ଶୁକ୍ରବାର ରାତି, ଆଶା ଓ ଆଶଙ୍କାର ରାତି…


ପ୍ରସାଦ ରାଓ
୧୨ ମେ’
ରାତି ପାହିଲେ କର୍ଣ୍ଣାଟକା ବିଧାନସଭା ପାଇଁ ହୋଇଥିବା ଭୋଟର ଗଣତି ଓ ଫଳାଫଳ ପ୍ରକାଶ ପାଇବା ଆରମ୍ଭ ହେବ । ନିର୍ବାଚନରେ କିଏ ବିଜୟୀ ହେଲେ ଓ କାହାର ପରାଜୟ ଘଟିଲା ତାହା ସ୍ପଷ୍ଟ ହୋଇଯିବ । ରାଜ୍ୟର ୭୦ ପ୍ରତିଶତ ମତଦାତା ସରକାର ଗଢିବା ପାଇଁ କଂଗ୍ରେସକୁ ବାଛିଲେ କି ବିଜେପିକୁ ବାଛିଲେ କିମ୍ବା ୨୦୧୮ ଭଳି ଖଣ୍ଡିତ ମତଦାନ କରି ଉଭୟ ଦଳକୁ ଝୁଲାଇ ରଖିଲେ, ତାହା ମଧ୍ୟ ସାମ୍ନାକୁ ଆସିଯିବ । ତେଣୁ, ନେତାଙ୍କ ଆଖିରୁ ନିଦ ହଜି ଯାଇଛି । ଫଳାଫଳକୁ ନେଇ ଉତ୍କଣ୍ଠା ବଢିବାରେ ଲାଗିଛି । ଉଭୟ କଂଗ୍ରେସ ଓ ବିଜେପି ନିରଂକୁଶ ବିଜୟକୁ ନେଇ ଆଶାବାଦୀ ଥିବା ବେଳେ ଝୁଲା ବିଧାନସଭା ସମ୍ଭାବନା ମଧ୍ୟ ରହିଛି । ଯାହାକି, ରାଜ୍ୟର ଆଂଚଳିକ ଦଳ ଜନତା ଦଳ (ଧର୍ମନିରପେକ୍ଷ)ର ଭୂମିକାକୁ ମଧ୍ୟ ଚର୍ଚ୍ଚାରେ ରଖିଛି । ଯଦି କଂଗ୍ରେସ ବା ବିଜେପି ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ନ ପାଆନ୍ତି ତେବେ ଜେଡିଏସ୍ କାହା ମୁଣ୍ଡରେ ଶିରିପା ବାନ୍ଧିବାକୁ ଆଗେଇ ଆସିବ ତାହାକୁ ନେଇ କଳ୍ପନାଜଳ୍ପନା ମଧ୍ୟ ଆରମ୍ଭ ହୋଇଯାଇଛି ।
ମେ’ ୧୦ ତାରିଖ ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକା ବିଧାନସଭା ପାଇଁ ମତଦାନ ପରେ ବିଭନ୍ନ ଜାତୀୟ ସର୍ବେକ୍ଷଣ ସଂସ୍ଥା ବୁଥ୍ ବାହୁଡା ଭୋଟରଙ୍କ ମତାମତକୁ ଆଧାର କରି ଯେଉଁ ଅନୁମାନ ପ୍ରକଟ କରିଛନ୍ତି ସେଥିରେ କଂଗ୍ରେସ ଦଳ ବେଶ୍ ଉତ୍ସାହିତ ଥିବା ବେଳେ ବିଜେପି ହାର ମାନିବାକୁ ପ୍ରସ୍ତୁତ ନଥିବା ଦେଖିବାକୁ ମିଳୁଛି । ସର୍ବାଧିକ ସଂଖ୍ୟକ ସର୍ବେକ୍ଷଣ ସଂସ୍ଥା କଂଗ୍ରେସକୁ ବହୁମତ ମିଳୁଥିବା କହିଥିବା ବେଳେ ଅନ୍ୟୁନ ଦୁଇଟି ସଂସ୍ଥା ବିଜେପି ସରକାର କରିବାକୁ ଯାଉଥିବା କହିଛନ୍ତି । ଉଭୟ କଂଗ୍ରେସ ଓ ବିଜେପି ନେତୃବର୍ଗ ଭୋଟ ଫଳାଫଳକୁ ନେଇ ହୋଇଥିବା ଆଗୁଆ ଆକଳନକୁ ଗ୍ରହଣ କରୁନଥିବା କହିଥିଲେ ମଧ୍ୟ ବାସ୍ତବରେ ଏହି ଆଗୁଆ ଆକଳନ ହିଁ ସେମାନଙ୍କ ରକ୍ତଚାପ ବୃଦ୍ଧି କରିଥିବା ଅନୁମାନ କରାଯାଉଛି । ଦୁଇ ବୃହତ୍ତ ଜାତୀୟ ରାଜନୈତିକ ଦଳ ସେମାନଙ୍କୁ ମିଳିବାକୁ ଥିବା ସଂଖ୍ୟା ବଳରେ ସରକାର ଗଠନ କରିବେ ବୋଲି ନିଶ୍ଚିତ ଥିବା ଦାବି କରୁଥିଲେ ମଧ୍ୟ ଖଣ୍ଡିତ ମତଦାନ ହେଲେ ଜନତା ଦଳ (ଧର୍ମନିରପେକ୍ଷ) ସହ ନିର୍ବାଚନ ପରବର୍ତ୍ତୀ ବୁଝାମଣା କରିବାକୁ ଭିତିରି ଉଦ୍ୟମ ଆରମ୍ଭ କରିସାରିଛନ୍ତି । ବାହାରକୁ କେବଳ ଦେଖାଇ ହେଉଛନ୍ତି, ସେମାନଙ୍କୁ ଜେଡିଏସ୍ ଭଳି ଏକ ଆଶାବାଡିର ଆବଶ୍ୟକତା ପଡିବ ନାହିଁ ।
କର୍ଣ୍ଣାଟକା ପ୍ରଦେଶ କଂଗ୍ରେସ କମିଟି ସଭାପତି ଡି.କେ.ଶିବକୁମାର ବେଂଗାଲୁରୁରେ କହିଛନ୍ତି, କାଲି (୧୩ ତାରିଖ) ପ୍ରକାଶ ପାଇବାକୁ ଥିବା ନିର୍ବାଚନ ଫଳାଫଳ କଂଗ୍ରେସ ସପକ୍ଷରେ ଯିବା ନିଶ୍ଚିତ । ସରକାର ଗଠନ ପାଇଁ ୧୧୩ ବିଧାୟକଙ୍କ ଆବଶ୍ୟକତା ଥିବା ବେଳେ କଂଗ୍ରେସ ଦଳ ତାହାଠାରୁ ଅଧିକ ଆସନ ପାଇବ । ସଂଖ୍ୟା ୧୫୦ ପର୍ଯ୍ୟନ୍ତ ଯାଇପାରେ । ରାଜ୍ୟରେ ଝୁଲା ସରକାର ସମ୍ଭାବନା ନଥିବାରୁ ଜେଡିଏସ୍ ସହ ନିର୍ବାଚନ ପରବର୍ତ୍ତୀ ବୁଝାମଣା ସମ୍ଭାବନାକୁ ସେ ନକାରି ଦେଇଛନ୍ତି । ବିଜେପି ମଧ୍ୟ ଏକାଭଳି ଦାବି କରିଛି । କର୍ଣ୍ଣାଟକା ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦୁରାପ୍ପା କାଲିର ଭୋଟ ଫଳାଫଳ ବିଜେପି ସପକ୍ଷରେ ଯିବ ବୋଲି ଆଶାବ୍ୟକ୍ତ କରିବା ସହ ସରକାର ଗଠନ ପାଇଁ ୧୧୩ ବିଧାୟକଙ୍କ ଆବଶ୍ୟକ ଥିବା ବେଳେ ବିଜେପି ସଂଖ୍ୟା ୧୧୫ ପର୍ଯ୍ୟନ୍ତ ଯିବ ବୋଲି କହିଛନ୍ତି । ଦଳ ଏକାକୀ ସରକାର କରିବାକୁ ସକ୍ଷମ ହେବ, ତେଣୁ ଜେଡିଏସ୍ ସହ ନିର୍ବାଚନ ପରବର୍ତ୍ତୀ ବୁଝାମଣାର ଆବଶ୍ୟକତା ନାହିଁ ବୋଲି ୟେଦୁରାପ୍ପା ମତ ରଖିଛନ୍ତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜୁ ବୋମାଇ ମଧ୍ୟ ରାଜ୍ୟରେ ଲଗାତର ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିବାକୁ ବିଜେପି ଆବଶ୍ୟକ ସଂଖ୍ୟାରୁ ଅଧିକ ଆସନ ପାଇବ ବୋଲି ଆଶାବ୍ୟକ୍ତ କରିଛନ୍ତି ।
କାଲିର ଭୋଟ ଫଳାଫଳକୁ ନେଇ ଦେଶର ଦୁଇ ପ୍ରମୁଖ ଜାତୀୟ ରାଜନୈତିକ ଦଳ ଏଭଳି ଦାବି କରୁଥିବା ବେଳେ କେତେକ ଏକଜିଟ୍ ପୋଲ୍ ଖଣ୍ଡିତ ମତଦାନ ବା ଝୁଲା ବିଧାନସଭାର ସଂକେତ ଦେଇଥିବାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି.ଦେବେଗୌଡାଙ୍କ ଜେଡିଏସ୍ ସରକାର ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବାକୁ ଯାଉଥିବା ଅନୁମାନ କରାଯାଉଛି । ଫଳାଫଳ ପ୍ରକାଶ ପାଇବାର ୨୪ ଘଂଟା ପୂର୍ବରୁ ବିଜେପି ଜେଡିଏସ୍ ସହ ଭିତିରିଆ ଆଲୋଚନା ଆରମ୍ଭ କରିଥିବା ଚର୍ଚ୍ଚା ହେଉଥିବା ବେଳେ କଂଗ୍ରେସ ଫଳାଫଳ ଆସିବା ଅପେକ୍ଷାରେ ରହିଛି । ଜେଡିଏସ୍ ନେତା ତଥା କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ.ଡି.କୁମାରସ୍ୱାମୀ ଆଜି ବେଂଗାଲୁରୁରେ କହିଛନ୍ତି, ଦଳ ଚୂଡାନ୍ତ ନିର୍ବାଚନ ଫଳାଫଳ ଆସିବା ଅପେକ୍ଷାରେ ଅଛି । ତାହା ପରେ ଯାଇ ଯାହା କିଛି ନିଷ୍ପତ୍ତି ନେବ । ୨୦୧୮ ବିଧାନସଭା ନିର୍ବାଚନରେ ମଧ୍ୟ ରାଜ୍ୟରେ ଖଣ୍ଡିତ ମତଦାନ ହୋଇଥିଲା । ବିଜେପି ସର୍ବାଧିକ ୧୦୪ଟି ଆସନ ପାଇ ସରକାର ଗଠନ ନିମନ୍ତେ ଆବଶ୍ୟକ ସଂଖ୍ୟାରୁ ନଅଟି ଆସନ ଦୂରରେ ରହିବାରୁ ରାଜ୍ୟରେ କଂଗ୍ରେସ (୭୮ ଆସନ) ଓ ଜେଡିଏସ୍ (୩୭ ଆସନ)ର ମିଳିତ ସରକାର ପ୍ରତିଷ୍ଠା ହୋଇଥିଲା ।
୨୦୧୮ରେ ଜେଡିଏସ୍ ନେତା ଏଚ.ଡି.କୁମାରସ୍ୱାମୀଙ୍କ ନେତୃତ୍ୱରେ କର୍ଣ୍ଣାଟକାରେ ଗଠିତ କଂଗ୍ରେସ-ଜେଡିଏସ୍ ମେଂଟ ସରକାର ଗୋଟିଏ ବର୍ଷ ପୂର୍ତ୍ତି ନ କରୁଣୁ ବିଜେପିର ‘ଅପରେସନ୍ ଲୋଟୋସ୍’ ହେଉ ବା ଅନ୍ୟ କାରଣରୁ ୨୦୧୯ରେ କିଛି କଂଗ୍ରେସ ଓ ଜେଡିଏସ୍ ବିଧାୟକ ବିଜେପି ମୁହାଁ ହେବାରୁ କୁମାରସ୍ୱାମୀ ସରକାରଙ୍କ ପତନ ଘଟିଥିଲା ଏବଂ ବିଏସ୍ ୟେଦୁରାପ୍ପାଙ୍କ ନେତୃତ୍ୱରେ ରାଜ୍ୟରେ ବିଜେପି ସରକାର ପ୍ରତିଷ୍ଠା ହୋଇଥିଲା । ବିଜେପିର କେନ୍ଦ୍ରୀୟ ନେତୃତ୍ୱ ୟେଦୁରାପ୍ପାଙ୍କୁ ହଟାଇ ବାସବରାଜ ବୋମାଇଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରିବା ପରେ ଗଲା ତିନି ବର୍ଷ ହେଲା ବୋମାଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଥାଇ କାର୍ଯ୍ୟକାଳ ଶେଷ କରିବାକୁ ଯାଉଛନ୍ତି । ଜେଡିଏସ୍ ନେତା କୁମାରସ୍ୱାମୀ ୨୦୧୯ର ସେହି ତୀକ୍ତ ଅନୁଭବକୁ ଯଦି ମନେ ରଖିଥାନ୍ତି ତେବେ ରାଜ୍ୟରେ ଖଣ୍ଡିତ ମତଦାନ ହୋଇଥିଲେ କଂଗ୍ରେସକୁ ସମର୍ଥନ ଦେବେ ନା ବିଜେପିକୁ, ତାହା ବଡ ପ୍ରଶ୍ନ ହୋଇଛି ।
କାଲି ଭୋଟ ଫଳାଫଳ ଆସିବା ପରେ ଆଉ ଏକ ପ୍ରଶ୍ନ ସାମ୍ନାକୁ ଆସିବ । କଂଗ୍ରେସ ଯଦି ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ପାଇଥାଏ ତେବେ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ? କାରଣ, ପୂର୍ବତନ କଂଗ୍ରେସ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା ଓ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶିବ କୁମାର ମୁଖ୍ୟମନ୍ତ୍ରୀ ଦୈଡରେ ଅଛନ୍ତି । ନିର୍ବାଚନ ପୂର୍ବରୁ ଦୁଇ ନେତାଙ୍କ ମଧ୍ୟରେ ସଂପର୍କ ତୀକ୍ତ ଥିଲା । କଂଗ୍ରେସ ନେତୃତ୍ୱ ନିର୍ବାଚନ ପ୍ରଚାର ସମୟରେ ସେମାନଙ୍କ ଭିତରେ ବୁଝାମଣା କରାଇବାରୁ ଦୁଇ ନେତା ବିଜେପିକୁ ପରାଜିତ କରିବା ଲକ୍ଷ୍ୟ ନେଇ ଏକାଠି ପ୍ରଚାର ଅଭିଯାନ ଆରମ୍ଭ କରିଥିଲେ । କର୍ଣ୍ଣାଟକା ମତଦାତା ଦୁଇ ନେତାଙ୍କ ମଧ୍ୟରୁ ସିଦ୍ଧରାମାୟାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଅଧିକ ପସନ୍ଦ କରୁଥିବା ବେଳେ ଡି.କେ.ଶିବ କୁମାର ମଧ୍ୟ ଦୀର୍ଘ ଦିନ ହେଲା ମୁଖ୍ୟମନ୍ତ୍ରୀ ହେବା ସ୍ୱପ୍ନ ଦେଖି ଆସୁଛନ୍ତି । ଆଜି ବେଂଗାଲୁରୁରେ ଗଣମାଧ୍ୟମ ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀ ପ୍ରସଙ୍ଗକୁ ନେଇ ଶିବ କୁମାରଙ୍କୁ ପ୍ରଶ୍ନ କରିବାରୁ ସେ କହିଛନ୍ତି, ଦଳର ଦୁଇ ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀ ଏସଂପର୍କରେ ଯାହା ନିଷ୍ପତ୍ତି ନେବେ ।
ଏଠାରେ ଉଲ୍ଲେଖନୀୟ ଯେ, ୨୦୨୩ କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ପାଇଁ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ, ଏଆଇସିସି ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ, ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟାଙ୍କ ସମେତ କେନ୍ଦ୍ର ଓ ରାଜ୍ୟର ବହୁ ବରିଷ୍ଠ ନେତା ପ୍ରାଣମୂର୍ଚ୍ଛା ପ୍ରଚାର କରିଥିଲେ । ଏଆଇସିସି ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ କଂଗ୍ରେସ ପାଇଁ ପ୍ରଚାରରେ ପଛରେ ନଥିଲେ । ସେହିଭଳି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମତେ ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ କର୍ଣ୍ଣାଟକା ନିର୍ବାଚନରେ ଘମାଘୋଟ ପ୍ରଚାର କରିଛନ୍ତି । ରାଜ୍ୟରେ ବୋମାଇ ସରକାର ବିରୋଧରେ ଦୁର୍ନୀତି ଓ କୁଶାସନ ପାଇଁ ବ୍ୟାପକ ଜନମତ ଥିବା ଯାହା ପ୍ରଚାର ଚାଲିଥିଲା ତାହା ଭୁଲ ପ୍ରମାଣିତ କରିବାକୁ ପାରୁପର୍ଯ୍ୟନ୍ତ ଉଦ୍ୟମ କରିଛନ୍ତି । ବିଜେପି ଏହି ନିର୍ବାଚନ ପ୍ରଚାର ସମୟରେ ନିଜର ହିନ୍ଦୁତ୍ୱ ପରିଚୟକୁ ଅଧିକ ସ୍ପଷ୍ଟ କରିବା ସକାଶେ ମହାବୀର ହନୁମାନଙ୍କୁ ବିବାଦ ଭିତରକୁ ଟାଣିବାକୁ ପଛାଇ ନାହିଁ । କର୍ଣ୍ଣାଟକାରେ ଜାତିଗତ ଭୋଟ ସହ ହିନ୍ଦୁ ଓ ମୁସଲମାନ୍ ଭୋଟ୍ ଧ୍ରୁବୀକରଣ ନିମନ୍ତେ ଉଭୟ ଶାସକ ବିଜେପି ଏବଂ କଂଗ୍ରେସ ପ୍ରଚାର ଶେଷ ପର୍ଯ୍ୟନ୍ତ ଯଥାସାଧ୍ୟ ଉଦ୍ୟମ କରିଥିବାରୁ କର୍ଣ୍ଣାଟକା ମତଦାତା ଏହି ଦୁଇ ଜାତୀୟ ରାଜନୈତିକ ଦଳ ମଧ୍ୟରୁ କାହାର ବ୍ୟାଖ୍ୟାନକୁ ଗ୍ରହଣ କରିଛନ୍ତି ଓ କାହାକୁ ପ୍ରତ୍ୟାଖାନ କରିଛନ୍ତି ତାହା କାଲିର ଫଳାଫଳରୁ ସ୍ପଷ୍ଟ ହୋଇଯିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS