ଉଦ୍ଧବଙ୍କୁ ସୁପ୍ରିମ କୋର୍ଟରୁ ମିଳିଲାନି ଆଶ୍ୱସ୍ତି
ପ୍ରସାଦ ରାଓ
ମେ’ ୧୧
ମହାରାଷ୍ଟ୍ର ରାଜନୈତିକ ବିବାଦକୁ ନେଇ ଆଜି ସୁପ୍ରିମ କୋର୍ଟ ରାୟ ଆସିଛି । ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଗଠିତ ପାଂଚ ଜଣିଆ ସାମ୍ବିଧାନିକ ବେଂଚ ଦେଇଥିବା ରାୟରେ ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଆଶ୍ୱସ୍ତି ମିଳି ନଥିବା ବେଳେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ସରକାର ପ୍ରତି ରହିଥିବା ବିପଦ ଟଳିଛି । ସୁପ୍ରିମ କୋର୍ଟ ମହାରାଷ୍ଟ୍ରରେ ୨୦୨୨ ଜୁନରୁ ସିନ୍ଧେଙ୍କ ନେତୃତ୍ୱରେ ଚାଲି ଥିବା ଶିବସେନା-ବିଜେପି ମେଂଟ ସରକାରକୁ କାଏମ ରଖିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆସ୍ଥା ଭୋଟର ସାମ୍ନା କରିବା ପୂର୍ବରୁ ସ୍ୱଇଚ୍ଛାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ପୁନଃ ଅବସ୍ଥାପିତ କରିବା ସମ୍ଭବ ନୁହେଁ ବୋଲି ସ୍ପଷ୍ଟ କରିଦେଇଛନ୍ତି । ତେବେ, ସୁପ୍ରିମ କୋର୍ଟ ସାମ୍ବିଧାନିକ ପୀଠ କହିଛନ୍ତି – ୨୦୨୨ ଜୁନରେ ତତ୍କାଳୀନ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିଆରୀ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବା ପାଇଁ ଯେଉଁ ନିର୍ଦେଶ ଦେଇଥିଲେ ତାହା ସମୟୋଚିତ ଓ ଆଇନସମ୍ମତ ନଥିଲା । ରାଜ୍ୟପାଳଙ୍କ ଏଭଳି ନିର୍ଦେଶ ଯୋଗୁଁ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଏମଭିଏ (ମହା ବିକାଶ ଅଘାଡି) ସରକାରର ପତନ ଘଟି ଥିଲା । ସେହି ସମୟରେ ରାଜ୍ୟ ବିଧାନସଭା ବାଚସ୍ପତି ଶିବସେନା ଏକନାଥ ସିନ୍ଧେ ଗୋଷ୍ଠୀର ବିଧାୟକ ଭରତ ଗୋଗୱାଲେଙ୍କୁ ଦଳର ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦେବା ମଧ୍ୟ ‘ବେଆଇନ’ ଥିଲା ବୋଲି ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ କହିଥିବା ସୂଚନା ମିଳିଛି ।
୨୦୨୨ ଜୁନରେ ବରିଷ୍ଠ ଶିବସେନା ବିଧାୟକ ଏକନାଥ ସିନ୍ଧେଙ୍କ ସମେତ ଦଳର ୧୬ ଜଣ ବିଧାୟକ ଶିବସେନା ମୁଖ୍ୟ ତଥା ଏମଭିଏ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ ଏବଂ ଦଳ ପକ୍ଷରୁ ହ୍ୱିପ୍ ଜାରି ହୋଇଥିବା ସତ୍ତ୍ୱେ ସେମାନେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ଠାକରେଙ୍କ ଦ୍ୱାରା ଡକା ଯାଇଥିବା ଶିବସେନା ବିଧାୟକ ଦଳ ବୈଠକରେ ଯୋଗ ଦେଇନଥିଲେ । ଦଳୀୟ ହ୍ୱିପ୍ ଅବମାନନା କରିଥିବା ସିନ୍ଧେଙ୍କ ସମେତ ୧୬ ଶିବସେନା ବିଧାୟକଙ୍କୁ ବିଧାନସଭା ସଦସ୍ୟ ପଦରୁ ଅଯୋଗ୍ୟ ଘୋଷଣା କରାଯିବାକୁ ନୋଟିସ ଜାରି ହୋଇଥିଲା । ବିଧାନସଭାରେ ଏନେଇ କୌଣସି ନିଷ୍ପତ୍ତି ହୋଇନପାରିବାରୁ ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଜି ସୁପ୍ରିମ କୋର୍ଟ ସାମ୍ବିଧାନିକ ପୀଠ ଏହି ଆବେଦନ ଉପରେ ମଧ୍ୟ ନିଜର ମତ ସ୍ୱଷ୍ଟ କରିଦେଇଛନ୍ତି । ସଂପୃକ୍ତ ବିଧାୟକଙ୍କ ସଦସ୍ୟତା ରଦ୍ଦ ଆବେଦନ ଉପରେ କୋର୍ଟ ସିଧାସଳଖ ହସ୍ତକ୍ଷେପ ନକରି ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ଏହା ଉପରେ ନିଷ୍ପତ୍ତି ନେବାକୁ ସୁପ୍ରିମ କୋର୍ଟ ସାମ୍ବିଧାନି ପୀଠ ନିର୍ଦେଶ ଦେଇଛନ୍ତି । ୨୦୨୨ ଜୁନ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକରେ ଇସ୍ତଫା ଦେବା ପରେ ମହାରାଷ୍ଟ୍ରରେ ଶିବସେନା-ଏନସିପି-କଂଗ୍ରେସ ମେଂଟ ସରକାର ବା ଏମଭିଏ ସରକାରର ପତନ ଘଟିଥିଲା ଏବଂ ବିଦ୍ରୋହୀ ଶିବସେନା ନେତା ସିନ୍ଧେ ବିଜେପି ସମର୍ଥନରେ ରାଜ୍ୟରେ ନୂଆ ସରକାର ଗଢି ଥିଲେ । ୨୦୨୨ ଜୁଲାଇରେ ସିନ୍ଧେ ସରକାର ବିଧାନସଭାରେ ଆସ୍ଥା ଭୋଟ ଲୋଡି ୨୮୮ ବିଧାୟକଙ୍କ ମଧ୍ୟରୁ ୧୬୪ ଜଣଙ୍କ ସମର୍ଥନ ପାଇଥିଲେ । ସିନ୍ଧେ ମେଂଟ ସରକାରର ମୁଖ୍ୟମନ୍ତ୍ରୀ ରହିଛନ୍ତି ।
ଆଜି ସୁପ୍ରିମ କୋର୍ଟ ସାମ୍ବିଧାନିକ ପୀଠର ରାୟ ଆସିଲେ ମହାରାଷ୍ଟ୍ର ରାଜନୀତିରେ ଭୂକଂପ ସୃଷ୍ଟି ହେବ ବୋଲି ରାଜନୈତିକ ବିଶ୍ଲେଷକମାନେ ଆଶଙ୍କା କରୁଥିଲେ । ମୁଖ୍ୟମନ୍ତ୍ରୀ ସିନ୍ଧେଙ୍କ ସମେତ ୧୬ ବିଦ୍ରୋହୀ ଶିବସେନା ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ହେଲେ ଶିବସେନା-ବିଜେପି ମେଂଟ ସରକାର ଅଡୁଆରେ ପଡିବା ଆଶଙ୍କା ଥିଲା । ତେଣୁ, ବିଜେପି ଏନସିପି ବିଧାୟକ ଦଳରେ ବିଭାଜନ ଘଟାଇବାକୁ ଏନସିପି ନେତା ଅଜିତ ପାୱାରଙ୍କ ମାଧ୍ୟମରେ ଯୋଜନା କରିଥିବା ଚର୍ଚ୍ଚା ହେଉଥିଲା । ଅଜିତ ପାସ୍ୱାର ମଧ୍ୟ ବିଜେପି ଆଡକୁ ଢଳୁ ଥିବା ଆଲୋଚନା ଜୋର୍ ଧରିଥିଲା । ତେବେ, ଏନସିପି ଅଧ୍ୟକ୍ଷ ପଦରୁ ଶରଦ ପାୱାରଙ୍କ ଇସ୍ତଫା ଏବଂ ତିନି ଦିନ ପରେ ସେ ଅଧ୍ୟକ୍ଷ ପଦକୁ ଫେରିବା ମଧ୍ୟରେ ଏନସିପିରେ ଯେଉଁ ନାଟକୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ତାହା ଏନସିବି ବିଧାୟକ ଦଳରେ ବିଭାଜନ ଆଶଙ୍କାକୁ ଦୂର କରିଥିଲା । ତେବେ, ବିଧାନସଭାରେ ଶିବସେନା (ସିନ୍ଧେ)-ବିଜେପି ମେଂଟ ସରକାର ପ୍ରତି ଯଥେଷ୍ଟ ସଂଖ୍ୟକ ବିଧାୟକଙ୍କ ସମର୍ଥନ ଥିବାରୁ ସୁପ୍ରିମ କୋର୍ଟ ସାମ୍ବିଧାନିକ ପୀଠଙ୍କ ରାୟ ଯାହା ହେଉନା କାହିଁକି ସିନ୍ଧେ ସରକାରଙ୍କ କୌଣସି କ୍ଷତି ହେବ ନାହିଁ ବୋଲି ରାଜ୍ୟ ବିଧାନସଭା ବାଚସ୍ପତି ରାହୁଲ ନରୱେକର ଗତକାଲି ଦୃଢୋକ୍ତି ପ୍ରକାଶ କରିଥିଲେ ।
ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଜଷ୍ଟିସ ଏମ.ଆର.ଶାହା, ଜଷ୍ଟିସ କ୍ରୀଷ୍ଣା ମୁରାରୀ, ଜଷ୍ଟିସ ହୀମା କୋହିଲୀ ଓ ଜଷ୍ଟିସ ପି.ଏସ୍.ନରସିଂହାଙ୍କୁ ନେଇ ଗଠିତ ପାଂଚ ଜଣିଆ ସାମ୍ବିଧାନିକ ପୀଠଙ୍କ ଆଜିର ରାୟ ଦେଇଛନ୍ତି ରାଜ୍ୟ ସରକାରଙ୍କୁ ଆଶ୍ୱସ୍ତ ଦେଇଛି । ଏମଭିଏ ସରକାରକୁ କ୍ଷମତାଚ୍ୟୁତ କରିବାରେ ମହାରଷ୍ଟ୍ରର ତତ୍କାଳୀନ ରାଜ୍ୟପାଳଙ୍କ ଭୂମିକା ଆଇନସମ୍ମତ ନଥିଲେ ସୁଦ୍ଧା ଉଦ୍ଧବଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପୁନଃ ଅବସ୍ଥାପିତ କରିବା ସମ୍ଭବ ନୁହେଁ ବୋଲି ସାମ୍ବିଧାନିକ ପୀଠର ରାୟ ଉଦ୍ଧବ ପାଇଁ ବଡ ଝଟକା ହୋଇଛି । ତେବେ, ଆଇନର ଲଢେଇରେ ସିନ୍ଧେ ବିଜୟ ହୋଇଥିଲେ ମଧ୍ୟ ଗଣତନ୍ତ୍ରର ହତ୍ୟାକାରୀ ଭାବେ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଉଚିତ ବୋଲି ଆଜି ରାୟ ଆସିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଠାକରେ କହିଛନ୍ତି । ୧୬ ବିଦ୍ରୋହୀ ଶିବସେନା ବିଧାୟକଙ୍କ ସଦସ୍ୟତା ରଦ୍ଦ ପାଇଁ ସୁପ୍ରିମ କୋର୍ଟରେ ହୋଇଥିବା ଆବେଦନ ଉପରେ ସୁପ୍ରିମ କୋର୍ଟ ସାମ୍ବିଧାନିକ ପୀଠ କୌଣସି ନିଷ୍ପତ୍ତି ନ ଶୁଣାଇ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ତାହା ଉପରେ ନିଷ୍ପତ୍ତି ନେବାକୁ ନିର୍ଦେଶ ଦେଇଥିବାରୁ ବାଚସ୍ପତି କେବେ ଓ କି ନିଷ୍ପତ୍ତି ନେବ – ତାହା ଉପରେ ସମସ୍ତଙ୍କ ନଜର ରହିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS