ସୁପ୍ରିମ କୋର୍ଟରେ ଦିଲ୍ଲୀ ସରକାରଙ୍କ ବିଜୟ


ପ୍ରସାଦ ରାଓ
୧୧ ମେ’
ଦିଲ୍ଲୀର ଦୈନନ୍ଦିନ ପ୍ରଶାସନିକ କାର୍ଯ୍ୟ ପରିଚାଳନାକୁ ନେଇ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଦିଲ୍ଲୀ ଉପ ରାଜ୍ୟପାଳ (ଏଲଜି) ଓ ରାଜ୍ୟର ନିର୍ବାଚିତ ସରକାର ମଧ୍ୟରେ ଦୀର୍ଘ ଦିନ ଧରି ଚାଲି ଥିବା ବିବାଦକୁ ନେଇ ସୁପ୍ରିମ କୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଯେହେତୁ ରାଜ୍ୟ ସରକାର ଦିଲ୍ଲୀର ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ହୋଇଛନ୍ତି ବିଭିନ୍ନ ସେବାମୂଳକ କାର୍ଯ୍ୟ ଉପରେ ସରକାରଙ୍କ ନିୟନ୍ତ୍ରଣ ରହିବା ଆବଶ୍ୟକ । କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ଥିବା ଦିଲ୍ଲୀର ଆଇନ ଶୃଙ୍ଖଳା, ପୁଲିସ ଏବଂ ଜମିଜମା ବ୍ୟବସ୍ଥା ଉପରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଭାବେ ଉପ ରାଜ୍ୟପାଳଙ୍କ ନିୟନ୍ତ୍ରଣ ରହିବ । ତେବେ, ଅନ୍ୟ ସମସ୍ତ ପ୍ରଶାସନିକ ନିଷ୍ପତ୍ତି ରାଜ୍ୟର ନିର୍ବାଚିତ ସରକାରଙ୍କ କର୍ତ୍ତୃତ୍ୱରେ ରହିବା ଅପରିହାର୍ଯ୍ୟ ବୋଲି ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଗଠିତ ଏକ ସାମ୍ବିଧାନିକ ପୀଠ ଆଜି ସ୍ପଷ୍ଟ କରି ଦେଇଛନ୍ତି । ସୁପ୍ରିମ କୋର୍ଟ କହିଛନ୍ତି, ଦିଲ୍ଲୀର ନିର୍ବାଚିତ ସରକାର ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ ହୋଇଥିବାରୁ ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା ସେବାମୂଳକ କାର୍ଯ୍ୟ ଉପରେ ନିର୍ବାଚିତ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ରହିବା ଉଚିତ । ଏପରିକି, ରାଜ୍ୟରେ କର୍ମଚାରୀ ନିଯୁକ୍ତି, ବଦଳୀ ଓ ଦୈନନ୍ଦିନ ପ୍ରଶାସନିକ କାର୍ଯ୍ୟ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ରହିବା ଆବଶ୍ୟକ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଉପ ରାଜ୍ୟପାଳ (ଏଲଜି) ନିର୍ବାଚିତ ସରକାରଙ୍କ ସୁପାରିଶ ବା ନିଷ୍ପତ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ବୋଲି ସୁପ୍ରିମ କୋର୍ଟ ସାମ୍ବିଧାନିକ ପୀଠ କହିଛନ୍ତି । ସୁପ୍ରିମ କୋର୍ଟ ସାମ୍ବାଧାନିକ ପୀଠର ସମସ୍ତ ସଦସ୍ୟଙ୍କ ସହମତି ଥାଇ ଆଜିର ରାୟ ପ୍ରକାଶ ପାଇଛି । ସାମ୍ବିଧାନିକ ପୀଠ କହିଛନ୍ତି, ଦିଲ୍ଲୀ ବିଧାନସଭା ନିର୍ବାଚିତ ପ୍ରତିନିଧିମାନଙ୍କୁ ଜନତାଙ୍କ ସ୍ୱାର୍ଥରକ୍ଷା କରିବାର ଅଧିକାର ଦେଇଛି । ଏକ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ବାସ୍ତବ ପ୍ରଶାସନିକ କ୍ଷମତା ନିର୍ବାଚିତ ସରକାରଙ୍କ ହାତରେ ରହିଛି । ଏକ୍ଷେତ୍ରରେ କେନ୍ଦ୍ର ସରକାରଙ୍କ କ୍ଷମତା ଏକ ନିଦ୍ଦିଷ୍ଟ ସୀମା ମଧ୍ୟରେ ରହିବା ଆବଶ୍ୟକ । ରାଜ୍ୟ ସରକାରଙ୍କ କ୍ଷମତାକୁ କେନ୍ଦ୍ର ଅପହରଣ କରି ନେବା ଠିକ୍ ନୁହେଁ । ପ୍ରଶାସନିକ ଅଧିକାରୀମାନେ ଯଦି ମନ୍ତ୍ରୀମାନଙ୍କୁ କିଛି ଜଣାଇବେ ନାହିଁ ବା ମନ୍ତ୍ରୀଙ୍କ ନିର୍ଦେଶକୁ ପାଳନ କରିବେ ନାହିଁ ରାଜ୍ୟରେ ମିଳିତ ଭାବେ ଉତ୍ତରଦାୟିତ୍ୱ ନେବାର ପ୍ରକ୍ରିୟା ବାଧାପ୍ରାପ୍ତ ହେବ ବୋଲି ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି । ପାଂଚ ଜଣିଆ ସାମ୍ବିଧାନିକ ପୀଠ ରାଜଧାନୀ ଦିଲ୍ଲୀରେ ପ୍ରଶାସନିକ ଅଧିକାରୀଙ୍କ ବଦଳୀ ଓ ନିଯୁକ୍ତି କାହା ନିୟନ୍ତ୍ରଣରେ ରହିବ ସ୍ପଷ୍ଟ କରିବା ସହ କହିଛନ୍ତି, ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଭାବେ ନିଯୁକ୍ତ ଏଲଜି (ଉପ ରାଜ୍ୟପାଳ) ରାଜ୍ୟବାସୀଙ୍କ ସ୍ୱାର୍ଥରକ୍ଷା ପାଇଁ ଉଦ୍ଦିଷ୍ଟ ସେବା ସବୁ ଯୋଗାଇ ଦେବାରେ ରାଜ୍ୟର ନିର୍ବାଚିତ ସରକାର ଓ ମନ୍ତ୍ରୀ ପରିଷଦର ପରାମର୍ଶ ଓ ସହାୟତାକୁ ମାନି ନେବାକୁ ବାଧ୍ୟ । ଦିଲ୍ଲୀ ଉପ ରାଜ୍ୟପାଳଙ୍କ ନିଜସ୍ୱ କ୍ଷମତା ରହିଛି । ତାହାର ଅର୍ଥ ନୁହେଁ ଯେ ସଂପୂର୍ଣ୍ଣ ଦିଲ୍ଲୀ ସରକାର ଉପରେ ଏଲଜିଙ୍କ ପ୍ରଶାସନିକ ନିୟନ୍ତ୍ରଣ ରହିଛି । ଉପ ରାଜପାଳ ଯଦି ଦିଲ୍ଲୀର ସଂପୂର୍ଣ୍ଣ ପ୍ରଶାସନିକ କ୍ଷମତା ନିଜ ହାତମୁଠାରେ ରଖିବେ ତେବେ ଦିଲ୍ଲୀ ପାଇଁ ଏକ ନିର୍ବାଚିତ ସରକାର ରହିବା ଉଦ୍ଦେଶ୍ୟହୀନ ହୋଇପଡିବ ବୋଲି ସୁପ୍ରିମ କୋର୍ଟ କହିଛନ୍ତି । ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରଙ୍କର ଯଦି ପ୍ରଶାସନିକ ଅଧିକାରୀଙ୍କୁ ନିୟନ୍ତ୍ରଣ କରିବା କ୍ଷମତା ନ ମିଳିବ ଓ ସେମାନେ ଅଫିସରଙ୍କୁ ଉତ୍ତରଦାୟୀ କରିପାରୁ ନଥିବେ ବିଧାନସଭା ଓ ଜନସାଧାରଣଙ୍କ ନିକଟରେ ସେମାନେ ଉତ୍ତରଦାୟୀ ହେବା ବ୍ୟବସ୍ଥା ଭୁଶୁଡି ପଡିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ଏଠାରେ ଉଲ୍ଲେଖନୀୟ, ୨୦୧୩ରେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ‘ଆମ୍ ଆଦମୀ ପାର୍ଟି’ ସରକାର କ୍ଷମତାସୀନ ହେବା ଦିନରୁ ସରକାରଙ୍କ ବିଭିନ୍ନ ନିଷ୍ପତ୍ତିକୁ ନେଇ ରାଜ୍ୟ ସରକାର ଓ ଦିଲ୍ଲୀ ଉପ ରାଜ୍ୟପାଳ (ଏଲଜି)ଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଆଜି ସୁପ୍ରିମ କୋର୍ଟ ସାମ୍ବିଧାନିକ ପୀଠଙ୍କ ରାୟ ଦିଲ୍ଲୀ ସରକାରଙ୍କ ପାଇଁ ଏକ ଐତିହାସିକ ବିଜୟ ବୋଲି ମୁଖ୍ୟମନ୍ତ୍ରୀ କେଜରୀୱାଲ କହିଛନ୍ତି । ଆଠ ବର୍ଷର ସଂଘର୍ଷ ପରେ ଏହି ବିଜୟ ମିଳିଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ପ୍ରତିନିଧିମାନେ ଜାଣିଶୁଣି ରାଜ୍ୟ ସରକାରଙ୍କୁ କୌଣସି ଉନ୍ନତିମୂଳକ ଯୋଜନା କାର୍ଯ୍ୟକାରୀ କରିବାକୁ ଦେଉ ନଥିଲେ । ବର୍ତ୍ତମାନ ସେ ଦୁର୍ନୀତିଗ୍ରସ୍ତ ଅଫିସରମାନଙ୍କୁ ବିଦା କରି ସାଧୁ ଓ କର୍ମଠ ଅଫିସରଙ୍କୁ ଆଣିବେ ଏବଂ ଦିଲ୍ଲୀରେ ଦଶ ଗୁଣ ଅଧିକ ବେଗରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀ କେଜରୀୱାଲ ୨୦୧୮ରେ ସୁପ୍ରିମ କୋର୍ଟରେ ଅଭିଯୋଗ କରିଥିଲେ ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଉପ ରାଜ୍ୟପାଳମାନେ ତାଙ୍କ ଦ୍ୱାରା ହେଉଥିବା ନିଯୁକ୍ତିକୁ ବାତିଲ କରିଦେଉଛନ୍ତି, କିଛି କାମ କରାଇ ଦେଉ ନାହାନ୍ତି । ଫାଇଲ ସବୁ ପକାଇ ରଖୁଛନ୍ତି । ସେତେବେଳେ ସୁପ୍ରିମ କୋର୍ଟ ରାୟ ଦେଇ ଦିଲ୍ଲୀର ନିର୍ବାଚିତ ସରକାର ହିଁ ମାଲିକ, ସମ୍ବିଧାନ ଅନୁଯାୟୀ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଉପ ରାଜ୍ୟପାଳମାନଙ୍କ ଦିଲ୍ଲୀର ଆଇନ ଶୃଙ୍ଖଳା, ପୁଲିସ ଓ ଜମିଜମା ବ୍ୟତୀତ ଅନ୍ୟ କୌଣସି କ୍ଷେତ୍ରରେ ସ୍ୱାଧୀନ ଭାବେ ନିଷ୍ପତ୍ତି ନେବା ଅଧିକାର ନାହିଁ ବୋଲି ସ୍ପଷ୍ଟ କରି ଦେଇଥିଲେ । ଏହାକୁ ନେଇ ୨୦୧୯ରେ ହୋଇଥିବା ବିଭିନ୍ନ ଆବେଦନ ଉପରେ ସୁପ୍ରିମ କୋର୍ଟର ଦୁଇ ଜଣିଆ ବେଂଚ ସହମତି ଭିତ୍ତିରେ ରାୟ ପ୍ରକାଶ କରିଥିଲେ ମଧ୍ୟ ବିଭିନ୍ନ ସେବା ସମ୍ବନ୍ଧିତ କ୍ଷମତାକୁ ନେଇ ଭିନ୍ନମତ ରଖିବାରୁ କେନ୍ଦ୍ର ସରକାରଙ୍କ ଅନୁରୋଧକ୍ରମେ ବିଚାର ପାଇଁ ସାମ୍ବିଧାନିକ ପୀଠକୁ ଯାଇଥିଲା ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS