍ଷଣରୁ ସୂଚନା ମିଳିଥିଲା । ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ସରକାର ବିରୋଧରେ ବିଭିନ୍ନ କାରଣରୁ ରାଜ୍ୟରେ ପ୍ରବଳ ଜନମତ ଥିବାରୁ କଂଗ୍ରେସ ତାହାକୁ ନିଜ ସପକ୍ଷରେ ଢଳାଇ ସର୍ବାଧିକ ସଂଖ୍ୟକ ଆସନ ଜିତିବାକୁ ପ୍ରୟାସ କରୁଛି । ରାଜ୍ୟରେ ସରକାର ଗଠନ ପାଇଁ ମେଜିକ ସଂଖ୍ୟା ୧୧୩ ଥିବା ବେଳେ ଉଭୟ କଂଗ୍ରେସ ଓ ବିଜେପି ଏହି ସଂଖ୍ୟା ଏକାକୀ ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି । ୨୦୧୮ ବିଧାନସଭା ନିର୍ବାଚନରେ ରାଜ୍ୟର ୨୨୪ ବିଧାନସଭା ଆସନରୁ କଂଗ୍ରେସକୁ ୭୮ଟି ଆସନ ମିଳିଥିବା ବେଳେ ବିଜେପି ୧୦୪ଟି ଆସନ, ଜେଡିଏସ୍ ୩୭ଟି ଓ ଅନ୍ୟମାନେ ତିନିଟି ଆସନରେ ବିଜୟୀ ହୋଇଥିଲେ । ବିଜେପି ସର୍ବାଧିକ ସଂଖ୍ୟକ ଆସନ ପାଇଥିଲେ ମଧ୍ୟ ସରକାର ଗଠନ ପାଇଁ ଏକାକୀ ୧୧୩ ସଂଖ୍ୟା ଆଣିବାରେ ବିଫଳ ହୋଇଥିଲା । ଫଳରେ, ରାଜ୍ୟରେ କଂଗ୍ରେସ ଓ ଜେଡିଏସ୍ ମିଳିତ ସରକାର ପ୍ରତିଷ୍ଠା କରିଥିଲେ । ମୁଖ୍ୟମନ୍ତ୍ରୀ ହୋଇଥିଲେ ଜେଡିଏସ୍ ନେତା ଏଚ.ଡି.କୁମାରସ୍ୱାମୀ ।
୨୦୧୯ରେ କଂଗ୍ରେସ ଓ ଜେଡିଏସ୍ ବିଧାୟକ ଦଳରେ ବିଭେଦ ସୃଷ୍ଟି ହୋଇ ଦୁଇ ଦଳର କିଛି କିଛି ବିଧାୟକ ନିଜ ନିଜ ଦଳରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ । ଫଳରେ, ମାତ୍ର ଏକ ବର୍ଷର କୁମାରସ୍ୱାମୀ ସରକାରର ପତନ ଘଟିଥିଲା ଏବଂ ରାଜ୍ୟରେ ବିଜେପି ସରକାର ପ୍ରତିଷ୍ଠା ହୋଇଥିଲା । ଉଭୟ କଂଗ୍ରେସ ଓ ଜେଡିଏସ୍ ରେ ବିଦ୍ରୋହର ସୂତ୍ରପାତ କରି କୁମାରସ୍ୱାମୀ ସରକାରର ପତନର କାରକ ହୋଇଥିବା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦୁରାପ୍ପା ପୂନର୍ବାର ବିଜେପି ସରକାରର ମଂଗ ଧରି ଥିଲେ । ତେବେ, ୟେୁଦୁରାପ୍ପାଙ୍କୁ ଅଧିକ ଦିନ ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ନଦେଇ ବିଜେପି ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲା ଓ ବାସବରାଜୁ ବୋମାଇ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ୟେଦୁରାପ୍ପା ସରକାର ବିରୋଧରେ ଦୁର୍ନୀତି ଅଭିଯୋଗ ଥିଲା । ଏବେ, ବୋମାଇ ସରକାର ୪୦ ପ୍ରତିଶତ କମିଶନ ସରକାର ଭାବେ ଆକ୍ଷେପର ସମ୍ମୁଖୀନ ହେଉଛନ୍ତି ।
୨୦୧୯ରେ ବିଜେପି ପ୍ରୟୋଜିତ ବିଭାଜନ ଯୋଗୁଁ ରାଜ୍ୟରେ ଉଭୟ କଂଗ୍ରେସ ଓ ଜେଡିଏସ୍ ବିଧାୟକ ସଂଖ୍ୟା କମିଥିବା ବେଳେ ବିଜେପି ବିଧାୟକ ସଂଖ୍ୟା ବଢିଛି । ରାଜ୍ୟ ବିଧାନସଭାରେ ସଂପ୍ରତି ବିଜେପିର ୧୨୬ ବିଧାୟକ ଥିବା ବେଳେ କଂଗ୍ରେସର ୬୬ ଓ ଜେଡିଏସ୍ ର ୩୪ ବିଧାୟକ ଅଛନ୍ତି । ଜେଡିଏସ୍ ଏକାକୀ ନିର୍ବାଚନ ମଇଦାନରେ ଅଛି ଓ ନିଜେ ସରକାର ଗଠନ କରିବାକୁ ସକ୍ଷମ ନହେଲେ ୨୦୧୮ ଭଳି ୨୦୨୩ରେ ମଧ୍ୟ ‘କିଙ୍ଗ୍ ମେକର୍’ ଭୂମିକା ନେବା ଆଶା ରଖିଥିବା ସୂଚନା ମିଳିଛି । ଜେଡ଼ିଏସ୍ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ.ଡି.କୁମାରସ୍ୱାମୀ ଅସୁସ୍ଥ ଥିବାରୁ ପିତା ଜେଡିଏସ୍ ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି.ଦେବେଗୌଡା ପରିଣତ ବୟସରେ ରାଜ୍ୟ ସାରା ବୁଲି ଦଳର ନିର୍ବାଚନ ପ୍ରଚାର କରିଛନ୍ତି । କଂଗ୍ରେସ ନେତାଙ୍କ କହିବା ଅନୁସାରେ, ଏହି ନିର୍ବାଚନ ପାଇଁ କଂଗ୍ରେସ ଦଳ ପକ୍ଷରୁ ୯୯ଟି ସାଧାରଣ ସଭା ଓ ୩୩ଟି ରୋଡ-ସୋ’ କରାଯାଇଛି ।
ଅପରପକ୍ଷରେ, ବିଜେପିର ଜାତୀୟସ୍ତର ନେତାମାନେ କର୍ଣ୍ଣାଟକା ବିଧାନସଭା ନିର୍ବାଚନ ଅବସରରେ ରାଜ୍ୟରେ ୨୦୬ଟି ସାଧାରଣ ସଭା ଓ ୯୦ଟି ରୋଡ-ସୋ’ କରିଥିବା ବେଳେ ଦଳର ରାଜ୍ୟ ନେତାମାନେ ୨୩୧ଟି ସାଧାରଣ ସଭା ଓ ୪୮ଟି ରୋଡ-ସୋ’ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୨୯ ତାରିଖରୁ ଗତ ଏକ ସପ୍ତାହ ମଧ୍ୟରେ ରାଜ୍ୟରେ ୧୯ଟି ମେଗା ସାଧାରଣ ସଭା ଓ ୬ଟି ରୋଡ-ସୋ’ କରିଛନ୍ତି ଏବଂ କର୍ଣ୍ଣାଟକାର ଦୃତ ବିକାଶ ପାଇଁ ‘ଡବଲ ଇଂଜିନ’ ସରକାରର ଆବଶ୍ୟକତା ଥିବାରୁ ରାଜ୍ୟର ମତଦାତା କାଲିର ନିର୍ବାଚନରେ ବିଜେପି ସପକ୍ଷରେ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ନିବେଦନ କରିଛନ୍ତି । ତିନି ଦଳର ମେଗା ସୋ’ବାଜୀ ସରି ଥିବା ବେଳେ ଆସନ୍ତା କାଲି ଭୋଟ ହେବାକୁ ଯାଉଛି । କର୍ଣ୍ଣାଟକର ଛଅ କୋଟି ଜନତା କାହା ହାତରେ କ୍ଷମତା ଅର୍ପଣ କରିବାକୁ ମନସ୍ତ କରିଛନ୍ତି ତାହା କାଲି ଭୋଟ ପରେ ବୁଥ୍ ବାହୁଡା ଭୋଟରୁ କିଛିମାତ୍ରାରେ ଆଭାସ ମିଳିବ । ତେବେ, ୧୩ ତାରିଖ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇଲେ ୨୦୨୩ରେ କର୍ଣ୍ଣାଟକରେ କିଏ ସରକାର କରିବ, ତାହା ସ୍ପଷ୍ଟ ହୋଇଯିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS