ଶିବସେନାକୁ ନେଇ ସୁପ୍ରିମ କୋର୍ଟ ରାୟ କାଲି


ପ୍ରସାଦ ରାଓ
ମେ’ ୧୦
ମହାରାଷ୍ଟ୍ରରେ ବାଲାସାହେବ ଠାକରେଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଶିବସେନା’ର ସତ୍ତ୍ୱାଧିକାରକୁ ନେଇ ତାଙ୍କ ପୁଅ ଉଦ୍ଧବ ଠାକରେ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ଗୋଷ୍ଠୀ ମଧ୍ୟରେ ଗତ ୨୦୨୨ରୁ ଚାଲି ଥିବା ରାଜନୈତିକ ବିବାଦର ସମାଧାନ କଣ ହେଉଛି, ତାହା ଉପରେ ସମସ୍ତଙ୍କ ଆଖି ରହିଛି । ଦୁଇ ପକ୍ଷଙ୍କ ଆଡୁ ସୁପ୍ରିମ କୋର୍ଟରେ ଏକାଧିକ ମାମଲା ହୋଇଛି । ସୁପ୍ରିମ କୋର୍ଟର ଏକ ସାମ୍ବିଧାନିକ ପୀଠ ଉଭୟ ପକ୍ଷର ଆବେଦନ ଉପରେ ଶୁଣାଣୀ ଶେଷ କରି ରାୟ ସଂରକ୍ଷିତ ରଖି ଥିଲେ । ଆସନ୍ତା କାଲି (ଗୁରୁବାର) ସାମ୍ବିଧାନିକ ପୀଠର ରାୟ ପ୍ରକାଶ ପାଉଥିବା ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ଆଜି ସୂଚନା ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ କି, ୨୦୨୨ ଜୁନରେ ମହାରାଷ୍ଟ୍ରର ଶାସକ ଶିବସେନା ବିଧାୟକ ଦଳରେ ବିଦ୍ରୋହର ସୂତ୍ରପାତ ହୋଇଥିଲା । ବିଦ୍ରୋହୀ ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ଏକନାଥ ସିନ୍ଧେ ଦଳର ୧୬ ଜଣ ବିଧାୟକଙ୍କୁ ଧରି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱ ବିରୋଧରେ ବିଦ୍ରୋହ ଘଟାଇ ଥିଲେ । ପରେ, ପ୍ରାୟ ୪୦ ଜଣ ଦଳୀୟ ବିଧାୟକଙ୍କ ସମର୍ଥନରେ ସିନ୍ଧେ ନିଜକୁ ‘ପ୍ରକୃତ ଶିବସେନା’ ବୋଲି ଦାବି କରି ବିଜେପି ସହାୟତାରେ ରାଜ୍ୟରେ ନୂତନ ସରକାର ଗଠନ କରିବା ସହ ନିଜେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସିନ୍ଧେଙ୍କ ନେତୃତ୍ୱରେ ଦଳରେ ବିଦ୍ରୋହର ସୂତ୍ରପାତ କରି ଥିବା ୧୬ଜଣ ଶିବସେନା ବିଧାୟକଙ୍କ ବିଧାନସଭା ସଦସ୍ୟ ପଦ ରଦ୍ଦ କରାଯିବାକୁ ସେହି ସମୟରୁ ଉଦ୍ଧବ ଠାକରେ ଗୋଷ୍ଠୀ ଦାବି କରି ଆସୁଛନ୍ତି । ସେତେବେଳେ ମହାରାଷ୍ଟ୍ର ରାଜ୍ୟପାଳ ଥିବା ଭଗତ ସିଂହ କୋଶିଆରୀ ମୁଖ୍ୟମନ୍ତ୍ରୀ ଠାକରେଙ୍କ ଦାବିକୁ ଅଣଦେଖା କରି ଓଲଟା ମୁଖ୍ୟମନ୍ତ୍ରୀଙ୍କୁ ବିଧାନସଭାରେ ଆସ୍ଥା ଭୋଟର ସାମ୍ନା କରିବାକୁ ନିର୍ଦେଶ ଦେବା ଫଳରେ ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ ଏବଂ ରାଜ୍ୟରେ ୨୦୧୯ରୁ କ୍ଷମତାରେ ଥିବା ଶିବସେନା-ଏନସିପି-କଂଗ୍ରେସର ମେଂଟ ବା ମହା ବିକାଶ ଅଘାଡି ସରକାରର ପତନ ଘଟି ଥିଲା । ୧୬ ଜଣ ବିଦ୍ରୋହୀ ଶିବସେନା ବିଧାୟକଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଉଦ୍ଧବ ଠାକରେ ଗୋଷ୍ଠୀ ପକ୍ଷରୁ ସୁପ୍ରିମ କୋର୍ଟରେ ହୋଇଥିବା ଆବେଦନ ଉପରେ କାଲି ରାୟ ପ୍ରକାଶ ପାଇବାକୁ ଯାଉଛି । ଉଦ୍ଧବ ଗାଷ୍ଠୀ ପ୍ରାରମ୍ଭରୁ ନିଜକୁ ‘ପ୍ରକୃତ ଶିବସେନା’ ବୋଲି ଦାବି କରୁଥିବା ବେଳେ ସିନ୍ଧେ ଗୋଷ୍ଠୀ ମଧ୍ୟ ସେମାନଙ୍କ ସହ ଥିବା ଦଳୀୟ ବିଧାୟକ ଓ ସାଂସଦ ସଂଖ୍ୟା ଦୃଷ୍ଟିରୁ ନିଜକୁ ‘ପ୍ରକୃତ ଶିବସେନା’ ବୋଲି ଦାବି କରୁଛନ୍ତି । ଉଭୟ ପକ୍ଷଙ୍କ ଆଡୁ ହୋଇଥିବା ଏକାଧିକ ଆବେଦନ ଉପରେ ସୁପ୍ରିମ କୋର୍ଟରେ ଶୁଣାଣୀ ସରିଛି । ଇତିମଧ୍ୟରେ, ଭାରତୀୟ ନିର୍ବାଚନ ଆୟୁକ୍ତ ସିନ୍ଧେ ଗୋଷ୍ଠୀକୁ ‘ପ୍ରକୃତ ଶିବସେନା’ ବୋଲି ମାନ୍ୟତା ଦେଇ ଦଳର ମୂଳ ନିର୍ବାଚନ ଚିହ୍ନ ଏହି ଗୋଷ୍ଠୀ ହାତରେ ସମର୍ପି ସାରିଛନ୍ତି । ଉଦ୍ଧବ ଠାକରେ ଗୋଷ୍ଠୀ ନିର୍ବାଚନ ଆୟୁକ୍ତଙ୍କ ନିଷ୍ପତ୍ତିକୁ ମଧ୍ୟ ସୁପ୍ରିମ କୋର୍ଟରେ ଚ୍ୟାଲେଂଜ କରିଛନ୍ତି । ଉଦ୍ଧବ ଓ ଏକନାଥ ସିନ୍ଧେ ଗୋଷ୍ଠୀ ପକ୍ଷରୁ ହୋଇଥିବା ଆବେଦନଗୁଡିକ ଉପରେ ସୁପ୍ରିମ କୋର୍ଟର ଏକ ସାମ୍ବିଧାନିକ ପୀଠ ଗତ ମାର୍ଚ୍ଚ ମାସରେ ନଅ ଦିନ କାଳ ଶୁଣାଣୀ କରି ରାୟ ସଂରକ୍ଷିତ ରଖି ଥିଲେ । ଆସନ୍ତା କାଲି ପ୍ରକାଶ ପାଇବ ବୋଲି ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡଙ୍କଠାରୁ ଆଜି ସୂଚନା ମିଳିଛି । ଭାରତୀୟ ନିର୍ବାଚନ ଆୟୁକ୍ତ ଶିବସେନାର ଏକନାଥ ସିନ୍ଧେ ଗୋଷ୍ଠୀକୁ ‘ପ୍ରକୃତ ଶିବସେନା’ ମାନ୍ୟତା ଦେଇ ଦଳର ମୂଳ ନିର୍ବାଚନ ଚିହ୍ନ ହସ୍ତାନ୍ତର କରିବା ପରେ ଏହି ଗୋଷ୍ଠୀ ମୁମ୍ବାଇରେ ଥିବା ଶିବସେନା ମୁଖ୍ୟାଳୟ ସମେତ ଦଳର ଅନ୍ୟାନ୍ୟ ସ୍ଥାବର, ଅସ୍ଥାବର ସଂପତ୍ତିର ଦାବିଦାର ହୋଇଛନ୍ତି, ଯାହାକୁ କି ଉଦ୍ଧବ ଠାକରେ ଗୋଷ୍ଠୀ ବିରୋଧ କରୁଛନ୍ତି । ସବୁ ସଂପତ୍ତି ସେମାନଙ୍କୁ ହସ୍ତାନ୍ତର କରାଯିବାକୁ ସିନ୍ଧେ ଗୋଷ୍ଠୀ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ ମଧ୍ୟ ସୁପ୍ରିମ କୋର୍ଟ ତାହାକୁ ପ୍ରତ୍ୟାଖାନ କରିଛନ୍ତି । ଏଭଳି ସ୍ଥିତିରେ କାଲି ସୁପ୍ରିମ କୋର୍ଟ ସାମ୍ବିଧାନିକ ପୀଠର ରାୟ ପ୍ରକାଶ ପାଇବାକୁ ଥିବାରୁ କୋର୍ଟ ରାୟ ଉପରେ ସମସ୍ତଙ୍କ ନଜର ରହିଛି । ସୁପ୍ରିମ କୋର୍ଟଙ୍କ ରାୟ ଯାହା ହେଉ ପଛେ ବିଧାନସଭାରେ ସିନ୍ଧେ ସରକାରଙ୍କ ସଂଖ୍ୟା ଗରିଷ୍ଠତା ଥିବାରୁ କିଛି ସମସ୍ୟା ହେବ ନାହିଁ ବୋଲି ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନରୱେକର ଆଜି ଦୃଢୋକ୍ତି ପ୍ରକାଶ କରିଥିବା ବେଳେ ସୁପ୍ରିମ କୋର୍ଟ ସାମ୍ବିଧାନିକ ପୀଠ ଯଦି ଶିବସେନାର ୧୬ ବିଦ୍ରୋହୀ ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ କରନ୍ତି ତେବେ ସିନ୍ଧେ ମଧ୍ୟ କ୍ଷମତାଚ୍ୟୁତ ହେବା ନିଶ୍ଚିତ ବୋଲି ଆଲୋଚନା ହେଉଛି । ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଜଷ୍ଟିସ ଏମ.ଆର.ଶାହା, ଜଷ୍ଟିସ କ୍ରୀଷ୍ଣା ମୁରାରୀ, ଜଷ୍ଟିସ ହୀମା କୋହିଲୀ ଓ ଜଷ୍ଟିସ ପି.ଏସ୍.ନରସିଂହାଙ୍କୁ ନେଇ ଗଠିତ ପାଂଚ ଜଣିଆ ସାମ୍ବିଧାନିକ ପୀଠ କାଲି ରାୟ ଶୁଣାଇବାକୁ ଯାଉଛନ୍ତି । ଉଦ୍ଧବ ଠାକରେଙ୍କ ପକ୍ଷରୁ ସୁପ୍ରିମ କୋର୍ଟର ବରିଷ୍ଠ ଆଇନଜୀବୀ କପିଲ ସିବଲ୍, ଅଭିଷେକ ମନୁ ସଂଘଭି ମକଦ୍ଦମା ପରିଚାଳନା କରୁଥିବା ବେଳେ ସିନ୍ଧେ ଗୋଷ୍ଠୀ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ, ଏନ.କେ. କାଉଲ ଓ ମହେଶ ଜେଠମାଲାନୀ ମକଦ୍ଦମା ପରିଚାଳନା କରୁଥିଲେ । ଦୀର୍ଘ ନଅ ଦିନର ଶୁଣାଣୀ ସମୟରେ ସାମ୍ବିଧାନିକ ପୀଠ ଉଭୟ ପକ୍ଷର ଯୁକ୍ତି ଶୁଣିଥିଲେ । ମହାରାଷ୍ଟ୍ର ରାଜ୍ୟପାଳଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସାମ୍ବିଧାନିକ ପୀଠରେ ଯୁକ୍ତି ଉପସ୍ଥାପନ କରିଥିଲେ । ସୁପ୍ରିମ କୋର୍ଟ ପୂର୍ବରୁ ତତ୍କାଳୀନ ମହାରାଷ୍ଟ୍ର ରାଜ୍ୟପାଳଙ୍କ ପଦକ୍ଷେପକୁ ଆଇନସମ୍ମତ ନଥିଲା ବୋଲି ଦର୍ଶାଇ ରାଜ୍ୟପାଳମାନେ ଏଭଳି ସ୍ପର୍ଶକାତର ପ୍ରସଙ୍ଗରେ ଯେକୌଣସି ନିର୍ଦେଶ ଦେବା ସମୟରେ ଅଧିକ ସଚେତନତା ଦେଖାଇବାକୁ ପରାମର୍ଶ ଦେଇଥିଲେ । ସୁପ୍ରିମ କୋର୍ଟ ସାମ୍ବିଧାନିକ ପୀଠ ପକ୍ଷରୁ ଆସନ୍ତା କାଲି ପ୍ରକାଶ ପାଇବାକୁ ଥିବା ରାୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଏବଂ ଶିବସେନାର ଭାଗ୍ୟ ନିର୍ଦ୍ଧାରଣ କରିବା ସହ ମହାରାଷ୍ଟ୍ରରେ ଚାଲି ଥିବା ଶିବସେନା (ସିନ୍ଧେ ଗୋଷ୍ଠୀ)-ବିଜେପି ମେଂଟ ସରକାରର ଭାଗ୍ୟ ମଧ୍ୟ ନିର୍ଦ୍ଧାରଣ କରିବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS